ନିମାପଡ଼ା ଚାରିଛକରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ନେଇ ଅନଶନରେ ବସିଥିବା ସୂଚନାଧିକାର କର୍ମୀ ତଥା ଓଡ଼ିଶା ସୂଚନା ଅଧିକାର ଅଭିଯାନର ବ୍ଲକ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କୁ ଗତ ନଭେମ୍ୱର ୨୪ ତାରିଖ ମଧ୍ୟରାତ୍ରିରେ ପାଶବିକ ଅତ୍ୟାଚାର କରି ଜୋର ଜବରଦସ୍ତ ପୋଲିସ୍ ଉଠାଇନେବା ବିରୁଦ୍ଧରେ ଶ୍ରୀ ପ୍ରଧାନ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଗତ ନଭେମ୍ୱର ୧୮ ତାରିଖରେ ଶ୍ରୀ ପ୍ରଧାନଙ୍କ ସମେତ ନିମାପଡ଼ାର ଅନେକ େସ୍ୱଚ୍ଛାସେବୀ ଏବଂ ସାମାଜିକ କର୍ମୀ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଉଥିବା ବ୍ୟାପକ ଅସୁବିଧା, ଡ଼ାରକ୍ତଙ୍କ ଅନୁପସ୍ଥିତି, ବିଭିନ୍ନ ପଦବୀ ବର୍ଷ ବର୍ଷ ଧରି ଖାଲି ରହିବା ଇତ୍ୟାଦି ସମସ୍ୟା ନେଇ ଆମରଣ ଅନଶନ ଆରମ୍ଭ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ତିନୋଟି ବ୍ଲକ ନିମାପଡ଼ା, ଗୋପ ଏବଂ ଗୋବିନ୍ଦୁପର ଅଞ୍ଚଳରେ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଏହି ଡ଼ାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଏହି ଅନଶନକାରୀମାନଙ୍କୁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଜନସାଧାରଣ ସମର୍ଥନ କରିଥିଲେ। ଏହି ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାସ ବିବ୍ରତ ହୋଇପଡ଼ିବା ସହ ଅନଶନକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ। ଅନଶନର ସପ୍ତମ ଦିନରେ ମଧ୍ୟରାତ୍ରିରେ ପୋଲିସ୍ ବାହିନୀ ସନ୍ତୋଷ ପ୍ରଧାନ ଏବଂ ଅନ୍ୟ ଅନଶନରତ ସାଥୀମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କୁ ବିଦା କରିଦେଲେ ଏବଂ ସନ୍ତୋଷଙ୍କୁ ଉଠାଇ ନେଇ ଯାଇଥିଲେ। ତା ପରଦିନ ଅର୍ଥାତ୍ ନଭେମ୍ୱର ୨୫ ତାରିଖରେ ସ୍ଥାନୀୟ ଲୋକ ସନ୍ତୋଷକୁ ପୁରୀ ଡ଼ାକ୍ତରଖାନାରେ ଥିବାର ଜାଣିବାକୁ ପାଇଥିଲେ। ଏହି ସମୟରେ ପୋଲିସ୍ ବାହିନୀ ସନ୍ତୋଷକୁ ଅକଥନୀୟ ଅତ୍ୟାଚାର କରିବା, ମାନସିକ ନିର୍ଯ୍ୟାତନା ଦେଇଥିବାରୁ ସେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ତଦନ୍ତ କରି ତୁରନ୍ତ ସମ୍ପୃକ୍ତ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କୁ ଏକଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି।