ଓଡ଼ିଶା ସରକାର କେତେ ସ୍ବଚ୍ଛ?

ଓଡ଼ିଶା ସରକାର କେତେ ସ୍ବଚ୍ଛ?

Share :

ପ୍ରଦୀପ ପ୍ରଧାନ ଅକ୍ଟୋବର 12, 2005ରୁ ଓଡ଼ିଶା ସମେତ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇ ଅାସୁଥିବା ସୂଚନା ଅଧିକାର ଅାଇନକୁ ଇତି ମଧ୍ୟରେ ଏଗାର ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଏହି ଅାଇନ ଜନସାଧାରଣଙ୍କର ସମସ୍ୟା ସମାଧାନ କରିବା ଏବଂ ଦୁର୍ନୀତି ବିରୋଧୀ ଲଢ଼େଇର ଏକ ଅସ୍ତ୍ର ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଶାସନିକ କାର୍ଯ୍ୟକଳାପ, ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟା, ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ହେଉଥିବା ବ୍ୟାପକ ଅନିୟମିତତା, ଜାଲିଅାତି, ସରକାରୀ ଅର୍ଥ ହରିଲୁଟ୍ ସମ୍ପର୍କରେ ଏହି ଅାଇନ ଦ୍ବାରା ନାଗରିକମାନେ ସଚେତନ ହୋଇପାରୁଛନ୍ତି ଏବଂ ଏହାର ପ୍ରତିକାର ପାଇଁ ପ୍ରଚେଷ୍ଟା ମଧ୍ୟ କରିଚାଲିଛନ୍ତି। ଏହି ଏଗାର ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ଅାଇନକୁ ଅକାମୀ କରିବା ପାଇଁ ଯେତିକି ହୀନ ଚକ୍ରାନ୍ତ ଜାରି ରହିଛି, ସେହିପରି ଅାଇନକୁ ସଠିକ୍ ରାସ୍ତାରେ କାର୍ଯ୍ୟକାରୀ କରାଇବା ପାଇଁ ସୂଚନାଧିକାର କର୍ମୀ ଏବଂ ସାଧାରଣ ଲୋକଙ୍କର ସଂଗ୍ରାମ ଅବ୍ୟାହତ ରହିଛି ଅାଇନର ବ୍ୟାପକ ପ୍ରୟୋଗ ଯୋଗୁଁ ସରକାରୀ ସ୍ତରରେ ମନଇଚ୍ଛା ଏବଂ ଖାମଖିଅାଲି ନିଷ୍ପତ୍ତିରେ ଭଟ୍ଟା ପଡ଼ିଛି ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ମଧ୍ୟରେ ଭୟ ମଧ୍ୟ ସୃଷ୍ଟି ହୋଇଛି ଏହା ସରକାରୀ ଅମଲାମାନେ ସ୍ବୀକାର କରିଛନ୍ତି।   ଅାରମ୍ଭରୁ ଅାଇନକୁ କାର୍ଯ୍ୟକାରୀ କରେଇ ନଦେବା ପାଇଁ ରାଜ୍ୟ ସରକାରଙ୍କର ହୀନ ଚକ୍ରାନ୍ତ ଦେଖିବାକୁ ମିଳିଥିଲା। ଜନ ବିରୋଧୀ ଓଡ଼ିଶା ସୂଚନା ଅଧିକାର ନିୟମାବଳୀ - 2005 ପ୍ରଣୟନ ମାଧ୍ୟମରେ ଅାଇନଗତ ବ୍ୟବସ୍ଥା ନଥାଇ ସୂଚନା ପାଇଁ ଅାବେଦନ ପାଇଁ ବାଧ୍ୟତାମୂଳକ ଫର୍ମ ବ୍ୟବସ୍ଥା କରିବା, ଅାବେଦନ କଲାବେଳେ ଅାବେଦନକାରୀଙ୍କୁ ନାଗରିକତ୍ବ ପ୍ରମାଣପତ୍ର ଦାଖଲ ପାଇଁ ବାଧ୍ୟ କରିବା, ବେଅାଇନ ଭାବେ ପ୍ରଥମ ଅପିଲ ଏବଂ ଦ୍ବିତୀୟ ଅପିଲ ଫିସ୍ ଅାଦାୟ କରିବା ଇତ୍ୟାଦି ଏବେ ବି ଅବ୍ୟାହତ ରହିଛି। ଏହିସବୁ ଜନବିରୋଧୀ ବ୍ୟବସ୍ଥାର ପ୍ରତ୍ୟାହାର ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସୂଚନା ଅଧିକାର ଅାଇନର ଧାରା 6(1) ଅନୁଯାୟୀ, ସୂଚନା ପାଇଁ ଜଣେ ବ୍ୟକ୍ତିଙ୍କୁ ଦରଖାସ୍ତ କରିବାକୁ ପଡ଼ିବ କେନ୍ଦ୍ର ସରକାର କୌଣସି ଦରଖାସ୍ତ ଫର୍ମ ବ୍ୟବସ୍ଥା କରିନାହାନ୍ତି ଅର୍ଥାତ୍ ଜଣେ ବ୍ୟକ୍ତି ଯେପରି ଚାହିଁବେ ସାଧା କାଗଜରେ ଲେଖି ସୂଚନା ପାଇଁ ଅାବେଦନ କରିପାରିବେ। କିନ୍ତୁ ରାଜ୍ୟ ସରକାର ଏକ 11 ସ୍ତମ୍ଭ ବିଶିଷ୍ଟ ବାଧ୍ୟତାମୂଳକ ଫର୍ମ ବ୍ୟବସ୍ଥା କରିଛନ୍ତି ଅର୍ଥାତ୍ ଯଦି ଜଣେ ଉକ୍ତ ଫର୍ମରେ ସୂଚନା ନ ମାଗେ, ତେବେ ତା’ର ଦରଖାସ୍ତଟି ଅାପେ ଅାପେ ଖାରଜ ହୋଇଯିବ ଏହି ଫର୍ମଟି ଏପରି ପ୍ରସ୍ତୁତ କରାଯାଇଛି ଯେ ଜଣେ ସାଧାରଣ ଲୋକ ଏହାକୁ ପୂରଣ କରିପାରିବ ନାହିଁ। 2005 ମସିହାରୁ ଏହି ଅବାଞ୍ଛିତ ଜନବିରୋଧୀ ଫର୍ମର ପ୍ରତ୍ୟାହାର ପାଇଁ ଦାବି ହୋଇ ଅାସିଥିଲେ ମଧ୍ୟ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। 2009 ରେ ଓଡ଼ିଶା ନିୟମାବଳୀର ସଂଶୋଧନ ପାଇଁ ଗଠିତ କମିଟି ଉକ୍ତ ଫର୍ମର ସଂଶୋଧନ ପାଇଁ ସୁପାରିଶ କରିଥିଲେ ଏବଂ 2011ରେ ତତ୍କାଳୀନ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ ଉକ୍ତ ଫର୍ମର ସଂଶୋଧନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏସବୁ ସତ୍ତ୍ବେ ଏହାର ପ୍ରତ୍ୟାହାର କରାଯାଇ ନାହିଁ। ପ୍ରତ୍ୟାହାର ନ ହେବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୂଚନା ମଗାଇ ନ ଦେବା। ଏହି ଫର୍ମ ଏପରି ପ୍ରସ୍ତୁତ କରାଯାଇଛି ଯାହାକୁ ଜଣେ ସାଧାରଣ ଲୋକ ବିନା ତାଲିମ୍ରେ ପୂରଣ କରିପାରିବ ନାହିଁ। ସୂଚନା ଅାଇନକୁ ଜଣେ ସାଧାରଣ ଲୋକ ବ୍ଯବହାର କରିବାକ୍ଷେତ୍ରରେ ଏହା ସବୁଠାରୁ ଭୟଙ୍କର ପ୍ରତିବନ୍ଧକ ଅାଇନକୁ ଅକାମୀ କରିଦେବା ପାଇଁ ରାଜ୍ୟର ଅମଲା ଗୋଷ୍ଠୀ କେତେ ତଳ ସ୍ତରକୁ ଚାଲିଯାଅନ୍ତି, ତାହା ଏଥିରୁ ଜଣାପଡ଼େ।   ସେହିପରି ସୂଚନା ପାଇଁ ଅାବେଦନ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଟରନେଟରେ ଅନ୍-ଲାଇନ୍ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଦୁଇ ବର୍ଷ ପୂର୍ବେ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍କାଳୀନ ସଚିବ ଏକ ପ୍ରେସ୍‌ ମିଟ୍‌ କରି ରାଜ୍ୟରେ ସୂଚନା ପାଇବା ପାଇଁ ଅନ୍-ଲାଇନ୍ ଅାବେଦନ ବ୍ୟବସ୍ଥା କରାଗଲା ବୋଲି ଦର୍ଶାଇଲେ ଏବଂ ସେହି ସମୟରେ ଗଣମାଧ୍ୟମରେ ଏହା ବହୁଳ ପ୍ରଚାର କରାଗଲା। କିନ୍ତୁ ବାସ୍ତବରେ ଏହା ମିଛ। ଅାମ ରାଜ୍ୟରେ ଯେଉଁ ଅନ୍-ଲାଇନ୍ ଅାବେଦନ ବ୍ୟବସ୍ଥା କରାଯାଇଛି, ଏହା କାର୍ଯ୍ୟ କରୁନାହିଁ। ଅାପଣ ଅନ୍-ଲାଇନରେ ଅାବେଦନ କଲେ ମଧ୍ୟ, ପୁଣି ଥରେ ଏହି ଅାବେଦନର ହାର୍ଡ଼ କପି ସମ୍ପୃକ୍ତ ଜନସୂଚନା ଅଧିକାରଙ୍କ ନିକଟକୁ ପଠାଇବାକୁ ପଡ଼ିବ। ନଚେତ୍ ଏହା ଗ୍ରହଣଯୋଗ୍ୟ ହେବନାହିଁ। ତେଣୁ ରାଜ୍ୟରେ ଅାପାତତଃ କେହି ଅନ୍-ଲାଇନ୍ ଅାବେଦନ କରୁନାହାନ୍ତି। କେବଳ ଲୋକଙ୍କୁ ଠକିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।   ଅନ୍ୟ ଏକ ଅତ୍ୟନ୍ତ ମାରାତ୍ମକ ବ୍ୟବସ୍ଥା ହେଉଛି ସୂଚନା ପାଇଁ ଅାବେଦନ କରୁଥିବା ବ୍ୟକ୍ତିବିଶେଷଙ୍କୁ ନାଗରିକତ୍ବ ପ୍ରମାଣପତ୍ର ମାଗିବା। ସୂଚନା ଅଧିକାର ଅାଇନର ଧାରା 6(2) ଅନୁଯାୟୀ ସୂଚନା ପାଇଁ ଅାବେଦନ କରୁଥିବା ବ୍ୟକ୍ତି ଜଣଙ୍କୁ କେବଳ ତାଙ୍କର ଠିକଣା ବ୍ୟତୀତ ଅନ୍ୟ କୌରସି ବ୍ୟକ୍ତିଗତ ବିସ୍ତାରଣ (ପର୍ସନାଲ୍ ଡିଟେଲ୍ସ) ଦେବାର ଅାବଶ୍ୟକତା ନାହିଁ। କିନ୍ତୁ ଅାଇନର ଏହି ବିଧି ବ୍ୟବସ୍ଥାକୁ ଜଳାଳି ଦେଇ ଓଡ଼ିଶା ନିୟମାବଳୀରେ ଅାବେଦନକାରୀମାନଙ୍କ ପାଇଁ ବାଧ୍ୟତାମୂଳକ ନାଗରିକତ୍ବ ପ୍ରମାଣପତ୍ର ଦାଖଲ ବ୍ୟବସ୍ଥା ରଖାଯାଇଛି, ଅର୍ଥାତ୍ ଜଣେ ସୂଚନା ମାଗିବା ବେଳେ ତାଙ୍କୁ ତାଙ୍କର ନାଗରିକତ୍ବ ପ୍ରମାଣପତ୍ର ଦେବାକୁ ପଡ଼ିବ। କେନ୍ଦ୍ର ସରକାର ଏବଂ ଅନ୍ୟ କୌଣସି ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିନାହା।ନ୍ତି 2005 ମସିହାରୁ ରାଜ୍ୟରେ ସୂଚନାଧିକାର କର୍ମୀମାନଙ୍କ ତରଫରୁ ଏହାର ପ୍ରତ୍ୟାହାର ପାଇଁ ଦାବି ହୋଇ ଅାସୁଅଛି।   2012 ମସିହାରେ କଲିକତା ଉଚ୍ଚ ନ୍ୟାୟାଳୟ ଏକ ରିଟ୍ ପିଟିସନ୍ ସଂଖ୍ୟା 33290/13 ର ଶୁଣାଣୀ କରି ଅାଇନର ଧାରା 6(2)କୁ ଉଲ୍ଲେଖ କରି ଅାବେଦନକାରୀମାନଙ୍କୁ ସେମାନଙ୍କ ପରିଚୟପତ୍ର ମଗାଯାଇ ପାରିବ ନାହିଁ ବୋଲି ଦର୍ଶାଇଥିଲେ ଏବଂ ଏ ସମ୍ପର୍କରେ ସମସ୍ତ ରାଜ୍ୟକୁ ଜଣାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କଲିକତା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମାର କପି ପ୍ରଦାନ କରିଥିଲେ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍କାଳୀନ ସଚିବ ତା 21.01.2014ରେ ସମସ୍ତ ବିଭାଗର ମୁଖ୍ୟଙ୍କୁ ଅବଗତ କରାଇଥିଲେ। କିନ୍ତୁ ଏସବୁ ସତ୍ତ୍ବେ ଓଡ଼ିଶା ନିୟମାବଳୀରେ ଏପରି ବ୍ୟବସ୍ଥା ଥିବାରୁ ଉକ୍ତ ନିର୍ଦ୍ଦେଶନାମା ମାନିବା ସମ୍ଭବ ନୁହେଁ ବୋଲି ଖୋଦ୍ ସୂଚନା ଓ ଲୋକସମ୍ପର୍କ ବିଭାଗର ଜନସୂଚନା ଅଧିକାରୀ ପରିଚୟପତ୍ର ପ୍ରମାଣ ଅଭାବରୁ ଜଣେ ଅାବେଦନକାରୀଙ୍କ ଦରଖାସ୍ତଟିକୁ ଖାରଜ କରି ତାଙ୍କୁ ଏହା ଜଣାଇଛନ୍ତି। ଯଦି ଏହା ଅାଇନଗତ ବ୍ୟବସ୍ଥା, ତେବେ ସଚିବ ଏପରି ଏକ ଚିଠି ବିଭାଗୀୟ ମୁଖ୍ୟମାନଙ୍କୁ ପଠାଉଥିଲେ କାହିଁକି ଏବଂ ଉଚ୍ଚ ନ୍ୟାୟାଳୟଙ୍କ ଅାଧାରରେ ନିୟମାବଳୀ ସଂଶୋଧନ କଲେନାହିଁ କାହିଁକି? ରାଜ୍ୟ ସରକାର ଗୋଟିଏ ବେଅାଇନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କେତେ ଭୟଙ୍କର ପଦକ୍ଷେପ ନିଅନ୍ତି ଏଥିରୁ ସ୍ପଷ୍ଟ। ଇତି ମଧ୍ୟରେ ଏହି ପରିଚୟ ପ୍ରମାଣପତ୍ର ବିଧି ବ୍ୟବସ୍ଥାକୁ ଚାଲେଞ୍ଜ କରି ଏକ ଦ୍ବିତୀୟ ଅପିଲ କେସ୍ ସୂଚନା କମିଶନଙ୍କ ବିଚାରାଧୀନ ଥିଲାବେଳେ ଉକ୍ତ ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି। ଗତ କିଛିଦିନ ତଳେ କେନ୍ଦ୍ର ସରକାର ତାଙ୍କର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଚିଠି ଦେଇ ଅାବେଦନକାରୀଙ୍କ ପରିଚୟ ଗୋପନ ରଖି ସେମାନଙ୍କ ମାଗିଥିବା ସୂଚନାର ବିସ୍ତୃତ ତଥ୍ୟ ୱେବସାଇଟ୍‌ରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଅାଇନ ପ୍ରଣେତାମାନେ ଅାବେଦନକାରୀଙ୍କ ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ସେମାନଙ୍କୁ କେବଳ ନିଜର ଯୋଗାଯୋଗ ଠିକଣା ପ୍ରଦାନ ପାଇଁ ସୂଚନା ଅାଇନରେ ବ୍ୟବସ୍ଥା କରିଥିଲେ। ଅାଇନର ଏହି ମହାନ ବ୍ୟବସ୍ଥାକୁ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର ଦୀର୍ଘ 11 ବର୍ଷ ଧରି ଉଲ୍ଲଂଘନ କରିଚାଲିଛନ୍ତି।   ସେହିପରି, ସୂଚନା ଅାଇନର ଧାରା 7(5) ଅନୁଯାୟୀ ବିପିଏଲ୍ ହିତାଧିକାରୀମାନଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ। କିନ୍ତୁ ରାଜ୍ଯ ସରକାର ଅତ୍ୟନ୍ତ ବେଅାଇନ ଭାବେ ଅାରମ୍ଭରୁ ବିପିଏଲ ଲୋକଙ୍କଠାରୁ ସୂଚନା ପାଇଁ ଫିସ୍ ଅାଦାୟ କଲେ। ଫଳରେ ବହୁ ବିପିଏଲ୍ ହିତାଧିକାରୀ ଅାଇନଗତ ଅଧିକାରରୁ ବଞ୍ଚିତ ହେଲେ ଏବଂ ଅର୍ଥ ଅଭାବରୁ ସୂଚନା ପାଇ ପାରିଲେ ନାହିଁ। ଏହା ବିରୁଦ୍ଧରେ ବିଭିନ୍ନ ସିଭିଲ୍ ସୋସାଇଟି ସଙ୍ଗଠନ ଏବଂ ସୂଚନା ଅଧିକାର କର୍ମୀମାନଙ୍କର ଲଗାତର ଅାନ୍ଦୋଳନ ସତ୍ତ୍ବେ ରାଜ୍ୟ ସରକାର ଏହି ବେଅାଇନ କାର୍ଯ୍ୟ କରିଚାଲିଲେ। ନବୀନ ପଟ୍ଟନାୟକଙ୍କ ସରକାର କେତେ ଗରିବ ବିରୋଧୀ ଏଥିରୁ ସ୍ପଷ୍ଟ ଅନୁମେୟ। ସର୍ବଶେଷରେ ନ୍ୟାୟ ପାଇଁ ଦୁଇଜଣ ସୂଚନାଧିକାର କର୍ମୀ ନୟାଗଡ଼ ଜିଲ୍ଲାର କୁବିହାରୀ ପାତ୍ର ଏବଂ କଳାହାଣ୍ଡି ଜିଲ୍ଲାର ଧୋବା ସାହୁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେଲାପରେ ମାନ୍ୟବର ଅଦାଲତ ରିଟ୍ ପିଟିସନ୍ ସଂଖ୍ୟା 4797/13 ଏବଂ 12135/2015ର ଶୁଣାଣୀ କରି ବିପିଏଲ ଲୋକଙ୍କୁ ମାଗଣାରେ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ। ଏହାପରେ ରାଜ୍ୟ ସରକାର ତା 21.09.2015ରେ ଏକ ବିଜ୍ଞପ୍ତି ଜାରି କରି ବିପିଏଲ ଲୋକଙ୍କୁ ମାଗଣାରେ ସୂଚନା ପ୍ରଦାନ ପାଇଁ ସମସ୍ତ ବିଭାଗୀୟ ସଚିବଙ୍କୁ ଜଣାଇଲେ। ଏସବୁ ସତ୍ତ୍ବେ ଏବେବି ବହୁ ସରକାରୀ କାର୍ଯ୍ୟାଳୟରେ ବିପିଏଲ ଲୋକଙ୍କୁ ସୂଚନା ପାଇଁ ଫିସ୍ ମଗାଯାଇ ହଇରାଣ କରାଯାଉଛି।   ଅାଇନକୁ ଅକାମୀ କରିବାର ଅନ୍ୟ ଏକ ଷଡ଼ଯନ୍ତ୍ର ହେଉଛି ରାଜ୍ୟ ଭିଜିଲାନ୍ସକୁ ସୂଚନା ଅାଇନର ପରିସରରୁ ବାଦ୍ ଦେବା। ସୂଚନା ଅାଇନର ଧାରା 24(4) ଅନୁଯାୟୀ ଯଦି କୌଣସି ଏକ ସଂସ୍ଥା ଗୁପ୍ତ ସୂଚନା ସଂଗ୍ରହକାରୀ ସଂସ୍ଥା ବା ସୁରକ୍ଷା ପ୍ରଦାନକାରୀ ସଂସ୍ଥା ହୋଇଥିବେ ତେବେ ଉକ୍ତ ସଂସ୍ଥାଗୁଡ଼ିକୁ ସୂଚନା ଅାଇନର ପରିସରକୁ ବାଦ୍ ଦିଅାଯିବ। ଏହି ଅାଧାରରେ କେନ୍ଦ୍ର ସରକାର 22ଟି ସଂସ୍ଥାକୁ ଏବଂ ରାଜ୍ୟ ସରକାର 5ଟି ସଂସ୍ଥାକୁ ସୂଚନା ଅାଇନରୁ ବାଦ୍ ଦେଇଛନ୍ତି। କିନ୍ତୁ ରାଜ୍ୟ ଭିଜିଲାନ୍ସ ଏକ ଗୁଇନ୍ଦା ବା ସୁରକ୍ଷା ପ୍ରଦାନକାରୀ ସଂସ୍ଥା ନ ହୋଇ ମଧ୍ୟ ରାଜ୍ୟ ସରକାର ଗତ ତା 11.08.2015ରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଅାଇନର ପରିସରରୁ ବାଦ୍ ଦେଲେ କାହିଁକି? ରାଜ୍ୟରେ ଚାଲିଥିବା ବ୍ୟାପକ ହରିଲୁଟ୍, ଠକାମୀ ଏବଂ ଅର୍ଥ ତୋଷରପାତର ଖୋଲାସା ହେବା, ରାଜ୍ୟ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇ ମଧ୍ୟ ଏହାର ତଦନ୍ତ ନ ହେବା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ନୀତିରେ ସମ୍ପୃକ୍ତ ବହୁ ଉଚ୍ଚପଦସ୍ଥ ଅଧିକାରୀ, ମନ୍ତ୍ରୀ, ବିଧାୟକଙ୍କ ନାମରେ କେସ୍ ଥାଇ ମଧ୍ୟ ତଦନ୍ତ ନ ହେବା ଏବଂ ବହୁ ସଚ୍ଚୋଟ ଅଧିକାରୀଙ୍କୁ ବଦନାମ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିଜିଲାନ୍ସକୁ ଲଗାଇ କେସ୍ କରାଇବା ଇତ୍ୟାଦି ତଥ୍ୟ ସୂଚନା ଅଧିକାର ଅାଇନ ବଳରେ ପଦାକୁ ଆସିବା ପରେ ଭିଜିଲାନ୍ସର ପ୍ରକୃତ ଚରିତ୍ର ପଦାରେ ପଡ଼ିଗଲା। ତେଣୁ ପ୍ରଶାସନିକ ଷଡ଼ଯନ୍ତ୍ର କରାଯାଇ ରାଜ୍ୟ ଭିଜିଲାନ୍ସକୁ ସୂଚନା ଅାଇନର ପରିସରରୁ ବାଦ୍ ଦିଅାଯାଇଛି। ଏହାଦ୍ବାରା ସରକାରୀ କଳା କାରନାମା ସମ୍ପର୍କୀତ ତଥ୍ୟ ଜନସାଧାରଣ ଜାଣିପାରିବେ ନାହିଁ। ଯାହାହେଉ ଏହି ସ୍ବେଚ୍ଛାଚାରୀ ନିଷ୍ପତ୍ତି ବିରୁଦ୍ଧରେ ସୂଚନା ଅଧିକାର, ସିଭିଲ୍ ସୋସାଇଟିର ପ୍ରତିବାଦ କରାଯାଇଛି ଏବଂ ଏହି ସରକାରୀ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରି ଉଚ୍ଚ ନ୍ୟାୟାଳୟରେ ତିନୋଟି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି।   ଏସବୁ ପ୍ରତିବନ୍ଧକ, ସରକାରୀ ପ୍ରାୟୋଜିତ କଟକଣା ସତ୍ତ୍ବେ ସାଧାରଣ ଲୋକ ଏବଂ ସୂଚନାଧିକାର କର୍ମୀମାନଙ୍କର ସୂଚନା ଅାଇନକୁ ନେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ, ଅାଇନର ବ୍ୟାପକ ପ୍ରୟୋଗ ଏବଂ ମହାଦୁର୍ନୀତିର ମହାଖୋଲାସା ଅବ୍ୟାହତ ରହିଛି। ଖଣି ଦୁର୍ନୀତି, କମ୍ପାନୀମାନଙ୍କ ଜଳକର ଠକାମୀ, ଭୁବନେଶ୍ବର ଏବଂ କଟକରେ ମୂଲ୍ୟବାନ ଜମି ହରିଲୁଟ୍, ବିଭିନ୍ନ ସରକାରୀ ଉନ୍ନୟନମୂଳକ କାମରେ ବ୍ୟାପକ ଅର୍ଥ ତୋଷରପାତ, ଓ.କେ.ସି.ଏଲ୍. ଘୋଟାଲା, ଏସ୍.ଅାଇ.ଇ.ଟି. ବନ୍ଦ ପଛରେ ସରକାରୀ ହୀନ ଚକ୍ରାନ୍ତ, ମେଧାବୃତ୍ତି ନାମରେ 50 କୋଟିର ହରିଲୁଟ୍ ଏବଂ କ୍ରାଇମ୍ ବ୍ରାଞ୍ଚର ନୀରବତା, ରାଜ୍ୟ ଭିଜିଲାନ୍ସର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବା, ସରକାରୀ ମିଥ୍ୟା ଅପପ୍ରଚାର ଓ 10 ଲକ୍ଷ ବିଜୁ ପକ୍କା ଘର ଅାବଣ୍ଟନର ମିଥ୍ୟା ପ୍ରଚାର ଆଦିର ଖୋଲାସା ହେବାରେ ଲାଗିଛି। ତେଣୁ ସୂଚନାଧିକାର କର୍ମୀମାନଙ୍କୁ ବଦନାମ କରିବା, ସୂଚନା ଅାଇନର ଅପପ୍ରୟୋଗ ହେଉଛି ବୋଲି ଗଣମାଧ୍ୟମରେ ବାରମ୍ବାର ପ୍ରଚାର କରାଇବା, ସୂଚନା ପ୍ରଦାନ ନ କରିବା ପାଇଁ ଅମଲାମାନେ ଅଲିଖିତ ନିର୍ଦ୍ଦେଶନାମା ଜାରି କରେଇବା ଇତ୍ୟାଦି ହୀନ ଚକ୍ରାନ୍ତ ରାଜ୍ୟ ସରକାର କରିଚାଲିଛନ୍ତି।   ସୂଚନା ଅାଇନ ଅନୁଯାୟୀ ସୂଚନା କମିଶନ ଏକ ସ୍ବାଧୀନ ଏବଂ ନିରପେକ୍ଷ ଅନୁଷ୍ଠାନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଅତ୍ୟନ୍ତ ଅଯୋଗ୍ୟ, ଦୁର୍ନୀତିଗ୍ରସ୍ତ, ଅନଭିଜ୍ଞ ଏବଂ ଅାଇନ ଉପରେ ଅଜ୍ଞ ଲୋକଙ୍କୁ ଉକ୍ତ ପଦବୀରେ ନିଯୁକ୍ତି କରି କମିଶନଙ୍କୁ ଏକ ସରକାରୀ ଗୋଡ଼ାଣିଅା, ଅଦରକାରୀ ଅନୁଷ୍ଠାନରେ ପରିଣତ କରିଛନ୍ତି। କମିଶନ୍ ନିଯୁକ୍ତିରେ ସ୍ବଚ୍ଛତାର ଅଭାବ ଏବଂ ସେମାନଙ୍କର ଅଯୋଗ୍ୟତା ଯୋଗୁ ହଜାର ହଜାର କେସ୍ ବର୍ଷ ବର୍ଷ ଧରି ଶୁଣାଣୀ ନ ହେବା, କମିଶନର ହୋଇଥିବା ବ୍ୟକ୍ତିମାନେ ଦିନକୁ ମାତ୍ର 12ରୁ 14ଟି କେସ୍ ଶୁଣାଣୀ କରିବା, ଅାଇନ ଉଲ୍ଲଙ୍ଘନକାରୀ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ନ କରି ସୁରକ୍ଷା ଦେବା, କେସ୍ ଶୁଣାଣିରେ ଅଯଥା ବିଳମ୍ବ, କମିଶନଙ୍କ ନିଷ୍ପତ୍ତିଗୁଡ଼ିକ ଅପାଠୁଅା ଅାଦିବାସୀ, ଦଳିତ ଅଭିଯୋଗକାରୀମାନଙ୍କୁ ଓଡ଼ିଆରେ ନ ଦେଇ ଇଂରାଜୀରେ ଦେବା, 2013 ମସିହାରୁ ବାର୍ଷିକ ବିବରଣୀ ପ୍ରକାଶ ନ କରିବା ଇତ୍ୟାଦି ଯୋଗୁଁ କମିଶନଙ୍କ ଉପରେ ସାଧାରଣ ଲୋକଙ୍କର ଅାସ୍ଥା ତୁଟିଯାଇଛି। କମିଶନଙ୍କ ନିଯୁକ୍ତିରେ ସ୍ବଚ୍ଛତା ନଥିବା ଦର୍ଶାଯାଇ ଲେଖକଙ୍କର ଏକ ରିଟ୍ ପିଟିସନ୍ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି।   ସେହିପରି ସୂଚନା ଅାଇନର ଅାତ୍ମା ବୋଲି କୁହାଯାଉଥିବା ଧାରା - 4କୁ ପ୍ରଶାସନିକ ଷଡ଼ଯନ୍ତ୍ର ମାଧ୍ୟମରେ ଅକାମୀ କରି ରଖାଯାଇଛି। ଏହି ଧାରା 4(1) ଅନୁଯାୟୀ, ସମସ୍ତ ଜନ କର୍ତ୍ତୃପକ୍ଷଙ୍କ ଦପ୍ତର ତଥା ସରକାରୀ କାର୍ଯ୍ୟାଳୟର ସ୍ବେଚ୍ଛାକୃତ ଭାବେ 17 ପ୍ରକାରର ତଥ୍ୟ ସର୍ବସାଧାରଣରେ ଓଡ଼ିଆ ଭାଷାରେ ପ୍ରକାଶ କରିବେ। କିନ୍ତୁ ଦୀର୍ଘ 11 ବର୍ଷ ପରେ ମଧ୍ୟ କୌଣସି ସରକାରୀ କାର୍ଯ୍ୟାଳୟ ଓଡ଼ିଆ ଭାଷାରେ ପ୍ରକାଶ କରିନାହାନ୍ତି ଏବଂ ଯେଉଁ କିଛି ଦପ୍ତର ଏହି ସ୍ବୟଂ-ପ୍ରକଟନୀୟ ସୂଚନା ସର୍ବସାଧାରଣରେ ଇଂରାଜୀ ଭାଷାରେ ପ୍ରକାଶ କରିଛନ୍ତି, ତାହା ଅଧାପନ୍ତରିଅା ଏବଂ ପୁରୁଣାକାଳିଅା ଏହି ତଥ୍ୟ ଅତ୍ୟନ୍ତ ବିଭ୍ରାନ୍ତିକର ମଧ୍ୟ।   ତେଣୁ ସୂଚନା ଅଧିକାର ଅାଇନର ଏଗାର ବର୍ଷ ପୂର୍ତ୍ତି ପାଳନ ଅବସରରେ ଏତିକି କୁହାଯାଇପାରେ ଯେ ଦେଶରେ ସାଧାରଣ ଲୋକଙ୍କ ମଧ୍ୟରେ ଗ୍ରହଣୀୟ ଏବଂ ଅାଦୃତ ହୋଇଥିବା ସବୁଠାରୁ ବଳିଷ୍ଠ ସୂଚନା ଅଧିକାର ଅାଇନକୁ ଅକାମୀ କରି ରଖିବାର ଷଡ଼ଯନ୍ତ୍ର ରାଜ୍ୟ ସରକାର ଜାରି ରଖିଛନ୍ତି। ଏଥିପ୍ରତି ରାଜ୍ୟବାସୀ ସଚେତନ ରହିବା ଜରୁରୀ।   ରାଜ୍ୟ ଅାବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୋ : 9937843482

Share :