ଆଇଏଏସ ଶୀତିକଣ୍ଠ ଦାସଙ୍କୁ ସମ୍ବର୍ଦ୍ଧନା

ଆଇଏଏସ ଶୀତିକଣ୍ଠ ଦାସଙ୍କୁ ସମ୍ବର୍ଦ୍ଧନା

Share :

ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ୧୯୯୯ ମସିହା ମାଟ୍ରିକ ବ୍ୟାଚର ଛାତ୍ର ଶୀତିକଣ୍ଠ ଦାସ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ‌୍‍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ନାମକୁ ଗୌରବାନିତ୍ୟ କରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି। ଗତ ୧୯ ତାରିଖରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରଦ୍ଧାରଞ୍ଜନ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଓ ସହପାଠୀ ଉପସ୍ଥିତ ରହି ଆଇ ଏଏସ ଶୀତିକଣ୍ଠଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ।   ୨୦୧୬ ମେ ମାସରେ ପ୍ରକାଶିତ ପରୀକ୍ଷା ଫଳରେ ବିଦ୍ୟାଳୟର ଛାତ୍ର ଶୀତିକଣ୍ଠ ଆଇଏଏସ ପାଇଥିବା ଜାଣିବା ପରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା। ପ୍ରଶାସକ ସ୍ୱର୍ଗତ ଜଗନ୍ନାଥ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଏକମାତ୍ର ପୁତ୍ର ଶୀତିକଣ୍ଠ ଆମ ବିଦ୍ୟାଳୟର ଜଣେ ଉଦୀୟମାନ ବିଦ୍ୟାର୍ଥୀ ଭାବେ ବିଦ୍ୟାଳୟର ନାମକୁ ଗୌରବାନ୍ବିତ କରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ ବୋଲି ପ୍ରଧାନଶିକ୍ଷକ ଶ୍ରୀ ରାୟ ପ୍ରକାଶ କରିଥିଲେ।   ଶୀତିକଣ୍ଠ ମାଟ୍ରିକ ପରିକ୍ଷାରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ପରେ ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଙ୍ଗ କଲେଜରେ ପାଠପଢି ଉତ୍ତୀର୍ଣ୍ଣ ହେବା ପରେ  ୱିପ୍ରୋ ଓ ଇନଫୋସିସ‌୍‍ ଭଳି ନାମୀ ଦାମୀ କମ୍ପାନୀରେ କାର୍ଯ୍ୟକରି ନିଜ ପରାକାଷ୍ଠା ପ୍ରତିପାଦିତ କରିଥିଲେ। ପାଠ ପଢିବାର ଇଛାଶକ୍ତି ଆଗରେ କମ୍ପାନୀର ଲୋଭନୀୟ ଚାକିରି ଶୀତିକଣ୍ଠଙ୍କୁ ଅଟକାଇ ପାରି ନ ଥିଲା। ସେ ବାଙ୍ଗାଲୋରର ଆଇଆଇଏମରେ ଏମ‌୍‍ବିଏ କରିବା ପରେ କୁଏତର ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଭଲ ବେତନରେ ଚାକିରି କରୁଥିଲେ।   କୁଏତରେ ଥିବା ସମୟରେ ଶୀତିକଣ୍ଠଙ୍କୁ ଆଇଏଏସ ହେବା ସ୍ୱପ୍ନ ଆନ୍ଦୋଳିତ କରିଥିଲା। କୁଏତରୁ ଫେରି ଆସି ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବା ପାଇଁ ଭୁବନେଶ୍ୱରରେ ରହି ନିଜକୁ ପ୍ରସ୍ତୁତ କରି ସଫଳ ହୋଇ ଥିଲେ। ଶୀତିକଣ୍ଠଙ୍କର ଛାତ୍ର ଜୀବନ ଗୋପର ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ କଟିଥିଲା। ସ୍କୁଲ ଜୀବନରେ ସର୍ବଦା ପ୍ରଥମ ସ୍ଥାନ ଅଧିକାର କରୁଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିବାର ସଦସ୍ୟମାନେ କହୁଥିଲେ ଆଇଏଏସ ହୋଇ ସାଧାରଣ ଲୋକଙ୍କ ସେବା କରିବା ପାଇଁ। ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ସଦସ୍ୟ, ସାଙ୍ଗସାଥୀ ଓ ଶୁଭେଚ୍ଛୁଙ୍କ ଆଶୀର୍ବାଦରୁ ମୋତେ ଏହି ସଫଳତା ମଳିଛି ବୋଲି ଶୀତିକଣ୍ଠ ପ୍ରକାଶ କରିଥିଲେ। 

Share :