ଜବତ ଟଙ୍କା ବିଜେଡି ନେତାଙ୍କର?

ଜବତ ଟଙ୍କା ବିଜେଡି ନେତାଙ୍କର?

Share :

  ଭୁବନେଶ୍ବର ଶହୀଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲ ନିକଟରୁ ଜବତ ହୋଇଥିବା ୩୦ ଲକ୍ଷ ଟଙ୍କାର ପ୍ରକୃତ ମାଲିକଙ୍କ ପରିଚୟ ନେଇ ରହିଥିବା ସନ୍ଦେହ ଦୂର ହୋଇଛି। ପୁଲିସ ଓ ଆୟକର ବିଭାଗର ଅଧିକାରୀମାନେ ତଦନ୍ତ ଚଳାଇଥିଲେ ମଧ୍ୟ ଅନ୍ୟ ସୂତ୍ରରୁ ଏହାର ରହସ୍ୟ ଫିଟି ଯାଇଛି। ଅଟକ ଦି’ ଜଣଙ୍କ ମଧ୍ୟରୁ ମମତା ବେହେରାଙ୍କର ସ୍ବାମୀ ଏହି ଟଙ୍କାର ପରୋକ୍ଷ ମାଲିକ ବୋଲି ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ସଂପର୍କ ରହିଥିବା ମଧ୍ୟ ଜଣାପଡ଼ିଛି।   ନଭେମ୍ବର ୧୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଶହୀଦନଗରର ସ୍ପର୍ଶ ହସ୍ପିଟାଲ ନିକଟରେ ଥୁଆ ହୋଇଥିବା ଏକ ରେନଲ୍ଟ ଡଷ୍ଟର ଗାଡ଼ିରୁ ପୁଲିସ ୩୦ ଲକ୍ଷ ଟଙ୍କା ଜବତ କରିବା ସହିତ ଗାଡ଼ିରେ ବସିଥିବା ଦୁଇ ଜଣଙ୍କ ଅଟକ ରଖିଥିଲା। ସେ ଦୁଇ ଜଣ ହେଲେ ସନ୍ତୋଷ ପ୍ରଧାନ ଓ ମମତା ବେହେରା। ଗାଡ଼ିରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଜବତ ଟଙ୍କା ମଧ୍ୟରେ ୩ ଲକ୍ଷ ଟଙ୍କାର ନୂଆ ୨ ହଜାରିଆ ଓ ୨୭ ଲକ୍ଷ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟି ଥିଲା। ଏହା କାହାର ବୋଲି ପୁଲିସ ଓ ଆୟକର ବିଭାଗର ଅଧିକାରୀମାନେ ଦୁଇ ଦିନ ହେଲା ଖୋଳତାଡ଼ ଚଳାଇଛନ୍ତି। ଗାଡ଼ିରୁ ମିଳିଥିବା ଏକ ପରିଚୟପତ୍ରକୁ ବିଶ୍ବାସ କରି ତଦନ୍ତ ଚାଲିଥିବାରୁ ପୁଲିସ ଓ ଆୟକର ଅଧିକାରୀମାନେ ପ୍ରକୃତ ଅପରାଧୀର ପରିଚୟ ନେଇ ସନ୍ଦେହରେ ପଡ଼ିଯାଇଛନ୍ତି।   ସଂପୃକ୍ତ ଗାଡ଼ିରୁ ଯେଉଁ ପରିଚୟପତ୍ର ମିଳିଛି ତାହା ହେଉଛି ଲକ୍ଷ୍ମୀନାରାୟଣ ବେହେରାଙ୍କର। ତେଣୁ ସମସ୍ତେ ଭାବୁଛନ୍ତି ଏଇ ଲକ୍ଷ୍ମୀନାରାୟଣ ବେହେରା ହିଁ ଗାଡ଼ି ଓ ଟଙ୍କାର ଅସଲ ମାଲିକ। ହେଲେ ସେମିତି କେହି ଲୋକ ଏଯାଏଁ ପୁଲିସ ନଜରକୁ ଆସି ନାହାନ୍ତି।   ପରିଚୟପତ୍ରଟି ଗୋଟିଏ ଗଣମାଧ୍ୟମ ସଂସ୍ଥାର। ତାହା ପୁଲିସ ପବ୍ଲିକ ପ୍ରେସ ନାମକ ଏକ ସଂସ୍ଥାର। ଏହି ସଂସ୍ଥା କ’ଣ ପ୍ରକାଶ କରେ ତାହା ଓଡ଼ିଶାରେ ଅଧିକାଂଶ ସାମ୍ବାଦିକଙ୍କୁ ମଧ୍ୟ ଅମାଲୁମ। ଏହା ଏକ ପତ୍ରିକା କି ଖବରକାଗଜ କି ଟିଭି କି ରେଡିଓ କେହି କହିପାରିବେ ନାହିଁ। କିନ୍ତୁ ଏ ସଂସ୍ଥା ନାମରେ ମଝିରେ ମଝିରେ ଭୁବନେଶ୍ବରରୁ ଆରମ୍ଭ କରି ରାଜ୍ୟର କେତେକ ସ୍ଥାନରେ ସେମିନାର ଆୟୋଜିତ ହୋଇଥାଏ ଓ ସେଥିରେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ଓ ପ୍ରଶାସକମାନେ ମଧ୍ୟ ଯୋଗଦେଇଥାନ୍ତି। ଏହି ସଂସ୍ଥାର ମାଲିକ ବୋଲାଉଥିବା ପବନ କୁମାର ଭୁତ ନାମକ ଜଣେ ବ୍ୟକ୍ତି କିଛି ମାସ ତଳେ ପୁଲିସର ସନ୍ଦେହ ଘେରକୁ ଆସିଥିଲେ। ସେତେବେଳେ ଜଣେ ପୁଲିସ ଅଧିକାରୀ କହିଥିଲେ, ଏ ବ୍ୟକ୍ତି ହେଉଛନ୍ତି ଉଭୟ ପବନ ଓ ଭୂତ!   ଏଇ ସଂସ୍ଥାର ଏଇ ପରିଚୟପତ୍ରରେ ଲକ୍ଷ୍ମୀନାରାୟଣ ବେହେରାଙ୍କ ଫଟୋ ସହିତ ନାମ ଉଲ୍ଲେଖ ଅଛି। ତାଙ୍କ ଘର ଆସ୍କା ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଏଇ ନାମରେ ଆସ୍କା ଅଂଚଳରେ ଏଭଳି ଜଣେ କଳାଧନ ମାଲିକ ଥିବା କଥା ସାମାନ୍ୟକଥନ.କମ୍‌ ଅନୁସନ୍ଧାନରୁ ଜଣାପଡ଼ି ନାହିଁ। ଫଟୋ ସହିତ ମେଳ ଖାଉଥିବା ଲୋକ ହେଲେ ସଂଜୀବ କୁମାର ବେହେରା। ସେ ଧରାକୋଟ ବ୍ଲକ ଅନ୍ତର୍ଗତ କମାଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ମାଗଣା ସାଇକେଲ୍‌ ବଣ୍ଟନ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି କରିବାରୁ ଲୋକଙ୍କ ରୋଷର ଶିକାର ହେବା ଆଶଙ୍କାରେ ୪ ବର୍ଷ ହେଲା ସ୍କୁଲ ଯାଇ ନାହାନ୍ତି। ଅଥଚ ସରକାର ତାଙ୍କୁ ଗିରଫ କରି ବହିଷ୍କାର କରିନାହାନ୍ତି। କାରଣ ସେ ହେଲେ ଶାସକ ବିଜୁ ଜନତା ଦଳର ଜଣେ ଯୁବ ନେତା। ଗଂଜାମ ଜିଲ୍ଲାର ଅନେକ ବିଜେଡି ନେତାଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ଅଛି।   ଏହି ସଂପର୍କ ବ୍ୟବହାର କରି ସେ ନିଜ ପତ୍ନୀଙ୍କୁ ଆସ୍କା ବ୍ଲକ ଅନ୍ତର୍ଗତ କଳଷଣ୍ଢପୁର ପଂଚାୟତର ବିଜେଡି ସମର୍ଥୀତ ସରପଂଚ କରାଇଥିଲେ। ଏହି ସରପଂଚଙ୍କ ନାମ ହେଉଛି ମମତା ବେହେରା। ଟଙ୍କା ଜବତ ଘଟଣାରେ ଅଟକ ଥିବା ମହିଳାଙ୍କ ନାମ ମଧ୍ୟ ହେଉଛି ମମତା ବେହେରା।   ବିଜୁ ଜନତା ଦଳର ଯୁବନେତା ଓରଫ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କର ଅନ୍ୟ ଏକ ପରିଚୟ ହେଲା ସେ ଆସ୍କାର ଭେଷ୍ଟିଜ୍‌ ନାମକ ଏକ କମ୍ପାନୀର ନିର୍ଦ୍ଦେଶକ। ତାଙ୍କ ବେପାର କୋଟିକୋଟି। ତା’ଛଡ଼ା ସେ ଭୁବନେଶ୍ବରରେ ଗଂଜାମ ଜିଲ୍ଲା ବିଜେଡି ନେତାମାନଙ୍କ ସାହାଯ୍ୟ ସହଯୋଗରେ ରିୟଲ ଇଷ୍ଟେଟ୍‌ ବେପାର ମଧ୍ୟ କରନ୍ତି। ଜମି କିଣାବିକାରୁ ସେ କେଇ କୋଟି କମାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଯେଉଁ ହସ୍ପିଟାଲ ନିକଟରୁ ତାଙ୍କ ଟଙ୍କା ଧରାପଡ଼ିଲା ତାହାର ମାଲିକଙ୍କ ସହିତ ମଧ୍ୟ ଜଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ସଂପର୍କ ରହିଛି।   ଗଂଜାମ ଜିଲ୍ଲାର କେତେ ଜଣ ବିଜେଡି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସେଇ ଗାଡ଼ିରୁ ଯାହା ଧରାପଡ଼ିଲା ତାହା କିଛି ନୁହେଁ। ଜବତ ଟଙ୍କା ମଧ୍ୟରେ ନୂଆ ୨ ହଜାରିଆ ନୋଟ୍‌ ମିଳିବା କଥାରୁ ପୁଲିସ ଓ ଆୟକର ଅଧିକାରୀମାନେ ବୁଝିବା ଉଚିତ ଯେ ସଂଜୀବ ଓରଫ ଲକ୍ଷ୍ମୀନାରାୟଣ ଏପରି ଭାବରେ କେଇ କୋଟି କଳାଟଙ୍କାକୁ ଧଳା କରିସାରିଛି। ସେହି ଯୋଜନା ଆଗେଇ ଚାଲିଥିଲାବେଳେ ସେମାନେ ଅଧାରୁ ଧରିପଡ଼ିଗଲେ।   ଏଇ ଖବର ସହିତ ଅନ୍ୟ ରୋଚକ ଖବର ମଧ୍ୟ ପଦାକୁ ଆସିଛି। ତା’ ଉପରେ ପୁଲିସ କି ଆୟକର ଅଧିକାରୀମାନେ ଏଯାଏଁ ଖୋଳତାଡ଼ ଆରମ୍ଭ କରିନାହାନ୍ତି। ପୁରୀ ସହରର କେତେକ ଧନୀ ଲୋକଙ୍କ ନିକଟରେ ୧୫୫ କୋଟି ଟଙ୍କାର ଅଚଳ ନୋଟ୍‌ ରହିଛି, ଯାହାକୁ ବଦଳ କରିବାକୁ ସେମାନେ ବିଭିନ୍ନ ଚାନେଲ୍‌ରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ନଭେମ୍ବର ୮ ତାରିଖ ପରେ ସେମାନେ କେଇ କୋଟି ଟଙ୍କାର ପୁରୁଣା ଟଙ୍କାକୁ ନୂଆ କରିସାରିଲେଣି। ଆହୁରି ଏତିକି ଟଙ୍କା ଅଛି। ଏହି ଲୋକମାନଙ୍କ ସହିତ ଶାସକ ଦଳର ବରିଷ୍ଠ ନେତା ଜଡ଼ିତ ଥିବା କଥା ସହରରେ ଆଲୋଚନା ପରିସରକୁ ଆସିଛି।   ଏଖର ସହିତ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଶାସକମାନେ ପୁରୁଣା ଟଙ୍କା ନେବାରେ ଅସୁବିଧା ନାହିଁ ବୋଲି ବିବୃତି ଦେଇ କଳାଟଙ୍କାର ରହସ୍ୟକୁ ଅଧିକ ଘନୀଭୂତ କରିଛନ୍ତି। ଶିରିଡ଼ି ସାଇ ଟ୍ରଷ୍ଟ ଓ ତିରୁପତି ତିରୁମାଲା ମନ୍ଦିର ସଂସ୍ଥା ଆଦି ଭାରତର ପ୍ରାୟ ସମସ୍ତ ବଡ଼ବଡ଼ ମନ୍ଦିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ରେ ଦାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇସାରିଥିବାବେଳ ଜଗନ୍ନାଥ ମନ୍ଦିର ପ୍ରଶାସନ କାହିଁକି ସେଇ ପୁରୁଣା ଟଙ୍କା ଉପରେ ଆସ୍ଥା ଓ ବିଶ୍ବାସ ଅତୁଟ ରଖିଛି ତାହା ତଦନ୍ତସାପେକ୍ଷ।   ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରୀ ମନ୍ଦିର ପରିଚାଳନା ସହିତ ଶାସକ ଦଳର ଅନେକ ନେତା ଜଡ଼ିତ ଥିବାବେଳେ ମନ୍ଦିର ସେବାୟତଙ୍କ ମଧ୍ୟରୁ ଅନେକ ହେଉଛନ୍ତି ବିଜୁ ଜନତା ଦଳର ମାନ୍ୟତାପ୍ରାପ୍ତ ନେତା। ସେମାନଙ୍କ କଳାଟଙ୍କାକୁ ଧଳା କରିବା ପାଇଁ ଜଗନ୍ନାଥଙ୍କୁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ଉଠିବା ପୂର୍ବରୁ ସରକାର ନିଜ ଆଡ଼ୁ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବା ଉଚିତ।   (ତଥ୍ୟ ସହାୟତା ହେମାଙ୍ଗ/ବିଶ୍ବଜିତ)

Share :