ନୂଆ ବୋତଲରେ ପୁରୁଣା ମଦ!

ନୂଆ ବୋତଲରେ ପୁରୁଣା ମଦ!

Share :

ଭବାନୀ ନନ୍ଦ   ଆଜି ପର୍ଯ୍ୟନ୍ତ ଡିରେକ୍ଟର ଜେନେରାଲ ଅଫ୍‌ ସପ୍ଲାଇଜ ଆଣ୍ଡ ଡିସ୍ପୋଜାଲ୍‌ ବା ଡିଜିଏସଡି କଂଟ୍ରାକଟ ରେଟ ଦେଉଥିଲେ ଓ ସରକାର ଜିନିଷ ବା ସେବା କିଣୁଥିଲେ। ଏବେ ସେଇ ଡିଜିଏସଡି ଗଭର୍ନମେଣ୍ଟ-ଇ-ପ୍ରୋକ୍ୟୁରମେଣ୍ଟ ସଂସ୍ଥା ଗଢିଛନ୍ତି। ସରକାର ଏବେ ଅନ୍‌ଲାଇନରେ ଦରକାରୀ ଜିନିଷ ଓ ସେବା କିଣିବେ।   ଏହି ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଯୁଗ୍ମ ସଚିବମାନେ ସେମାନଙ୍କର ଆଧାର କାର୍ଡ ଆଦି ଅପଲୋଡ଼ କରି ନିଜେ ରେଜିଷ୍ଟ୍ରୀଭୁକ୍ତ ହେବେ। ଯେ କୌଣସି ବିକ୍ରେତା ବା ସେବା ପ୍ରଦାନକାରୀ ମଧ୍ୟ ରେଜିଷ୍ଟ୍ରୟଭୁକ୍ତ ହୋଇପାରିବେ। ଏ ପର୍ଯ୍ୟନ୍ତ କଂପ୍ୟୁଟର, ପ୍ରିଣ୍ଟର, ଅଫିସ ଷ୍ଟେସନାରୀ , ଗାଡି ମଟର ସେବା ପ୍ରଦାନକାରୀମାନେ ରେଜିଷ୍ଟ୍ରୀଭୁକ୍ତ ହୋଇଛନ୍ତି।   ଜିନିଷ ବା ସେବା ଯୋଗାଣକାରୀ ସଂସ୍ଥାଙ୍କୁ ଦଶ ଦିନ ଭିତରେ ପାଇଥିବା ଜିନିଷ ବା ସେବା ପ୍ରତ୍ୟାଖ୍ୟାନ ନକଲେ ତାହା ଗ୍ରହଣ ହେଲା ବୋଲି ସାବ୍ୟସ୍ତ ହେବ ଓ ଅନ୍‌ଲାଇନରେ ମୂଲ୍ୟ ଦିଆଯିବ।   ଏ ସବୁ ଅତି ଉତ୍ତମ କଥା।   ମାତ୍ର ପ୍ରଶ୍ନ ଉଠୁଛି ବ୍ୟବସ୍ଥାରେ ଯେଉଁମାନେ ଅଛନ୍ତି ସେଇମାନେ ହିଁ ଜିନିଷ ବା ସେବା ତନଖି କରି ସାଟିଫିକେଟ ଦେବା କେତେଦୂର ଯୁକ୍ତିଯୁକ୍ତ? ସେମାନେ ଆଜି ପର୍ଯ୍ୟନ୍ତ ସେଇ କାର୍ଯ୍ୟ କରି ଆସୁଥିଲେ ଏବଂ ଜିନିଷ ବା ସେବା ମିଳିଲା କି ନାହିଁ ବା ଯଦି ମିଳିଲା ତେବେ କେଉଁ ମାନର ତାହା ସେଇ ସରକାରୀ ବ୍ୟବସ୍ଥାର ଲୋକମାନେ ହିଁ ଦେଖୁଥିଲେ ଏବଂ ଦୁର୍ନୀତି ଚାଲିଥିଲା- ବିନା ଜିନିଷ ବା ସେବାରେ ବିଲ ହେଉଥିଲା ଓ ଦେୟ ବି ଦିଆଯାଉଥିଲା।   ଏବେ ଅନ୍‌ଲାଇନରେ ଖରିଦ କଲେ ଯଦି ସେଇ ଲୋକମାନେ ତନଖି କରିବେ ଓ ତାଙ୍କ ଉପର ଅଧିକାରୀ/ ମନ୍ତ୍ରୀ ତାଙ୍କ ସହିତ ଯୋଡି ହୋଇ ଜିନିଷ ବା ସେବା ନମିଳୁ ବା କମ ମାନର ମିଳୁ ପଛେ ତନଖି ସାଟିଫିକେଟ ରେକର୍ଡ କଲେ ତାଙ୍କର କିଛି ବି ହେବ କି? ସେମାନେ ସେଇ ଚିରାଚରିତ ଢଙ୍ଗରେ ବଡ ବଡ ସପ୍ଲାୟର ସହିତ ଯୋଡି ହୋଇ ଦୁର୍ନୀତି ଜାରି ରଖିବାରେ ଅସୁବିଧା ରହିଲା କେଉଁଠି?   ବିଲ୍‌ ଵ୍ୟଵସ୍ଥା ପକ୍କା- ବଡ଼ ବେପାରୀ ଯେମିତି ବ୍ୟବସାୟ କରୁଥିଲେ ସେମିତି ନ କରିବେ ଓ ଦୁର୍ନୀତି ବ୍ୟବସ୍ଥା ଦ୍ଵିଗୁଣ ସୁଦୃଢ ନହେବ ତା କିଏ କହିବ?   ଏ ବ୍ୟବସ୍ଥା ଅମ୍ବାନୀ, ଅଦାନୀ ଇତ୍ୟାଦିମନଙ୍କ ପାଇଁ ନୂଆ ଯୋଜନା ନୁହେଁ ତ? ଏ ସନ୍ଦେହ ହେବ ସ୍ୱାଭାବିକ। କାରଣ ସରକାର ଲୋକମାନଙ୍କ ପାଖରେ ସମସ୍ତ ସୂଚନା ଥୋଇବା ପାଇଁ କୁଣ୍ଠିତ।   ରାଜନୈତିକ ଦଳମାନେ ଏ ପର୍ଯ୍ୟନ୍ତ ସୂଚନା ଅଧିକାର ଆଇନ ପରିସରକୁ ଆସୁନାହାନ୍ତି ଏବଂ ଭୋଟ ବେଳେ ଯେ ଟଙ୍କା ବାଣ୍ଟି  ଭୋଟ ନକିଣିବେ ତାହା କେହି କହିପାରିବେ ନାହିଁ।   ସେହିପରି ଏ ସରକାରଙ୍କର ଆଉ ଏକ ବିଭ୍ରାନ୍ତକାରୀ ନିଷ୍ପତ୍ତି। ସନ୍ଦେହ ହୁଏ କାହିଁକି ୨୦୦୦, ୧୦୦୦, ୫୦୦ ଟଙ୍କା ପୁଣି ଛପା ହେଲା ଯଦ୍ୱାରା କି ଦେଶର ଏଟିଏମ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଛି ଏବଂ ଆସନ୍ତା ଛ ମାସ ଭିତରେ ସମ୍ପୂର୍ଣ କାର୍ଯ୍ୟକ୍ଷମ ହେବା ଭଳି ଜଣାପଡ଼ୁ ନାହିଁ।   ଏ ସବୁ ବଡ଼ ନୋଟ ନଛାପି  କେବଳ ପ୍ରଚୁର ୧୦୦ ଟଙ୍କିଆ ଛାପିଥିଲେ ଭଲ ହୋଇଥାନ୍ତା- ଏହାଦ୍ୱାରା ଲୋକମାନେ ଚଳିଯାଇଥାନ୍ତେ- କଳା ଟଂକାଧାରୀ ଓ ଭ୍ରଷ୍ଟାଚାରୀମାନେ ଅସୁବିଧାରେ ପଡିଥାନ୍ତେ। କାହିଁକି ୨୦୦୦, ୧୦୦୦, ୫୦୦ ପୁଣି ଛାପିଲେ ତାର ସନ୍ତୋଷ ଜନକ ଉତ୍ତର ନାହିଁ ସରକାରଙ୍କ ପାଖେ।   ଏହା ପୁଣି ଥରେ କଲା କୁ ଧଳା କରିବା ପାଇଁ ନୁଁହେ ତ?   ଏ ପର୍ଯ୍ୟନ୍ତ ଯେତୋଟି ଲୋକଙ୍କୁ କଳା ଟଙ୍କାଥିଲା ବୋଲି ଧରିଛନ୍ତି କ’ଣ ହେବ ସେମାନଙ୍କର ଦଶା? ତାହା ସ୍ପଷ୍ଟ ନୁହେଁ -ଜନାର୍ଦ୍ଦନ ରେଡ୍ଡୀ ଝିଅ ବାହାଘର ଖର୍ଚ୍ଚ କେତେ ତାହାର ହିସାବ ମିଳୁନାହିଁ। ଖାଲି ଆୟକରବାଲା ଚଢ଼ାଉ କରିଛନ୍ତି। ଇଏ ତ ଗୋଟିଏ ମାତ୍ର ଉଦାହରଣ।   ଏପରି ସମୟରେ ପୁଣି ଏକ ସର୍ବକ୍ଷମା କାର୍ଯ୍ୟକ୍ଷମ- କଳାଟଙ୍କାଧାରୀମାନେ ମାତ୍ର ୧୦ ପ୍ରତିଶତ ପେନାଲଟି ଦେବେ ଓ ଆଉ ୧୦ ପ୍ରତିଶତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଦେବେ, ତାପରେ ତାଙ୍କର ଆଉ ୨୫ ପ୍ରତିଶତ ୪ ବର୍ଷ ପାଇଁ ବିନା ସୁଧରେ ସଂଚିତ ହେବ ଅର୍ଥାତ ସେମାନେ ସାଧାରଣ ଭାବରେ ୩୦ ପ୍ରତିଶତ ଟିକସ ଦେବେ ଓ ତା ପରେ ମାତ୍ର ୨୦ ପ୍ରତିଶତ ଦେଇଦେଲେ କଳାଟଙ୍କା ମାମଲାରୁ ଖଲାସ। ମୂଳରୁ କୁହାଯାଉଥିଲା କାହାକୁ ଛଡ଼ାଯିବ ନାହିଁ। ଲୋକମାନେ ଭାବୁଥିଲେ ବୋଧହୁଏ କଳାଟଙ୍କା ଧାରୀମାନେ ଜେଲ ଦଣ୍ଡ ଭୋଗିବେ। ମାତ୍ର ତାହା ହେଲା ନାହିଁ। ମୋଦି ଏବେ କାହାକୁ ଘଣ୍ଟ ଘୋଡାଉଛନ୍ତି?   ଇନ୍ଦିରା ଗାନ୍ଧୀଙ୍କ ସମୟରେ ଗରିବୀ ହଟାଓ ଯୋଜନା ମଧ୍ୟ ହୋଇଥିଲା। କିଛି ହେଲା କି?   ଗାଁ ଗହଳରେ ବ୍ୟାଙ୍କ ବ୍ୟବସ୍ଥା ନାହିଁ କହିଲେ ଚଳେ। ଥିଲେ ବି ବହୁତ କମ। ସହରରେ ମଧ୍ୟ ଏଟିଏମ ଅନେକ ସ୍ଥାନରେ କାମ କରୁନାହିଁ। ସବୁ ସହି ଲୋକମାନେ ଚୁପ ରହିଛନ୍ତି। ବିମୁଦ୍ରାକରଣ ରୂପକ ଭୟଙ୍କର ଭୁତ ପ୍ରତିଦିନ ନୂଆ ନୂଆ ରୂପରେ ଆବିର୍ଭୂତ ହେଉଛି। ଏଇ ସର୍ବସାଧାରଣ ହିଁ ଧାଡିରେ ଠିଆ ହେଉଛନ୍ତି ଓ ଦଣ୍ଡ ଭୋଗୁଛନ୍ତି। 

Share :