ଲଘୁ ଖଣିଜର ଲଗାମହୀନ ଲୁଟ୍‌

ଲଘୁ ଖଣିଜର ଲଗାମହୀନ ଲୁଟ୍‌

Share :

  ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ମହଜୁଦ‌୍‍ ଥିବା ଲଘୁ ଖଣିଜ ସଂପଦ ଉପରେ ପଡ଼ିଛି ମାଫିଆ ଗୋଷ୍ଠୀର ଆଖି। ବର୍ଷାଧିକ କାଳ ହେଲା ଦିନରାତି ଶହ ଶହ ଟ୍ରକ ମାଟି, ବାଲି, ମୋରମ‌୍‍, ମାଙ୍କଡ଼ା ପଥର ଆଦି ଲଘୁ ଖଣିଜ ସଂପଦକୁ ମାଫିଆମାନେ ଲୁଟ କରି କୋଟି କୋଟି ଟଙ୍କାର ରାଜସ୍ୱକୁ ସେମାନେ ଉଦରସ୍ଥ କରି ଚାଲିଛନ୍ତି। ଅଭିଯୋଗ ହେଲେ ବା କେବେ କେଉଁଠି ସ୍ଥାନୀୟ ଲୋକ ପ୍ରତିବାଦ କଲେ ସେମାନଙ୍କୁ ନାଲି ଆଖି ଦେଖାଇ ଚୁପ‌୍‍ କରାଇ ଦିଆଯାଉଛି। ନ ହେଲେ ପୋଲିସ କାଁ ଭାଁ କେତୋଟି ଗାଡ଼ିକୁ ଧରି ତହସିଲଦାରଙ୍କ ଜିମା କରାଇ ଦାୟିତ୍ବ ଶେଷ କରୁଛି। ତା’ ପରେ ତହସିଲଦାର ସେ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରିବା ପରେ ତାଙ୍କର ମଧ୍ୟ କାମ ଶେଷ।   ଉପର ଅଧିକାରୀ ଯଦି ଏହା ଉପରେ କେବେ ପ୍ରଶ୍ନ କରୁଛନ୍ତି ଉଭୟ ପୋଲିସ ଓ ତହସିଲଦାର ଜବତ‌୍‍ ଗାଡ଼ିର ସଂଖ୍ୟା ଓ ଆଦାୟ ଜରିମାନାର ହିସାବ ଦେଇ ନିଜର ପାରିବା ପଣିଆକୁ ବଖାଣୁଛନ୍ତି। ତେବେ ଯଦି ଜବତ ଗାଡ଼ିର ସଂଖ୍ୟା ଓ ଜରିମାନାକୁ ହିସାବକୁ ନିଆଯାଏ ତାହା ହିଁ ପ୍ରମାଣ କରେ ଯେ, ଏହି ଅଞ୍ଚଳରୁ ରୀତିମତ ଲୁଟପାଟ ଚାଲିଛି, ଯାହାକୁ ସଂପୂର୍ଣ୍ଣ ବନ୍ଦ କରିବାରେ ପ୍ରଶାସନ ଓ ପୋଲିସ ବିଫଳ ହୋଇଛି। ସେମାନେ ଯେ ବିନା କୌଣସି ସ୍ୱାର୍ଥରେ ବେଫିକର ରହୁଛନ୍ତି ଏହାକୁ ସାଧାରଣରେ ବିଶ୍ୱାସ କରାଯାଉ ନାହିଁ। ମାଫିଆଙ୍କ ଲାଭାଂଶରେ ସେମାନଙ୍କର ଭାଗୀଦାରୀ ରହିଥିବା କଥା ସାଧାରଣରେ ଅଭିଯୋଗ ହେଉଛି।   ତହସିଲ ଅଞ୍ଚଳର ଯୋରାବାଟୀ, କୋଲସାହି, ସିହା, ସମିଆଁ, ଗୋଡ଼ିମାଗୁରା, ନଳୀଦା, ବୈରୀ, ପାରିଆ, ବରୁଣିଆ ଆଦି ମୌଜାର ସରକାରୀ ରକ୍ଷିତ, ଅନାବାଦୀ, ଗୋଚର, ଜଙ୍ଗଲ, ଜଳାଶୟ ଓ ଶ୍ମଶାନ ଭଳି ଜମିରୁ ପ୍ରାୟ ବର୍ଷେ ହେବ ଲୁଟ‌୍‍ ଚାଲିଛି। ସେମିତି ବନ୍ଧପାଲୀ ଓ ବାଉଁଶମୂଳୀ ମୌଜାର ଦୁଇଗୋଟି ଘରୋଇ ଜମିରୁ ମଧ୍ୟ ବ୍ୟାପକ ଭାବେ ଲୁଟପାଟ ହୋଇଆସିଛି। ଏହା ପ୍ରତିବାଦରେ ଓ ଏଭଳି ବେଆଇନ କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବିରେ ଜୁନ‌୍‍ ମାସ ପ୍ରଥମ ସପ୍ତାହ ବ୍ୟାପି ଆଇନଜୀବୀ ଉଦୟନାଥ ସାହୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ତହସିଲଦାର ଅନନ୍ୟୋପାୟ ହୋଇ ଏଭଳି ବେଆଇନ‌୍‍ ଖନନ ଉପରେ ରୋକ ଲଗାଇବାକୁ ଓ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁଙ୍କୁ ହାତକାଟି ଲେଖି ଦେଇଥିଲେ ମଧ୍ୟ ଏହା ଉପରେ ସେମିତି କିଛି ପଦକ୍ଷେପ ଗ୍ରହଣ କରି ନଥିଲେ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ପ୍ରଶାସନିକ ପ୍ରତିଶ୍ରୁତିର ଦେଢ଼ମାସ ପରେ ବର୍ଷାଦିନେ ଖନନକାରୀମାନେ ସେମାନଙ୍କ କାର୍ଯ୍ୟକୁ ସ୍ୱତଃ ବନ୍ଦ ରଖିବା ପରେ ଯାଇ ପ୍ରଶାସନ ପୋଲିସ ମାଧ୍ୟମରେ ମାତ୍ର ୭ ଗୋଟି ସରକାରୀ ଜମି ଉପରେ ୧୪୪ ଧାରା ଜାରି କରିଥିଲା। ଯାହାର ଅବଧି ପ୍ରାୟ ଦେଢ଼ ମାସ ହେଲା ସମାପ୍ତ ହୋଇଥିଲେ ବି ଏହା ଉପରେ ଆଉ ପଦକ୍ଷେପ ନେବାକୁ ତହସିଲଦାରଙ୍କ ଆନ୍ତରିକତା ପରିଲକ୍ଷିତ ହେଉନାହିଁ।   ଏଭଳି ସ୍ଥିତିରେ ବନ୍ଧପାଲୀ ଓ ବାଉଁଶମୂଳୀ ମୌଜାର ଦୁଇଟିଯାକ ଘରୋଇ ଜମିରୁ ଦିନ ଦିପ୍ରହରରେ ଏକାଧିକ ପାୱାରଟିଲର ମେସିନ‌୍‍ ସାହାଯ୍ୟରେ ମାଙ୍କଡ଼ା ପଥର ଖୋଳାଯାଇ ଦୈନିକ ୫୦/୬୦ ଟ୍ରକ ପଥର ବିଭିନ୍ନ ଅଞ୍ଚଳକୁ ଚାଲାଣ ହୋଇ ଚାଲିଛି। କେବଳ ବାଉଁମୂଳୀ ପ୍ଲଟରେ ଖନନ ହୋଇଥିବା ସ୍ଥାନକୁ ଆକଳନ କେଲେ ଏଠାରୁ ପ୍ରାୟ ୨ ଲକ୍ଷ ଘନଫୁଟର ଲଘୁ ଖଣିଜ ଲୁଟ‌୍‍ ହୋଇଥିବା ସେଠାରେ ସୃଷ୍ଟି ହୋଇଥିବା ଗର୍ତ୍ତ ହିଁ ବୟାନ କରୁଛି। ସରକାରୀ ରୟାଲଟି ଦର ଘନଫୁଟ ପ୍ରତି ୩୬ଟଙ୍କା ହିସାବରେ ଏଠାରୁ ହାରାହାରି ୭୨ ଲକ୍ଷ ଟଙ୍କା ଏବଂ ବନ୍ଧପାଲୀରେ ପ୍ରାୟ ୫୦ ଲକ୍ଷ ଟଙ୍କାର ରାଜସ୍ୱ ସରକାର ହରାଇ ସାରିଲେଣି ବୋଲି ଅଭିଯୋଗ ହୋଇଛି। ସେମିତି ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଏସଇଡ଼ବ୍ଲୁ-ଟିଟିପିଆଇଏଲକୁ ଖରମଙ୍ଗୀର ତେରିଗୁଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ମୋରମ ଉତ୍ତୋଳନ ପାଇଁ ଯେଉଁ ଅନୁମତି ପ୍ରଦାନ କରାଯାଇଥିଲା, ଉକ୍ତ ସଂସ୍ଥା ଅନୁମତି ଠାରୁ ପ୍ରାୟ ୧.୫ ଲକ୍ଷ ଘନଫୁଟର ଅଧିକ ମୋରମ‌୍‍ ଲୁଟି ନେଇଛି। ଯେଉଁଥିରେ ସରକାର ପ୍ରାୟ ୫୪ ଲକ୍ଷ ଟଙ୍କାର ରାଜସ୍ୱ ହାରାଇଥିବା ଆକଳନ କରାଯାଉଛି। ଏବେ ପୁଣି ଏହି ସଂସ୍ଥା ଯୋରାବାଟି ମୌଜାର ଏକ ପୋଖରୀରୁ ରାତିରେ ମାଟି ଲୁଟି ନେଉଥିବା ଅଭିଯୋଗ ହେଉଛି।   ସେହିଭଳି ଚଣ୍ଡିଖୋଲ-ତାଳଚେର ୫୩ ନମ୍ୱର ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାଦାରୀ ସଂସ୍ଥା ଆଇସୋଲେକ୍ସ କୋରସନ‌୍‍ କିଛି ସ୍ଥାନୀୟ ମାଫିଆଙ୍କୁ ଧରି ଖଣ୍ଡିଆବନ୍ଧ ମୌଜାର ଏକ ପୋଖରୀରୁ ରାତିରେ ମାଟି ଲୁଟୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇ ପୋଲିସ ୩ଟି ଟ୍ରକ ଜବତ କରିବା ପରେ ସେଠାରେ ଏବେ ଲୁଟ ବନ୍ଦ ହୋଇଛି।   ପ୍ରଶ୍ନ ଉଠିଛି ଏମିତି ବେଲଗାମ‌୍‍ ଲୁଟ‌୍‍ପାଟ ଚାଲିଥିବା ବେଳେ ତହସିଲଦାର କାହିଁକି ବେଫିକର ରହିଆସିଛନ୍ତି। ସେଭଳି ପୋଲିସ କାଁ ଭାଁ ଚଢ଼ାଉ କରି ଏବେ ସେମାନଙ୍କର ବହୁ କାର୍ଯ୍ୟ ରହିଛି ଓ ଏକାର୍ଯ୍ୟ ତାଙ୍କର ନୁହଁ କହି ମୁଣ୍ଡ ଖସାଇବା ପଛରେ ମଧ୍ୟ କି ରହସ୍ୟ ରହିଛି ବୁଝାପଡ଼ୁ ନ ଥିବା ବେଳେ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରି ଆସୁଥିବା ଆଇନଜୀବୀ ଉଦୟନାଥ ସାହୁ ଅଭିଯୋଗ କହିଛନ୍ତି ଯେ, ଖୋଦ ତହସିଲଦାରଙ୍କ ସହିତ ବଡ଼ଚଣା ଓ ବୈରୀ ପୋଲିସ ଅଧିକାରୀଙ୍କ ସହଭାଗିତାରେ ହିଁ ଏଭଳି ଲୁଟ‌୍‍ପାଟ‌୍‍ କାର୍ଯ୍ୟ ଚାଲିଛି। ଫଳରେ ମାଫିଆ ଗୋଷ୍ଠୀ ପୋଲିସ ଓ ପ୍ରଶାସନକୁ ବେଖାତିର କରି ନିର୍ଭୟରେ ଓ ନିର୍ବିଘ୍ନରେ ନିଜର ବେଆଇନ କାର୍ଯ୍ୟକୁ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଏଭଳି ଅଭିଯୋଗ ବର୍ଷାଧିକ କାଳ ହେବ ହୋଇ ଆସୁଥିଲେ ମଧ୍ୟ ଯାଜପୁର ଜିଲ୍ଲାପାଳ ଓ ଏସ‌୍‍ପିଙ୍କ ନିରବତାକୁ ନେଇ ମଧ୍ୟ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟିକରୁଛି।

Share :