ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦେବାକୁ ଦାବି

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦେବାକୁ ଦାବି

Share :

ଭୁବନେଶ୍ୱରରେ ବର୍ଷ ବର୍ଷ ଧରି ରହି ଆସୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ଯୋଗାଇ ଦେବା ପାଇଁ ନାଗରିକ ସମାଜ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଦାବୀ କରାଯାଇଛି।   ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସହରକୁ କାମଧନ୍ଦା ଅନ୍ୱେଷଣରେ ପ୍ରତିବର୍ଷ ଶହ ଶହ ଲୋକ ଗ୍ରାମାଞ୍ଚଳରୁ ଆସିଥାନ୍ତି ଏବଂ ଅସ୍ଥାୟୀ ଭାବେ ବିଭିନ୍ନ ବସ୍ତିରେ ଘର କରି ରହି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଏହିପରି ସହରରେ ହାରାହାରି ୪୩୬ଟି ବସ୍ତି ଗଢି ଉଠିଛି। ଭୁବନେଶ୍ୱରର ପ୍ରାୟ ୪ ଭାଗ ଜମି ଉପରେ ପ୍ରାୟ ୩ ଲକ୍ଷ ବସ୍ତିବାସିନ୍ଦା ରହୁଛନ୍ତି। ରାଜ୍ୟ ସରକାର କିଛି ବସ୍ତିକୁ ପିଇବା ପାଣି, ଶୌଚାଳୟ, ରାସ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଇଥିବା ବେଳେ ସଂଖ୍ୟାଧିକ ବସ୍ତିରେ ଲୋକମାନେ ଅତ୍ୟନ୍ତ ଖରାପ ପରିବେଶରେ ଚଳୁଛନ୍ତି ଏବଂ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।   ସହରରେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକ ଯଥା ମନ୍ତ୍ରୀ, ବିଧାୟକ, ଅଫିସର ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଜମି ଯୋଗାଇ ଦେଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ ପାଇଁ ଜମି ବ୍ୟବସ୍ଥା କରିନାହାନ୍ତି। ସହରୀ ଜୀବନକୁ ସ୍ୱଚ୍ଛନ୍ଦମୟ କରିବା ପାଇଁ ସେମାନଙ୍କର ଅବଦାନକୁ ସରକାର ସ୍ୱୀକାର କରୁଥିଲେ ମଧ୍ୟ ସେମାନଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି।   ତେଣୁ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାପକ ସର୍ଭେ କରିବା, ଉପଯୁକ୍ତ ବସ୍ତିବାସିନ୍ଦାଙ୍କୁ ଅନ୍ୟୁନ ୯୦୦ ବର୍ଗଫୁଟର ଜମି ଯୋଗାଇଦେବା, ଭୁବନେଶ୍ୱରରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଜମି ଜବରଦଖଲକୁ ସରକାରୀ ଖାତାକୁ ଆଣିବା, ଓଡିଶା ସରକାର ଜମି ବନ୍ଦୋବସ୍ତ ନିୟମାବଳୀ, ୧୯୮୩ ଅନୁଯାୟୀ ଜମିର ବିଭକ୍ତିକରଣ କରାଯାଇ ଗରିବ ଲୋକଙ୍କ ପାଇଁ ଜମି ସଂରକ୍ଷଣ କରିବା, ବସ୍ତିବାସିନ୍ଦାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିସ୍ତୃତ ଜମି ନୀତି ପ୍ରଣୟନ କରିବା ସହ ସେମାନଙ୍କର ଆଇନ‌୍‍ଗତ ଅଧିକାର ସୁରକ୍ଷା ପାଇଁ କେନ୍ଦ୍ରୀୟ ମଡେଲ‌୍‍ ଆଇନ‌୍‍ ଅନୁଯାୟୀ ରାଜ୍ୟର ଏକ ନୂତନ ଆଇନ‌୍‍ ପ୍ରଣୟନ ପାଇଁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।   ଏକ ପ୍ରତିନିଧି ଦଳରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ବସ୍ତିନେତା ପ୍ରତାପ ସାହୁ, ବିକଳାଙ୍ଗ ସଂଘର ସଭାପତି ସନ୍ୟାସୀ ବେହେରା, ସଚିକାନ୍ତ ପ୍ରଧାନ, ରଞ୍ଜୁଲତା ମହାପାତ୍ର ଓ ଯୋଗେନ୍ଦ୍ର ଡ଼ାକୁଆ ପ୍ରମୁଖ ସାମିଲ‌୍‍ ହୋଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ।

Share :