ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୋଟ୍ ଅଚଳ ନିଷ୍ପତ୍ତି ନେବାର ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କର ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟରେ କୋଟିକୋଟି ଟଙ୍କାର ଜମି କିଣିଛି। ନୋଟ୍ ଅଚଳ ହେବା ଆଗରୁ ବିଜେପି ନିଜର କଳାଧନକୁ ଏହି ଉପାୟରେ ଧଳା କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଦଳର ମୁଖପାତ୍ର ରଣଦୀପ ସିଂହ ସୁରଜୱାଲା ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ କେତେକ ନଥିପତ୍ର ମଧ୍ୟ ଦେଖାଇଛନ୍ତି। ନଥିପତ୍ର ଅନୁସାରେ ଓଡ଼ିଶାରେ ବିଜେପି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବ୍ରହ୍ମପୁର ଆଦି ପ୍ରାୟ ୧୮ ସ୍ଥାନରେ ବଡ଼ବଡ଼ ଜମି କିଣିଛି। ସୁରଜୱାଲା ଉପସ୍ଥାପନ କରିଥିବା ନଥି ଅନୁସାରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ାର ପରିବହନ ଅଫିସ ନିକଟରେ ଦୁଇଟି ପ୍ଲଟ କିଣିଛି। ଅଗଷ୍ଟ ୩୦ ତାରିଖରେ ଏହି ଜମି ରେଜିଷ୍ଟ୍ରି ହୋଇଛି। ଜାତୀୟ ରାଜପଥ ୫(କ) କଡ଼ରେ ଥିବା ଏହି ଦୁଇଟି ଜମିର ପ୍ଲଟ ନମ୍ୱର ହେଉଛି ୧୧୨୭ ଓ ୧୧୨୮। ଗୋଟିଏ ଜମି ୪୯୦ ଡିସିମିଲ ଓ ଅନ୍ୟଟି ୩୮୦ ଡିସିମିଲ। ଜମି କିଣା ବାବଦକୁ କାଗଜପତ୍ରରେ ୪୯ ଲକ୍ଷ ଟଙ୍କା ଦିଆଯାଇଛି। ତେବେ ଏହାର ବଜାର ଦର ଆହୁରି ଅଧିକ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଜମି ଦୁଇଟି ବିଜେପିର ପୂର୍ବତନ ସାଂସଦ ସୁରେନ୍ଦ୍ର ଲାଠଙ୍କ ନାମରେ କିଣାଯାଇଛି। ବିକ୍ରେତା ହେଲେ ଭବେଶ କୁମାର ଚାନ୍ଦ। ସେହିପରି ଗତ ସେପ୍ଟେମ୍ୱର ମାସରେ ଲାଠ ମଧ୍ୟ ଜଗତସିଂହପୁର ସହର ନିକଟରେ ଥିବା ଖେରସ ଗାଁରେ ୨୩୦ ଡିସିମିଲର ଅନ୍ୟ ଏକ ଜମି ମଧ୍ୟ ବିଜେପି ପାଇଁ କିଣିଛନ୍ତି ସୁରେନ୍ଦ୍ର ଲାଠ। ଏ ବାବଦକୁ କାଗଜପତ୍ରରେ ୮.୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହି ଜମିର ଦର ମଧ୍ୟ ଏହାଠାରୁ ଯଥେଷ୍ଟ ଅଧିକ ବୋଲି ସେ ଅଭିଯୋଗ କରିଛନ୍ତି। ଗଂଜାମ ଜିଲ୍ଲାରେ ମଧ୍ୟ ଦଳୀୟ କାର୍ଯ୍ୟାଳୟ ନିମନ୍ତେ ୧୦ ହଜାର ବର୍ଗଫୁଟର ଏକ ଜମି କିଣାଯାଇଛି। ଏହା ବାଦ ଯାଜପୁର, ଗଜପତି, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ, ସମ୍ୱଲପୁର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ମଧ୍ୟ ବିଜେପି କୋଟିକୋଟି ଟଙ୍କା ବିନିମୟରେ ବଡ଼ବଡ଼ ଜମିସବୁ କିଣିଛି। ନୋଟ୍ ଅଚଳ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦଳକୁ ଏ ବିଷୟରେ ଆଗୁଆ ଜଣାଇ ଦେଇଛନ୍ତି ବୋଲି ସୁରଜୱାଲା ଅଭିଯୋଗ କରିଛନ୍ତି। ସେମାନେ ଏହି ସୁଯୋଗରେ ନିଜ ପାଖରେ ଥିବା କଳାଟଙ୍କାକୁ ଜମି କିଣାରେ ଲଗାଇ ଦେଇଛନ୍ତି। ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଆହୁରି ଅନେକ କଥା ପଦାକୁ ଆସନ୍ତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରରେ ମଧ୍ୟ ବିଜେପି ଏହିପରି ଭାବରେ ୨୯ଟି ବଡ଼ବଡ଼ ଜମି କିଣି କଳାଧନକୁ ଧଳା କରିଛି ବୋଲି ସଂଯୁକ୍ତ ଜନତା ଦଳ ତରଫରୁ ଅଭିଯୋଗ ହୋଇଛି। ଗତ ଛଅ ମାସ ଭିତରେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେଉଁଠି କେତେ ଲେଖାଏଁ ଜମି କେତେ କେତେ ଟଙ୍କାରେ କିଣିଛନ୍ତି ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ସୁରଜୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୀ ଆହ୍ୱାନ ଦେଇଛନ୍ତି। ଏ ବାବଦରେ ଟେବ୍ଲ ଉପରେ କେତେ ଓ ଟେବ୍ଲ ତଳେ କେତେ ଟଙ୍କା ଦିଆଯାଇଛି ତାହା ମଧ୍ୟ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି। ତେବେ ବିଜେପିର ଜଣେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା କହିଛନ୍ତି ଯେ ଭାରତବର୍ଷର ସବୁ ଜିଲ୍ଲାରେ ଦଳୀୟ ସଂଗଠନ ମଜବୁତ କରିବା ପାଇଁ ଜିଲ୍ଲା ସ୍ତରୀୟ ଅଫିସ ଖୋଲିବାକୁ ନୋଟ୍ବନ୍ଦୀ ନିଷ୍ପତ୍ତିର ପ୍ରାୟ ବର୍ଷକ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାର୍ଟି ଅଫିସ ନିର୍ମାଣ ପାଇଁ ଜମି କିଣାଯାଇଛି। ଏହା ସହିତ ନୋଟବନ୍ଦୀ ନିଷ୍ପତ୍ତିର କୌଣସି ସଂପର୍କ ନାହିଁ।