ହାୟରେ ହତଭାଗ୍ୟ ମଣିଷ!

ହାୟରେ ହତଭାଗ୍ୟ ମଣିଷ!

Share :

ଡଃ ହେମନ୍ତ ମହାପାତ୍ର   ମଣିଷର ଆଶା, ମାନବ ସଭ୍ୟତାରୁ ରାଗ, କ୍ରୋଧ, ଘୃଣା, ଅସୂୟା, ହିଂସା, ନିଷ୍ଠୁରତା, ଅନ୍ୟକୁ ଅବଦମିତ କରି ତଳିତଳାନ୍ତ କରିବାର ପ୍ରବୃତ୍ତି କୁଆଡେ ଉଭେଇ ଯାଆନ୍ତା କି? ଏ ବିଶ୍ୱ ଗୋଟାଏ ‘ୟୁଟୋପିଆ’ରେ ପରିଣତ ହୋଇଯାଆନ୍ତା କି? ଯେଉଁଠି ସବୁ ମଣିଷ ନିରଙ୍କୁଶ ସୁଖଭୋଗ କରନ୍ତେ! ଅନ୍ୟର ଖୁସିରେ ଉତ‌୍‍ଫୁଲିତ ହୁଅନ୍ତେ! ଅନ୍ୟ ଉପରେ ନିଜକୁ ଜାହିର କରିବାର ଦୁରାଶା ପରିହାର କରନ୍ତେ! ନିଜର ସ୍ୱାର୍ଥସାଧନ ପାଇଁ ଅନ୍ୟକୁ ହନ୍ତସନ୍ତ କରିବାର ମନୋବୃତ୍ତି ଛାଡି ଦିଅନ୍ତେ! ପ୍ରଭୁତ୍ୱ ପାଇଁ ଡହଳବିକଳ ମନଟିକୁ ଆୟତକୁ ଆଣନ୍ତେ! ସମସ୍ତେ ସୁସ୍ଥ ଶରୀର, ସୁସ୍ଥ ମନରେ ରହନ୍ତେ! ସେମାନଙ୍କ ପାଇଁ ଭୟ, ବିକାର, ଆତଙ୍କ ନଥାନ୍ତା! ସେମାନଙ୍କ ଉପରେ ଆକ୍ରମଣର ଭୟ ନଥାନ୍ତା!!!   କିନ୍ତୁ ହାୟ!!! ସେ ସବୁ ହୋଇପାରିନି ଏ ପର୍ଯ୍ୟନ୍ତ। ଆଗକୁ ହବାର ସମ୍ଭାବନାକୁ ନେଇ ବି ମଣିଷ ସନ୍ଦେହରେ। ପରିସ୍ଥିତି ଏପରି ହୋଇଛି ଯେ ମଣିଷ ସୁଖସ୍ୱପ୍ନ ଦେଖିବାକୁ ଡରୁଛି। ସେ ଜାଣିପାରୁନାହିଁ ତା’ପାଇଁ ସୁଖ କ’ଣ, ଦୁଃଖ କଣ? ଏହି ମଣିଷ ହିଁ ମଣିଷ ଜୀବନକୁ ଦୁର୍ବିସହ କରିଦେଉଛି। ମଣିଷଠାରୁ ବଞ୍ଚିବାର ଅଧିକାର ଛଡେଇ ନିଆଯାଉଛି। ତା’ର ବସୁଧା ତା ପାଇଁ ଅସୁରକ୍ଷିତ। ବିକାରଗ୍ରସ୍ତ ଶାସକମାନେ ବିଶ୍ୱ ବି ଧ୍ୱଂସୀ ଅସ୍ତ୍ରଶସ୍ତ୍ର ଠୁଳ କରି ଅନ୍ୟମାନଙ୍କୁ ଭୟ ଦେଖାଇ ଦୁନିଆକୁ ହାତମୁଠାରେ ରଖିବାର ବାହାଲ୍ଫୋଟ ମାରୁଛନ୍ତି। ସାଧାରଣ ମଣିଷମାନଙ୍କୁ ସେମାନଙ୍କର ଖିଆଲିମନର କ୍ରୀତଦାସ କରିଦେଉଛନ୍ତି। ବିଚରା କୋଟି କୋଟି ନିରସ୍ତ୍ର, ନିର୍ବାକ ମଣିଷମାନେ। ରକ୍ତ ଜୁଡୁବୁଡୁ ହୋଇ ଯନ୍ତ୍ରଣାରେ ଚିତ୍କାର କରି କରି ବଞ୍ଚିବା ଯେମିତି ତାଙ୍କର ଭାଗ୍ୟର ଲିଖନ। ମଣିଷ ମନର ବର୍ବରତା। ମଣିଷକୁ ତା ଦୁଃଖବାଦର କ୍ରୀଡନକ କରି, ମଣିଷ ରକ୍ତରେ ହୋରି ଖେଳି, ମଣିଷର କଟାମୁଣ୍ଡରେ ପିରାମିଡ ଗଢି, ମଣିଷକୁ କ୍ଷତ ବିକ୍ଷତ କରି ତାର ଆର୍ତ୍ତଚିତ୍କାରରେ ତୁର୍ଯ୍ୟନାଦ ଓ ଅଟ୍ଟହାସ୍ୟ କରୁଥିବା ବର୍ବରମାନେ ସେଦିନ ଥିଲେ ଆଜି ବି ଅଛନ୍ତି।   ପ୍ରାକୃତିକ ରାଜ୍ୟର ଅବସ୍ଥା ଥିଲା କଦର୍ଯ୍ୟ, ନୃଶଂସ ନିଃସଂଗ ଓ ଦରିଦ୍ର। ମାନବ ସଭ୍ୟତାର ଏହି ଆଦ୍ୟଭାଗରେ ଚାଲିଥିଲା ଜଂଗଲର ଶାସନ, ଦୁର୍ବଳ ଉପରେ ସବଳର ଅହରହ ଅତ୍ୟାଚାର। ନିରାପତ୍ତା ନଥିଲା, ପାରିବାରିକ ବନ୍ଧନ ନଥିଲା। ସବୁବେଳେ ରକ୍ତପାତ, ଶୋଷଣ, ପାଶବିକ ପ୍ରବୃତ୍ତିର ଜୟଜୟକାର। ଏହି ପରିସ୍ଥିତିରୁ ତ୍ରାହି ପାଇବା ପାଇଁ ମଣିଷ ନିଜକୁ ଆବଦ୍ଧ କଲା ଏକ ସାମାଜିକ ଚୁକ୍ତିରେ। ସେଇଠାରୁ ଆରମ୍ଭ ହେଲା ରାଷ୍ଟ୍ର। ବିଧିବିଧାନର ସୂତ୍ରପାତ ହେଲା। ମଣିଷର େସ୍ୱଚ୍ଛାଚାରିତା ଉପରେ ପ୍ରତିବନ୍ଧକ ଲାଗିଲା। ସାଧାରଣ ମଣିଷମାନେ କିଛି ମାତ୍ରାରେ ସୁରକ୍ଷିତ ହେଲେ, ନିରାପଦ ହେଲେ, ଆଶ୍ୱସ୍ତ ହେଲେ। ଭାବପ୍ରବଣତାର ଅଙ୍କୁରୋଦଗମ ହେଲା, ପରିବାର ବ୍ୟବସ୍ଥାର ଅୟମାରମ୍ଭ ହେଲା। ସୃଷ୍ଟିହେଲା ଛୋଟ ଛୋଟ ରାଜ୍ୟ, ତାପରେ ବୃହତ ରାଜ୍ୟ, ତା’ପରେ ସାମ୍ରାଜ୍ୟ। ତଦନୁଯାୟୀ ରାଜା, ଏକରାଟ, ସମ୍ରାଟ। କ୍ରମଶଃ ଲୋକମାନଙ୍କର ସୁରକ୍ଷା ନିରାପତ୍ତା ଓ ସୁଖସୁବିଧା ପାଇଁ ସୃଷ୍ଟି ହୋଇଥିବା ଏହି ରାଜ୍ୟମାନେ ପ୍ରଜାମାନଙ୍କୁ ପଦାନତ କରିବାର କାରଣ ହେଲେ। ରାଜପଦ, ରାଜପଦର ଅହମିକା କ୍ରମଶଃ ପ୍ରଜାଉତ୍ପୀଡନର କାରଣ ଭାବରେ ପ୍ରତିପାଦିତ ହେଲା। ରାଜାମାନେ ସାମାଜିକ ଚୁକ୍ତିକୁ ଭୁଲିଗଲେ। ପ୍ରଜାମାନଙ୍କୁ ରାଜାମାନଙ୍କର ଦୟାର କିଙ୍କର ଭାବରେ ଦେଖାଗଲା। ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ସ୍ଥଳବିଶେଷରେ ମରଣାମିକ ଆକ୍ରମଣ। ସେମାନଙ୍କ ଜୀବନକୁ ଜଳାଞ୍ଜଳି ଦେଇ ରାଜାମାନେ ବିଜୟର ତୁର୍ଯ୍ୟନାଦ କଲେ। ଏହି ମାନସିକତାରୁ ସୃଷ୍ଟି ହେଲେ ଅନେକ ଆକ୍ରମଣକାରୀ ଯେମିତିକି ଆଲେକଜାଣ୍ଡାର, ସିଜର, ନାଦିର ଶାହା, ନେପୋଲିଅନ, ହିଟଲର ଓ ଆହୁରି ଅନେକ। ସାରା ଇତିହାସରେ ଅନେକ ଯୁଦ୍ଧ, ଅନେକ ଧ୍ୱଂସ, ଅନେକ ଜୟ ପରାଜୟର କାହାଣୀ। ଯୁଦ୍ଧ, ମହାଯୁଦ୍ଧ। ସବୁବେଳେ ସାଧାରଣ ପ୍ରଜା, ସାଧାରଣ ସୈନିକ ମାନଙ୍କର ହିଁ ମୃତ୍ୟୁ, ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାରେ।   ମଣିଷ ପୁଣି ଏତେ ନିଷ୍ଠୁର ହୋଇପାରେ? ହଁ, ମଣିଷ ହିଁ ନିଷ୍ଠୁର ହୋଇପାରେ। ଅନ୍ୟ ପ୍ରାଣୀମାନେ ପଶୁ। ସେମାନେ ଖାଦ୍ୟପାଇଁ ଶୀକାର କରନ୍ତି। କିନ୍ତୁ ମଣିଷ ନିଜର ବିକାରଗ୍ରସ୍ତ ଅହମିକା ପାଇଁ ମଣିଷକୁ ହତ୍ୟାକରେ। ଯନ୍ତ୍ରଣାଜର୍ଜରିତ, ଲହୁ ଲୁହାଣ ମଣିଷକୁ ଦେଖି ସେ ଉଲ୍ଲସିତ ହୁଏ, ଆତ୍ମପ୍ରସାଦ ଲାଭ କରେ। ମଣିଷର ଶବ ଉପରେ ସେ ଗଢେ ତାର ଅହମିକାର ସାମ୍ରାଜ୍ୟ, କ୍ଷମତାର ବଳୟ। ମଣିଷର କଣ ମଣିଷ ଭଳି ବଞ୍ଚିବାର ଅଧିକାର ନାହିଁ?   ଏଇଠି ଆସେ ମାନବିକ ଅଧିକାରର କଥା। ମାନବିକ ଅଧିକାର ଏକ ମୁଖରୋଚକ ପଦ। ସମୟକ୍ରମେ ମାନବିକ ଅଧିକାରର ତାଲିକା ଲମ୍ୱା ହୋଇଚାଲିଛି। କିନ୍ତୁ ତା ସହିତ କମି ଯାଉଛି ତା’ର ବଞ୍ଚିବାର ସାଧନ, ମଉଳିଯାଉଛି ତା’ର ଜୀବନର ଆଶା, ସଂକୁଚିତ ହୋଇଚାଲିଛି ତା’ର ଅଧିକାର। ମାନବ ସଭ୍ୟତାର ଇତିହାସରେ ମାନବିକ ଅଧିକାରର ରେକର୍ଡ ଭାରି ଖରାପ। ଇତିହାସକୁ ଘାଣ୍ଟ। ସରଳ ସାବଲୀଳ ଜୀବନର ଉଦାହରଣ କମ। ବେଶୀ ଭାଗ ହେଉଛି ଉପିୀଡିତ ହେଉଥିବା ମଣିଷ ଜୀବନର କଥା। ପ୍ରାଚୀନ ମିଶରର ପିରାମିଡ ଦେଖି ଆମେ ଚମତକୃତ ହେଉ। ମିଶରର ସର୍ବବୃହତ ପିରାମିଡର ନିର୍ମାତା ଖୁଫୁ ଆମ ସ୍ମରଣକୁ ଆସନ୍ତି। କିନ୍ତୁ କିଏ କ’ଣ ଭାବେ ଏହି ବିରାଟ ଇମାରତର ନିର୍ମାଣ ପାଇଁ କୋଡିଏ ବର୍ଷରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରିଥିଲେ! ରାଜାଙ୍କ ଅହମିକା..ସେ ମୃତ୍ୟୁ ପରେ ମଧ୍ୟ ଏହି ପିରାମିଡ ମଧ୍ୟରେ ସୁରକ୍ଷିତ ରହିବେ। ସେଥିପାଇଁ ଲକ୍ଷ ଲକ୍ଷ ପ୍ରଜା ପ୍ରାଣବଳି ଦେଲେ ତ କ’ଣ ହୋଇଗଲା?   ଠିକ ସେମିତି ପ୍ରାଚୀନ ଆସିରିଆର ଶାସକ ଅସୁରବାନିପଲଙ୍କ କଥା। ପ୍ରଜାମାନଙ୍କୁ ହତ୍ୟାକରିବା ତାଙ୍କର ରାଜତନ୍ତ୍ରର ଏକ ଆବଶ୍ୟକତା। ନରସଂହାର ଥିଲା ତାଙ୍କର ଏକ ସଉକ। ମଣିଷମୁଣ୍ଡରେ ପିରାମିଡ ଗଢିବା ଥିଲା ତାଙ୍କର ଏକ ବିଳାସ। ଭୟଙ୍କର ନିଷ୍ଠୁରତା। ବେଳେ ବେଳେ ଲାଗେ ପ୍ରାଚୀନ ଇରାକର ଏହି ନିଷ୍ଠୁରତା ଏବେ ବି ବଳବତ୍ତର ଅଛି। ସଦ୍ଦାମ ହୁସେନ ତ ସେହି ଇରାକର ଶାସକ। ଆଉ ବର୍ତ୍ତମାନର ଆଇଏସ‌୍‍ଆଇଏସ‌୍‍ର କାୟା ବିସ୍ତୃତ ହୋଇଛି ସେହି ଇରାକରେ, ସିରିଆରେ।   ନରସଂହାର ପାଇଁ ନିନ୍ଦିତ ନରପତି ଇତିହାସରେ ଅନେକ ଅଛନ୍ତି। ମାନବିକ ଅଧିକାରର ଉଲଂଘନର କଳଙ୍କିତ କାହାଣୀ ଇତିହାସରେ ଭରପୂର।   ଆଲେଜଜାଣ୍ଡାରଙ୍କ କଥା - ପ୍ରତିଶୋଧ ନେବାକୁ ଯାଇ ସେ ଥିବସ‌୍‍ ନଗରରାଜ୍ୟକୁ ଜାଳିପୋଡି ଧ୍ୱଂସ କରିଦେଇଥିଲେ। ସେ ନଗରରାଜ୍ୟର ଜଣେ ଦାର୍ଶନିକ ପିଣ୍ଡାରଙ୍କୁ ଛାଡି ସେ ଆବାଳବୃଦ୍ଧବନିତା ସମସ୍ତଙ୍କୁ ହତ୍ୟା କରିଥିଲେ। ରୋମର କ୍ରୀତଦାସମାନଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର କଥା ଇତିହାସର ବିଷୟ ବସ୍ତୁ। କ୍ରୀତଦାସ ଯୁଦ୍ଧ ପରେ ଶହ ଶହ କ୍ରୀତଦାସଙ୍କୁ ନିଷ୍ଠୁରଭାବରେ କ୍ରୁସବିଦ୍ଧ କରି ହତ୍ୟା କରାଯାଇଥିଲା। ଫରାସୀ ରାଷ୍ଟ୍ରବିପ୍ଳବ ସମୟରେ ‘ଆତଙ୍କରାଜ’ କାଳରେ ହଜାର ହଜାର ନରନାରୀଙ୍କୁ ବିନାକାରଣରେ ହତ୍ୟା କରାଯାଇଥିଲା। ଜର୍ମାନୀର ସ୍ବୈରଶାସକ ହିଟଲର ଲକ୍ଷଲକ୍ଷ ଇହୁଦୀଙ୍କୁ ବିଭିନ୍ନ ଭାବରେ ହତ୍ୟା କରିଥିଲେ। ଷ୍ଟାଲିନଙ୍କ ସମୟରେ ହଜାର ହଜାର ଭିନ୍ନମତାଲମ୍ୱୀମାନଙ୍କୁ ସାଇବେରିଆ ପଠାଯାଇ ସେଠାରେ ସେମାନଙ୍କୁ ମରଣାନ୍ତକ ନିର୍ଯ୍ୟାତନା ଦିଆଯାଉଥିଲା। ମାଓ ସେ ତୁଙ୍ଗ ତାଙ୍କର ବିରୋଧୀମାନଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରୁଥିଲେ। କାମ୍ୱୋଡିଆର ପୋଲପଟ ଶାସନ କାଳ ନରହତ୍ୟା କଥା ଚିନ୍ତା କଲେ ରୋମମୂଳ ଟାଙ୍କୁରି ଉଠେ। ସେଥକୁ ଅଛି ଆଫ୍ରିକୀୟ ଇଦି ଅମିନଙ୍କ ନରସଂହାର କଥା। ନିଗ୍ରୋମାନଙ୍କୁ ନେଇ କ୍ରୀତଦାସ ବ୍ୟବସାୟ ଓ ତାର ଅମାନବିକ ପରିଣତି କଥା ସମସ୍ତେ ଜାଣନ୍ତି। ଭାରତ ବିଭାଜନ ସମୟରେ ହୋଇଥିଥିବା ସାମ୍ପ୍ରଦାୟିକ ହିଂସା ଓ ସେଥିରେ ହୋଇଥିବା ମୃତାହତଙ୍କ ସଂଖ୍ୟା ତଥାକଥିତ ସଭ୍ୟ ମଣିଷକୁ ଲଜ୍ଜିତ କରିବାକୁ ଯଥେଷ୍ଟ। ଭାରତ ବିଭାଜନ ବେଳେ କୋଟିଏ ଲୋକ ସେମାନଙ୍କର ଭିଟାମାଟିରୁ ବେଘର ହୋଇଗଲେ। ତା’ ସାଙ୍ଗୁ ଅଛି ଅଟୋମାନ ସାମ୍ରାଜ୍ୟରେ ଦେଢ଼ଲକ୍ଷ ଆର୍ମେନିଆନ‌୍‍ଙ୍କ ହତ୍ୟାର କାହାଣୀ, ଜାପାନୀମାନଙ୍କର ନାନଜିଂଗ ନାରକୀୟ କାଣ୍ଡ।   ବର୍ତ୍ତମାନର ବିଶ୍ୱ ମଧ୍ୟ ମାନବ ଜାତି ପାଇଁ ନିରାପଦ ନୁହେଁ। ଶକ୍ତିଶାଳୀ ଦେଶମାନେ ସେମାନଙ୍କର ସମରସଜ୍ଜାକୁ ଅବ୍ୟାହତ ରଖିଛନ୍ତି। ଜନହିତକର କାର୍ଯ୍ୟ ବଦଳରେ ପ୍ରତିରକ୍ଷା ପାଇଁ ରାଷ୍ଟ୍ରମାନେ ଅଜସ୍ର ଅର୍ଥ ଶ୍ରାଦ୍ଧ କରୁଛନ୍ତି। କ୍ଷେପଣାସ୍ତ୍ର, ପାରମାଣବିକ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ନିର୍ମାଣ କରିବାର ପ୍ରବଣତା କମୁନି, ବଢୁଛି। ତା ସାଙ୍ଗକୁ ବିଶ୍ୱକୁ ଆସିଛି ସନ୍ତ୍ରାସବାଦର ଭୟ। ଆଧୁନିକ ଯୁଗରେ ପାଲେଷ୍ଟାଇନ ମୁକ୍ତି ସଂଗଠନ ଇସରାଏଲ ବିରୁଦ୍ଧରେ ଏହି ସନ୍ତ୍ରାସବାଦର ପ୍ରାରମ୍ଭ କରିଥିଲା। ବର୍ତ୍ତମାନର ବିଶ୍ୱରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। କିଛି ବର୍ଷ ଆଗରୁ ଓସାମା ବିନ ଲାଡେନଙ୍କ ଅଲ କାଏଦା ଥିଲା ବିଶ୍ୱର ପ୍ରମୁଖ ଆତଙ୍କବାଦୀ ସଂଗଠନ। ତେବେ ବର୍ତ୍ତମାନ ତାଲିବାନ, ଇସଲାମିକ ଷ୍ଟେଟ, ବୋକୋ ହାରାମ ଭଳି ଆତଙ୍କବାଦୀ ସଂଗଠନ ମାନବବାଦର ଚରମ ଶତ୍ରୁ ଭାବରେ ଉଭା ହୋଇଛନ୍ତି। ଭାରତବର୍ଷରେ ସକ୍ରିୟ ଅଛନ୍ତି ଲସକର-ଇ-ତୋଇବା, ଜୈସ-ଏ-ମହମ୍ମଦ, ଜମାଇତ-ଉଦ-ଦାବର ଓ ମାଓବାଦୀମାନେ।   ୨୦୧୫ ମସିହାରେ ବିଶ୍ୱରେ ୧୧୭୭୪ଟି ସନ୍ତ୍ରାସବାଦୀ ଆକ୍ରମଣ ହୋଇଛି। ଏହି ସନ୍ତ୍ରାସବାଦୀ ଆକ୍ରମଣମାନଙ୍କରେ ସମୁଦାୟ ୨୮,୩୨୮ ଜଣ ଲୋକ ପ୍ରାଣ ହରାଇଛନ୍ତି, ୩୫,୩୨୦ ଜଣ ଲୋକ ଆହତ ହୋଇଛନ୍ତି। ଏହି ସନ୍ତ୍ରାସବାଦୀ ଆକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଥିଲା ଇରାକ, ତା ତଳକୁ ଆଫଗାନିସ୍ଥାନ ଓ ପାକିସ୍ଥାନ। ତା ତଳକୁ ଭାରତ। ୨୦୧୫ରେ ଭାରତରେ ୭୯୧ଟି ସନ୍ତ୍ରାସବାଦୀ ଆକ୍ରମଣ ହୋଇଥିଲା ଓ ଏଥିରେ ୨୮୯ ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ସନ୍ତ୍ରାସବାଦୀ ଆକ୍ରମଣର ୪୩% ଆକ୍ରମଣଥିଲା ମାଓବାଦୀଙ୍କ ଦ୍ୱାରା। ମୋଟାମୋଟି ଦେଖିବାକୁ ଗଲେ ମାନବ ଜୀବନ ବିପନ୍ନ ହେଉଛି ବର୍ତ୍ତମାନର ଏହି ସନ୍ତ୍ରାସବାଦ ଦ୍ୱାରା। ଗୃହ ଯୁଦ୍ଧ ମାନଙ୍କରେ ମଧ୍ୟ ମୁତାହତଙ୍କ ସଂଖ୍ୟା କମ ନୁହେଁ। ରାଜନୈତିକ ବିରୋଧୀମାନଙ୍କୁ ଖୋଲାଖୋଲି ହତ୍ୟା କରାଯାଉଛି ବା ବାର ହୀନସ୍ତା କରାଯାଉଛି। ଧର୍ମ ନାଁରେ ଅନ୍ୟଧର୍ମୀମାନଙ୍କୁ ହତ୍ୟା କରିବାର ସିଲସିଲା ତ ଆବାହମାନକାଳରୁ ରହିଆସିଛି। ଜେହାଦନାମରେ କାଫେରମାନଙ୍କୁ ହତ୍ୟା କରିବା ଇସଲାମରେ ବିଧିସମ୍ମତ। ଯୁଦ୍ଧ ବିଜୟୀ ମହାନାୟକ ମାନଙ୍କର ବିଜିତମାନଙ୍କ ଉପରେ ଅତ୍ୟାଚାର କରିବା ଏକ ପ୍ରଚଳିତ ପରମ୍ପରା। ହତ୍ୟା ହେଉ, ଅପହରଣ ହେଉ, ଲୁଣ୍ଠନ ହେଉ ବା ଧର୍ଷଣ ହେଉ ମଣିଷମାନଙ୍କୁ କଲବଲ କରିବାର ପ୍ରକ୍ରିୟା ଅତୀତରେ ଥିଲା ଏବେବି ଅଛି। ସେହି ବର୍ବରତା, ସେହି ନିଷ୍ଠୁରତା, କେତେବେଳେ ଖୋଲାଖୋଲି ଆଉ କେତେବେଳେ ଭଦ୍ରତାର ଅବଗୁଣ୍ଠନ ତଳେ।   ବର୍ତ୍ତମାନର ଏହି ଭୟାବହ ପରିସ୍ଥିତିରୁ ଆମେ ଆଗକୁ କେଉଁ ଆଡକୁ ଯିବା? ମାନବ ଜୀବନକୁ ଆହୁରି ଅଧିକ ଅସୁରକ୍ଷିତ, ନିରାପତ୍ତା ବିହୀନ, ଦୁର୍ବିସହ କରିଦେବା ନାଁ ଅବସ୍ଥା ସୁଧାରିବାକୁ ଚେଷ୍ଟା କରିବା? ମଣିଷ ଭିତରୁ ହଜିଯାଇଥିବା ବିବେକ ଓ ମାନବିକତା ଆମେ କେଉଁଠୁ ଖୋଜିବା? ଖୋଜିବାକୁ ତ ହେବ। ସେ  ଅନ୍ୱେଷଣ ଆବାହମାନ କାଳରୁ ଆଜି ପର୍ଯ୍ୟନ୍ତ ବଳବତ୍ତର ଅଛି। କିଛି ବିକାରଗ୍ରସ୍ତ ଲୋକ ମାନବ ସଭ୍ୟତାକୁ ଧ୍ୱସ୍ତ ବିଧ୍ୱସ୍ତ କରୁଥିବା ବେଳେ ଅନ୍ୟ କେତେଜଣ ଗଠନମୂଳକ ମହାମନୀଷୀ ଦୁନିଆକୁ ନୂଆ ଆଲୋକ ଦେବାକୁ ଚେଷ୍ଟା କରିଛନ୍ତି। ହେଲେ ଏହି କୃତଘ୍ନ ମଣିଷ ଜାତି ସେମାନଙ୍କ ମହାନ ଦାନକୁ ମଧ୍ୟ କଳୁଷିତ କରିଦେଇଛି। ଧର୍ମକୁ ନେଇ ଅସୂୟା, ଘୃଣା, ନରହତ୍ୟା କେତେ କଣ? ବିଚିତ୍ର ମଣିଷ। ଦୁର୍ଯ୍ୟୋଗରୁ ତା’ର ଯେମିତି କ୍ଷାନ୍ତି ନାହିଁ।   ତଥାପି ଏ ଅମାନବିକ ପରିବେଶରୁ ମାନବିକତା ଖୋଜା ଚାଲିବ। ଜୀବନକୁ ଅଧିକରୁ ଅଧିକ ଯନ୍ତ୍ରଣାମୟ କରିବାକୁ, ମଣିଷମାନଙ୍କୁ କଲବଲ କରି ହତ୍ୟା କରିବାକୁ ନୂଆ ନୂଆ ଆୟୁଧମାନ ଆବିଷ୍କୃତ ହେଉଥିବ, ତା ସହିତ ଜୀବନକୁ ସରସ ସୁନ୍ଦର ସୁଖମୟ କରିବାପାଇଁ ବିଳାସସାମଗ୍ରୀମାନ ପ୍ରସ୍ତୁତ ହେଉଥିବ। ଗୋଟିଏ ପଟେ ଧ୍ୱଂସ ଓ ସର୍ବନାସର ଲେଲିହାନ ଶିଖା, ଅନ୍ୟପଟରେ ଜୀବନ ଜିଇବାର ଅବଧାରିତ ପ୍ରତ୍ୟାଶା! ଗୋଟିଏ ପଟେ କ୍ଷମତା ମଦମତ୍ତ ଶାସକ ଓ ହୀନମନା ଜହ୍ଲାଦମାନଙ୍କର ମାନବ ବିଧ୍ୱସୀ ବାହାସ୍ଫୋଟ, ଅନ୍ୟପଟେ ମାନବିକ ଅଧିକାର ସପକ୍ଷବାଦୀମାନଙ୍କର  ଅଳୀକ ଆଶ୍ୱାସନା। ଏ ସବୁକୁ ନେଇ ଦୁନିଆ ଆଗକୁ ବଢିବ। ମଣିଷର ବଞ୍ଚିବାର ଆଶା, ତାକୁ ଧ୍ୱଂସ କରିବା ଜିଂଘାସା ଏହାରି ଭିତରେ ମଣିଷକୁ ବୁଝାମଣା କରିବାକୁ ହେବ। ୟୁଟୋପିଆ ତ ଆସିବ ନାହିଁ। କିନ୍ତୁ ସେହି ଆଶାରେ ବଞ୍ଚିବାକୁ ହେବ। ଆଶାର ଅନ୍ତ ନାହିଁ। ବଞ୍ଚିବାପାଇଁ ପ୍ରଲୋଭନ ଯୋଗାଇଦେବା ପାଇଁ ଏହି ଆଶା ହିଁ ପର୍ଯ୍ୟାପ୍ତ। ହେ ମାନବମାନେ, ଅମାନବିକତାର ଏହି ଲେଲିହାନ ଶିଖା ମଧ୍ୟରୁ ଆମେ କ’ଣ ବାହାରକୁ ଆସିପାରିବା ନାହିଁ?   ୨୩, ଏକାମ୍ରଭିଲା, ଜୟଦେବ ବିହାର ଭୁବନେଶ୍ୱର -୧୫  

Share :