ପର୍ଯ୍ୟଟକଙ୍କୁ ପୋକରା କାଜୁ

ପର୍ଯ୍ୟଟକଙ୍କୁ ପୋକରା କାଜୁ

Share :

  ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ପାଇଁ ବର୍ଷତମାମ ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଏହାର ସୁଯୋଗ ନେଇ କେତେକ ଅସାଧୁ କାଜୁ ବ୍ୟବସାୟୀ ପର୍ଯ୍ୟଟକଙ୍କୁ ଚଢାଦରରେ ନିମ୍ନମାନର ପୋକରା କାଜୁ ବିକ୍ରୀ କରୁଥିବା ଅଭିଯୋଗ ଦୀର୍ଘ ଦିନରୁ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣା କରାଯାଇ ନାହିଁ।   ଗତ ସପ୍ତାହରେ ଭିଲାଇର ଭି ଖାର‌୍‍ଚେ ପରିବାର ସହ ସୂର୍ଯ୍ୟମନ୍ଦିର ବୁଲିବାପାଇଁ ଆସିଥିଲେ। ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲି ସାରିବା ପରେ ମନ୍ଦିର ସମ୍ମୁଖସ୍ଥ ଟୁରିଷ୍ଟ ମାର୍କେଟରେ ଥିବା କାଜୁ ଦୋକାନୀ ଶରତ ପ୍ରଧାନଙ୍କ ଦୋକାନରୁ ୧୭୦୦ ଟଙ୍କା ଦେଇ କାଜୁ କିଣିଥିଲେ। କିଛି ସମୟ ପରେ କାଜୁ ଖାଇବା ପାଇଁ ପ୍ୟାକେଟ ଖୋଲି ଦେଖନ୍ତିତ ସେଥିରେ ପୋକରା ଓ ଫିମ୍ପିମରା କାଜୁ ରହିଛି। ଏହା ଖାଇବା ପାଇଁ ଅନୁପଯୋଗୀ ଥିବାରୁ ଭି ଖାର୍ଚେ କିଣିଥିବା କାଜୁ ଦୋକାନୀ ପାଖକୁ ଆସି ଦେଖନ୍ତିତ ଉକ୍ତ ବ୍ୟବସାୟୀ ଜଣକ ଦୋକାନ ବନ୍ଦ କରି ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ବ୍ୟବସାୟୀଙ୍କ ଏତାଦୃଶ କାର୍ଯ୍ୟକୁ ଦେଖି ପର୍ଯ୍ୟଟକମାନେ ହୋହଲ୍ଲା କରିବାରୁ ପାଖରେ ଥିବା ହସ୍ତଶିଳ୍ପ ବ୍ୟବସାୟୀମାନେ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟଟକଙ୍କୁ ବୁଝାସୁଝା କରିବା ସହ ବ୍ୟବସାୟୀ ମହାସଙ୍ଘର ସଭାପତି ସୁବାସ ନାୟକଙ୍କୁ ଅବଗତ କରାଇଥିଲେ। ଶ୍ରୀ ନାୟକ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କ ସହ ଆଲୋଚନା କରିବା ପରେ ଉକ୍ତ ବ୍ୟବସାୟୀଙ୍କୁ ଡକାଇ କାଜୁ ଫେରାଇବା ସହ ପର୍ଯ୍ୟଟଙ୍କକୁ ବିକିଥିବା ୩ କିଲୋ ୫୦୦ ଗ୍ରାମ କାଜୁର ମୂଲ୍ୟ ୧୭୦୦ ଟଙ୍କା ଫେରାଇବା ସହ କ୍ଷମାପ୍ରାର୍ଥନା କରିଥିଲେ।   ପର୍ଯ୍ୟଟକଙ୍କଠାରୁ ଅସଦ ଉପାୟରେ ଶୋଷଣ କରୁଥିବା ଅସାଧୁ କାଜୁ ବ୍ୟବସାୟୀମାନେ ଏହି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କୋଣାର୍କ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ ପକ୍ଷରୁ ବାରମ୍ୱାର ତାଗିଦ କରାଯାଇଥିଲେ ବି ଲାଭଖୋର ଅସାଧୁ ବ୍ୟବସାୟୀମାନେ ଏଥିରୁ ନିବୃତ୍ତ ରହୁନଥିବା ଦେଖିବାକୁ ମିଳୁଛି। ପର୍ଯ୍ୟଟକଙ୍କୁ ଶୋଷଣ କରୁଥିବା ଏହି ଅସାଧୁ କାଜୁ ବ୍ୟବସାୟୀମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  କୋଣାର୍କ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଅସାଧୁ ବ୍ୟବସାୟୀମାନେ ଜରି ପ୍ୟାକେଟରେ ଅଳ୍ପ ପରିମାଣର ଭଲ କାଜୁକୁ ଆକର୍ଷଣୀୟ ଭାବରେ ଖଞ୍ଜିବା ପରେ ଏହାର ମଧ୍ୟ ଭାଗରେ ପୋକରା ଓ ନିମ୍ନମାନର କାଜୁକୁ ରଖି ସିଲ କରି ଦେଇଥାନ୍ତି। ଏହି କାଜୁ ପ୍ୟାକେଟକୁ ବାହାରୁ ଦେଖିଲେ କେହିବି ଜାଣିପାରିବେ ନାହିଁ ଏହା ଭିତରେ ପୋକରା, ପିମ୍ପିମରା ଓ ନିମ୍ନମାନର କାଜୁ ରହିଛି ବୋଲି। ଏହି ପୋକରା, ଫିମ୍ପିମରା ଓ ନିମ୍ନମାନର କାଜୁ ସାଙ୍ଗକୁ ଏକ କେଜି କାଜୁ ପ୍ୟକେଟରେ ଏକ ଶହ ଗ୍ରାମରୁ ଦେଢ ଶହ ଗ୍ରାମ ପର୍ଯ୍ୟନ୍ତ କମ ରହୁଥିବା ଦେଖାଯାଉଛି।   ଯଦି କୌଣସି ପର୍ଯ୍ୟଟକ ଏହା ଜଣିପାରିଲେ ଏବଂ ଏ ସଂପର୍କରେ ପ୍ରତିବାଦ କଲେ ତେବେ ବ୍ୟବସାୟୀଙ୍କର ଆକ୍ରୋଶର ଶିକାର ହୋଇଥିବା ନଜିର ମଧ୍ୟ ରହିଛି। ଅସାଧୁ କାଜୁ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ବିଭିନ୍ନ ସମରେ ଅପ୍ରୀତିକର ପରିସ୍ଥିତି ଉପୁଜି ଥାନା ପର୍ଯ୍ୟନ୍ତ କଥା ଆସିଛି। ହେଲେ ପର୍ଯ୍ୟଟକ ଏଠାରେ ନ୍ୟାୟ ପାଇବା ପରିବର୍ତ୍ତେ ଶୋଷଣର ଶିକାର ହୋଇ ନିରାଶରେ ଫେରିଥାନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନଥିବାରୁ ଏମାନେ ଦିନ ଦ୍ୱିପ୍ରହରରେ ପର୍ଯ୍ୟଟକଙ୍କଠାରୁ ଲୁଟ କରୁଛନ୍ତି। ଏ ସଂପର୍କରେ ପର୍ଯ୍ୟଟକମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇ ନ ଥିବାବେଳେ ହସ୍ତଶୀଳ୍ପ ବ୍ୟବସାୟୀ ମହାସଂଘ ସଭାପତି ଶ୍ରୀ ନାୟକ ଓ ସଭ୍ୟମାନଙ୍କ ନେତୃତ୍ୱରେ ନିଆଯାଇଥିବା ଏହି ପଦକ୍ଷପକୁ ସବୁ ମହଳରେ ସ୍ୱାଗତ କରାଯାଇଛି।

Share :