ବିଜୁବାବୁ- ଏକ ଆଇଟମ ଗୀତ!

ବିଜୁବାବୁ- ଏକ ଆଇଟମ ଗୀତ!

Share :

ଦେବେନ୍ଦ୍ର ପୃଷ୍ଟି   ପ୍ରାପ୍ତେଷୁ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ଓଡ଼ିଶା ସରକାର   ନୂଆଦିଲ୍ଲୀ ବିଜୁ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ   ମହୋଦୟ! ଆଶା କରୁଛି ମୋର ପତ୍ରଟି ବାଟମାରଣା ନହୋଇ ଆପଣଙ୍କ ନିକଟରେ ପହଁଚିବ। ଚିଠିଟି ଓଡ଼ିଆରେ ଲେଖୁଛି।   ମହୋଦୟ! ଆପଣ ଜାଣନ୍ତିକି! ନୂଆ ଦିଲ୍ଲୀରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ସମାରୋହରେ ଓଡ଼ିଆ ଜାତିକୁ ଲଜ୍ଜିତ କରାଯାଇଛି। ଓଡ଼ିଆ ସଂସ୍କୃତି ନାଁରେ ଓଡ଼ିଆ ସିନେମାର ଆଇଟମ୍ ଗୀତ ପରଷିବା କ’ଣ ପ୍ରବାଦ ପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳୀ?   ଯେଉଁ ମଞ୍ଚରେ ମୋ ଦେଶର ମହାମହିମ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଓ ମୋ ରାଜ୍ୟର ମୁଖିଆ ମଞ୍ଚାସୀନ ଥିଲେ ସେହି ମଞ୍ଚରେ ‘ହାଏ ହାଏରେ ଟାଟୁବାଲି ...’, ସମ୍‌ଥିଙ୍ଗ ସମ୍‌ଥିଙ୍ଗ’ ଆଦି ଓଡ଼ିଆ ସିନେମାର ଆଇଟମ୍ ଗୀତରେ ସିନେ ତାରକା ଦର୍ଶକଙ୍କର କେନ୍ଦ୍ରବିନ୍ଦୁ ଥିଲେ। ଏହିପରି କରାଯାଏ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ? ଏହା କ’ଣ ଆପଣଙ୍କ ନିର୍ଦ୍ଦେଶରେ ହୋଇଥିଲା? ଯଦି ହୋଇଥାଏ ତେବେ ଏହାଠାରୁ ଲଜ୍ଜାର ବିଷୟ ଆଉ କ’ଣ ହୋଇପାରେ? ଯଦି ନୁହେଁ ତେବେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ହେଉ।   କାହା ନିର୍ଦ୍ଦେଶରେ ଆଇଟମ୍ ଗୀତ ପରିବେଷଣ କରାଗଲା? 6 ଘଣ୍ଟାର କାର୍ଯ୍ୟକ୍ରମରେ 15 ମିନିଟ ପ୍ରବାଦ ପୁରୁଷଙ୍କ ବିଷୟରେ କୁହାଗଲା ନାହିଁ। ଏହା କ’ଣ ବିଜେଡ଼ି ମନ୍ତ୍ରୀ ଓ ସାଂସଦମାନଙ୍କର ଅବକାଶ ଦିବସରେ ମନୋରଂଜନର ମଞ୍ଚ ଥିଲା? ଏହିପରି କ’ଣ ଆମ ପ୍ରିୟ ବିଜୁବାବୁଙ୍କୁ ଆମର ସମ୍ମାନ? ଏହା ଉଚିତ କି? କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ଦିନରେ ବିଜୁ ଜନ୍ମ ଶତବାର୍ଷିକୀ ସମାରୋହଗୁଡ଼ିକରେ ପୁଚୁକି ଗାଲି ... ଫେସନ ବାଲି.... ପରି ଆଇଟମ୍ ଗୀତ ପରିବେଷଣ କରି ଓଡ଼ିଶାର ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ।                                                                                                         ଆଶାକରେ ଏହାର ସମୀକ୍ଷା ହେବ। ଯଦି ଏହାର ସମୀକ୍ଷା ନକରାଯାଏ ତେବେ ଏ ପ୍ରହସନ ବନ୍ଦ କରନ୍ତୁ। ଓଡ଼ିଆ ଲୋକଙ୍କ ଭାବନା ସହ ଖେଳିବା ଆପଣଙ୍କ ଅଧିକାର ନୁହେଁ। ଅଯଥାରେ ଓଡ଼ିଆଙ୍କର ଅର୍ଥ ଅପବ୍ୟୟ କରନ୍ତୁ ନାହିଁ।   ଆପଣଙ୍କ ଉତ୍ତର ଅପେକ୍ଷାରେ .... ଇତି ଶ୍ଯାମସୁନ୍ଦର ସାହୁ ଏଚ୍ - ୧୦୦, ଆୟା ନଗର, ନୂଆଦିଲ୍ଲୀ ୦୯୮୯୯୮୦୮୩୩୦   ଏ ଚିଠିଟି ନିଜ ଜୀବନର ପ୍ରାୟ ପ୍ରଥମ ୫୪ ବର୍ଷ ଧରି ବିଜୁବାବୁଙ୍କଠାରୁ ଦୂରେଇ ରହିଥିବା ତଥା ଏବେକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପହଂଚିଛି କି ନାହିଁ ଆମେ ଜାଣିନାହୁଁ। କିନ୍ତୁ ଏହା ଇଣ୍ଟର୍ନେଟ ଜରିଆରେ ଆମ ନିକଟରେ ପହଂଚିଯାଇଛି। ଚିଠିଟି ପଢ଼ିଲା ପରେ ସତରେ ଓଡ଼ିଆଙ୍କ ଉଦାସୀନତା ପ୍ରତି ନାତ ମାରିବାକୁ ଇଚ୍ଛା ହେଲା। ବ୍ୟକ୍ତିଗତ ଭାବେ ଏ ଲେଖକ ବିଜୁବାବୁଙ୍କୁ ଏତେ ଉଚ୍ଚାସନ ଦିଏ ନାହିଁ ଯାହା ତାଙ୍କର ତଥାକଥିତ ଅନେକ ପଟ୍ଟଶିଷ୍ୟ ଏବଂ ତାଙ୍କ ନାମରେ ନାମିତ ଦଳର କର୍ମକର୍ତ୍ତାମାନେ ଦିଅନ୍ତି। ଓଡ଼ିଶାର ଦୀର୍ଘସ୍ଥାୟୀ ସାମୂହିକ ଦାରିଦ୍ର୍ୟ ପାଇଁ ଯେଉଁ କେତେ ଜଣ ନେତା ଦାୟୀ ସେମାନଙ୍କ ମଧ୍ୟରେ ବିଜୁବାବୁ ଜଣେ ଥିଲେ ବୋଲି ଏ ଲେଖକର ବିଶ୍ବାସ। କୃଷି ପ୍ରଧାନ ଓଡ଼ିଶାର କୃଷି ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ସେ ଶିଳ୍ପ ବିକାଶ ପାଇଁ ନିର୍ଦ୍ଦିଷ୍ଟ ଭାବରେ କହିଲେ ଖଣିଜ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ପାରାଦୀପ ବନ୍ଦର ନିର୍ମାଣରେ ବ୍ୟୟ କରିଥିଲେ। ଓଡ଼ିଶାର କୃଷି ଓ କୃଷକଙ୍କ ବିକାଶ ତୁଳନାରେ ଶିଳ୍ପ ଓ ଶିଳ୍ପପତିଙ୍କର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ତାଙ୍କ ପରି ନେତାମାନଙ୍କ ଯୋଗୁଁ ଓଡ଼ିଶା ଜନସଂଖ୍ୟାର ଅର୍ଦ୍ଧାଧିକ ଅଂଶ ଚାଷୀମାନେ ଏବେ ବି ଦରିଦ୍ର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଏବେ କୃଷକରୁ ଶ୍ରମିକ ଶ୍ରେଣୀକୁ ଓହ୍ଲାଇଗଲେଣି।   ସେ ଯାହା ହେଉ, ବିଜୁବାବୁଙ୍କର ଅନ୍ୟ କେତେକ ଗୁଣ ନିଶ୍ଚୟ ଉଦାହରଣ ଓ ଆଦର୍ଶ ଶ୍ରେଣୀର ଥିଲା। ତାଙ୍କ ସଂପର୍କର ଶୁଣାଯାଉଥିବା ଅନେକ କଥା ସତ ହେଉ ମିଛ ହେଉ, ଓଡ଼ିଆ ଲୋକଙ୍କ ମନରେ ତାଙ୍କ ପ୍ରତି ଏକ ଅଦଭୁତ ଭଲ ପାଇବା ଥିଲା, ଆଜି ବି ଅଛି। ତାଙ୍କୁ କଳିଙ୍ଗ ଷଣ୍ଢ, ଆଧୁନିକ ଖାରବେଳ, ମୁକୁଟ ବିହୀନ ସମ୍ରାଟ, ଭୂମିପୁତ୍ର ଆଦି ଉପାଧିରେ ଭୂଷିତ କରିବା ତାଙ୍କ ପ୍ରତି ଥିବା ଭଲ ପାଇବାର ନିଦର୍ଶନ।   ତାଙ୍କ ମୃତ୍ୟୁ ପରେ, ଅବୈଧ ଓ ଅନୈତିକ ହେଲେ ବି, ତାଙ୍କ ନାମରେ ଗୋଟେ ଦଳ ଗଢ଼ାଗଲା, ଗଢ଼ିଲେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକ। ଏହି ଦଳଟି ବିଜୁ ଜନତା ଦଳ ନାମରେ ଖ୍ୟାତ ଓ ବିଜୁବାବୁଙ୍କ ପ୍ରତି ରହିଥିବା ଓଡ଼ିଆଙ୍କ ଭଲ ପାଇବାର ପୁଂଜି ଉପରେ ଚାରି ଚାରି ଥର ଜନ ସମର୍ଥନ ଲାଭ କରି କ୍ଷମତାସୀନ। ଆଗକୁ ରାଜ୍ୟରେ ପଂଚାୟତ ନିର୍ବାଚନ ଆସୁଥିବାରୁ ପୁଣି ଥରେ ଲୋକଙ୍କ ମନରେ ବିଜୁପ୍ରେମର ହାଉଆ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଖର୍ଚ୍ଚରେ ବିଜୁ ଜନ୍ମ ଶତବାଷିର୍କୀ ସମାରୋହ ଚଳାଇଛନ୍ତି। ଏହି ବର୍ଷବ୍ୟାପୀ ଉତ୍ସବର ଏକ ଅଂଶ ସ୍ବରୂପ ଗତ ନଭେମ୍ବର ୨୦ ତାରିଖରେ ନୂଆଦିଲ୍ଲୀଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହାକୁ ଉଦଘାଟନ କରିଥିଲେ ଉପରାଷ୍ଟ୍ରପତି ଡକ୍ଟର ହମିଦ ଅନ୍‌ସାରୀ। ତାଙ୍କ ବ୍ୟତିତ ରାଷ୍ଟ୍ରୀୟ ସ୍ତରର ଅନ୍ୟ କୌଣସି ନେତା ବା ବିଖ୍ୟାତ ବ୍ୟକ୍ତିତ୍ବଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିଲା।   ବିଜୁବାବୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଖ୍ୟାତ ବ୍ୟକ୍ତିତ୍ବ ଥିଲେ ବୋଲି ଚିତ୍କାର କରୁଥିବା ଦଳଟି ଜାତୀୟ ରାଜଧାନୀ ଦିଲ୍ଲୀରେ ତାଙ୍କର ସ୍ମୃତିଚାରଣ କରିବା ପାଇଁ କାହାକୁ ନିମନ୍ତ୍ରଣ କଲେ ନାହିଁ କାହିଁକି? ନିଜେ ସେମାନଙ୍କ ଆଗରେ ଖର୍ବ ହୋଇଯିବେ ବୋଲି? ନବୀନବାବୁ ଓ ତାଙ୍କର ଚେଲାମାନେ ଚାହିଁଥିଲେ କାଶ୍ମୀର ରାଜବଂଶର ଦାୟାଦ ଡକ୍ଟର କରଣ ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ବିଜେପି ପିତାମହ ଲାଲକୃଷ୍ଣ ଆଭାନୀ, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ପ୍ରମୁଖ ବହୁ ବରିଷ୍ଠ ରାଜନେତା ନୂଆଦିଲ୍ଲୀରେ ବିଜୁବାବୁଙ୍କ ଗୁଣଗାନ କରିବାକୁ ପସନ୍ଦ କରିଥାନ୍ତେ।   ନେତାଙ୍କ କଥା ନହେଲେ ବି ଯେଉଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ପାଇଁ ବିଜୁବାବୁ ୟୁନେସ୍କୋ ସ୍ତରରେ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ ସେହି ଜଗତର ଅନେକ ବିଖ୍ୟାତ ବ୍ୟକ୍ତିତ୍ବଙ୍କୁ ମଧ୍ୟ ଏହି ସଭାକୁ ଡକରା ଯାଇପାରିଥାନ୍ତା। ତାଙ୍କ ଶବାଧାରରେ ଯେଉଁ ଦୁଇ ଦେଶର ପତାକା ପଡ଼ିଥିଲା-ରୁଷ ଓ ଇଣ୍ଡୋନେସିଆ- ସେଠାକାର କୌଣସି ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ପାରିଥାନ୍ତା। ନବୀନବାବୁ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏ ସଭାକୁ ଆସିବାକୁ ମନା କରି ନଥାନ୍ତେ।   କିନ୍ତୁ ଦିଲ୍ଲୀରେ ଯାଇଁ କିଏ କିଏ ପାଳନ କଲେ ବିଜୁ ଶତବାର୍ଷିକୀ? ଅଳ୍ପ କିଛି ବର୍ଷ ପାଇଁ ବିଜୁବାବୁଙ୍କର ସହଯୋଗୀ ଥିବା ବେଦପ୍ରକାଶ ଅଗ୍ରୱାଲ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକ। ସଭାସ୍ଥଳରେ ଓଡ଼ିଶାର କେତେ ଜଣ ସାଂସଦ ଉପସ୍ଥିତ ଥିଲେ। ସାଂସଦ ତଥାଗତ ସତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ମଂଚ ତଳେ ବସିଥିଲେ।   ସଭାମଂଚରେ ନୃତ୍ୟସଂଗୀତ ଓ ତାମସା ପରିବେଷଣ କରିଥିଲେ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅନ୍ୟ ବହୁ କଳାକାର। ବିଜୁବାବୁଙ୍କ ଉପରେ ପ୍ରସ୍ତୁତ ଏକ ଗୀତ ଆଲବମ ଝଡ଼ ପରିବେଷଣ କରିଥିଲେ ଗାୟିକା ସୁସ୍ମିତା ଦାସ। ଅନ୍ୟ ଆଇଟମ ଗୀତାଦି ପରିବେଷଣ କରିଥିଲେ ଅନ୍ୟ କଳାକାର। ଅଭିନେତ୍ରୀ ଅନୁ ଚୌଧୁରୀ, ଏଲିନା ସାମନ୍ତରାୟ, ଝିଲିକ ଭଟ୍ଟାଚାର୍ଯ୍ୟ, ଜିନା ପ୍ରମୁଖ ମଧ୍ୟ ସେଠାରେ ଲୋକଙ୍କ ମନୋରଂଜନ କରିଥିଲେ।   ବିଜୁବାବୁଙ୍କ ଉପରେ ୧୫ ମିନିଟର ଭାଷଣ ପରେ ପ୍ରାୟ ୬ ଘଣ୍ଟା ଚାଲିଥିଲା ଦିଲ୍ଲୀରେ ଓଡ଼ିଆଙ୍କର ଏହି ମନୋରଂଜନ କାର୍ଯ୍ୟକ୍ରମ। ତାଙ୍କ ଶିଳ୍ପାୟନ, ତାଙ୍କ ଦୁଃସାହସ, ତାଙ୍କ ବଦାନ୍ୟତା, ତାଙ୍କ ଉଦାରତା, ତାଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ, ଭାରତର ପ୍ରକୃତ ୫୬ ଇଞ୍ଚ ଛାତିବାଲା ଏହି ନେତାଙ୍କର ତ୍ୟାଗ ବିଷୟରେ କେହି କିଛି କହିଲେ ନାହିଁ। କହିବା ଲୋକଙ୍କୁ ଡକା ଯାଇନଥିଲା। ଏମିତି କି ଓଡ଼ିଶା ରାଜନୀତିରେ ବିଜୁବାବୁଙ୍କ ପଟ୍ଟଶିଷ୍ୟ ଥିବା ନେତାଙ୍କୁ ମଧ୍ୟ କେହି ଲୋଡ଼ି ନଥିଲେ।   ବାସ୍ତବରେ ଏମାନେ ଯେ ବିଜୁବାବୁଙ୍କର ଦାୟାଦ ତାହା ଓଡ଼ିଶା ପାଇଁ ଏକ ଆଶ୍ଚର୍ଯ୍ୟଜନକ କଥା ନିଶ୍ଚୟ!

Share :