ଲୌହ ପ୍ରଜାପତି!

ଲୌହ ପ୍ରଜାପତି!

Share :

  ଜୟା କେବଳ ଏକ ନାଁ ନୁହେଁ। ଏକ ବ୍ରାଣ୍ଡ। ତାମିଲନାଡ଼ୁର ସବୁଠୁ ଲୋକପ୍ରିୟ ବ୍ରାଣ୍ଡର ନାଁ। ଜୟାଲଳିତା ଜୟରମଣ। ପୁରଚି ତଲାଇବି। ଆମ୍ମାୟାର। ଲୌହ ପ୍ରଜାପତି। ତାଙ୍କ ପରଲୋକ ଗମନ କଥା ଶୁଣି ପ୍ରାଣୋତ୍ସର୍ଗ କରିବାକୁ ବି ପଛେଇ ନାହାନ୍ତି ଲୋକେ। ତାଙ୍କ ଦେହ ଖରାପ ଶୁଣି ଅନେକ ଘରେ କାନ୍ଦବୋବାଳି ପଡ଼ିଥିଲା। ଅନେକ ଗାଁ ଓ ସହରରେ ଆୟୋଜିତ ହୋଇଥିଲା ଜୟାଙ୍କ ପାଇଁ ଯଜ୍ଞ। ସେ ୭୫ ଦିନ ଚିକିତ୍ସାଧୀନ ରହିଲେ। ଏଇ ଅଢ଼େଇ ମାସ ଧରି କେବେ ବି ଚେନ୍ନାଇର ଆପୋଲୋ ହସ୍ପିଟାଲ ସାମ୍ନାରୁ ହଟି ନଥିଲେ ତାଙ୍କ ସମର୍ଥକ। ସମର୍ଥକ ନୁହନ୍ତି ତ ଆଜିକାଲିର ଭାଷାରେ ଭକ୍ତ, ଅନୁଗାମୀ।   ତାଙ୍କ ଦେହାନ୍ତରେ ପୂରା ସ୍ତବ୍ଧ ହୋଇଯାଇଛି ତାମିଲନାଡ଼ୁ। ଘରୁ ପଦାକୁ ବାହାରି ଆସିଛନ୍ତି ଲକ୍ଷଲକ୍ଷ ଲୋକ। ଚେନ୍ନାଇର ଗଳିକନ୍ଦି ବି ପୂରି ଯାଇଛି। ମୁଖ୍ୟ ସଡ଼କରେ ଜନ ଗହଳି। ରାଜାଜୀ ହଲ୍‌ ଚାରି କଡ଼େ ରଥଯାତ୍ରାର ଭିଡ଼। ଏହା ତାଙ୍କ ଲୋକପ୍ରିୟତାର ପ୍ରମାଣ।   ଜୟାଙ୍କର ଏହି ଲୋକପ୍ରିୟତାର ରହସ୍ୟଭେଦ କରିବା ମୁସ୍କିଲ। କାହିଁକି ତାଙ୍କୁ ଏତେ ଲୋକ ଏତେ ଭଲ ପାଆନ୍ତି? ସେ କ’ଣ ତାମିଲନାଡ଼ୁର ଘରଘର ବୁଲିଛନ୍ତି? ଲୋକମାନେ କ’ଣ ତାଙ୍କୁ ଚାହିଁଲା ମାତ୍ରେ ଦର୍ଶନ କରିପାରନ୍ତି। ଦୁଃଖ ଜଣାଇ ପାରନ୍ତି? ସେମାନଙ୍କୁ ସେ କ’ଣ ବ୍ୟକ୍ତିଗତ ଭାବେ କିଛି କିଛି ସାହାଯ୍ୟ କରିଛନ୍ତି? ଲୋକଙ୍କ ସୁଖଦୁଃଖରେ ପାଖରେ ଠିଆ ହୋଇଛନ୍ତି?   ସତ ହେଉଛି, ଜୟା ଏଭଳି ବ୍ୟକ୍ତିତ୍ବ ନଥିଲେ। ତାଙ୍କୁ ତାଙ୍କ ଦଳର ନେତା ଓ ମନ୍ତ୍ରୀମାନେ ମଧ୍ୟ ଭେଟିବା କଷ୍ଟକର ଥିଲା। ମନ୍ତ୍ରୀମାନେ ତାଙ୍କୁ ଭେଟିଲେ ତାଙ୍କ ଗୋଡ଼ ତଳେ ପଡ଼ି ମୁଣ୍ଡିଆ ମାରୁଥିଲେ। ତାଙ୍କ ନାଁ ଶୁଣିଲେ ଏଆଇଏଡିଏମକେର ବଡ଼ବଡ଼ ନେତା ବି ଥରି ଉଠୁଥିଲେ। ତାଙ୍କ ଦଳ ଉପରେ ଥିଲା ତାଙ୍କର ଅଖଣ୍ଡ ପ୍ରଭାବ। ବଜ୍ରମୁଷ୍ଟିରେ ଶାସନ କରୁଥିଲେ ସେ। ଶୃଙ୍ଖଳାର ଶୃଙ୍ଖଳ ଥିଲା ତାଙ୍କ କର୍ତ୍ତୃତ୍ବର ଚାବୁକ୍‌। ସେ ଏମିତି ଢଙ୍ଗରେ ଦଳ ଓ ସରକାର ପରିଚାଳନା କରୁଥିଲେ ଯାହା ଜଣେ ମହିଳା ପୁଣି ଅଭିନେତ୍ରୀ ପାଇଁ ଅସ୍ବାଭାବିକ ଥିଲା।   ସେ ଥିଲେ ଜଣେ ସଂଗ୍ରାମୀ। ସିନେମା ଓ ରାଜନୀତି ଜଗତରେ ସେ ଅନେକ ସଂଘର୍ଷର ସମ୍ମୂଖୀନ ହୋଇଛନ୍ତି। ସବୁ ସଂଘର୍ଷକୁ ପଛରେ ପକାଇ ସେ ଆଗକୁ ମାଡ଼ି ଚାଲିଛନ୍ତି। ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବାବେଳେ ଜଣେ ଓକିଲ ହେବାକୁ ଚାହିଁଥିବା ଜୟା ମାତ୍ର ୧୪-୧୫ ବର୍ଷ ବୟସରେ ସିନେମା ଜଗତରେ ପାଦ ଦେଇଥିଲେ। ତାମିଲ, କନ୍ନଡ଼, ତେଲୁଗୁ, ହିନ୍ଦୀ ଓ ଇଂରାଜୀ ଭାଷାରେ ଦକ୍ଷତା ଅର୍ଜନ କରିଥିବା ଜୟା ଭାରତନାଟ୍ୟମ, କଥକ, ମଣିପୁରୀ ଓ କୁଚିପୁଡ଼ି ଆଦି ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ଦକ୍ଷ ଥିଲେ। ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଜୟା ଥିଲେ ତାଙ୍କ ସମୟର ସବୁଠୁ ଦାମୀ ଅଭିନେତୀ। ସେ ସମୟରେ ଦକ୍ଷିଣ ଭାରତର ପ୍ରାୟ ସବୁ ବଡ଼ବଡ଼ ଅଭିନେତାଙ୍କ ସହିତ ସେ ଅଭିନୟ କରିଛନ୍ତି। ତେବେ ସେ ଅଭିନୟ କରିଥିବା ଶତାଧିକ ଫିଲ୍ମ କେବଳ ଜୟାଙ୍କ ଯୋଗୁଁ ହିଟ୍‌ ହୋଇଥିଲା।   ଫିଲ୍ମ ଜୀବନରେ ପ୍ରେମ ଓ ପ୍ରଣୟ କ୍ଷେତ୍ରରେ ସେ ଅନେକଙ୍କଠାରୁ ପାଇଥିଲେ କେବଳ ପ୍ରତାରଣା। ଏପରିକି ତାଙ୍କର ରାଜନୀତିକ ଗୁରୁ ଏମଜି ରାମଚନ୍ଦ୍ରନ ମଧ୍ୟ ତାଙ୍କୁ ପ୍ରେମରେ ଧୋକ୍କା ଦେଇଥିଲେ। ପରେ କିନ୍ତୁ ସେ ହିଁ ଜୟାଙ୍କୁ ରାଜନୀତିକୁ ଆଣିଥିଲେ। ଏଆଇଏଡିଏମକେର ପ୍ରଚାର ସଂପାଦକ ହୋଇଥିଲେ ଜୟା। ଏମଜିଆରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନଙ୍କ ନେତୃତ୍ବରେ ଦଳର ଅନେକ ପୁରୁଖା ନେତା ଜୟାଙ୍କ ବିରୋଧରେ ବିଦ୍ରୋହ କରି ଅଲଗା ଗୋଷ୍ଠୀ ଗଠନ କଲେ। କିନ୍ତୁ ସେ ଅବିଚଳିତ ଭାବରେ ନିଜ ଗୋଷ୍ଠୀକୁ ଏକଜୁଟ ରଖି ଡିଏମକେ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ। ପରେ ଦୁଇ ଗୋଷ୍ଠୀ ତାଙ୍କ ନେତୃତ୍ବକୁ ସ୍ବୀକାର କରିଥିଲେ।   ୧୯୮୯ ମସିହାରେ ସେ ତାମିଲନାଡ଼ୁ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ମୁଖ୍ୟମନ୍ତ୍ରୀ ଥିଲେ ଡିଏମକେର ଏମ. କରୁଣାନିଧି। ବିଧାନସଭା ଭିତରେ ଶାସକ ଦଳର ସଦସ୍ୟମାନେ ଜୟାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କ ଟଣାଭିଡ଼ା କରାଯାଇଥିଲା। ତାଙ୍କ ଶାଢ଼ୀ ଚିରି ଯାଇଥିଲା। ତାଙ୍କ ଦେହରେ ଆଘାତ ଲାଗିଥିଲା। ସେ ସେହି ଅବସ୍ଥାରେ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ ଓ ବଜ୍ର ଶପଥ ନେଇଥିଲେ ଯେ ଡିଏମକେ ସରକାରକୁ ନହଟାଇଲା ଯାଏଁ ସେ ଆଉ ବିଧାନସଭା ଆସିବେ ନାହିଁ।   ତାହା ହିଁ ହୋଇଥିଲା। ୧୯୯୧ ମସିହାରେ ସେ ହୋଇଥିଲେ ତାମିଲନାଡ଼ୁର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଜୀବନକାଳରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପାଞ୍ଚପାଞ୍ଚ ଥର ଶପଥ ଗ୍ରହଣ କରିଛନ୍ତି। ଶେଷ ଦୁଇ ଥର ଦୁର୍ନୀତି ଓ ଅପରାଧିକ ମାମଲାରେ ଦୋଷି ସାବ୍ୟସ୍ତ ହୋଇ ସେ ପଦଚ୍ୟୁତ ହୋଇଛନ୍ତି। କିନ୍ତୁ ପୁଣି ଦୋଷମୁକ୍ତ ହୋଇ ପଦକୁ ଫେରିଛନ୍ତି। ଏମିତି ଅନକେ ସଂଗ୍ରାମରେ ସମୃଦ୍ଧ ତାଙ୍କର ଜୀବନ। ଜଣେ ମହିଳା ହୋଇ ମଧ୍ୟ ସେ ସମ୍ମୁଖୀନ ହୋଇଛନ୍ତି ତାମିଲନାଡ଼ୁ ଭଳି ଏକ ପୁରୁଷପ୍ରଧାନ ସମାଜର ରୁକ୍ଷକଠୋର ରାଜନୀତିର। ସଫଳ ବି ହୋଇଛନ୍ତି।   ତାମିଲନାଡ଼ୁ ରାଜନୀତିରେ ସେ ହିଁ ଆରମ୍ଭ କରିଥିଲେ ଅନେକ ଶସ୍ତା ଲୋକପ୍ରିୟ କାର୍ଯ୍ୟକ୍ରମ। ବିରୋଧୀଙ୍କୁ ଦୁର୍ବଳ କରି ସେ ନିଜର ଏକ ସ୍ବତନ୍ତ୍ର ଭୋଟ ଓ ଭକ୍ତ ଭିତ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ସରକାରୀ ଖର୍ଚ୍ଚରେ ପ୍ରଚଳନ କରିଥିଲେ ଅନେକ ଫ୍ରି ବି ବା ମାଗଣା ଯୋଜନା। ଭୋଟରମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ସେ ଚାଉଳ, ଖାଦ୍ୟ, ଟିଭି, ମଙ୍ଗଳସୂତ୍ର, ଲ୍ୟାପଟପ୍‌, କଂପ୍ୟୁଟର ଆଦି ଅନେକ ଜିନିଷ ମାଗଣା ବାଣ୍ଟିଛନ୍ତି। ଲୋକଙ୍କୁ ଶସ୍ତା ଖାଦ୍ୟ ଦେବାକୁ ଆମ୍ମା କ୍ୟାଣ୍ଟିନ ଖୋଲିଛନ୍ତି। ରୋଗୀଙ୍କ ପାଇଁ ଶସ୍ତା ଓ ମାଗଣା ଔଷଧ ବ୍ୟବସ୍ଥା କରିଛନ୍ତି। ଗରିବଙ୍କ ପାଇଁ ମାଗଣା ବିବାହ ମଣ୍ଡପ ଖୋଲିଛନ୍ତି। ଆଜିର ତାମିଲନାଡ଼ୁରେ ଜୟା ଏକ ଲୋକପ୍ରିୟ ବ୍ରାଣ୍ଡ। ତାଙ୍କ ଫଟୋ ଓ ନାମ ଥିବା ଲୁଣ ପ୍ୟାକେଟ୍‌, ପାଣି ପାଉଚ୍‌, ବେବି କେୟାର୍‌ କିଟ୍‌ ଆଦି ଅନେକ ଜିନିଷରେ ଏବେ ତାଙ୍କ ଫଟୋ ଓ ନାମ। ଏସବୁ ସରକାରୀ ଯୋଜନାର ଜିନିଷ।   ଶାଢ଼ୀ, ଜୋତା, ସୁନା, ରୁପା ଓ ହୀରାର ଗହଣା ପ୍ରତି ଅସ୍ବାଭାବିକ ଆକର୍ଷଣ ରଖିଥିବା ଏହି ମହିଳା ନିଜର ସୌନ୍ଦର୍ଯ୍ୟ, ପ୍ରେମ, ଖ୍ୟାତି ଓ ସଂପତ୍ତି ପାଇଁ ଯେତିକି ଚର୍ଚ୍ଚିତ କଠୋର ଶୃଙ୍ଖଳା ଓ ଅନୁଶାସନ ପାଇଁ ମଧ୍ୟ ସେତିକି ପରିଚିତ। ସେ ତାଙ୍କର ପ୍ରତିଷ୍ଠା ପାଇଁ ବାନ୍ଧୀବ ଶଶିକଳା ଓ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଦଳରୁ ଓ ତାଙ୍କ ଘରୁ ବାହାର କରିଦେଇଥିଲେ। ପରେ ଅବଶ୍ୟ ପୁଣି ଶଶିକଳାଙ୍କୁ ସାଙ୍ଗରେ ନେଲେ। ଶଶିକଳାଙ୍କ କଥାରେ ପଡ଼ି ସେ ଜଣଙ୍କୁ ପୋଷ୍ୟପୁତ୍ର କରିଥିଲେ। ଏହି ପୋଷ୍ୟପୁତ୍ରର ବିବାହ ଉତ୍ସବରେ ୧.୫ ଲକ୍ଷ ଲୋକଙ୍କୁ ଭୋଜି ଦେଇ ଗିନିଜ ରେକର୍ଡ଼ କରିଥିଲେ। ଶାସନରେ ଥିଲାବେଳେ ଅନେକ ସମୟରେ ଏକାଧିକ ମନ୍ତ୍ରୀଙ୍କୁ ବରଖାସ୍ତ କରି ଦଳ ଓ ସରକାରରେ ଅନୁଶାସନ ପ୍ରତିଷ୍ଠା କରିବା ସହିତ ଅସଂଖ୍ୟ ଅନୁଗାମୀ ସୃଷ୍ଟି କରିଥିଲେ।

Share :