ଭଲ ପାଇବାକୁ ଭୟ!

ଭଲ ପାଇବାକୁ ଭୟ!

Share :

  ଏହା କେବଳ ଜଣେ ଭୟାତୁର ବ୍ୟକ୍ତିତ୍ବର ପରିପ୍ରକାଶ। କାପୁରୁଷ ନହେଲେ ଜଣେ ଏପରି କରେ ନାହିଁ। ସମ୍ଭବତଃ ଏଇ ଭୟ ଓ କାପୁରୁଷତା ଏବେ ଓଡ଼ିଶା ଶାସନ ଓ ପ୍ରଶାସନକୁ ସଂପୂର୍ଣ୍ଣ ରୂପେ ଘୋଟି ଯାଇଛି। ଉପରୁ ତଳ ଯାଏଁ ସମସ୍ତଙ୍କ ମନରେ ଛନକା, କାଳେ କିଏ ମାରିବ କି? କିଏ ଅଣ୍ଡା ଫିଙ୍ଗିବ କି? କିଏ ଟମାଟୋ ଫୋପାଡ଼ିବ କି? କିଏ କଳା ପତାକା ଦେଖାଇବ କି?   ଏମିତି ଏକ ଭୟ ଏବେ ଓଡ଼ିଶା ଶାସନ କଳକୁ ଯେତିକି ଆକ୍ରାନ୍ତ କରିଛି ଓଡ଼ିଶାବାସୀଙ୍କୁ ମଧ୍ୟ ସେତିକି ଅସୁବିଧାରେ ପକାଇଛି। ଏଠି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସୁରକ୍ଷା ନେଇ ପୁଲିସ ଓ ପ୍ରଶାସନକୁ ଅଧିକ ଚିନ୍ତା, ଅଧିକ ଡର। ଲୋକଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ବେଳ କମ୍‌। ଅଫିସରଙ୍କ ସୁରକ୍ଷା ପାଇଁ କମ୍‌ କସ୍‌ରତ୍‌ ଚାଲି ନାହିଁ। ଲୋକେ ଅସୁବିଧା ଭୋଗିଲେ କ’ଣ ହେଲା? ସେମାନେ କ’ଣ ନିର୍ବାଚିତ ରାଜା କି? ସେମାନେ ତ’ କେବଳ ଭୋଟର୍‌! ଭୋଜି ଖାଇ ବା ଉପହାର ନେଇ ଭୋଟ ଦେଲା ପରେ ତାଙ୍କ କାମ ଶେଷ! ତା’ ପରେ ଶାସନ କରିବେ ସରକାର, ମନକୁ ଯେମିତି ପାଇଲା ସେମିତି! ଲୋକପ୍ରିୟତାର ତ’ ଗୋଟେ ଫାଇଦା ଅଛି!   ଦି’ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ ସୁନ୍ଦରଗଡ଼। ତାଙ୍କ ସଭାକୁ ସଫଳ କରିବା ପାଇଁ ସ୍ଥାନୀୟ ବିଜେଡି ନେତା ଓ ଅଫିସରମାନେ ଦାୟିତ୍ବ ନେଇଥାନ୍ତି। ସେମାନେ ଯାହାକୁ ଯେମିତି ମନେଇ, ଯାହାକୁ ଯେତେ ମଜୁରୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆଣିବା କଥା ଆଣିଲେ। ହେଲେ ସଭାସ୍ଥଳରେ ଦେଖାଗଲା ଉପସ୍ଥିତ ଥିବା କେତେକ ମହିଳା ଓ ଯୁବତୀ କଳା ରଙ୍ଗର ଓଢ଼ଣୀ ପକେଇଛନ୍ତି। ମୁଣ୍ଡରେ ହାତ ଦେଲେ ରାଜାଙ୍କଠାରୁ ଅଧିକ ରାଜଭକ୍ତ ଦେଖେଇ ହେଉଥିବା ଅଫିସର ଓ କୁଜିନେତାମାନେ! କ’ଣ କରିବେ?   ଏଗୁଡ଼ା କଳା ପତାକା ନୁହେଁ ତ! ଯଦି ମୁଖ୍ୟମନ୍ତ୍ରୀ ଆସିବା ବେଳକୁ ଏମାନେ ଏଇ ଓଢ଼ଣୀଗୁଡ଼ିକୁ ଉପରକୁ ଟେକି ଦେଖେଇବେ? ଆମ ଅବସ୍ଥା କ’ଣ ହେବ? ଆମ ଇଜ୍ଜତ ମହତ ଉଜୁଡ଼ିଯିବ। ତେଣୁ ଚାଲ, ଗୋଟେ କାମ କରିବା- ଏ ମହିଳାମାନଙ୍କ ଇଜ୍ଜତ ମହତ ଲୁଟିନେବା! ସେମାନଙ୍କ କଳା ଓଢ଼ଣୀକୁ କାଢ଼ିନେବା! ଗୋପାଙ୍ଗନାଙ୍କ ବସ୍ତ୍ର ହରଣର ପାର୍ଟ ଟୁ!   ସେଇଆ ହେଲା। ମୁଖ୍ୟମନ୍ତ୍ରୀ ଆସିବା ଆଗରୁ ମହିଳାଙ୍କ କଳା ଓଢ଼ଣୀସବୁ କଢ଼ା ହୋଇ ପାଖରେ ଗୋଟେ ବାଉଁଶରେ ଟଙ୍ଗା ଗଲା। ଯଦି କେହି କଳା ରଙ୍ଗର ଶାଢ଼ୀ ଓ ବ୍ଲାଉଜ୍‌ ପିନ୍ଧିଥାନ୍ତେ ତେବେ ବୋଧେ ଗୋପୀଙ୍କ ବସ୍ତ୍ରହରଣ ବଦଳରେ ଦ୍ରୌପଦୀ ବସ୍ତ୍ରହରଣ ହୋଇଥାନ୍ତା କି କ’ଣ?   ଟିଭିରେ ଏ ଦୃଶ୍ୟ ଦେଖାଯିବା ପରେ ବିରୋଧୀ ଦଳଗୁଡ଼ିକ ସ୍ବାଭାବିକ ଭାବେ ହୋହାଲ୍ଲା କଲେ। ସେତେବେଳ ମୁଖ୍ୟମନ୍ତ୍ରୀଙ୍କ ମର୍ମ ଆହତ ହେଲା ନାହିଁ। ଯେତେବେଳେ ଏହାକୁ ଏକ ରାଜନୀତିକ ପ୍ରସଙ୍ଗ କରାଗଲା, ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲେଇଲେ, ବିଧାନସଭା ଅଚଳ ହେଲା, ସେତେବେଳେ ଯାଇଁ ମୁଖ୍ୟମନ୍ତ୍ରୀ ମର୍ମାହତ ହେଲେ! କହିଲେ, ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛି, ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।   ଏହାକୁ ଯଦି ପ୍ରସଙ୍ଗ କରାଯାଇ ନଥାନ୍ତା, ବିଧାନସଭା ଯଦି ଅଧିବେଶନରେ ନଥାନ୍ତା, ତେବେ ମୁଖ୍ୟମନ୍ତ୍ରୀଙ୍କ ମର୍ମ ଆହତ ହୋଇଥାନ୍ତା କି?   ଏମିତି ତ ପ୍ରାୟ ପ୍ରତିଦିନ ଘଟୁଛି। ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କାହାକୁ ଡରୁଛନ୍ତି କେଜାଣି? ଯେଉଁ ଲୋକମାନେ ତାଙ୍କୁ ଭଲ ପାଉଛନ୍ତି ତାଙ୍କର କ’ଣ ତାଙ୍କୁ ହିଁ ଡର? ନହେଲେ ସେ ଗଲାବେଳେ ରାଜା ଗଲାବେଳେ ତାଟିକବାଟ ପଡ଼ିଗଲା ଭଳି ରାସ୍ତାଘାଟ ସବୁ ବନ୍ଦ ହୋଇଯାଉଛି କାହିଁକି? ତାଙ୍କ ଘର ସାମ୍ନା ରାସ୍ତାରେ ଏକାଧିକ ପୁଲିସ ତମ୍ବୁ କାହିଁକି? ତାଙ୍କ ପାଖକୁ ଗୁହାରି କରିବାକୁ ଅଧିକାଂଶ ଲୋକଙ୍କୁ ଛଡ଼ାଯାଉନି କାହିଁକି? କାହିଁକି ତାଙ୍କ ଗାଡ଼ି ଆଗରେ ପଛରେ ପଚିଶ ଉପରେ ପୁଲିସ?   ତାଙ୍କୁ ତ ରାଇଜ ସାରା ଲୋକ ଭଲ ପାଉଛନ୍ତି, ସେ ପୁଣି କାହାଠାରୁ ଆକ୍ରମଣ ଆଶଙ୍କା କରୁଛନ୍ତି? କଂଗ୍ରେସ ଓ ବିଜେପି ବାଲାଏ ତ ତାଙ୍କୁ ଭଲ ପାଉଥିବା ଲୋକଙ୍କ ଯୋଗୁଁ ତଳି ଧରିଗଲେଣି। ଯଦି ବି ତାଙ୍କରି ଭିତରୁ କେହି ତାଙ୍କୁ ଅଣ୍ଡା କି ବିଲାତି ବାଇଗଣଟିଏ ଫୋପାଡ଼ିଦେଲା ସେଥିରେ କ’ଣ ତାଙ୍କ ଦେହ ଖରାପ ହୋଇଯାଉଛି? ତାଙ୍କ ବାପା ବିଜୁ ପଟ୍ଟନାୟକ ପରା ତାଙ୍କ ବିରୋଧ କରୁଥିବା ସଚିବାଳୟ କର୍ମଚାରୀଙ୍କୁ ସାହସର ସହିତ ସମ୍ମୁଖୀନ ହୋଇଥିଲେ, ଢେଲାମାଡ଼ରେ ତାଙ୍କ ମୁଣ୍ଡ ଫାଟିଲା ପଛେ ସେ ତାଙ୍କ ସାହସ ଓ ବୀରତ୍ବ ପ୍ରଦର୍ଶନ କଲେ। ମୁଖ୍ୟମନ୍ତ୍ରୀମାନେ ରାଜ୍ୟବାସୀଙ୍କର ମୁଖ୍ୟମନ୍ତ୍ରୀ। ସେ କେବଳ ଗୋଟିଏ ଦଳର ମୁଖ୍ୟମନ୍ତ୍ରୀ ନୁହନ୍ତି। ଗଣତନ୍ତ୍ରରେ ସମର୍ଥନ ଓ ବିରୋଧ ଦି’ଟା ଯାକ ରହିବ। ତା’ ବୋଲି ଲୋକଙ୍କୁ ଡରି ରାସ୍ତାଘାଟରେ ଯାଆସ କରିବେ ନାହିଁ? କିମ୍ବା ମଣିମା ଯେଉଁ ରାସ୍ତାରେ ଯିବେ ତାହା ଅନ୍ୟମାନଙ୍କ ପାଇଁ ନିଷିଦ୍ଧ ହେବ?   କୋଉ ସଭାକୁ ଯଦି ତାଙ୍କର ଯିବାର ଅଛି ତେବେ ହଲ୍‌ ଭିତରକୁ ଲୋକେ ପଶିବା ଆସିବା ଆଗରୁ କୁକୁର ଶୁଙ୍ଘିବ, ମେସିନ ପରଖିବ। ପୁଣି ହଲ୍‌ ଭିତରେ ଲୋକେ ବସି ସାରିଲା ପରେ ମୁଖ୍ୟମନ୍ତ୍ରୀ ଆସିବା ଆଗରୁ ଆଉ ଥରେ ସମସ୍ତଙ୍କୁ ଠିଆ କରେଇ ଯାଞ୍ଚ ଓ ପରୀକ୍ଷା! ଇଏ କ’ଣ ଲୋକଙ୍କ ଉପେର ଲୋକପ୍ରିୟ ନେତାଙ୍କ ବୋଝ! ତୁମେ କାହିଁକି ମୋତେ ଏତେ ଭଲ ପାଉଛ କି? ମୁଁ କ’ଣ ଜୋରଜବରଦସ୍ତ ଭୋଟ ଆଦାୟ କରୁଛି? ମତେ ଭୋଟ ଦେଲ ମାନେ ମୁଁ ଶାସନ କରିବି, ମୋ ମର୍ଜିରେ।   ରାଜ୍ୟର ଶକ୍ତି ତାଙ୍କ ପାଖରେ। ଅଥଚ ତିନି ଚାରି ଜଣ ଚାଷୀ ତାଙ୍କ ଗାଡ଼ି ଆଗରେ ଭାରତ ପତାକା ହଲାଇବାରୁ ସେ ଡରିଗଲେ ଓ ଗାଡ଼ି ବୁଲାଇ ପଳାଇଲେ। କଂଗ୍ରେସର କେଇ ଜଣ ବାତରା ଟୋକା ତାଙ୍କ ଗାଡ଼ି ଉପରକୁ ଅଣ୍ଡା ପକାଇଲେ ତ ତାଙ୍କ ବିରୋଧରେ ଦାଏର ହେଲା ହତ୍ୟା ମାମଲା। ଏବେ ଓଢ଼ଣୀ କଢ଼ା ଗଲା। ଆଗକୁ କଳାରଙ୍ଗର ପୋଷାକ ବି ଉତାରି ଦିଆଯାଇ ପାରେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ସୁରକ୍ଷାର ପ୍ରଶ୍ନ କି ନା?

Share :