ଜୟାଙ୍କ ପରେ ଏଆଇଏଡିଏମକେ ଭାଗ୍ୟ

ଜୟାଙ୍କ ପରେ ଏଆଇଏଡିଏମକେ ଭାଗ୍ୟ

Share :

  ଦେଶର ଜଣେ ପ୍ରତିଷ୍ଠିତ ରାଜନେତ୍ରୀ ତଥା ତାମିଲନାଡୁର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ସହର ପଲିଟିକ୍ସ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି। କୁହାଯାଏ କ୍ଷମତାଧାରୀ ସଂସାରରୁ ବିଦାୟ ନେବାର କେଇ ମୁହୂର୍ତ୍ତ ଭିତରେ କ୍ଷମତା ପାଇଁ ନୂଆ ବ୍ୟକ୍ତି ଖୋଜିଦେବା ବୁଦ୍ଧିମାନର କାମ। ନ ହେଲେ ତାହା ରାଜନୈତିକ ଅସ୍ଥିରତା ଓ ଗୋଷ୍ଠୀ କନ୍ଦଳକୁ ବଢାଇଥାଏ। ସେହି ନ୍ୟାୟରେ ପନିରସେଲଭମଙ୍କ ନିଯୁକ୍ତି କିଛିଦିନ ପାଇଁ ଏ ବିପତ୍ତି ଟାଳିଦେଇଛି। ହେଲେ ନୀତି ଶ୍ରେଷ୍ଠ ରାଜନୀତିରେ ଘଡିକେ ଘୋଡା ଛୁଟିଥାଏ।   ସଂସଦର ଲୋକସଭାରେ ୩୭ , ରାଜ୍ୟସଭାରେ ୧୩ ସାଂସଦ ସମେତ ରାଜ୍ୟରେ ୧୩୬ ବିଧାୟକ ଥିବା ଦଳ ଏଆଇଡିଏମକେ। ତେଣୁ ଜୟାଙ୍କ ପରି ନେତୃତ୍ୱ ହିଁ ଏମାନଙ୍କୁ ଏକାଠି ବାନ୍ଧି ରଖିପାରିଥିଲା। ଏବେ ତାହା ସବୁ ଅତୀତ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପନିରସେଲଭମ‌୍‍ ଆଜ୍ଞାଧୀନ। କିନ୍ତୁ ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହନ୍ତି।   ଜୟାଙ୍କ ବାନ୍ଧବୀ ଶଶିକଳା ପରବର୍ତ୍ତୀ ପାର୍ଟି ମୁଖ୍ୟ ହୋଇପାରନ୍ତି। କ୍ଷମତା ରଜ୍ଜୁ ନିଜ ହାତରେ ରଖିବା ପାଇଁ ତିଳେ ବି କୁଣ୍ଠାବୋଧ କରିବେ ନାହିଁ ବୋଲି ଆଶା। ଏମାନଙ୍କୁ ବାଦ ଦଲେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସିକା ଶୀଲା ବାଲକୃଷ୍ଣନଙ୍କ ଅମଲା ପ୍ରଭାବ ବେଶୀ ରହିଛି। ମୋଟ ଉପରେ କହିବାକୁ ଗଲେ ତ୍ରିଶଙ୍କୁ (ପନିରସେଲଭମ-ଶଶିକଳା-ଶୀଲା) ଅବସ୍ଥାରେ ତାମିଲନାଡୁର କ୍ଷମତା ରାଜନୀତି।   କ୍ଷମତା ଯୁଦ୍ଧର ଏହି ସମ୍ଭାବ୍ୟ ଦୃଶ୍ୟ ସଂପର୍କରେ ଆଭାସ ମିଳିଲାଣି। ଜୟାଙ୍କ ମହାପ୍ରୟାଣର ମାତ୍ର ୨ ଘଣ୍ଟା ଭିତରେ ଶଶିକଳାଙ୍କ ମଧ୍ୟରାତ୍ର ଷଡ଼ଯନ୍ତ୍ର ଜରିଆରେ ପନିରେସଲଭାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହାକୁ ଦଳର ଅନେକ ବିଧାୟକ ଓ ମନ୍ତ୍ରୀ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ସେମାନଙ୍କର ସନ୍ଦେହ ପନିରେସଲଭାମଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଶଶିକଳା ନିଜେ ଏଆଇଏଡିଏମକେର ସର୍ବଶକ୍ତିମାନ ନେତ୍ରୀ ହେବାକୁ ଯୋଜନା କରିଛନ୍ତି। ଉଭୟ ଶଶିକଳା ଓ ପନିରସେଲଭାମ ଗୋଟିଏ ଜାତିର। ଉଭୟ ହେଉଛନ୍ତି ଥେବର। ଜୟା ଥିଲେ ବ୍ରାହ୍ମଣ।   ନୂଆ ମୁଖ୍ୟମନ୍ତ୍ରୀ ପନିରେସେଲଭାମଙ୍କ ଉପରେ ଶଶିକଳା ଓ ଶୀଲା ବାଲକୃଷ୍ଣନଙ୍କର କି ପ୍ରଭାବ ରହିବ ତାହା ଜଣାପଡ଼ିବା ପରେ ଏଆଇଏଡିଏମକେ ରାଜନୀତି ନୂଆ ମୋଡ଼ ନେବାର ସମ୍ଭାବନା ଜଳଜଳ ଦିଶୁଛି। ବିଧାୟକମାନଙ୍କ ଉପରେ ଯାହାର କର୍ତ୍ତୃତ୍ବ ଓ ପ୍ରଭାବ ଅଧିକ ରହିବ ଶେଷରେ ସେଇ ଗୋଷ୍ଠୀ ଦଳକୁ କବ୍ଜା କରିପାରେ।   ଏବେ ଯାହା ସୂଚନା ମିଳୁଛି ଦଳର ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀ ପନିରସେଲଭାମଙ୍କ ସପକ୍ଷରେ ଅଛନ୍ତି। ଅଧାରୁ କିଛି କମ ବିଧାୟକ ତାଙ୍କୁ ଚୁପଚାପ ବିରୋଧ କରୁଛନ୍ତି। ସେମାନେ ଆଗକୁ କେଉଁ ବାଟରେ ଯିବେ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେବେ ଶଶିକଳା ଓ ପନିରସେଲଭାମଙ୍କ ମଧ୍ୟରେ ଭିତିରି ଯୋଗାଯୋଗ ଥିବା ଏବେ ସାବିତ ହୋଇଥିବାରୁ ଏବଂ ଜୟାଙ୍କ ବର୍ତ୍ତମାନରେ ଶଶିକଳା ଦଳ ଓ ସରକାରକୁ ପ୍ରଭାବିତ କରିଥିବାରୁ ଏବେ କିଛି ଦିନ ପାଇଁ ଏ ଦୁଇ ଜଣଙ୍କ ମଧ୍ୟରେ ଦଳୀୟ କ୍ଷମତା ବାଣ୍ଟି ହୋଇଯିବ।   ତାମିଲନାଡ଼ୁ ରାଜନୀତିର ସମୀକ୍ଷା କଲେ ଜଣାଯାଏ ଯେ ଆନ୍ନାଦୁରାଇଙ୍କ ମୃତ୍ୟୁ ପରେ ଭିଆର ନେଦୁନଚେଝିଆନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ସେ ଥିଲେ ଦଳର ବରିଷ୍ଠ ନେତା। କିନ୍ତୁ ପରେ କରୁଣାନିଧିଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା ଡିଏମକେ। ନେଦୁନଚେଝିଆନ ମଧ୍ୟ କରୁଣାନିଧିଙ୍କ ଅଧୀନରେ ମନ୍ତ୍ରୀ ହୋଇଥିଲେ।   ଏଭଳି ରାଜନୀତିର ଯଦି ପୁନରାବୃତ୍ତି ଘଟେ ତେବେ ପନିରସେଲଭାମଙ୍କ ଭବିଷ୍ୟତ ନେଦୁନଚେଝିଆନଙ୍କ ପରି ଯେ ନହେବ ତାହା କିଏ କହିବ?

Share :