କ’ଣ କରିବେ ଏତେ ଟଙ୍କା!

କ’ଣ କରିବେ ଏତେ ଟଙ୍କା!

Share :

୧. ବିହାର ରାଜଧାନୀ ପାଟନାରୁ ପାଖାପାଖି ୫୦ କିଲୋମିଟର ଦୂର ଗଲେ ପଡ଼େ ଶେଓଗଂଜ ବୋଲି ଗୋଟେ ଜାଗା। ସେଠାକାର ଦେନା ବ୍ୟାଙ୍କରେ ସୀତାରା ଦେବା ନାମ୍ନୀ ଜଣେ ମହିଳାଙ୍କ ନାମରେ ଖୋଲିଛି ଏକ ଜନଧନ ଖାତା। ୨୦୧୫ ମେ ମାସରେ ଏହି ଖାତା ଖୋଲିଥିଲା। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଭଳି ଖାତା ଖୋଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସେଥିପାଇଁ ସବୁ ବ୍ୟାଙ୍କକୁ ଟାର୍ଗେଟ ଦିଆଯାଇଥିଲା। ଦେଶର ସମସ୍ତ ନାଗରିକଙ୍କର ଗୋଟିଏ ଗୋଟିଏ ବ୍ୟାଙ୍କ ଖାତା ଖୋଲିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ଖାତା ଖୋଲାଇଥିଲେ। ଗରିବ ଲୋକ ହୋଇଥିଲେ ଏଥିପାଇଁ ଟଙ୍କା ଜମା କରିବା ଦରକାର ନାହିଁ ବୋଲି ମଧ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।   ୨୦୧୬ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ସୀତାରା ଦେବୀଙ୍କ ଦେନା ବ୍ୟାଙ୍କ ଖାତାରେ ଅଳ୍ପ କିଛି ଟଙ୍କା ଥିଲା। କିନ୍ତୁ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ତଥାକଥିତ ବିମୁଦ୍ରୀକରଣ ବା ନୋଟବଦଳ ନିଷ୍ପତ୍ତି ଘୋଷଣା କଲା ପରେ ଏହି ଖାତାରେ ଏବେ ୪୦ ଲକ୍ଷ ଟଙ୍କା ଜମା ହୋଇଥିବା ଠାବ କରିଛି ଆୟକର ବିଭାଗ।   ସୀତାରା ଦେବୀଙ୍କ ସ୍ବାମୀ ଅଜୟ ଯାଦବ ଜଣେ ସାଧାରଣ ଗୋପାଳକ। ତାଙ୍କର ତିନିଟି ଗାଈ। ଏହି ଗାଈକ୍ଷୀର ବିକି ସେମାନେ ଚଳନ୍ତି।   ଆୟକର ଅଧିକାରୀମାନେ ଯେତେବେଳେ ତାଙ୍କ ସ୍ତ୍ରୀ ସୀତାରା ଦେବୀଙ୍କ ଜନଧନ ଖାତାରେ ଏତେ ଟଙ୍କା ଜମା ହେବା ଜାଣିଲେ ଏହାର ସୂତ୍ର କ’ଣ ବୋଲି ଅଜୟ ଯାଦବଙ୍କୁ ପଚାରିଲେ। ଅଜୟ କହିଲେ ସେମାନେ କ୍ଷୀର ବିକି ଏହି ଟଙ୍କା ଜମା କରିଛନ୍ତି। ତିନିଟି ଗାଈ କ’ଣ ଏଇ ମାସକ ଭିତରେ ଏତେ କ୍ଷୀର ଦେଲେ! ଆୟକର ଅଧିକାରୀମାନେ ବୁଝିଗଲେଣି ଯେ ଏ ଟଙ୍କା ବାସ୍ତବରେ ସୀତାରା ଦେବୀ ବା ଅଜୟ ଯାଦବଙ୍କର ନୁହେଁ। ଅନ୍ୟ କେହି ତାଙ୍କ ଖାତାରେ ଏହି ଟଙ୍କା ଜମା କରିଛି।   ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମୁଦ୍ରୀକରଣ ଘୋଷଣା ପରେ ସାରା ଦେଶରେ ଏହିପରି ଭାବରେ ଲକ୍ଷଲକ୍ଷ ଜନଧନ ଖାତା ଭଡ଼ାରେ ଲାଗିଛି। ପ୍ରାୟ ସବୁ କ୍ଷେତ୍ରରେ ସର୍ତ୍ତ ହେଉଛି କମିଶନି। ଜନଧନ ଖାତାର ମାଲିକମାନଙ୍କୁ ଅଳ୍ପ କିଛି ପର୍ସେଣ୍ଟ ଦେଇ କଳାଧନର ପ୍ରକୃତ ମାଲିକମାନେ ମୋଦିଙ୍କ ଘାଷଣା ପରେ ଅଚଳ ହଜାର ଓ ପାଁ ଶହ ଟଙ୍କିଆ ନୋଟକୁ ଚଳାଇ ଦେଇଛନ୍ତି। ଏହା ଆଉ କଳାଟଙ୍କା ନୁହେଁ, ପୂରା ଧଳା!   ୨. ଡିସେମ୍ବର ୪ ତାରିଖରେ ଓଡ଼ିଶାର ସମ୍ବଲପୁରରେ ଜବତ ହେଲା ୧.୯୨ କୋଟି ଟଙ୍କା। ଏଥିରେ ଥିଲା ୮୬ ଲକ୍ଷ ଟଙ୍କାର ନୂଆ ୨୦୦୦ ଟଙ୍କିଆ ନୋଟ୍‌। ଆୟକର ବିଭାଗ ଓ ପୁଲିସର ମିଳିତ ଚଢ଼ାଉରେ ଏହା ଜବତ ହେଲା ଓ ଜଣାପଡ଼ିଲା ଯେ ଏ ଟଙ୍କା ଜଣେ ମଦ୍ ବ୍ୟବସାୟୀଙ୍କର।   କିନ୍ତୁ କଥା ହେଲା ନଭେମ୍ବର ୮ ତାରିଖରୁ ଡିସେମ୍ବର ୪ ତାରିଖ ମଧ୍ୟରେ ସେ ୮୬ ଲକ୍ଷ ଟଙ୍କାର ନୂଆ ଦି’ ହଜାରିଅ ଟଙ୍କା ନୋଟ୍‌ ବ୍ୟାଙ୍କରୁ ଉଠାଇଲେ କେମେତି? ମୋଦି ସରକାର ତ କହିଥିଲେ ଦିନକୁ ମାତ୍ର ୨ ହଜାର ଟଙ୍କାର ପୁରୁଣା ନୋଟ୍‌ ବଦଳାଇ ହେବ।   ଖୋଳତାଡ଼ରୁ ଜଣାପଡ଼ିଲା ଯେ ଷ୍ଟେଟ୍‌ ବ୍ୟାଙ୍କର ଜଣେ କର୍ମଚାରୀ ତାଙ୍କୁ ପୁରୁଣା ନୋଟ ବଦଳାଇବାରେ ସହାୟତା କରିଛନ୍ତି।   ବିମୁଦ୍ରୀକରଣ ନିଷ୍ପତ୍ତିର ଚାରି ଦିନ ଭିତରେ ବିଜୁ ଜନତା ଦଳର ସାଂସଦ ବିଷ୍ଣୁ ଦାସଙ୍କ ଘରେ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କର ଜଣେ ମ୍ୟାନେଜର ସ୍ତରୀୟ ଅଫିସରଙ୍କୁ ଦେଖିବାକୁ ମିଳିଥିଲା।   ଏଇ ନିକଟରେ ବେଙ୍ଗାଲୁରୁରେ ରହୁଥିବା କର୍ଣ୍ଟାଟକ ସରକାରଙ୍କର ଦୁଇ ଜଣ ବରିଷ୍ଠ ଅମଲାଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ ୪.୭ କୋଟି ଟଙ୍କାର ନୂଆ ୨ ହଜାରିଆ ନୋଟ୍‌ ଜବତ କରିଥିଲେ। ବ୍ୟାଙ୍କ ଅଧିକାରୀମାନଙ୍କର ବିନା ସହଯୋଗରେ ଏହା ସମ୍ଭବ ହୋଇନଥାନ୍ତା।   ଏଭଳି ଭାବରେ ଅନେକ ବ୍ୟାଙ୍କ ଅଧିକାରୀ ଏଭଳି ହିସାବ ବହିର୍ଭୂତ ଆୟର ମାଲିକମାନଙ୍କୁ ସାହାଯ୍ୟ କରିଛନ୍ତି। ବ୍ୟାଙ୍କରେ ଜମା କରିବାକୁ ଟାର୍ଗେଟ ନେଉଥିବା ବ୍ୟାଙ୍କ ମ୍ୟାନେଜର ପାଇଁ କଳା ଓ ଧଳା ଟଙ୍କା ଭିତରେ ବିଶେଷ ଫରକ ନଥାଏ। ବ୍ୟାଙ୍କ କାରବାର ଓ ଲାଭ ବୃଦ୍ଧି କରିବାକୁ ବ୍ୟାଙ୍କର ସର୍ବୋଚ୍ଚ ଅଧିକାରୀମାନେ ଏଭଳି ଟାର୍ଗେଟ ଦେଇଥାନ୍ତି। ଏବେ ବ୍ୟାଙ୍କ କାରବାର ବୃଦ୍ଧି କରିବା ପାଇଁ ମୋଦିଙ୍କ ବିମୁଦ୍ରୀକରଣ ଏକ ଭଲ ସୁଯୋଗ ଆଣିଦେଇଛି। ଅନେକ ବ୍ୟାଙ୍କ ମ୍ୟାନେଜର ପୂର୍ବର ହିସାବ ବହିର୍ଭୂତ ଅର୍ଥ ଜମା ନେଇ ନିଜର ବାହାଦୂରୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏହି କାରବାରରେ ଅବଶ୍ୟ କିଛି କମିଶନ ହାତକୁ ହାତ ହୋଇଥିବା ସମ୍ଭବ।   ୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟର ଗୋଟିଏ ଘଟଣା। ଏହି ରାଜ୍ୟର ଅହମଦାବାଦ ସହର ହେଉଛି ସବୁଠୁ ବଡ଼ ବ୍ୟାବସାୟିକ ପେଣ୍ଠସ୍ଥଳ। ଏହି ସହରରେ ରହନ୍ତି ମହେଶ ଶାହା ନାମକ ଜଣେ ବ୍ୟବସାୟୀ। ତାଙ୍କର ଅହମଦବାଦ ସମେତ ଗୁଜରାଟର ଅନ୍ୟ କେତେକ ସହର ଓ ମହାରାଷ୍ଟ୍ରର ମୁମ୍ବାଇରେ ରିୟଲ ଇଷ୍ଟେଟ ବେପାର ଅଛି। ବିମୁଦ୍ରୀକରଣ ପୂର୍ବରୁ ପ୍ରଧାନମନ୍ତ୍ରୀ କଳାଧନକୁ ଧଳା କରିବା ପାଇଁ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କୁ ଦେଇଥିବା ଅନ୍ୟ ଏକ ସୁଯୋଗ ଥିଲା ଆଇଡିଏସ ବା ଆୟ ଘୋଷଣା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯେଉଁମାନେ ନିଜର ହିସାବ ବହିର୍ଭୂତ ଆୟ ଘୋଷଣା କରିବେ ସେମାନେ ୪୫ ପ୍ରତିଶତ ଟିକସ ଦେଇ ଛାଡ଼ ପାଇବେ, ବାକି ଟଙ୍କା ଧଳା ହୋଇଯିବ। ଏହି କାର୍ଯ୍ୟକ୍ରମର ଶେଷ ତାରିଖ ଥିଲା ସେପ୍ଟେମ୍ବର ୩୦ ତାରିଖ।   ସେପ୍ଟେମ୍ବର ୩୦ ତାରିଖରେ ମହେଶ ଶାହ ଆୟକର ଅଫିସରେ ଘୋଷଣା କଲେ ଯେ ତାଙ୍କ ନିକଟରେ ୧୩,୮୬୦ କୋଟି ଟଙ୍କାର ବେହିସାବ ଆୟ ରହିଛି। ନିୟମ ଅନୁସାରେ ସେ ଏହା ଉପରେ ପ୍ରାୟ ୫.୫ ହଜାର କୋଟି ଟଙ୍କାର ଆୟକର ଦେବା କଥା। ତାହାର ପ୍ରଥମ କିସ୍ତି ବାବଦକୁ ତାଙ୍କୁ ୧୫୦୦ କୋଟି ଉପରେ ଦେବାକୁ ପଡ଼ୁଥିଲା ନଭେମ୍ବର ୩୦ ସୁଦ୍ଧା। କିନ୍ତୁ ସେ ଫେରାର ହୋଇଗଲେ ଓ ଦି’ ଦିନ ପରେ ଆତ୍ମପ୍ରକାଶ କରି କହିଲେ ଏସବୁ ଟଙ୍କା କେତେକ ନେତା ଓ ବାବୁଙ୍କର। ସେମାନଙ୍କଠାରୁ କମିଶନ ପାଇବା ଲୋଭରେ ସେ ଏହି ଅଘୋଷିତ ଆୟର ବୋଝ ନିଜ ମୁଣ୍ଡକୁ ଉଠେଇଥିଲେ। କିନ୍ତୁ ସେହି ନେତା ଓ ବାବୁମାନେ ଏବେ ଧରାଛୁଆଁ ଦେଉ ନଥିବାରୁ ସେ ଲୁଚିଥିଲେ। ମହେଶ ଏବେ ଆୟକର ବିଭାଗର ଦ୍ବାରା ଅଟକବନ୍ଦୀ।   ୪. ଏଇ ତିନିଟି ଘଟଣାରୁ ମୋଦିଙ୍କ ଘୋଷଣା କିଭଳି ଭାବରେ ନିଷ୍ଫଳ ଗର୍ଜନରେ ପରିଣତ ହୋଇଛି ତାହା ବୁଝିହୁଏ। ଏଭଳି ଘଟଣା ଏତିକିରେ ସୀମୀତ ନୁହେଁ। ଏବେ ଦୈନିକ ଏପରି ଘଟଣା ସବୁ ଲୋକଲୋଚନକୁ ଆସୁଛି।   ନଭେମ୍ବର ୮, ୨୦୧୬ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଘୋଷଣା କଲେ ଯେ କଳାଧନ, ଆତଙ୍କବାଦ ଓ ଜାଲିନୋଟ ବିରୋଧରେ ସେ ଏହି ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଦେଶର କଳାଧନ ପଦାକୁ ବାହାରି ଆସିବ। ଦିନେ ଦୁଇ ଦିନ ସେଇଆ ହେଲା। କିଛି ପୁରୁଣା ନୋଟ ଗଙ୍ଗାରେ ଭାସିଲା, କିଛି ରାସ୍ତା କଡ଼ରେ ପୋଡ଼ା ଗଲା। କିନ୍ତୁ ତାହା ସେତିକିରେ ରହିଲା।   ସରକାର ଭାବିଥିଲେ ବଜାରରେ ବୁଲୁଥିବା ୧୪ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ନୋଟର ଅନ୍ତତଃ ୧୦ ପ୍ରତିଶତ ନଷ୍ଟ ହେବ। ତାହା ହୋଇନାହିଁ। ବରଂ ବ୍ୟାଙ୍କଗୁଡ଼ିକ ଖାତାରେ ଜମା ହେଲାଣି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା।   ଏବେ ଏହି ଟଙ୍କା ହିଁ ସରକାରଙ୍କ ପାଇଁ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ଏ ଟଙ୍କାକୁ ବଦଳାଇବାକୁ ହେବ। ସେଥିପାଇଁ ନୂଆ ନୋଟ ଦରକାର। ପୁଣି ସେ ଟଙ୍କା ସାଙ୍ଗେସାଙ୍ଗେ ବଜାରକୁ ଛାଡ଼ିଲେ ଦରବୃଦ୍ଧି ଓ ମୁଦ୍ରାସ୍ଫୀତିର ଆଶଙ୍କା। ନଛାଡ଼ିଲେ ସୁଧ ଗଣିବାକୁ ହେବ। ସୁଧ କେଉଁଠୁ ଆସିବ? ତାହାକୁ ଋଣ ଦେବାକୁ ହେବ। ଋଣ କାହାକୁ ଦେବେ? ବିଜୟ ମାଲ୍ୟା ଫେରାର ହୋଇଯାଇପାରେ। ଅମ୍ବାନୀ ୧.୨୫ ଲକ୍ଷ କୋଟି ଫାଙ୍କି ଦେଇପାରେ। ସେପରି ଲୋକଙ୍କୁ ଦେଲେ ସରକାର ବଦନାମ ହେବା ଭୟ।

Share :