ବିଶ୍ୱର ଶ୍ରେଷ୍ଠ ଏନ୍ଜିଓ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍-ଭୁବନେଶ୍ୱର) ୨୨୩ତମ ସ୍ଥାନରେ ଅଛି। ନିକଟରେ ଜେନେଭାସ୍ଥିତ ମେଡିଆ ପ୍ରତିଷ୍ଠାନ ‘ଏନ୍ଜିଓ ଆଡ଼ଭାଇଜର’ ଦ୍ୱାରା ୨୦୧୭ ପାଇଁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଉକ୍ତ ଶ୍ରେଷ୍ଠ ଏନ୍ଜିଓ ମଧ୍ୟରେ ଭାରତର କିସ୍ ସମେତ ୧୦ଟି ଏନ୍ଜିଓ ସ୍ଥାନ ପାଇଛନ୍ତି। ଗତ ଜୁନ୍ ମାସରେ ଏନ୍ଜିଓ ଆଡ଼ଭାଇଜର ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ କିସ୍ ବିଶ୍ୱର ଶ୍ରେଷ୍ଠ ୫୦୦ ଏନ୍ଜିଓ ମଧ୍ୟରେ ସ୍ଥାନ ପାଇଥିଲା। ମାତ୍ର ୬ ମାସ ମଧ୍ୟରେ ପୁନର୍ବାର କିସ୍ ବିଶ୍ୱର ଶ୍ରେଷ୍ଠ ୫୦୦ ଏନ୍ଜିଓ ତାଲିକାରୁ ଉଠି ୨୨୩ ସ୍ଥାନରେ ରହିବା ଓଡ଼ିଶା ପାଇଁ ଗୌରବର ବିଷୟ। ଉତ୍ତମ ପ୍ରଭାବ (ଆଉଟ୍ଷ୍ଟାଣ୍ଡିଂ ଇମ୍ପାକ୍ଟ), ନୂତନତ୍ୱ (ଇନୋଭେସନ୍) ଓ ପରିଚାଳନା (ଗଭର୍ଣ୍ଣାନ୍ସ) ଭିତ୍ତିରେ ଏହି ସଂସ୍ଥା ବିଶ୍ୱର ପ୍ରତି ଦେଶରୁ ହଜାର ହଜାର ଏନ୍ଜିଓଙ୍କୁ ନେଇ ସର୍ବେକ୍ଷଣ କରିଥିଲେ। ଏନ୍ଜିଓ ଆଡ଼ଭାଇଜର ପକ୍ଷରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ସେଥି ମଧ୍ୟରୁ ବିଶ୍ୱର ଶ୍ରେଷ୍ଠ ଏନ୍ଜିଓ ମଧ୍ୟରେ କିସ୍ ୨୨୩ ସ୍ଥାନରେ ସ୍ଥାନୀତ ହୋଇଥିଲା। ଏହି ସର୍ବେକ୍ଷଣରେ ଏନ୍ଜିଓ ଆଡ଼ଭାଇଜର ପକ୍ଷରୁ ସ୍ୱଚ୍ଛତା ନିମନ୍ତେ ଜନମତ ସଂଗ୍ରହ କରିବା ସହ ବିଭିନ୍ନ ମାନଦଣ୍ଡରେ ଏନ୍ଜିଓଗୁଡ଼ିକର ପ୍ରଦର୍ଶନକୁ ଭିତ୍ତି କରି ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଭାବ, ପରିଚାଳନା ଓ ନୂତନତ୍ୱ ଆଦି ୩ଟି ଦିଗକୁ ଲକ୍ଷ୍ୟରେ ରଖି ୧୬୫ଟି ମାନଦଣ୍ଡ ପ୍ରସ୍ତୁତ କରାଯାଇଥିଲା। ୧୯୯୩ରେ ଶିକ୍ଷାବିତ୍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍ ଆଜି ‘ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ’ର ଏକ ସଫଳ ମଡେଲ୍ ଭାବେ ସାରା ବିଶ୍ୱରେ ଆଦୃତ ଲାଭ କରିଛି। ବର୍ତ୍ତମାନ କିସ୍ରେ ୨୫ ହଜାର ଅତି ଗରିବ ଜନଜାତି ଛାତ୍ରଛାତ୍ରୀ ପ୍ରାଥମିକ ଶ୍ରେଣୀରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ଲାଭ କରୁଛନ୍ତି। ଏହା ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ। ୨୦୧୫ରେ ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ କିସ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଜାତିସଂଘ ପକ୍ଷରୁ କୌଣସି ଏନ୍ଜିଓକୁ ଏହା ହେଉଛି ଶ୍ରେଷ୍ଠ ମାନ୍ୟତା। ଏହି ସଫଳତା ପାଇଁ ଶ୍ରୀ ସାମନ୍ତ ଏନ୍ଜିଓ ଆଡ୍ଭାଇଜର ମେଡିଆ ପ୍ରତିଷ୍ଠାନକୁ କୃତଜ୍ଞତା ଜଣାଇବା ସହ କିସ୍ ପ୍ରକୃତ ସମାଜସେବା କରିଆସୁଥିବାରୁ ଏଭଳି ମାନ୍ୟତା ପ୍ରାପ୍ତ ହୋଇଛି ବୋଲି କହିଛନ୍ତି। ଏହା କିସ୍କୁ ତାର ଲକ୍ଷ୍ୟ ହାସଲ୍ ଦିଗରେ ଆହୁରି ଦକ୍ଷତାର ସହ ଅଗ୍ରସର ହେବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।