ମହାନଦୀ- କାମ ସରିବା ପରେ ବିରୋଧ!

ମହାନଦୀ- କାମ ସରିବା ପରେ ବିରୋଧ!

Share :

ମହାନଦୀ ପାଣିକୁ ନେଇ ଓଡିଶା ସରକାର ରାଜ୍ୟରେ ତୁମ୍ୱିତୋଫାନ କରୁଛନ୍ତି। କିନ୍ତୁ ଓଡିଶା ତା’ର ହକ‌୍‍ ଦାବି କରିବାରେ ଅହେତୁକ ବିଳମ୍ୱ କରିଦେଇଛି। ଯାହା ଫଳରେ ଛତିଶଗଡ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ମହାନଦୀ ଅବାବାହିକାରେ ୧୫ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛି। ଯାହାକୁ ଓଡିଶା ବିରୋଧ କରିନାହିଁ। ଏହା ବାଦ‌୍‍ ଅନେକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟ ନିର୍ମାଣ ହୋଇସାରିଛି।   କେନ୍ଦ୍ରୀୟ ଜଳ ଆୟୋଗଙ୍କ ଠାରୁ ସୂଚନା ଅଧିକାର ଆଇନ ବଳରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ପ୍ରକଳ୍ପ ସମ୍ପର୍କିତ ତଥ୍ୟ ମାଗିଥିଲେ। ମିଳିଥିବା ତଥ୍ୟ ଅନୁସାରେ ମଧ୍ୟପ୍ରଦେଶ ଠାରୁ ଅଲଗା ହେବା ପରେ ଛତିଶଗଡ ଭାଗରେ ୪୦ରୁ ଅଧିକ ଜଳସେଚନ ପ୍ରକଳ୍ପ ପଡିଥିଲା। ସେଗୁଡିକ ସବୁ ମହାନଦୀ ଅବାବାହିକାରେ ନିର୍ମାଣ ହୋଇଛି। ୨୦୦୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ୧୫ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ପାଇଛି। ଆଉ ୭ଟି ପ୍ରକଳ୍ପକୁ ଏବେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ମୂଲ୍ୟାୟନ କରୁଛି।   ଏହା ବ୍ୟତୀତ ମହାନଦୀ ଅବବାହିକାରେ ଅନେକ କ୍ଷୁଦ୍ର ପ୍ରକଳ୍ପ ମଧ୍ୟ ନିର୍ମାଣ ହୋଇଛି। ଯାହାର ହିସାବ ଜଳ ଆୟୋଗଙ୍କ ନିକଟରେ ନାହିଁ। କାରଣ କେନ୍ଦ୍ରୀୟ ଜଳ ଆୟୋଗ କେବଳ ବୃହତ ଓ ମଧ୍ୟମ ପ୍ରକଳ୍ପଗୁଡିକର ଟେକ୍ନୋ-ଇକନୋମିକ‌୍‍ ଆପ୍ରାଇଜାଲ‌୍‍ (ବୈଷୟିକ-ଆର୍ଥନୈତିକ ମୂଲ୍ୟାୟନ) କରିଥାଏ। ତାହା ପୁଣି ଜଳ ସମ୍ପଦ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ହିଁ ହୋଇଥାଏ। ଏହି ମୂଲ୍ୟାୟାନ ଆଧାରରେ ଜଳ ସମ୍ପଦ ବିଭାଗ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଥାଏ। ତେବେ କେଉଁ ରାଜ୍ୟ କେଉଁ ପ୍ରକଳ୍ପ ନିର୍ମାଣ କଲା ଓ ସେଗୁଡିକ ସ୍ଥିତି ଆଦି ବିଷୟରେ ଜଳ ଆୟୋଗ ହିସାବ ରଖେ ନାହିଁ ବୋଲି ତଥ୍ୟ ଦିଆଯାଇଛି।   ମିଳିଥିବା ତଥ୍ୟ ଅନୁସାରେ କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରଣାଳୟର ଆଡଭାଇଜରୀ କମିଟି ଦ୍ୱାରା ୨୦୦୩ରେ ତିନିଟି ପ୍ରକଳ୍ପକୁ ମଂଜୁରୀ ମିଳିଥିଲା। ସେହିପରି ୨୦୦୪ ଓ ୨୦୦୭ରେ ଗୋଟିଏ ଲେଖାଁଏ ଜଳସେଚନ ପ୍ରକଳ୍ପକୁ ଆଡଭାଇଜରୀ କମିଟି ସବୁଜ ସଂକେତ ଦେଇଥିଲା। ଓଡିଶା ବିରୋଧ କରୁଥିବା କେଲୋ ଜଳସେଚନ ପ୍ରକଳ୍ପକୁ ଆଡଭାଇଜରୀ କମିଟି ୨୦୦୯ରେ ହିଁ ଅନୁମତି ପ୍ରଦାନ କରିସାରିଛି। ସେହିବର୍ଷ ଆଉ ଦୁଇ ପ୍ରକଳ୍ପକୁ ମଧ୍ୟ କମିଟି ଅନୁମୋଦନ କରିଥିଲା। ଓଡିଶା ସରକାର ବିରୋଧ ନ କରିବା ଯୋଗୁଁ ୨୦୧୦ରେ ଛତିଶଗଡ ଦୁଇଟି ବୃହତ ଓ ୩ଟି ମଧ୍ୟମ ଜଳସେଚନ ପ୍ରକଳ୍ପକୁ ମଧ୍ୟ ଆଡଭାଇଜରୀ କମିଟି ଠାରୁ ଅନୁମୋଦନ କରାଇବାରେ ସଫଳ ହୋଇଥିଲା।   ସେହିପରି ୨୦୧୨ରେ ଗୋଟିଏ ଓ ଏହି ବର୍ଷ ସେପ୍ଟେମ୍ୱର ମାସରେ ଆଉଗୋଟିଏ ପ୍ରକଳ୍ପକୁ ଆଡଭାଇଜରୀ କମିଟି ମଂଜୁରୀ ପ୍ରଦାନ କରିସାରିଛି। କେନ୍ଦ୍ରୀୟ ଜଳ ଆୟୋଗ ୭ଟି ବୃହତ ପ୍ରକଳ୍ପର ଏବେ ଟକ୍ନୋ-ଇକନୋମିକ‌୍‍ ଆପ୍ରାଇଜାଲ‌୍‍ (ବୈଷୟିକ-ଆର୍ଥନୈତିକ ମୂଲ୍ୟାୟନ) କରୁଛି। ତେଣୁ ଓଡିଶା ସରକାର ଏହି ପ୍ରକଳ୍ପକୁ ବିରୋଧ କରିବାରେ ଅହେତୁକ ବିଳମ୍ୱ ହୋଇଯାଇଥିବା ଏହି ତଥ୍ୟରୁ ଜଣାପଡିଛି।

Share :