ସଂସଦର ସମାଧି!

ସଂସଦର ସମାଧି!

Share :

  ଭାରତୀୟ ଗଣତନ୍ତ୍ର ବରିଷ୍ଠ ହେଲାବେଳକୁ ଅଧିକରୁ ଅଧିକ କନିଷ୍ଠମାନେ ସଂସଦକୁ କବ୍ଜା କରିବାରେ ଲାଗିଛନ୍ତି। ଆଉ ଏଇ ପରିବର୍ତ୍ତନ ଭିତରେ ମାଡ଼ ଖାଇ ଯାଉଛି ଗଣତନ୍ତ୍ର। ଆଜିକାଲି ସଂସଦ ଆଉ ବିତର୍କ ଓ ଆଇନ ପ୍ରଣୟନର ସଭା ହୋଇ ରହିନାହିଁ। ଏହା ଏକ ଅଚଳ ଇମାରତେର ପରିଣତ ହୋଇଗଲାଣି। ଏଭଳି ଅବକ୍ଷୟ ଭାରତରେ ଗଣତନ୍ତ୍ରର ଖୋଳପା ଭିତରେ ଏକଛତ୍ରବାଦକୁ ପୁଷ୍ଟ କରି ଚାଲିଛି।   ନଭେମ୍ବର ୧୬ ତାରିଖରୁ ଆଜି ଆସି ଡିସେମ୍ବର ୯ ତାରିଖ ହେଲା। ଏହା ଭିତରେ ବିତିଗଲାଣି ତିନି ସପ୍ତାହ। ସଂସଦୀୟ ଅଚଳାବସ୍ଥା ଦୂର ହୋଇନାହିଁ। ଦୂର ହୋଇପାରି ନାହିଁ। ଅଥବା ଏହା ଦୂର କରିବାକୁ କୌଣସି ପକ୍ଷ ବୋଧହୁଏ ଉଦ୍ୟମ କରି ନାହାନ୍ତି। ବୋଧହୁଏ ଶାସକ ଓ ବିପକ୍ଷ ମିଳିମିଶି ସଂସଦ ଚଳାଇବାକୁ ଚାହିଁ ନାହାନ୍ତି। ସମ୍ଭବତଃ ସେଇଥିପାଇଁ ଉଦବେଗ ପ୍ରକାଶ କରିଛନ୍ତି ଗଣତନ୍ତ୍ରରେ ବିଶ୍ବାସ କରୁଥିବା ରାଷ୍ଟ୍ରର ଦୁଇ ଜଣ ବରିଷ୍ଠ ନେତା। ଭାରତୀୟ ଜନତା ପାର୍ଟିର ଅଧୁନା ଅଥର୍ବ ପିତାମହ ଲାଲକୃଷ୍ଣ ଆଡ଼ଭାନୀ ଓ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏ ନେଇ ଉଦବେଗ ପ୍ରକାଶ କରିବା କିଛି କମ୍‌ ବଡ଼ କଥା ନୁହେଁ। କିନ୍ତୁ ସାଂସଦମାନେ ତାହା ବୁଝିବା ପରି ବୋଧ ହେଉ ନାହିଁ। ହୁଏତ ଏହା ବୁଝିବା ଭଳି ଶକ୍ତି ହିଁ ସେମାନଙ୍କର ନାହିଁ।   ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜ ଏକ ସଭାରେ ସାଂସଦମାନଙ୍ ଉଦ୍ଦେଶ୍ୟରେ କହିଲେ, ଭଗବାନଙ୍କ ରାଣ! ନିଜ କାର୍ଯ୍ୟ କର। କାଳେ କିଏ ନବୁଝି ପାରିବ ସେଥିପାଇଁ ସେ ବୁଝିଇ ବି ଦେଲେ ସାଂସଦଙ୍କର କାମ କ’ଣ ଓ ସେମାନେ କ୩ଣ କରିବା ଉଚିତ! ସେ କହିଲେ, ସଂସଦ ହେଉଛି ବିତର୍କର ସ୍ଥାନ। ଯେକୌଣସି ପ୍ରସଙ୍ଗରେ ସାଂସଦମାନେ ସେଠାରେ ବିତର୍କ କରିବା ଦରକାର। ଏହା ଏକ ଧାରଣାସ୍ଥଳ ନୁହେଁ। ଧାରଣା ଦେବା ପାଇଁ ଅନ୍ୟ ଜାଗା ଅଛି। ସଂସଦରେ ଧାରଣା ଦେବାକୁ ଲୋକମାନେ ସାଂସଦମାନଙ୍କୁ ନିର୍ବାଚିତ କରି ନାହାନ୍ତି।   ରାଷ୍ଟ୍ରପତିଙ୍କର ଏହି କଥାରୁ ଭାରତୀୟ ଜନତା ପାର୍ଟିର ସାଂସଦମାନେ କ’ଣ ବୁଝିଥିବେ କେଜାଣି କଂଗ୍ରେସ ପାର୍ଟିର ସାଂସଦମାନେ କିନ୍ତୁ ଏହାକୁ ତାଗଦିର ଚାବୁକ ଭାବେ ଗ୍ରହଣ କରିବା କଥା। କାରଣ ଆଜିର ରାଷ୍ଟ୍ରପତି ୨୦୧୨ ଯାଏଁ ଥିଲେ କଂଗ୍ରେସର ବରିଷ୍ଠ ନେତା। ଉପା-୧ ଓ ଉପା-୨ରେ ସେ ଥିଲେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ। ରାଷ୍ଟ୍ରପତି ଏହା ମଧ୍ୟ କହିଥିଲେ ଯେ ସଂଖ୍ୟାଲଘୁ ଗୋଷ୍ଠୀ ସଂସଦ ଅଚଳ କରିବା ଅର୍ଥ ସଂଖ୍ୟାଧିକ ମତକୁ ସଂସଦ ଭିତରେ ଚାପି ଦେବା। କଂଗ୍ରେସ ଏବେ ସଂଖ୍ୟାଲଘୁ, ଲୋକସଭାରେ ଦଳର ଅଛନ୍ତି ମାତ୍ର ୪୪ ସଦସ୍ୟ।   କେବଳ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନୁହନ୍ତି, ଦିନକ ତଳେ ଠିକ୍‌ ଏହି ଢଙ୍ଗରେ କ୍ଷୋଭ ପ୍ରକାଶ କରିଥିଲେ ଭାରତୀୟ ଜନତା ପାର୍ଟିର ପିତାମହ ଲାଲକୃଷ୍ଣ ଆଡ଼ଭାନୀ। ତାଙ୍କୁ ତାଙ୍କର ଶିଷ୍ୟମାନେ ଅଥର୍ବ କରି ବସାଇ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଗଢ଼ିବାରେ ତାଙ୍କର ଥିଲା ମୁଖ୍ୟ ଅବଦାନ। ସେ ହିଁ ଅଟଳ ବିହାରୀ ବାଜପେୟୀଙ୍କ ସହିତ ମିଶି ଏହି ଦଳକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ଓ ଲୋକପ୍ରିୟ କରାଇଥିଲେ। ତାଙ୍କରି ଯୋଗୁଁ ଏହାର ଜାତୀୟ ସ୍ତରରେ ସାଙ୍ଗଠନିକ ବିସ୍ତାର ଘଟିଥିଲା। ଉଭୟ ବାଜପେୟୀ ଓ ଆଡ଼ଭାନୀଙ୍କର ଗଣତନ୍ତ୍ର ପ୍ରତି ନିଷ୍ଠା ସନ୍ଦେହର ଊର୍ଦ୍ଧ୍ବରେ।   ଡିସେମ୍ବର ୭ ତାରିଖ ଦିନ ଆଡ଼ଭାନୀ ସଂସଦ ଭିତରେ ନିଜ ଦଳର ଅନ୍ୟତମ ସଦସ୍ୟ ତଥା ମନ୍ତ୍ରୀ ଅନନ୍ତ କୁମାରଙ୍କୁ କହୁଥିବାର ଶୁଣାଗଲା, ଗୃହ କିଏ ଚଳାଇବାକୁ ଚାହୁଁଛି? ବାଚସ୍ପତି ନା ମନ୍ତ୍ରୀ? ସେତେବେଳେ ଗୃହ ଚାଲୁ ନଥିଲା। ତାଙ୍କର ଇଙ୍ଗିତ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା।   ନଭେମ୍ବର ୧୬ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ଦିନରୁ ବିମୁଦ୍ରୀକରଣ ବା ନୋଟବନ୍ଦି ନିଷ୍ପତ୍ତି ନେଇ ଉଭୟ ଶାସକ ଓ ବିପକ୍ଷ ମଧ୍ୟରେ ଟଣାଓଟରା ଅବ୍ୟାହତ ରହିଛି। ବିପକ୍ଷ ସାଂସଦମାନେ ଏହି ନିଷ୍ପତ୍ତିର ପ୍ରତ୍ୟାହାର ଦାବି କରୁଛନ୍ତି। ଦାବି କରୁଛନ୍ତି ଏହା ଉପରେ ସଂସଦରେ ବିତର୍କ ହେଉ। ପ୍ରଧାନମନ୍ତ୍ରୀ ତାହାର ଉତ୍ତର ରଖନ୍ତୁ। ବିତର୍କ ଉପରେ ଭୋଟ ବିଭାଜନ ହେଉ। ବିପକ୍ଷର ଏହି ଦାବି ଅଗଣତାନ୍ତ୍ରିକ ନୁହେଁ। ଅତୀତରେ ଭାରତୀୟ ସଂସଦରେ ଅନେକ ବିଷୟକ ବିତର୍କ ଉପରେ ଭୋଟ ବିଭାଜନ ହୋଇଛି। ପ୍ରଧାନମନ୍ତ୍ରୀମାନେ ବି ଉତ୍ତର ରଖିଛନ୍ତି।   କିନ୍ତୁ ଏବକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଭିଜନ, ରେଡିଓ ଓ ଟୁଇଟରରେ ବିମୁଦ୍ରୀକରଣ ନେଇ ଅନେକ କଥା କହୁଥିଲେ ମଧ୍ୟ ସଂସଦରେ କହିବାକୁ ପସନ୍ଦ କରୁ ନାହାନ୍ତି। ସେ ଉତ୍ତର ପ୍ରଦେଶ ଯାଇଁ ସେଠା ବିଧାନସଭା ନିର୍ବାଚନ ନିମନ୍ତେ ଅନୁଷ୍ଠିତ ସାଧାରଣ ସଭାରେ ବିମୁଦ୍ରୀକରଣ ପ୍ରସଙ୍ଗରେ ଘଣ୍ଟାକର ଭାଷଣ ଦେଇପାରନ୍ତି। କିନ୍ତୁ ସଂସଦରେ କହିବାକୁ ତାଙ୍କର ଇଚ୍ଛା ନାହିଁ। ତାଙ୍କ ସହଯୋଗୀମାନେ ମଧ୍ୟ ତାଙ୍କ ପରି। ଭୋଟ ବିଭାଜନ ଦାବି ଉପରେ ମନ୍ତ୍ରୀ ଭେଙ୍କେୟାହ ନାଇଡ଼ୁଙ୍କ ମତ ହେଲା ୨୦୧୪ ମସିହାରେ ଭୋଟ ସରିଛି। ଲୋକେ ବୁଝିବା କଥା ଯେ ସେହି ବର୍ଷ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ପରାସ୍ତ କରି ସରକାର ଗଠନ କରିଛି। ଏହାର ଅର୍ଥ କ’ଣ ଆଉ ସଂସଦରେ ବିତର୍କ ବା ଭୋଟ ବିଭାଜନ ହେବା ଉଚିତ ନୁହେଁ? ଯଦି ୨୦୧୪ ଭୋଟ ଆଧାରରେ ସରକାର ସବୁ ନିଷ୍ପତ୍ତି ଗ୍ରହଣ କରିବେ ତେବେ ସଂସଦ ଥାଇ ଲାଭ କ’ଣ? ଅଯଥା ଅର୍ଥ ଖର୍ଚ୍ଚ! ସଂସଦରେ ତାଲା ପକାଇ ଦିଆଯାଉ। କାରଣ ସରକାର କୌଣସି ବିଷୟରେ ସଂସଦରେ ବିତର୍କ ଓ ଭୋଟ କରାଇବାକୁ ଚାହାନ୍ତି ନାହିଁ।   ସରକାର ତାଙ୍କର ଏପରି ଗର୍ବ ଓ ଅହଙ୍କାରର ଆଭିମୁଖ୍ୟ ପରିତ୍ୟାଗ କରିବା ଉଚିତ। ନହେଲେ ଏହି ସରକାରଙ୍କୁ ଯେଉଁମାନେ ଫାସିବାଦୀ ସରକାର ବୋଲି ସମାଲୋଚନା କରୁଛନ୍ତି ସେମାନେ ଠିକ୍ କହୁଛନ୍ତି ବୋଲି ଲୋକେ ବୁଝିବା ଉଚିତ। ସେହିପରି ବିପକ୍ଷର ସଦସ୍ୟମାନେ ମଧ୍ୟ ସଂସଦୀୟ କାର୍ଯ୍ୟ ଅଚଳ ନକରି ପ୍ରତି ସୁଯୋଗରେ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଦେଶବାସୀଙ୍କର କି କି କ୍ଷତି କରିଛି ଓ ଆଗକୁ କରିବ ତା’ ଉପରେ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରିବା ଦରକାର। ସଂସଦ ଚାଲିଲେ ଦେଶ ଚାଲିବ। ନହେଲେ କେବଳ ସରକାର! ଏହା ସେମାନ ହେଜିବା ଉଚିତ। ସବୁପକ୍ଷ ବୁଝିବା ଉଚିତ ଯେ ଦମ୍ଭ, ଅହଙ୍କାର ଓ ଆତ୍ମବଡ଼ିମା ଗଣତାନ୍ତ୍ରିକ ଗୁଣ ନୁହେଁ। ଏହା ଅବିଗୁଣ।

Share :