କାହାର କାର୍ଡ଼? ପୁରୀର ନା ଗଂଜାମର??

କାହାର କାର୍ଡ଼? ପୁରୀର ନା ଗଂଜାମର??

Share :

  ପୁରୀ ଜିଲ୍ଲା କଣାସରେ ଶହ ଶହ ସଂଖ୍ୟାରେ ଖାଉଟି କାର୍ଡ ଫିଙ୍ଗା ଯାଇଥିବା ଘଟଣାରେ ସରକାର ଅଡୁଆ ପରିସ୍ଥିତିରେ ପଡିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଦୁଇ ଜିଲ୍ଲାପାଳ ନିଜ ଉପରୁ ଦୋଷ ଛଡାଇଲାଗି ଚେଷ୍ଟା କରିଛନ୍ତି। ପୁରୀ ଜିଲ୍ଲାପାଳ କହିଛନ୍ତି ଯେ ଏହି କାର୍ଡଗୁଡିକ ଗଂଜାମ ଜିଲ୍ଲାର। କିନ୍ତୁ ଗଂଜାମ ପ୍ରଶାସନ ଏହାକୁ ମାନିବାକୁ ନାରାଜ। ଏପରି ପରିସ୍ଥତିରେ ଏହି କାର୍ଡ କେଉଁଠୁ ଆସିଲା ତାହା ତଦନ୍ତ କରିବା ସହିତ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଲାଗି ଜାତୀୟ ମାନବାଧିକାର କମିଶନ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।   ୨୦୧୬ ଜାନୁୟାରୀ ୧୨ ତାରିଖରେ ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡି ରେଲେୱ ଟ୍ରାକ‌୍‍ ପାଖରେ ଶହ ଶହ ରେସନ କାର୍ଡ଼ ଫିଙ୍ଗା ଯାଇଥିଲା। ଜାନୁୟାରୀ ୧୬ ସୁଦ୍ଧା ରେସନ କାର୍ଡ ନ ଫେରାଇଲେ କାର୍ଯ୍ୟନୁଷ୍ଠାନ ହେବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା ପରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ତଦନ୍ତ କରା ନଯିବାରୁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ପ୍ରଥମେ ରାଜ୍ୟ ଖାଦ୍ୟ କମିଶନଙ୍କୁ ଜଣାଇଥିଲେ। ସୁଫଳ ନ ମିଳିବାରୁ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। କମିଶନ ଏହାର ବିଚାର କରି ଖାଦ୍ୟ ଯୋଗଣ ଓ ଖାଉଟୀ କଲ୍ୟାଣ ବିଭାଗ ସଚିବଙ୍କୁ ନୋଟିସ‌୍‍ ଜାରି କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।   ତଦନୁଯାୟୀ ବିଭାଗୀୟ ନିର୍ଦ୍ଦେଶକ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରଥିଲେ। ପୁରୀ ଜିଲ୍ଲାପାଳ ଏ ନେଇ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ୩୩୯ଟି କାର୍ଡ ଜବତ ହୋଇଛି ଓ ଏଗୁଡିକ ସବୁ ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ହିତାଧିକାରୀମାନଙ୍କ ନାଁରେ ରହିଛି। ଏଗୁଡିକୁ ଏବେ ପୁରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ହେପାଜତରେ ରଖାଯାଇଛି।   କିନ୍ତୁ ଗଂଜାମ ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ରିପୋର୍ଟରେ କହିଛନ୍ତି ଯେ ଭଂଜନଗର ବ୍ଲକର କୌଣସି ହିତାଧିକାରୀଙ୍କ ରାସନ କାର୍ଡ ଚୋରି ହୋଇଥିବା ବା ହଜିଥିବାର ଖବର ନାହିଁ। ତେଣୁ ଏହି ଘଟଣା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ।   ଏହି ରିପୋର୍ଟ ପରେ କମିଶନ ମତ ଦେଇଛନ୍ତି ତେବେ ଏହି କାର୍ଡଗୁଡିକ କେଉଁଠୁ ଆସିଲା ତାହା ସରକାରୀ ରିପୋର୍ଟରେ ସ୍ପଷ୍ଟ କରାଯାଇନାହିଁ। ସେହିପରି ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କି କାର୍ଯାନୁଷ୍ଠାନ ନିଆଯାଇଛି, ତାହା ମଧ୍ୟ ଉଲ୍ଲେଖ ନାହିଁ। ତେଣୁ ଏସବୁ ଦିଗ ପ୍ରତି ଧ୍ୟାନ ଦେଇ ଏକ ପୂର୍ଣାଂଗ ରିପୋର୍ଟ କମିଶନଙ୍କୁ ଦେବା ଲାଗି ଖାଦ୍ୟ ଯୋଗାଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share :