ଉତ୍ସବ ଖର୍ଚ୍ଚ ୨ କୋଟି, ଟିକଟ ମୂଲ୍ୟ ଶହେ

ଉତ୍ସବ ଖର୍ଚ୍ଚ ୨ କୋଟି, ଟିକଟ ମୂଲ୍ୟ ଶହେ

Share :

  କୋଣାର୍କ ଉତ୍ସବ-୨୦୧୬କୁ ଆକର୍ଷଣୀୟ କରି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ଓ ଏହାର ଚତୁଃପାର୍ଶ୍ୱରେ ଥିବା ଭିତ୍ତିଭୂମିକୁ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ଓ ପାରିପାର୍ଶ୍ବକ ପରିପାଟୀକୁ ଦର୍ଶକମାନଙ୍କ ନିମନ୍ତେ ଆଖିଦୃଶିଆ କରାଯାଉଛି। ଏହି ଉତ୍ସବରେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ଲୋକମାନେ ୧୦୦ ଓ ୧୫ ଟଙ୍କିଆ ଟିକଟ କାଟି ଏହା ଦେଖିପାରିବେ।   ଚଳିତ ବର୍ଷ ରଙ୍ଗମଞ୍ଚ ସମ୍ମୁଖସ୍ତ ଦର୍ଶକ ଗ୍ୟାଲେରୀ ସଂଖ୍ୟ ୪୦୦କୁ ବୃଦ୍ଧି କରାଯାଇଛି। ମଞ୍ଚ ସମ୍ମୁଖସ୍ଥ ଫଟୋ ଉତ୍ତୋଳନ ସ୍ଥାନରୁ  ସାମ୍ୱାଦିକମାନେ ସୁବିଧାରେ ଫଟୋ ଉଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ସାମ୍ୱାଦିକମାନଙ୍କ ବ୍ୟତିତ ଅନ୍ୟ କାହାରିକୁ ଫଟୋ ଗ୍ୟାଲେରି ଭିତରକୁ ଯାଇ ଫଟୋ ଉଠାଇବାର ସୁଯୋଗ ଦିଆଯିବ ନାହିଁ। ୨୦୧୨ ମସିହାରେ ସାମ୍ୱାଦିକମାନଙ୍କ ସୁବିଧା ପାଇଁ ଶଦ୍ଦ ଓ ଆଲୋକକୁ ଗ୍ୟାଲେରୀର ପଛ ପାର୍ଶ୍ୱରେ ଏକ ସ୍ୱତନ୍ତ୍ର କୋଠରୀ ନିର୍ମାଣ କରାଯାଇ ସେଠାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରତ୍ୟେକ ଦର୍ଶକ ସୁବିଧାରେ ବସି ଶାସ୍ତ୍ରୀୟ ନୃତ୍ୟ ଦେଖିବା ନିମନ୍ତେ ସଂପୂର୍ଣ୍ଣ ଗ୍ୟାଲେରୀରେ ଗଦିର ବ୍ୟବସ୍ଥା କରାଯାଉଛି।   ରଙ୍ଗମଞ୍ଚ ଗ୍ୟାଲେରୀ ପ୍ରବେଶ ଶୁଳ୍କ  ୧୦୦ ଟଙ୍କା ରହିଥିବା ବେଳେ ଓ ମୁଖ୍ୟ ଗ୍ୟାଲେରୀର ବାମ ପାଖରେ ଥିବା ପାର୍ଶ୍ୱ ଗ୍ୟାଲେରୀ ପାଇଁ ପ୍ରବେଶ ଶୁଳ୍କ ୧୫ ଟଙ୍କା ରଖାଯାଇଛି। ଶାସ୍ତ୍ରୀୟ ନୃତ୍ୟ ଉତ୍ସବର ସଂପୂର୍ଣ୍ଣ ପାଞ୍ଚ ଦିନର କାର୍ଯ୍ୟକ୍ରମ ଦେଖିବା ପାଇଁ ସିଜିନ ଟିକଟର ମୂଲ୍ୟ ୪୦୦ ଟଙ୍କା ରଖା ଯାଇଛି। କୋଣାର୍କ ଉତ୍ସବ ସମୟରେ ଓଟିଡିସି ପକ୍ଷରୁ ଭୁବନେଶ୍ୱର, କଟକ ଓ ପୁରୀରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।   ଦର୍ଶକମାନେ ରଙ୍ଗମଞ୍ଚ ଗ୍ୟାଲେରୀରୁ ଶାସ୍ତ୍ରୀୟ ନୃତ୍ୟ ସହିତ ସୂର୍ଯ୍ୟମନ୍ଦିରର ରାତ୍ରକାଳୀନ ଦୃଶ୍ୟକୁ ମନଭରି ଉପଭୋଗ କରିବା ପାଇଁ ଲେଜର ଲାଇଟର ବ୍ୟବସ୍ଥା କରାଯାଉଛି। ରଙ୍ଗମଞ୍ଚର ବିସ୍ତୃତ ପରିସରରେ ଥିବା ବଗିଚାକୁ ସୁନ୍ଦର କରିବାପାଇଁ ବିଭିନ୍ନ ପ୍ରକାର କ୍ରୋଟନ ଗଛକୁ କଟାଯାଇ ଆକର୍ଷଣୀୟ ରୂପ ଦିଆଯାଉଛି। ରଙ୍ଗମଞ୍ଚର ଅଭ୍ୟନ୍ତର ଓ ବାହ୍ୟ ପରିବେଶକୁ ରଙ୍ଗବେରଙ୍ଗର ଆଲୋକମାଳା ଏବଂ ଗଛଗୁଡ଼ିକୁ ଚାନ୍ଦୁଆ ଓ ଲିଚୁମାଳାରେ ସଜାଯାଇଛି। ରଙ୍ଗମଞ୍ଚ ଗ୍ରୀନରୁମ, ଗ୍ୟାଲେରୀ, ଡ଼ର୍ମିଟରୀ ଓ  ପରିସରସ୍ଥ ଗଛଗୁଡ଼ିକୁ ରଙ୍ଗ କରାଯାଇଛି।   ନୃତ୍ୟ ଉତ୍ସବ ସହିତ ଚଳିତ ବର୍ଷ ଆୟୋଜିତକ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଦେଶ ବିଦେଶର ୬୦ ଜଣ ବାଲୁକା ଶିଳ୍ପୀ ଯୋଗ ଦେବେ। ବାଲୁକା ଶିଳ୍ପୀମାନେ ନଭେମ୍ୱର ୩୦ ତାରିଖରେ କୋଣାର୍କରେ ପହଞ୍ଚିବା ପରେ ଡ଼ିସେମ୍ୱର ୧ ତାରିଖରୁ ଚନ୍ଦ୍ରଭାଗା ବେଳାଭୂମିରେ ନିର୍ମିତ ୪୦ଟି ଷ୍ଟଲରେ ମେକ‌୍‍ ଇନ‌୍‍ ଓଡିଶା ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ବାଲୁକା କଳାକୃତି ପ୍ରସ୍ତୁତ କରିବେ। ପ୍ରତ୍ୟହ ଦିନ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀକୁ ଲୋକେ ମନଭରି ଉପଭୋଗ କରିପାରିବେ। ବାଲୁକା କଳା ଉତ୍ସବରେ ଯୋଗ ଦେଇଥିବା ବିଦେଶୀ ବାଲୁକା ଶିଳ୍ପୀଙ୍କୁ ଛାଡି ଆମ ଦେଶର ବାଲୁକା ଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠି ହେବ। ବାଲୁକା କଳା ଉତ୍ସବରେ ପ୍ରଦର୍ଶୀତ ହୋଇଥିବା ପାଞ୍ଚଦିନର ବାଲୁକା କଳା କୃତିର ଫଳାଫଳକୁ ନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବାଲୁକା ଶିଳ୍ପୀଙ୍କୁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଉତ୍ସବର ଉଦଯାପନୀ ଦିବସରେ ଆର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯିବ ବୋଲି ବାଲୁକା କଳା ଉତ୍ସବର ବ୍ରାଣ୍ଡ ଆମ୍ୱାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।   ଚନ୍ଦ୍ରଭାଗା ବେଳାଭୂମି ଓ କୋଣାର୍କ ବଜାରର ପରିମଳ ଦାୟିତ୍ୱ କୋଣାର୍କ ଏନଏସିକୁ ଦିଆଯାଇଛି। ଏନଏସି ପକ୍ଷରୁ ମିନାବଜାର ଓ ରାମଦୋଳି ପାଇଁ ହେଲିପ୍ୟାଡ଼ର ସୁବିସ୍ତର୍ଣ୍ଣ ପଡିଆକୁ ପ୍ରସ୍ତୁତ କରାଯାଇ ବ୍ୟବସାୟୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ପ୍ରେସ‌୍‍ କ୍ଳବ ପକ୍ଷରୁ ନଭେମ୍ୱର ୩୦ ତାରିଖରେ କୋଣାର୍କରୁ ରାମଚଣ୍ଡୀ ପର୍ଯ୍ୟନ୍ତ ସାଇକ୍ଲୋଥନ, ଡିସେମ୍ୱର ୧ ତାରିଖରେ ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଗଣ ଦୌଡ ଏବଂ ୪ ତାରିଖରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଉତ୍ସବକୁ ଅଧିକ ଜମକ ଆଣିବ ବୋଲି ବିଶ୍ବାସ କରାଯାଉଛି।   ଉତ୍ସବ ସମୟରେ କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଥିବା ବେଳେ ଅଗ୍ନୀସମ ବିଭାଗର କର୍ମଚାର ଓ ଚନ୍ଦ୍ରଭାଗାର ବେଳାଭୂମୀରେ ସୂରକ୍ଷା କର୍ମୀଙ୍କୁ ମୁତୟନ ପାଇଁ ବ୍ୟବସ୍ତା ହୋଇଛି। ଚଳିତ ବର୍ଷ କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି ବୋଲି ପର୍ଯ୍ୟଟନବିଭାଗ ପକ୍ଷରୁ ସୂଚନା ମିଳିଛି। ପର୍ଯ୍ୟଟନ ବିଭାଗର ସଚିବ ଗଗନ କୁମାର ଧଳ, ଉପ ନିର୍ଦ୍ଦେଶକ ଉତ୍ପଳ ପତି, ପୁରୀ ପର୍ଯ୍ୟଟନ  ଅଧିକାରୀ ବିଜୟ କୁମାର ଜେନା ଓ କେଣୋର୍କ ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ଉତ୍ସବର ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି।   ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉତ୍ସବ ସଂପର୍କରେ ୱେବସାଇଟରେ କୌଣସି ସୂଚନା ଦିଆଯାଇ ନ ଥିବାରୁ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଣାର୍କକୁ ସଂଯୋଗ କରୁଥିବା ପିପିଲି-କୋଣାର୍କ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ମରାମତି କାମ ଆରମ୍ଭ ହୋଇ ନାହିଁ।

Share :