ବିଜେପିର ଢାଲ ଗୋମାତା!

ବିଜେପିର ଢାଲ ଗୋମାତା!

Share :

ବିବେକ   ସମ୍ପ୍ରତି ଦେଶର ଆକୁମାରୀ ହିମାଳୟ ପର୍ଯ୍ୟନ୍ତ ଦଳିତ ନିମ୍ନବର୍ଗ ଲୋକଙ୍କ ଉପରେ ହିନ୍ଦୁ ମୌଳବାଦୀ ସଂଗଠନ ଆର‍୍‌.ଏସ‍୍‌.ଏସ‍୍‌, ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ଓ ଗୋ-ରକ୍ଷା ସମିତିର କର୍ମକର୍ତ୍ତାମାନେ ଯେଉଁଭଳି ଭାବରେ ଆକ୍ରମଣ କରୁଛି ତାକୁ ବିରୋଧ କରି ମୋଦିଜୀ ପ୍ରଥମଥର ପାଇଁ ଗୋ-ସୁରକ୍ଷା କର୍ମୀମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କିଛି ଦିନ ତଳେ ସେ କହିଥିଲେ, ରାତିରେ ଯେଉଁମାନେ ସମାଜ ବିରୋଧୀ କାମ କରନ୍ତି, ଦିନରେ ସେମାନେ ଗୋ-ଭକ୍ତ ସାଜି ତାଣ୍ଡବଲୀଳା ଭିଆଉଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ଶତାଂଶ ଲୋକ ଅସତ କାରବାରରେ ଲିପ୍ତ, ପ୍ରକୃତ ଗୋ-ଭକ୍ତ ବା ଗୋ-ସେବକମାନେ ସମ୍ପୂର୍ଣ୍ଣ ଅଲଗା। ଏହା କହିବାର ଠିକ ପର ଦିନ ସେ କହିଥିଲେ, ଦଳିତ ଭାଇ ଭଉଣୀମାନଙ୍କୁ ନମାରି ପ୍ରୟୋଜନ ହେଲେ ମୋତେ ଗୁଳି କରନ୍ତୁ। ମୋଦିଜୀଙ୍କର ଏହି ବକ୍ତବ୍ୟଗୁଡ଼ିକ ତାଙ୍କର ଅନୁଗତ ଗୋ-ରକ୍ଷକମାନଙ୍କ ଉପରେ କିପରି ପ୍ରଭାବ ପକାଇଛି ତାହା ବିବେଚନା କରି ଦେଖାଯାଉ।   କେନ୍ଦ୍ରରେ ବିଜେପି ଶାସନ ଗାଦିରେ ଅଧିଷ୍ଠିତ ହେଲା ପରେ ତଥାକଥିତ ଗୋ-ରକ୍ଷକମାନେ ଗୋ-ରକ୍ଷା ନାମରେ ଗୋ-ରାଜନୀତି ଜୋରଦାର କରିଛନ୍ତି। ସମ୍ପ୍ରତି କର୍ଣ୍ଣାଟକରେ ବିଜେପିର ଜଣେ କର୍ମୀକୁ ଗାଡିରେ ଗୋରୁ ବୋଝେଇ କରି ନେବା ଅଭିଯୋଗରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ହତ୍ୟା କରିବା ପରେ ମୋଦିଜୀଙ୍କ ଦିମାକରେ ବିଦ୍ୟୁତିକ ଶକ୍ତି ପ୍ରବାହିତ ହୋଇଛି। ମାତ୍ର ମୋଦିଜୀଙ୍କର ତାଗିଦ‍୍‌ମୂଳକ କୁମ୍ଭୀରକାନ୍ଦଣାରେ ବିଚଳିତ ନହୋଇ ଗୋ-କର୍ମୀନମାନେ ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ ଦୁଇଜଣ ଦଳିତ ବର୍ଗର ଲୋକଙ୍କୁ ଗୋହତ୍ୟା ଅଭିଯୋଗରେ ହତ୍ୟା କରିଛନ୍ତି। ମଇଁଷି ଚୋରାଇବା ଅଭିଯୋଗରେ ଉତ୍ତର ପ୍ରଦେଶର ୪ ଜଣ ନିମ୍ନବର୍ଗର ଲୋକଙ୍କୁ ବଜରଙ୍ଗ ଦଳର କର୍ମୀମାନେ ମାଡ଼ ମାରିଛନ୍ତି। ଗୋ-କର୍ମୀମାନଙ୍କର ଏପରି ଅପରାଧ ଓ ମୋଦିଜୀଙ୍କର ବିବୃତିରୁ ମନେହୁଏ ଯେ, ଗୋ-ରକ୍ଷା ସମିତି ଓ ମୋଦିଜୀଙ୍କ ରୀତି, ନୀତି, ଆଦର୍ଶ ଓ ପଥ ଏକ ନୁହେଁ।   ଏଥିରୁ ସ୍ପଷ୍ଟ ଯେ ଗୋ-ରକ୍ଷା ଆଳରେ ହିନ୍ଦୁମାନଙ୍କ ମନରେ ଧର୍ମୀୟ ଅନ୍ଧତା ଓ ମୁସଲମାନ ବିଦ୍ୱେଷୀ ମନୋଭାବ ସୃଷ୍ଟି କରିବା ଏବଂ ତଥାକଥିତ ନିମ୍ନବର୍ଗ ଉପରେ ଜୋରଜୁଲମ‍୍‌ କରିବା ପାଇଁ ଅନେକ ଗୋ-ସୁରକ୍ଷା ସମିତି ତିଆରି ହୋଇଛି। ତଥାପି ହନୁ ମଲା ବେଳକୁ ସତ କହିଲା ଭଳି ଅଜୀବନ ଉଗ୍ର ହିନ୍ଦୁତ୍ବର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ତାଙ୍କର ଅନିଚ୍ଛା ସତ୍ତ୍ବେ କେତେଗୁଡ଼ିଏ ସତ କଥା ବାହାରି ପଡିଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋ-ରକ୍ଷାକାରୀଙ୍କ ଭିତରୁ ଅଧିକାଂଶକୁ ସମାଜ ବିରୋଧୀ, ଗୁଣ୍ଡା ଓ କଳାବଜାରୀ କାମରେ ଲିପ୍ତ ବୋଲି ମନ୍ତବ୍ୟ ଦେଇ ଦାୟିତ୍ୱ ସମାପ୍ତ କଲାବେଳେ ଅନ୍ୟପଟରେ ତାଙ୍କ ଦଳ ବିଜେପିର ପ୍ରତ୍ୟକ୍ଷ ଓ ପରୋକ୍ଷ ସହାୟତା ଓ ପ୍ରରୋଚନାରେ ଗଢି ଉଠିଥିବା ଗୋ-ରକ୍ଷା ସମିତ, ଆର‍୍‌.ଏସ‍୍‌.ଏସ‍୍‌, ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପ୍ରମୁଖ ସମଗ୍ର ଭାରତବର୍ଷରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ଦଳିତ ନିଧନ ଘଟଣା ଭିଆଇ ଚାଲିଛନ୍ତି। କେବଳ ବାହାବା ନେବା ପାଇଁ ଗୋରୁ ମାରି ଯୋତା ଦାନ ଦେଲା ଭଳି ‘ଦଳିତମାନଙ୍କୁ ମାରନା, ମୋତେ ଗୁଳି କର’ ବୋଲି କହିଛନ୍ତି।   ଅଥଚ ମହମ୍ମଦ ଆଖଲାକଙ୍କ ସମେତ ବହୁ ସଂଖ୍ୟାଲଘୁ ସମ୍ପ୍ରଦାୟର ନିରୀହ ଲୋକଙ୍କ ଉପରେ ମିଛ ଆଳ ଦେଖାଇ ଏସବୁ ସଂଗଠନଗୁଡ଼ିକ ଆକ୍ରମଣ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହା ବିରୁଦ୍ଧରେ ପଦେହେଲେ ବି କିଛି କହି ନାହାନ୍ତି। ଏହିସବୁ ହିନ୍ଦୁ ମୌଳବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହାନ୍ତି।   ଯେଉଁ ଦଳିତ ନିମ୍ନବର୍ଗର ଲୋକମାନେ ପୁରୁଷାନୁକ୍ରମରେ ବର୍ଷ ବର୍ଷ ଧରି ଗୋରୁ, ଛେଳି, ମେଣ୍ଢା, ମଇଁଷି ଏପରିକି ବିଭିନ୍ନ ପ୍ରକାର ସାପର ଚମଡା ଛଡାଇ ଜୀବିକା ନିର୍ବାହ କରିଥାନ୍ତି ଏବଂ ସେଇ ମଲା ପଶୁର ମାଂସ ଭକ୍ଷଣ କରନ୍ତି ସେମାନଙ୍କ ଉପରେ କ୍ରୁର ବ୍ୟବହାର କରିବାର କିଛି କାରଣ ନାହିଁ। ବରଂ ସେମାନେ ମଲା ଗାଈ ଗୋରୁ, ଛେଳି, ମେଣ୍ଢା ଆଦିର ମାଂସ ଭକ୍ଷଣ କରି ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ମୁଖ୍ୟ ଭୂମିକା ପାଳନ କରୁଛନ୍ତି। ଅଥଚ ହିନ୍ଦୁତ୍ୱକୁ ରକ୍ଷା କରିବା ପାଇଁ ଠିକା ନେଇଥିବା ଅତ୍ମଘୋଷିତ ହିନ୍ଦୁ ଧ୍ୱଜାଧାରୀ ମୌଳବାଦୀ ସଂଗଠନଗୁଡ଼ିକ ବାରମ୍ୱାର ଏହି ଦଳିତମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। କିଛି ଦିନ ତଳେ ଗୁଜରାଟରେ ୪ ଜଣ ଦଳିତ ଯୁବକଙ୍କୁ ଗୋରୁର ଚମଡା ଛଡେଇବା ଅଭିଯୋଗରେ ଉଲଗ୍ନ କରି ମାଡ଼ ମରାଗଲା। ମଧ୍ୟ ପ୍ରଦେଶରେ ଦୁଇ ଜଣ ମହିଳା ମଇଁଷି ମାଂସ ଘରେ ରଖିଥିବା ଅଭିଯୋଗରେ ଅତ୍ୟାଚାରର ଶିକାର ହେଲେ। ଏହି ରାଜ୍ୟଗୁଡ଼ିକରେ ଦୀର୍ଘ ଦିନ ଧରି ବିଜେପି ସରକାର ଚାଲିଛି। ଏହାପୂର୍ବରୁ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ଗବେଷଣା ଛାତ୍ର ରୋହିତ ଭେମିଲା ନିମ୍ନବର୍ଗର ହୋଇଥିବାରୁ ହିନ୍ଦୁତ୍ୱର ଆତ୍ମଘୋଷିତ ଅଭିଭାବକମାନଙ୍କର କଟୁକ୍ତି ଓ ଅପମାନର ସହ୍ୟ କରି ନପାରି ଆତ୍ମହତ୍ୟା କରିଥିଲେ।   ଏଭଳି ଘଟଣା ଘଟିବା ପରେ ସଂଘ ପରିବାର ଓ ବିଜେପିର ନେତାମାନେ ବହୁ ଉତ୍ତଜନାମୂଳକ ବକ୍ତବ୍ୟ ଦେବା ଫଳରେ ହିନ୍ଦୁ ଧର୍ମୀୟ ମୌଳବାଦୀ ସଂଗଠନଗୁଡ଼ିକ ଆହୁରି ଉତ୍ସାହିତ ହୋଇ ଜଘଣ୍ୟରୁ ଜଘଣ୍ୟତମ ଘଟଣା ଭିଆଇବାକୁ ଉପଯୁକ୍ତ ଇନ୍ଧନ ପାଉଛନ୍ତି। ଗୋ-ରକ୍ଷା ସମିତିର ସମର୍ଥନରେ ସଂଘର ସାଧାରଣ ସମ୍ପାଦକ ଭାଇୟାଜୀ ଯୋଶୀ ଥରେ ଏକ ବିବୃତିରେ କହିଥିଲେ, ‘ମଣିଷ ଯେପରି ଗୋ-ରକ୍ଷା ନାମରେ ଅପରାଧମୂଳକ କାର୍ଯ୍ୟକଳାପ ସହିତ ଏହାର ମହତ ଉଦ୍ଦେଶ୍ୟକୁ ଗୋଳମାଳିଆ ନକରନ୍ତି।’ ଏଥର ମୋଦିଜୀ ମଧ୍ୟ ଗୋ-ରକ୍ଷାକାରୀମାନଙ୍କ ମଧ୍ୟରେ ଅସଲ ଓ ନକଲ ବୋଲି ଆଖ୍ୟାୟିତ କରିଛନ୍ତି। ମୋଦିଙ୍କର ଓ ଅନ୍ୟ ହିନ୍ଦୁ ମୌଳବାଦୀ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କର ଏହି ହୀନ କାର୍ଯ୍ୟକଳାପ ଓ ମନ୍ତବ୍ୟ କ’ଣ ସୂଚାଏ? ଏହା ସତ୍ୟ ଯେ ବହୁ ନିମ୍ନବର୍ଗର ଦଳିତମାନେ ଉଚ୍ଚ ବର୍ଗର ଏହିଭଳି ଅତ୍ୟାଚାର ସହି ନପାରି ମୁସଲ‍୍‌ମାନ କିମ୍ୱା ଖ୍ରୀଷ୍ଟାନ ହୋଇଛନ୍ତି। ଏହା ମୋଦିଜୀ ବା ତାଙ୍କର ଅନୁଗତମାନେ ହିସାବ ରଖିଛନ୍ତି କି? ମୋଦିଜୀ ଅସଲ ଓ ନକଲ ଗୋ-ରକ୍ଷକ କହିବା ପଛରେ ଉଦ୍ଦେଶ୍ୟ କ’ଣ? ମହମ୍ମଦ ଆଖଲାକଙ୍କୁ ଗୋ-ମାଂସ ରଖିଥିବା ମିଥ୍ୟା ଅଭିଯୋଗରେ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷଭାବରେ ଜଡିତ ଦୁଇଜଣ ବିଜେପି ଏମ‍୍‌.ପି- ସଙ୍ଗିତ ସୋମ ଓ ମହେଶ ଶର୍ମା କ’ଣ ତା’ ହେଲେ ଅସଲ ଗୋ-ରକ୍ଷକ ଥିଲେ? ଗୋ-ରକ୍ଷା ନାଁରେ ମଣିଷକୁ ହତ୍ୟା କରିବା କ’ଣ ଅସଲ ଗୋ-ରକ୍ଷକଙ୍କ କାମ?   ଗୋ-ରକ୍ଷା ସମିତିର ଭିତିରି ଉଦ୍ଦେଶ୍ୟ କ’ଣ ତାହା ୧୯୬୬ ମସିହାରେ ସମିତି ଗଠନ ସମୟରେ ଆର‍୍‌.ଏସ‍୍‌.ଏସ‍୍‌ ଗୁରୁ ଗୋଲୱାଲକରଙ୍କର ଏକ ବକ୍ତବ୍ୟରୁ ଜଣାପଡେ। ସେଇ ସମୟରେ ଗୋ-ରକ୍ଷା ଅଭିଯାନ ଆରମ୍ଭ ହେବା ପରେ ଗୋ-ରକ୍ଷା ପାଇଁ ଗଠିତ ଏକ କମିଶନର ସଦସ୍ୟ ଭାର୍ଗବ କ୍ୟୁରିଆନ‍୍‌ ତାଙ୍କ ଆତ୍ମ ଜୀବନୀରେ ଲିପିବଦ୍ଧ କରିଥିଲେ। ଏଥିରେ ଗୋ-ରକ୍ଷା ସଂକ୍ରାନ୍ତ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିବାକୁ ଯାଇ ଗୋଲୱାଲକର କହିଥିଲେ, ମୁଁ ଏହି ଅଭିଯାନ ଚଳାଇଥିଲି ମୁଖ୍ୟତଃ ସରକାରକୁ କିଛିଟା ଅପଦସ୍ତ କରିବା ପାଇଁ, ମୁଁ ତ ମୁର୍ଖ ବା ଫାନାଟିକ୍ ନୁହେଁ, ମୁଁ ଅସଲରେ ଗୋରୁକୁ ଆୟୁଧ କରି ଆମ ଭିତରେ ଥିବା ଭାରତୀୟତାକୁ ଜାଗ୍ରତ କରିବାକୁ ଚାହେଁ।   ଏହା ଅତ୍ୟନ୍ତ ହାସ୍ୟାଷ୍ପଦ ଯେ, ଏହି ସ୍ୱଘୋଷିତ ଗୋ-ରକ୍ଷକମାନେ ଗବାଦୀ ପଶୁମାନଙ୍କର ସୁରକ୍ଷା ପାଇଁ ଇଦ‍୍‌ ପୂର୍ବରୁ ସମଗ୍ର ଭାରତବର୍ଷରେ ଗୋ-ଗଣନା କରିବାର ପରିକଳ୍ପନା ନେବାକୁ ଯାଉଛନ୍ତି। ଏପରିକି ବିଜେପି ଶାସିତ ରାଜସ୍ଥାନରେ ବସୁନ୍ଧରା ରାଜେ କ୍ଷମତାରେ ଅଧିଷ୍ଠିତ ହେବା ପରେ ଗୋ-ପାଳନ ବିଭାଗ ନାମରେ ଗୋଟିଏ ନୂଆ ବିଭାଗ ସୃଷ୍ଟି କରି ମନ୍ତ୍ରୀ ଓ ବିଭାଗୀୟ ମୁଖ୍ୟମାନଙ୍କୁ ମଧ୍ୟ କାମରେ ନିୟୋଗ କରିଛନ୍ତି। ମାତ୍ର ଏହି ଗୋ-ମାତାର ଯୋଗ୍ୟତମ ସନ୍ତାନମାନଙ୍କୁ ଟିକିଏ ହେଲେ ଦୁଃଖ ନାହିଁ, ଯେତେବେଳେ ଗୋଶାଳାଗୁଡ଼ିକରେ ଅବହେଳାରୁ ହଜାର ହଜାର ଗୋରୁଗାଈ ମୁତ୍ୟୁ ମୁଖରେ ପଡନ୍ତି। ପୁଣି ବିଭିନ୍ନ ରାଜ୍ୟରେ ବନ୍ୟା ଓ ବାତ୍ୟା ସମୟରେ ଲକ୍ଷ ଲକ୍ଷ ଗବାଦି ପଶୁ ଅସହାୟ ଅବସ୍ଥାରେ ପଡି ମୃତ୍ୟୁ ବରଣ କରନ୍ତି, ସେତେବେଳେ ଏହି ଗୋ-ମାତାର ସନ୍ତାନମାନେ କେଉଁଠି ଥାନ୍ତି? ମଣିଷ ସମାଜର ବିକାଶ ଧାରାରେ ମଣିଷ ତା’ର ନିଜ ସ୍ୱାର୍ଥ ପାଇଁ ଗାଈ ଗୋରୁକୁ କାମରେ ଲଗାନ୍ତି ଏବଂ ନିଜର ସ୍ୱାର୍ଥସିଦ୍ଧି ପରେ ସେଗୁଡ଼ିକୁ ଛାଡି ଦିଅନ୍ତି। ପରେ ସେଗୁଡ଼ିକ ଅତ୍ୟନ୍ତ ଅବହେଳା ଓ ଅଯନିରେ ରାସ୍ତାଘାଟରେ ଘୁରି ବୁଲନ୍ତି କାଳକ୍ରମେ ବେଳେ ବେଳେ ଗାଡି ମଟର ଧକ୍କାରେ ବା ଶୁଖି ଶୁଖି ମୃତ୍ୟୁବରଣ କରନ୍ତି। ସେତେବେଳେ ଏହି ଗୋ-ମାତାର ସୁସନ୍ତାନମାନେ କ’ଣ କରନ୍ତି? ସେଥିପ୍ରତି ଦୃଷ୍ଟି ଦିଅନ୍ତି କି?   ପୁରାତନ କାଳରୁ ଚାଷକାମରେ ସହାୟତା, କ୍ଷୀର ଓ ମାଂସ ଯୋଗାଇବା ଏବଂ ଗାଡି ଟାଣିବା ପାଇଁ ମଣିଷ ଗାଈ ଗୋରୁ, ଛେଳି, ମେଣ୍ଢାା, ମଇଁଷି, ଓଟ, ଘୋଡା ଏପରିକି କୁକୁର ହରିଣ ଆଦି ବିଭିନ୍ନ ପ୍ରକାର ପଶୁଙ୍କୁ ପାଳନ କରି ଆସିଛି। ସମଗ୍ର ପୃଥିବୀରେ ଗାଈର ଦୁଗ୍ଧ ଓ ମାଂସ ମଣିଷର ଖାଦ୍ୟ ହିସାବରେ ପ୍ରଚଳିତ। ୟୁରୋପରେ ଗୋରୁ ମାଂସ ବେଶୀ ବ୍ୟବହୃତ ହେଉଥିବାରୁ ଗବେଷଣା ମାଧ୍ୟମରେ ବହୁ ଉନ୍ନତ ଗୋରୁ ପ୍ରଜାତି ସୃଷ୍ଟି କରାଯାଇଛି। ବୈଦିକ ଯୁଗରେ ଆଜିର ଅନେକ ଗୋରକ୍ଷକଙ୍କ ପୂର୍ବପୁରୁଷମାନେ ଗୋ-ମାଂସ ଭକ୍ଷକ ଥିଲେ। ଏହାର ଭୁରି ଭୁରି ପ୍ରମାଣ ଶାସ୍ତ୍ରଗୁଡ଼ିକରେ ବର୍ଣ୍ଣିତ ଅଛି। ଆଉ ଏବେ ମଧ୍ୟ କେବଳ ଯେ ମୁସଲ‍୍‌ମାନ ଓ ଖ୍ରୀଷ୍ଟିୟାନ‍୍‌ ଧର୍ମାବଲମ୍ୱୀ ମଣିଷ ଗୋ-ମାଂସ ଭକ୍ଷଣ କରନ୍ତି ତାହା ନୁହେଁ, ଆମ ଦେଶରେ ବହୁ ଦଳିତ ନିମ୍ନ ବର୍ଗର ଲୋକ ଏବଂ ଆଦିବାସୀ ଜନସାଧାରଣ ମଧ୍ୟ ଗୋ-ମାଂସ ଭକ୍ଷଣ କରିଥାନ୍ତି। ଏହା ସ୍ପଷ୍ଟ ଯେ ମଣିଷ ନିଜର ରୀତିନୀତି, ରୁଚି ଓ ସଂସ୍କୃତି ଅନୁସାରେ ନିଜର ଆହାରକୁ ଗ୍ରହଣ କରିଥାନ୍ତି; ତାହାକୁ କୌଣସି ଆଳରେ ଜୋରଜବରଦସ୍ତ ବା ଆଇନ କରି ରଦ୍ଦ କରିବା ଉଚିତ ହେବ ନାହିଁ।   ଅସଲ କଥା ହେଉଛି, ଏମାନେ ଗୋ-ରକ୍ଷା ନାଁରେ ମୋଦିଜୀ କେନ୍ଦ୍ରରେ ଶାସନ ଗାଦିକୁ ଯିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଜନମାନସରୁ ଉଭେଇ ଦେବା ପାଇଁ ଏହିସବୁ ପ୍ରହେଳିକା ରଚନା କରୁଛନ୍ତି। ତା’ ଛଡା ‘ଆଚ୍ଛେ ଦିନ’ର ଧୂଆଁବାଣ ମାରି ଚାଲିଥିବା କେନ୍ଦ୍ରର ବିଜେପି ସରକାର ଏବଂ ତାର ମହାନାୟକ ନରେନ୍ଦ୍ର ମୋଦି ଗରିବ ଜନଗଣଙ୍କୁ ୧୦୦ ଦିନର କର୍ମ ସଂସ୍ଥାନ ଯୋଗାଇବା, ବେକାର ସମସ୍ୟାର ସମାଧାନ କରିବା, କ୍ରମବର୍ଦ୍ଧମାନ ସାଂସ୍କୃତିକ ଅଧୋପତନ, ନାରୀ ନିର୍ଯ୍ୟାତନା, ଅଶ୍ଳୀଳତା, ନଗ୍ନତା ଏବଂ ଅପସଂସ୍କୃତିର ପ୍ଲାବନକୁ ରୋକିବା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ସରକାରଙ୍କୁ ସୁରକ୍ଷା ଦେବାକୁ ଗାଈକୁ ଅସ୍ତ୍ର କରାଯାଉଛି। ଦିନକୁ ଦିନ ବେକାର ସଂଖ୍ୟା ବଢି ବଢି ଚାଲିଛି, କଳକାରଖାନା ଗୁଡ଼ିକରେ ନାଲିବତୀ ଜଳୁଛି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଅସ୍ବାଭାବିକ ମୂଲ୍ୟବୃଦ୍ଧି ଘଟୁଛି, ଆକୁମାରୀ ହିମାଳୟ ଯାଏଁ ଦାଦନ ଶ୍ରମିକର ସୁଅ ଛୁଟିଛି, ହତ୍ୟା, ଲୁଣ୍ଠନ, ବଳାତ୍କାର ଓ ନାରୀ ନିର୍ଯ୍ୟାତନାରେ ଦେଶଟା ଭରି ଯାଇଛି, ଏପରିକି ସମଗ୍ର ଦେଶରେ ଲୋକ ସଂଖ୍ୟାର ୬୦ ଶତାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବାରୁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଅନାହାର ଅର୍ଦ୍ଧାହାର ମୃତ୍ୟୁ ହେଉଛି। ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରମଜୀବୀ ମଣିଷ ନିଜର ଭିଟାମାଟି ଛାଡି କାମ ଅନ୍ୱେଷଣରେ ବିଦେଶକୁ ଯାଉଛନ୍ତି। ଦେଶର ବିଭିନ୍ନ ନଗର ଓ ସହରର ଛକମାନଙ୍କରେ ଦିନକ ପାଇଁ କ୍ରୀତଦାସ ହେବା ଆଶାରେ ହଜାର ହଜାର କର୍ମହୀନ ମଣିଷ ଧାଡି ବାନ୍ଧି ଛିଡା ହୋଇଛନ୍ତି। ଏସବୁ ସମସ୍ୟାକୁ ନେଇ ଗୋ-ରକ୍ଷକ ସମିତି, ଆର‍୍‌.ଏସ‍୍‌.ଏସ‍୍‌, ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ସଂଘ ପରିବାର, ଏପରିକି କେନ୍ଦ୍ରରେ ଶାସନ ଗାଦିରେ ଅଧିଷ୍ଠିତ ବିଜେପି ଦଳ ଏବଂ ଗାଲୁଗପରେ ଧୁରନ୍ଧର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ କିଛି ଚିନ୍ତା କରିଛନ୍ତି କି?  

Share :