ବିମୁଦ୍ରୀକରଣ ଓ କଳାଟଙ୍କା

ବିମୁଦ୍ରୀକରଣ ଓ କଳାଟଙ୍କା

Share :

ସିଏ. ବିବେକାନନ୍ଦ ନାୟକ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନଭେମ୍ୱର ୮ ତାରିଖରେ ବିମୁଦ୍ରୀକରଣ ଯୋଜନାର ଆକସ୍ମିକ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିଥିଲା। ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରଖିଥିବା ବକ୍ତବ୍ୟରେ ସେଦିନର ରାତି ୧୨ଟା ପରେ ୧୦୦୦ ଏବଂ ୫୦୦ ଟଙ୍କାର ମୁଦ୍ରା ବିନିମୟ ମୁଦ୍ରା ଭାବରେ ବୈଧତା ହରାଇବ ବୋଲି ଘୋଷଣା କଲେ। ସାଧାରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାମୟିକ ଭାବରେ ଏହି ମୁଦ୍ରା କିଛି ନିର୍ଦ୍ଦିଷ୍ଟ ସେବା ଏବଂ ଉପିାଦ ପାଇଁ ବ୍ୟବହାର ହୋଇପାରିବ ବୋଲି ଘୋଷଣା କଲେ। ଏହି ମୁଦ୍ରା ଅଚଳ ହୋଇଗଲା ବୋଲି ଅଯଥା ଆତଙ୍କ ଖେଳିଗଲା। ଏହି ମୁଦ୍ରା ସାଧାରଣରେ ବିନିମୟ ମୂଲ୍ୟ ହରାଇଥିଲା, ମାତ୍ର ଜନସାଧାରଣ ନିଜର ସଞ୍ଚିତ ୧୦୦୦ ଓ ୫୦୦ ଟଙ୍କା ମୁଦ୍ରାକୁ ବଦଳାଇ ବ୍ୟାଙ୍କରୁ ଅନ୍ୟ ମୁଦ୍ରା ଆଣି ପାରିବେ ବୋଲି ପ୍ରାବଧାନ କରାଯାଇଥିଲା।   ଆଗରୁ ମଧ୍ୟ ୨ ଥର ବିମୁଦ୍ରୀକରଣ ହୋଇଛି। ପ୍ରଥମେ ୧୯୪୬ରେ ୧୦୦୦ ଟଙ୍କା ଓ ୧୦ହଜାର ଟଙ୍କା ଏବଂ ଦ୍ୱିତୀୟରେ ୧୯୭୮ରେ ୧୦୦୦, ୫୦୦ ଓ ୧୦ ହଜାର ଟଙ୍କା ମୁଦ୍ରାର ବିମୁଦ୍ରୀକରଣ ହୋଇଥିଲା। ମାତ୍ର ବର୍ତ୍ତମାନର ବିମୁଦ୍ରୀକରଣ ଯୋଜନାକୁ ଆଗରୁ ହୋଇଥିବା ଯୋଜନା ସହିତ ତୁଳନା କରାଯାଇପାରିବ ନାହିଁ। ଆଗରୁ ବିମୁଦ୍ରୀକରଣ କରାଯାଇଥିବା ମୁଦ୍ରାର ପରିମାଣ ତତ‌୍‍ସମୟରେ ପ୍ରଚଳିତ ସମୁଦାୟ ମୁଦ୍ରାର ୨% ରୁ କମ‌୍‍ ହୋଇଥିବା ବେଳେ ଆଜିର ବିମୁଦ୍ରୀକରଣ ଲକ୍ଷ୍ୟରେ ଥିବା ୧୦୦୦ ଏବଂ ୫୦୦ ଟଙ୍କା ମୁଦ୍ରାର ପରିମାଣ ସମୁଦାୟ ମୁଦ୍ରାର ପ୍ରାୟ ୮୬%। ୧୯୭୮ ବା ୧୯୪୬ରେ ମୁଦ୍ରାର ବିନିମୟ ମୂଲ୍ୟ ଅଧିକ ଥିଲା, ତେଣୁ ଉଚ୍ଚମୂଲ୍ୟ ଯୁକ୍ତ ମୁଦ୍ରା କମ‌୍‍ ଲୋକଙ୍କ ପାଖରେ ଥିଲା। ତୁଳନାତ୍ମକ ଭାବେ କମ‌୍‍ ସଂଖ୍ୟକ ମୁଦ୍ରା ପରିବର୍ତ୍ତନ ହେତୁ, ପୂର୍ବଥର ବିମୁଦ୍ରୀକରଣରେ ଏତେ ଅସୁବିଧା ଉପଲବ‌୍‍ଧି ହୋଇ ନଥିଲା। ଆଜିର ବିମୁଦ୍ରୀକରଣର ଆକାର ଏକ ବ୍ୟବସ୍ଥାଭିତ୍ତିକ ପରିବର୍ତ୍ତନର ସୂଚନା ଦିଏ।   ବିଶ୍ୱବ୍ୟାଙ୍କ‌୍‍ ରିପୋର୍ଟରୁ ଜଣାଯାଏ ୧୯୯୯ ମସିହାରେ କଳା ବା ଛାୟା ଅର୍ଥନୀତିର ପରିମାଣ ସମୂହ ଘରୋଇ ଉପିାଦ (ଜିଡ଼ିପି/ଏଊଚ)ର ୨୦.୭% ଥିଲା। ଏହା ବୃଦ୍ଧିପାଇ ୨୦୦୭ରେ ୨୩.୨% ଏବଂ ୨୦୧୦ ବେଳକୁ ୩୦% ରେ ପହଞ୍ଚିଥିଲା। ଏହା ନିଶ୍ଚିତ ଭାବରେ ଏକ ଚିନ୍ତାଜନକ ଅବସ୍ଥା। ଯେକୌଣସି ପ୍ରଗତିଶୀଳ ସରକାରର ପ୍ରାଥମିକ କର୍ତ୍ତବ୍ୟ ହେଲା ଦେଶର ଅର୍ଥନୀତିକୁ ଏହି କଳା ବା ଛାୟା ଅର୍ଥନୀତି- ଯାହାକି ଡ଼ିଜିପିର ଏକ ତୃତୀୟାଂଶ କବଳରୁ ରକ୍ଷା କରିବା। ସରକାରୀ ଆକଳନ ଅନୁସାରେ ଭାରତର ସମୂହ ମୁଦ୍ରା ମୂଲ୍ୟ ୧୭.୭ ଲକ୍ଷ କୋଟି ଟଙ୍କା ଏଥିରୁ ୧୦୦୦ ଓ ୫୦୦ ଟଙ୍କା ମୁଦ୍ରା ପ୍ରାୟ ୮୬% ବା ୧୫.୫ ଲକ୍ଷ କୋଟି ଟଙ୍କା। ଏଥିରୁ ୨୫% ରୁ ୩୦% କଳାଧନ ବୋଲି ହିସାବ କରାଯାଏ। ଅର୍ଥାତ‌୍‍ ୩ ରୁ ୪ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ଖାତାରେ ଜମା ହେବାର ସମ୍ଭାବନା ନାହିଁ। ଏ ଦୃଷ୍ଟିରୁ କେନ୍ଦ୍ର ସରକାରର ଏହି ସଂସ୍କାର ଭିତ୍ତିକ ପଦକ୍ଷେପ ସ୍ୱାଗତ ଯୋଗ୍ୟ।   ଏହି ବିମୁଦ୍ରୀକରଣ ଦ୍ୱାରା ଦେଶର ବହୁବିଧ ଅର୍ଥନୈତିକ ଏବଂ ସାମାଜିକ ଲାଭହେଲା। ଗୁରୁତ୍ୱପୂର୍ଣ୍ଣ ଲାଭଗୁଡ଼ିକ ହେଲା (୧) ଭୟଙ୍କର ନକଲି ମୁଦ୍ରାଉପରେ ଏକ ଶକ୍ତ ପ୍ରହାର । ଏହାଦ୍ୱାରା ହଜାର ହଜାର କୋଟି ଟଙ୍କାର ୧୦୦୦ ଟଙ୍କା ଓ ୫୦୦ଟଙ୍କାର ନକଲି ମୁଦ୍ରା ନିଶ୍ଚିହ୍ନ ହୋଇଗଲା। (୨) କଳାଟଙ୍କାର ବ୍ୟାଜାପ୍ତି - ଏହି ବିମୁଦ୍ରୀକରଣ ଦ୍ୱାରା ପ୍ରାୟ ୪ ଲକ୍ଷ କୋଟି ଟଙ୍କାର କଳାଟଙ୍କା ବ୍ୟାଜାପ୍ତି ହେଲା। (୩) ଆତଙ୍କବାଦ ଟଙ୍କା ବ୍ୟାଜାପ୍ତି ଓ ରୋକ‌୍‍। ଆତଙ୍କବାଦ ବା ସନ୍ତ୍ରାସବାଦ ନଗଦୀ ଟଙ୍କା (ଅସଲୀ ଓ ନକଲୀ) ଉପରେ ଚାଲେ। ଏହି ଟଙ୍କାର ବିନିମୟରେ ପୂର୍ଣ୍ଣଛେଦ ହେତୁ, ଆତଙ୍କବାଦ ଉପରେ ଶକ୍ତ ଧକ‌୍‍କା ହେଲା। (୪) ଦୁର୍ନୀତି ଉପରେ ପ୍ରହାର - ଦୁର୍ନୀତିଗ୍ରସ୍ତ ଲୋକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ବ୍ୟାଙ୍କ‌୍‍ରେ ଜମା ହେବାର ଅସୁବିଧା ହେଲା। ଟ୍ୟାକ‌୍‍ସ ଅଧିକାରୀଙ୍କ ନଜରରେ ଆସିବା ଭୟରେ ବହୁ ଟଙ୍କା ନଷ୍ଟ କରାଯାଉଛି। (୫) ମୁଦ୍ରାସ୍ପୀତି ହ୍ରାସ ପାଇବାର ସମ୍ଭାବନା। ବିଶେଷକରି ଜମିବାଡ଼ି ଓ ସୁନାଦର ହ୍ରାସ ପାଇବ। ମାତ୍ର ଗୋଟିଏ ସପ୍ତାହରେ ବିଭିନ୍ନ ସହରରେ ରିଏଲ‌୍‍ ଇଷ୍ଟେଟ‌୍‍ର ମୂଲ୍ୟ ୨୦% ରୁ ୩୦% କମି ଯିବାର ନଜର ଆସିଛି। ଏହା ଦ୍ୱାରା ମଧ୍ୟବିତ୍ତ ବା ନିମ୍ନ ମଧ୍ୟବିତ୍ତ ପରିବାରର ଯୁବକଟିଏ ସହରରେ ଘର ଖଣ୍ଡେ କିଣି ପାରିବ। ଆଜିର ସରକାରର ଆଥିର୍କ ସଂସ୍କାରର ପଦକ୍ଷେପ ତଥା ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁରୁପ ଯଦି ରିଏଲ‌୍‍ ଇଷ୍ଟେଟ‌୍‍ ଓ ସୁନା କିଣାବିକାରେ ଅଧିକ ସ୍ୱଚ୍ଛତା ଆସ, ତାହା ହେଲେ ଏହି ବିମୁଦ୍ରୀକରଣ ପରି ଯୋଜନା ମାଷ୍ଟର ଷ୍ଟ୍ରୋକ‌୍‍ ସାବିତ‌୍‍ ହେବ।   ବିମୁଦ୍ରୀକରଣର ଆକସ୍ମିକ ଘୋଷଣା ଦ୍ୱାରା ସାଧାରଣ ଜନତା ବିଶେଷ ଅସୁବିଧାରେ ପଡ଼ିଛନ୍ତି। ନଭେମ୍ୱର ୯ ତାରିଖ ଠାରୁ ଲୋକମାନେ ନିଜର ୫୦୦ ଓ ୧୦୦୦ ଟଙ୍କିଆ ନୋଟ‌୍‍କୁ ବଦଳାଇବା ତଥା ଜମାକରିବା ପାଇଁ ବ୍ୟତିବ୍ୟସ୍ଥ  ହୋଇ ଯାଇଛନ୍ତି। ବ୍ୟାଙ୍କ‌୍‍ ଓ ଏଟିଏମ‌୍‍ ସାମ୍ନାରେ ଲମ୍ୱା ଧାଡ଼ି ଦେଖିବାକୁ ମିଳିଛି। କେତେକାଂଶରେ ସଚେତନତାର ଅଭାବ ହିଁ ଦାୟୀ। ଯଦିଓ ଜମା କରିବାର ସମୟ ସୀମା ଡ଼ିସେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ରହିଛି, ଲୋକମାନେ ୧୦୦୦ ଓ ୫୦୦ ଟଙ୍କିଆ ମୁଦ୍ରାକୁ ଜମା କରିବା ପାଇଁ ଲମ୍ୱା ଧାଡ଼ିରେ ଛିଡ଼ା ହେବାର ଦେଖା ଯାଉଛି। ଗୋପନୀୟତାର ଆବଶ୍ୟକତା ହେତୁ ଆକସ୍ମିକ ଘୋଷଣା ଦ୍ୱାରା ବ୍ୟାଙ୍କ ସମୂହ ନିଜର ୨ ଲକ୍ଷରୁ ଉର୍ଦ୍ଧ୍ୱ ଏଟିଏମ‌୍‍ ଠିକ‌୍‍ ଭାବରେ ବ୍ୟବସ୍ଥିତ କରିବାରେ ବିଫଳ ହୋଇଛନ୍ତି। ଏହି ଗୋପନୀୟତାର ଆବଶ୍ୟକତା ସତ୍ତ୍ୱେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କର ଉତ୍ତମ ତାଳମେଳ ଓ ଯଥାର୍ଥ ପ୍ରାକ‌୍‍ ପ୍ରସ୍ତୁତି ଦ୍ୱାରା ଜନସାଧାରଣଙ୍କ ଏହି ଅସୁବିଧାକୁ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିଥାନ୍ତା। ଯେତେବେଳେ ମୋଟାମୋଟି ୧୦ ଲକ୍ଷକୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ‌୍‍ ମାନଙ୍କରେ ଜମା ହେବାର ଆକଳନ ଥିଲା, ଯଥେଷ୍ଟ ସମୟ ଆଗରୁ ସେହି ଅନୁପାତରେ ୧୦୦ ଟଙ୍କିଆ ଓ ନୂଆ ୨୦୦୦ ଟଙ୍କିଆ ମୁଦ୍ରଣ ଜାରି ରଖିବାର ଥିଲା। କିଛି ଲୋକଙ୍କର ୧୦୦୦ ଟଙ୍କା/ ୫୦୦ ଟଙ୍କା ବିମୁଦ୍ରୀକରଣ ହେଉଥିଲା ବେଳେ, ୨୦୦୦ ଟଙ୍କାର ନୂଆ ନୋଟ‌୍‍ ପ୍ରଚଳନ ଉପରେ ପ୍ରଶ୍ନବାଚୀ ରହିଛି। କିନ୍ତୁ ବୁଝିବାକୁ ହେବ ଏହି ୨୦୦୦ ଟଙ୍କିଆ ନୋଟ‌୍‍ ହିଁ ଏହି ଆକସ୍ମିକ ଯୋଜନାକୁ ବ୍ୟବସ୍ଥିତ କରିବାରେ ସହାୟକ ହୋଇଛି। ୪ଟି ୫୦୦ ଟଙ୍କିଆ ବା ୨ଟି ୧୦୦୦ ଟଙ୍କିଆ ମୁଦ୍ରା ପାଇଁ ମାତ୍ର ୧ଟି ୨୦୦୦ ଟଙ୍କା ମୁଦ୍ରା ଦରକାର। ଏହା ଦ୍ୱାରା ସରକାର ନୂଆ ନୋଟ‌୍‍ର ବିଶାଳ ଅବଶ୍ୟକତାକୁ ସାମ‌୍‍ନା କରିପାରିବେ ଏବଂ ମୁଦ୍ରଣ ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣରେ ରହିବ।  ଏହି ଯୋଜନାରେ ୨୫ କୋଟିରୁ ଉର୍ଦ୍ଧ୍ୱ ଆକାଉଣ୍ଟ ଖୋଲା ଯାଇଥିଲା। ଏହି ଆକାଉଣ୍ଟ‌୍‍ଧାରୀମାନେ ନିଜ ନିଜର ୫୦୦ ଓ ୧୦୦୦ ଟଙ୍କିଆକୁ ବ୍ୟାଙ୍କ‌୍‍ରେ ଜମା କରୁଛନ୍ତି।   ଅନ୍ୟ ଏକ ବଡ଼ଲାଭ ହେଲା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା (କଳା ଟଙ୍କା ସହିତ) ଦେଶର ବ୍ୟାଙ୍କ‌୍‍ ବ୍ୟବସ୍ଥାକୁ ଆସିବ। ଯଦିଓ କିଛି ଜମାକାରୀ ନିଜର ଆବଶ୍ୟକତାକୁ ଆଖି ଆଗରେ ରଖି କିଛି ଅଂଶ ଉଠାଣ କରିବେ, ତେବେ ସିଂହ ଭାଗ ବ୍ୟାଙ୍କ‌୍‍ ବ୍ୟବସ୍ଥାକୁ ଚାଲିଯିବ। ବ୍ୟାଙ୍କ‌୍‍ରେ ଆର୍ଥିକ ପୁଞ୍ଜି ବୃଦ୍ଧିରେ ଏହା ସାହାଯ୍ୟ କରିବ। ବ୍ୟାଙ୍କମାନେ ଏହି ଅର୍ଥକୁ ପଛୁଆ ବା ଅବହେଳିତ କ୍ଷେତ୍ରରେ ଯଥା ପରିବହନ, ଜଳସେଚନ, ଶିକ୍ଷା ଇତ୍ୟାଦି ପାଇଁ ୠଣ ପ୍ରଦାନ କରିପାରିବେ। ଏହା ଭାରତ ପରି ଏକ ପୁଞ୍ଜି ଅଭାବୀ ରାଷ୍ଟ୍ର ପାଇଁ ବିଶେଷ ଲାଭଦାୟକ ହେବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଏକ ସମୟରେ ୪ ଲକ୍ଷ କୋଟି ଟଙ୍କା ଯାହା କଳାଟଙ୍କା ଭାବରେ ଗଚ୍ଛିତ ଅଛି, ତାହା  ଆର୍ଥିକ ବ୍ୟବସ୍ଥାରୁ ବାହାରିଯିବ। ପ୍ରକାରାନ୍ତରେ ରିଜର୍ଭ ବ୍ୟାଙ୍କ‌୍‍ର ଉଧାରୀ ସମପରିମାଣରେ କମିଯିବ। କିଛି ବିଶେଷଜ୍ଞ ଆଶା କରନ୍ତି ଏହି ଅପ୍ରତ୍ୟାଶିତ ଲାଭକୁ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଲାଭାଂଶ ଭାବରେ ପ୍ରଦାନ କରିବ। କିନ୍ତୁ ତାହା ହେବାର ସମ୍ଭାବନା ନାହିଁ। ସାଧାରଣ ବ୍ୟବସାୟ ପ୍ରତିଷ୍ଠାନ ଏବଂ ରିଜର୍ଭ ବ୍ୟାଙ୍କ‌୍‍ର ଲାଭ କ୍ଷତି ହିସାବ ପ୍ରକ୍ରିୟାର ଦୃଷ୍ଟିକୋଣ ଅଲଗା। ଯଦି ୪ ଲକ୍ଷ କୋଟି ଟଙ୍କାର ଉଧାରୀ କମିଯାଏ, ତାହା ହେଲେ ରିଜର୍ଭ ବ୍ୟାଙ୍କ ତା’ର ସନ୍ତୁଳନ ପତ୍ରରେ ସମ୍ପତ୍ତିରେ ପୁର୍ନସ୍ଥାପନ କରିବ। ଏହା ଲାଭକ୍ଷତିରେ ଆସିବ ନାହିଁ। କିନ୍ତୁ, ଏହା ନିଶ୍ଚିତ ଭାବରେ କେନ୍ଦ୍ର ସରକାରର ରାଜସ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରିବ।   ଜଣେ ସାଧାରଣ ଆମେରିକୀୟ ହାରାହାରି ୩୦ ଡ଼ଲାର ତା’ର ମନିପର୍ସରେ  ରଖିଥାଏ। ତାକୁ ଯଦି ପଚାରିବେ, ସେ ତା ଘରେ କେତେ ନଗଦ ଟଙ୍କା ରଖିଛି, ସେ ଆପଣଙ୍କ ମୁହଁଙ୍କୁ ଆଶ୍ଚର୍ଯ୍ୟରେ ଚାହିଁବେ। କାରଣ ସାଧାରଣତଃ ଆମେରୀକିୟମାନେ ଘରେ କୌଣସି ନଗଦ ଟଙ୍କା ରଖି ନଥାନ୍ତି। ପ୍ଲାଷ୍ଟିକ ବା ଡ଼ିଜିଟାଲ ଟଙ୍କା ବାବଦରେ ସଚେତନତାର ଅଭାବ ତଥା କଳାଟଙ୍କା ପ୍ରତି ମୋହ ପାଇଁ ସାଧାରଣ ଭାରତୀୟଙ୍କ ଘରେ ଅଧିକ ନଗଦ ଟଙ୍କା ଥାଏ। ଏହା ପ୍ରଗତିଶୀଳ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ। ସରକାରର ଏହି ସଂସ୍କାର ଭିତ୍ତିକ ପଦକ୍ଷେପକୁ ଜନସାଧାରଣଙ୍କର ସହଯୋଗ କରିବାର ଆବଶ୍ୟକତା ଅଛି। ଏହି ଯୋଜନା ୭.୬% ହାରରେ ବଢ଼ୁଥିବା ଭାରତ ପରି ଦୃତବର୍ଦ୍ଧିତ ଅର୍ଥନୀତିପାଇଁ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ। ଏହି ପ୍ରକ୍ରିୟାରେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଏଠାରେ ରାଜନୈତିକ ବିରୋଧର ଅବକାଶ ନାହିଁ। ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ଏହି ସଂସ୍କାର ଭିତ୍ତିକ  ଆର୍ଥିକ ପଦକ୍ଷେପକୁ ସ୍ୱାଗତ କରିବା ସହିତ ସାମାଜିକ ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବା ଉଚିତ‌୍‍। (ଏହା ସାମାନ୍ୟକଥନର ମତ ନୁହେଁ। ଏହା ଲେଖକଙ୍କ ନିଜସ୍ବ ମତ।)   ଭଦ୍ରକ, ମୋ-୯୪୩୯୯୫୫୮୦୪

Share :