ଭାଷା ତଦାରଖ କରନ୍ତୁ

ଭାଷା ତଦାରଖ କରନ୍ତୁ

Share :

ବୈଷ୍ଣବ ଚରଣ ପରିଡ଼ା, ପୂର୍ବତନ ସାଂସଦ   ଓଡିଆ ଭାଷାର ସୁରକ୍ଷା ଓ ଓଡ଼ିଆରେ ଓଡ଼ିଶାର ଶାସନ ଦାବୀକରି ଗତ ଚାରିବର୍ଷ ଧରି ଚାଲିଥିବା ଭାଷା ଆନ୍ଦୋଳନ ଚାପରେ ରାଜ୍ୟ ସରକାର ୧୯୫୪ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଆଇନର ସଂଶୋଧନ କରି ନିୟମାବଳୀ ପ୍ରଣୟନ କରିଛନ୍ତି। ଏହି ନିୟମାବଳୀ ଅନୁଯାୟୀ ଗତ ଅଗଷ୍ଟ ୧୬ରୁ ରାଜ୍ୟ ପ୍ରଶାସନ, ନିମ୍ନ ଅଦାଲତ ଓ ବିଧାନସଭାର କାର୍ଯ୍ୟ ଓଡ଼ିଆ ଭାଷାରେ କରିବେ ବୋଲି ଘୋଷଣା କରିଛନ୍ତି। ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଜଣେ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଭାଷା ବିଭାଗ ବା ଡିଭିଜନ ଗଠନ ହୋଇଛି। ଏହି ବିଭାଗର କାର୍ଯ୍ୟକୁ ପ୍ରତି ଛ’ ମାସରେ ଥରେ ଲେଖାଁ ସମୀକ୍ଷା କରିବା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି। ଏହା ଭାଷା ଆନ୍ଦୋଳନ ତଥା ପ୍ରତ୍ୟେକ ଭାଷାପ୍ରେମୀ ଓଡିଆମାନଙ୍କ ପାଇଁ ଏକ ଗୌରବର କଥା।   ସରକାରଙ୍କ ଘୋଷଣା ଶୁଣି ଓଡ଼ିଶାର ଅନେକ ଲୋକ ଆନନ୍ଦରେ ଉତ‌୍‍ଫୁଲ ହୋଇ ଉଠିଥିଲେ। ବିଶେଷ କରି ସେଇସବୁ ଲୋକ ଉଲ୍ଲସିତ ହୋଇଥିଲେ ଯେଉଁମାନେ ଗତ ଚାରିବର୍ଷ ଧରି ଶହଶହ ସଭା ସମିତି କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷାଧିକ ଚିଠି ଲେଖିଛନ୍ତି, ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି, ଅନଶନରେ ବସିଛନ୍ତି, ରାଜ୍ୟସାରା ମଶାଲ ଶୋଭାଯାତ୍ରା କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି। ସେମାନେ ଭାବିଥିଲେ ଦୀର୍ଘ ୬୨ ବର୍ଷ ପରେ ଓଡ଼ିଶାରେ ଏଥର ଓଡ଼ିଆରେ ଶାସନ ସ୍ଖଲିବ। କିନ୍ତୁ ଲୋକଙ୍କ ସ୍ଖପରେ ପଡ଼ି ସରକାର ଯାହା କରିଛନ୍ତି ତାହା ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନା ଏହାକୁ ବିଫଳ କରିଦେବା ପାଇଁ, ସେ ନେଇ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଗଭୀର ସନ୍ଦେହ ସୃଷ୍ଟି ହୋଇଛି।   କାରଣ ସରକାର ଯେଉଁ ନିୟମାବଳୀ ପ୍ରଣୟନ କରିଛନ୍ତି ତାହା ଅତ୍ୟନ୍ତ ଅଧାପନ୍ତରିଆ ଓ ତ୍ରୁଟିପୂର୍ଣ୍ଣ। ତାହା ନ ହୋଇଥିଲେ ଯେଉଁ ଓଡ଼ିଆ ବିରୋଧୀ ଅମଲାତନ୍ତ୍ର ଆଇନକୁ କାର୍ଯ୍ୟକାରି କରିବ ପୁଣି ତାରି ହାତରେ ସେହି କାର୍ଯ୍ୟର ତଦାରଖ କରିବାର ଦାୟିତ୍ୱ ସରକାର କିପରି ସଅଁପି ଦେଇଥାନ୍ତେ? ଏଥି ସହିତ ନିୟମାବଳୀରେ ରଖାଗଲା ଯେଉଁମାନେ ସରକାରଙ୍କୁ ଓଡ଼ିଆରେ ଚିଠିପତ୍ର ଲେଖିବେ ସେମାନଙ୍କୁ ସରକାର ଓଡ଼ିଆରେ ଉତ୍ତର ଦେବେ ଏବଂ ଇଂରେଜୀରେ ଲେଖିଲେ ଇଂରେଜୀରେ ଉତ୍ତର ମିଳିବ। ଜାନକୀବାବୁଙ୍କ ପରେ ବିଜୁବାବୁ ୧୯୯୦ରେ କ୍ଷମତାକୁ ଆସିଲାପରେ ଘୋଷଣା କରିଦେଲେ, ଯିଏ ଓଡ଼ିଆରେ ପାରିବ ଓଡ଼ିଆରେ ଲେଖ ଏବଂ ଯିଏ ଇଂରାଜୀରେ ଚାହୁଁଛି ଇଂରାଜୀରେ ଲେଖୁ। ଗୋଳିପାଣି କଙ୍କଡ଼ାକୁ ସୁହାଇଲା ଭଳି ସମସ୍ତ ସରକାରୀ ଅଫିସର ଇଂରାଜୀରେ ଲେଖିଲେ। ଓଡ଼ିଆ ଭାଷା ବେଇଜତ‌୍‍ ହୋଇ ମୁଣ୍ଡରେ ଓଢ଼ଣି ଢାଙ୍କି ଚୁପଚାପ ରହିଗଲା।   ଆମ ସରକାର ଓ ଅମଲାତନ୍ତ୍ରର ଓଡ଼ିଆ ଭାଷାପ୍ରେମ ଓ ଆନ୍ତରିକତା ସଂପର୍କରେ ଓଡ଼ିଶାର ଲୋକେ ଭଲଭାବେ ଜାଣନ୍ତି। ଗତ ୬୨ ବର୍ଷଧରି ଅଫିସରମାନେ ଓଡ଼ିଆରେ ଲେଖାପଢ଼ା କରିବାକୁ ଭୁଲିଗଲେଣି। ଅଣଓଡ଼ିଆ ଅଫିସରମାନଙ୍କର ଓଡ଼ିଆରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଜ୍ଞାନ ପୂର୍ବର ୩ୟ ଶ୍ରେଣୀର ଜ୍ଞାନ ସହିତ ସମାନ ହେବନାହିଁ। ଅନେକ ଇଂରେଜୀ ମାଧ୍ୟମ ସ୍କୁଲରେ ପଢ଼ିଛନ୍ତି। ସରକାର ନଥିପତ୍ର କାମ କରିବା ପାଇଁ ସେମାନଙ୍କୁ ଆଉରି ଅନେକ ଶିଖିବାକୁ ହେବ ଓ ଅଭ୍ୟାସ କରିବାକୁ ପଡ଼ିବ। ଏତେ କଷ୍ଟ କରିବା ଅପେକ୍ଷା ଆଇନରେ ଫାଙ୍କ ରଖିଦେଇ ସେଇବାଟେ ପଳେଇଯିବାଟା ସେମାନଙ୍କ ପାଇଁ ସହଜ ହେବ। ସେଥିପାଇଁ ଭାଷା ସୁରକ୍ଷା ସମ୍ମିଳନୀ ଦାବୀ କରି ଆସିଛି ଆଇନରେ ଏପରି ବ୍ୟବସ୍ଥା ରହୁ ଯଦ୍ୱାରା ଆମ ଭାଷା ଆଇନ ଗତ ୬୨ ବର୍ଷ ଧରି ଯେପରି ଅଣଦେଖା ଅବସ୍ଥାରେ ପଡି ରହିଥିଲା ସେପରି ନହେଉ। ସରକାର ଭାଷା ଆଇନକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ନିମିତ୍ତ ଏଥିରେ ଏକ ନିରପେକ୍ଷ କ୍ଷମତାସଂପନ୍ନ ଭାଷା ଆୟୋଗ ଗଠନର ନିମିତ୍ତ ପ୍ରବଧାନ କରନ୍ତୁ।   ଏଥିସହିତ ଯେଉଁ ଅମଲା ବା ଅଫିସରମାନେ ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ଖିଲାଫ କରିବେ ସେମାନଙ୍କ ପ୍ରତି ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହୁ। ଭାଷା ଆୟୋଗ ଅମଲାତନ୍ତ୍ରଠାରୁ ସଂପୂର୍ଣ୍ଣ ଅଲଗା ରହିବ ଏବଂ ଓଡ଼ିଆ ଭାଷାକୁ ଶ୍ରଦ୍ଧା କରୁଥିବା ବିଶିଷ୍ଟ ବିଚାରପତି, ବରିଷ୍ଠ ସାମ୍ୱାଦିକ, ଭାଷାବିତ‌୍‍ ଓ ପୂର୍ବତନ ପ୍ରଶାସକଙ୍କୁ ନେଇ ଗଠିତ ହେବ। କେନ୍ଦ୍ର ସରକାରଙ୍କର ରାଷ୍ଟ୍ରଭାଷା ଆୟୋଗ, ଆନ୍ଧ୍ରପ୍ରଦେଶର ଭାଷା ଆୟୋଗ ବା କର୍ଣ୍ଣାଟକର କନ୍ନଡ଼ ଭାଷା ବିକାଶ ଆୟୋଗ ଭଳି ଏକ କ୍ଷମତା ସଂପନ୍ନ ଅର୍ଦ୍ଧ-ନ୍ୟାୟିକ ଅନୁଷ୍ଠାନ ବା ଷ୍ଟାଚ୍ୟୁଟାରୀ ବଡି ଭଳି କାର୍ଯ୍ୟକରିବ। ଏହାର କାର୍ଯ୍ୟହେବ ଅମଲାତନ୍ତ୍ର ସରକାରୀ ଭାଷା ଆଇନକୁ କିପରି କାର୍ଯ୍ୟକାରୀ କରୁଛି ତାକୁ ତଦାରଖ ବା ମନିଟରିଂ କରିବ। ଆବଶ୍ୟକମତେ ଏହିସବୁ କ୍ଷେତ୍ରରେ ଇଂରେଜୀ ବଦଳରେ ଓଡ଼ିଆ ଭାଷାର ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ସୁପାରିଶ କରିବ। ଅନିଚ୍ଛୁକ ଅଫିସରମାନେ ଯେଉଁଠି ଆଇନକୁ କାର୍ଯ୍ୟକାରୀ ନକରୁଛନ୍ତି ସେମାନଙ୍କ ସଂପର୍କରେ ସରକାରଙ୍କୁ ଅବହିତ କରିବ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେବ। କେନ୍ଦ୍ର ଏବଂ ଅନ୍ୟ ରାଜ୍ୟ ସରକାରଙ୍କର ଭାଷା ଆୟୋଗଗୁଡ଼ିକ ପରି ଏହାର ରିପୋର୍ଟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିବେ। ଏହି ରିପୋର୍ଟ ଉପରେ ବିଧାୟକମାନେ ଆଲୋଚନା ମଧ୍ୟ କରିପାରିବେ। ଭାଷା ଆୟୋଗ ଓ ଦଣ୍ଡବିଧାନ ବ୍ୟବସ୍ଥା ନରହିଲେ ଅମଲାତନ୍ତ୍ର ଆଇନକୁ ଖାତିର କରିବ ନାହିଁ। ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ବହୁ ରାଜନୈତିକ ନେତାଙ୍କର ହେୟ ମନୋଭାବ ଓ ଅମଲାତନ୍ତ୍ରର ଲୁକ୍କାୟିତ ଷଡଯନ୍ତ୍ରର ଶିକାର ହେବ ଭାଷା ଆଇନ ଓ ଓଡ଼ିଆ ଭାଷା। ତେଣୁକରି ସରକାର ଏତେ ବର୍ଷପରେ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପଦକ୍ଷେପ ନେଲେ ତାକୁ ଓଡ଼ିଆ ଲୋକେ ସ୍ୱାଗତ ନ କରି ଏହାର କାର୍ଯ୍ୟକାରିତାକୁ ନେଇ ଗଭୀର ଆଶଙ୍କା ପ୍ରକାଶ କରିଛନ୍ତି।   ଆମକୁ ମନେ ରଖିବାକୁ ହେବ ଏକ ଅଧାପନ୍ତରିଆ ତ୍ରୁଟିପୂର୍ଣ୍ଣ ଆଇନ ଓ ଆଇନରେ ଫାଙ୍କ ଦ୍ୱାରା ଅଭିଷ୍ଟ ଫଳ ମିଳେ ନାହିଁ। ଯେଉଁମାନଙ୍କର ଏପରି ଏକ ଆଇନକୁ କାର୍ଯ୍ୟକାରୀ ନକରିବାକୁୁ ମନ୍ଦ ଉଦ୍ଦେଶ୍ୟଥାଏ ସେମାନେ ଏହି ଦରପନ୍ତରିଆ ଆଇନ ବା ଆଇନରେ ଫାଙ୍କ ଦ୍ୱାରା ଆଇନକୁ ଧୀରେଧୀରେ ଅକାମି କରି ଦିଅନ୍ତି। ଠିକ‌୍‍ ଏହିପରି ଘଟିଥିଲା ୧୯୫୪ ସରକାରୀ ଭାଷା ଆଇନ କ୍ଷେତ୍ରରେ। ନବକୃଷ୍ଣ ଚୌଧୁରୀ ଓଡ଼ିଶା ବିଧାନସଭାରେ ଆଇନଟିକୁ ପାଶ‌୍‍ କରିଦେଲେ। କିନ୍ତୁ ଏଥିରେ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ନିୟମାବଳୀ ପ୍ରଣୟନ କରିବା ନିମିତ୍ତ ସରକାରଙ୍କ ପ୍ରତି ନିର୍ଦ୍ଦେଶ ନଥିଲା। ଏହି ତ୍ରୁଟିର ସୁଯୋଗ ନେଇ ଓଡ଼ିଶାର କେତେକ ମୁଖ୍ୟମନ୍ତ୍ରୀ ଓ ଅମଲାମାନେ ଭାଷା ଆଇନଟିକୁ କାର୍ଯ୍ୟକାରୀ କଲେ ନାହିଁ। ନବକୃଷ୍ଣ ଚୌଧୁରୀ ବା ଜାନକୀବାବୁ ଯଦି ଆଇନର ନିୟମାବଳୀ ପ୍ରଣୟନ ଓ ଭାଷା ଆୟୋଗ ଗଠନ କଥାଟିକୁ ଆଇନର ଅନ୍ତଭୁର୍କ୍ତ କରିଦେଇଥାନ୍ତେ ତେବେ ସେମାନଙ୍କ ପରେ ଏବେ ବି ଓଡ଼ିଆରେ ଓଡ଼ିଶାର ଶାସନ ଚାଲୁଥାନ୍ତା। ସରକାରଙ୍କ ପାଇଁ ଅତୀତର ଏହି ଅଭିଜ୍ଞତାରୁ ଶିକ୍ଷାଲାଭ କରି ଭାଷା ଆୟୋଗ ଗଠନକୁ ଆଇନରେ ଓ ଦଣ୍ଡବିଧାନ ବ୍ୟବସ୍ଥାକୁ ନିୟମାବଳୀରେ ଅନ୍ତଭୁୁର୍କ୍ତ କରିବା ଏକ ବୁଦ୍ଧିମତାର କାର୍ଯ୍ୟହେବ। ଏଇ ଦୁଇଟି ବ୍ୟବସ୍ଥା ଭାଷା ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ଗ୍ୟାରେଂଟି ଭଳି କାର୍ଯ୍ୟକରିବ। ତେଣୁ କରି ଭାଷା ସୁରକ୍ଷା ସମ୍ମିଳନୀ ୨୦୧୩ ମସିହାରୁ ତା’ର ୧୧ ଦଫା ଦାବୀ ମଧ୍ୟରେ ଭାଷା ଆୟୋଗ ଗଠନ ଓ ଦଣ୍ଡବିଧାନ ବ୍ୟବସ୍ଥାକୁ ଏକ ନମ୍ୱର ଦାବୀ ରୂପେ ଉପସ୍ଥାପନ କରି ଆସିଛି।   ଆମ ରାଜ୍ୟର ରାଜନୀତି ଓ ସଂସ୍କୃତି ଉପରେ ବୁଦ୍ଧିଜୀବୀମାନଙ୍କର ଯେତେ ପ୍ରଭାବ ନାହିଁ ଅମଲାତନ୍ତ୍ରର ପ୍ରଭାବ ଅନେକ ଅଧିକ। ଯେଉଁଠି ରାଜନୈତିକ ନେତୃତ୍ୱ ଦୁର୍ବଳ ଓ ଦୂରଦୃଷ୍ଟିହୀନ ସେଠି ଅମଲାତନ୍ତ୍ରର ପ୍ରଭାବ ବେଶି। ଯେଉଁ ଦେଶର ରାଜନୈତିକ ନେତୃତ୍ୱ ଅମଲାତନ୍ତ୍ର ଉପରେ ଶାସନର ଦାୟିତ୍ୱ ଛାଡ଼ିଦିଏ ସେ ଦେଶର ବିକାଶ ବାଟବଣା ହେବାକୁ ବାଧ୍ୟ। କାରଣ ଅମଲାତନ୍ତ୍ରର ଚରିତ୍ର ହେଲା ଦୁର୍ନୀତିକୁ ନୀତିରେ ପରିଣତ କରିବା ଏବଂ ଲୋକଙ୍କ ସ୍ୱାର୍ଥରେ ମୌଳିକ ପରିବର୍ତ୍ତନକୁ ବିରୋଧ କରିବା। ତେଣୁ ଗୋଟିଏ ଜାତିର ପ୍ରିୟ ମାତୃଭାଷାର ଦାୟିତ୍ୱ ଅମଲାତନ୍ତ୍ର ଉପରେ ଛାଡ଼ିଦେଲେ ସେ ଭାଷା କେଭେ ଉଧେଇବ ନାହିଁ। ତା ନହୋଇଥିଲେ ଆମର ଭାଷା, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବିଦ୍ୟାଳୟ ଓ ଭାଷା ପ୍ରତିଷ୍ଠାନର ଅବସ୍ଥା ଏପରି ଦୟନୀୟ ହୋଇ ନଥାନ୍ତା। ତେଣୁ ଓଡିଆ ଜାତିର ସ୍ୱାଭିମାନ ତଥା ଓଡିଆ ଭାଷାର ଭବିଷ୍ୟତ ସହିତ ସଂପୃକ୍ତ ଏହି ଆଇନକୁ ସରକାର ବିଭିନ୍ନ ସ୍ତରରେ କିପରି କାର୍ଯ୍ୟକାରୀ କରୁଛନ୍ତି ତାକୁ ଜନସାଧାରଣ ତଦାରଖ କରିବା ଏକାନ୍ତ ଜରୁରୀ ହୋଇ ପଡିଛି।   ଭାଷା ଆୟୋଗ ଗଠନ ନକରି ମୁଖ୍ୟ ଶାସନ ସଚିବ ଇତିମଧ୍ୟରେ ଘୋଷଣା କରିଛନ୍ତି ଯେ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରୁଛନ୍ତି। ଭାଷା ଆଇନ ଲାଗୁ ହେବାର ପ୍ରାୟ ତିନିମାସ ହେବାକୁ ଯାଉଛି। ବିନା ଭାଷା ଆୟୋଗରେ ସରକାର କିପରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି ତାକୁ ଜନସାଧାରଣ ତଦାରଖ କରିବା ଏକାନ୍ତ ଜରୁରୀ। ଇତିମଧ୍ୟରେ ଭାଷା ସୁରକ୍ଷା ସମ୍ମିଳନୀ ସଚିବାଳୟଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଗଣ ତଦାରଖି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସଚିବାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରୀୟ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ପ୍ଭୋରପାଳିକା ଆଦିରେ ଇଂରେଜୀ ପରିବର୍ତ୍ତେ ଓଡିଆରେ କାର୍ଯ୍ୟ ହେଉଛି କି ନାହିଁ ଏବଂ ସରକାରୀ ତଥା ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କର ନାମଫଳକଗୁଡିକ ଓଡିଆରେ ଲେଖାଯାଉଛି କି ନାହଁ ତା’ର ତଦାରଖ  କରିବା। ଏଥିସହିତ ଶିକ୍ଷା କ୍ଷେତ୍ରରେ ଓଡିଆକୁ ପ୍ରାଧାନ୍ୟ ଦିଆଯାଉଛି କି ନାହିଁ ତଦାରଖ କରାଯିବ ଓ ଭାଷା ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରୀ କଳର ଶିଥିଳତା ଓ ବିମୁଖତା ଯଦି ଦେଖାଯାଉଥାଏ ତେବେ ସେ ସଂପର୍କରେ ଜନସାଧାରଣଙ୍କୁ ଅବହିତ କରାଯିବ ଏବଂ ଆବଶ୍ୟକ ହେଲେ ଆନ୍ଦୋଳନ ହେବ। ଉଭୟ ଜନସାଧାରଣଙ୍କର ଚାପ ଓ ସରକାରଙ୍କର ଆନ୍ତରିକତା ଉପରେ ଭାଷା ଆଇନର ସଫଳ କାର୍ଯ୍ୟାୟନ ନିର୍ଭର କରୁଛି। ଓଡିଆମାନେ ନିଜ ମାତୃଭାଷାରେ ଶାସନ ପାଇଁ ସ୍ୱର ଉତ୍ତୋଳନ ନକଲେ ଭାଷା ଆଇନ କାର୍ଯ୍ୟକାରୀ ନହୋଇ ପୁଣି ପୂର୍ବପରି ସରକାରଙ୍କର ଶୀତଳ ଭଣ୍ଡାରରେ ପଡିରହିବ।    ଭାଷା ଆଇନକୁ କାର୍ଯ୍ୟକାରୀ କରାଇବା ପାଇଁ ଆନ୍ଦୋଳନ କରିବା ସହିତ ଓଡିଆମାନେ ଯେପରି ନିଜ ମାତୃଭାଷାକୁ ଆଦର କରିବେ ଏବଂ ନିଜର ପାରିବାରିକ ତଥା ସାମାଜିକ ଜୀବନରେ ଏହାକୁ ବ୍ୟବହାର କରିବେ ସେଥିପାଇଁ  ଭାଷା ସୁରକ୍ଷା ସମ୍ମିଳନୀ ପ୍ରାରମ୍ଭରୁ ଜନଚେତନା ସୃଷ୍ଟି କରିଆସିଛି। ସୁଖର କଥା ଏ କ୍ଷେତ୍ରରେ ସମ୍ମିଳନୀ କିଛି ପରିମାଣରେ ସଫଳତା ଅର୍ଜନ କରିଛି। କେବଳ ସରକାରଙ୍କ ଉପରେ ନିର୍ଭର କରି କୌଣସି ଭାଷା ସଂସ୍କୃତି ବଂଚିପାରେ ନାହିଁଁ। ଏସବୁର ସୁରକ୍ଷା ଓ ବିକାଶ ପାଇଁ ଜନସାଧାରଣଙ୍କର ସଂପୃକ୍ତି ଓ ଦାୟିତ୍ୱବୋଧ ଏକାନ୍ତ ଜରୁରୀ। ଏଥିପାଇଁ ଓଡିଆମାନଙ୍କ ମଧ୍ୟରେ ହଜି ଯାଉଥିବା ଜାତୀୟତାବୋଧ ଓ ଭାଷା ପ୍ରୀତିକୁ ପୁଣି ଜାଗ୍ରତ କରିବାକୁ ହେବ। ଭାଷା ସୁରକ୍ଷା ସମ୍ମିଳନୀ ଏହି ଜାତୀୟ ଜାଗରଣ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ଭାଷା ସମ୍ମିଳନୀମାନ ଆୟୋଜନ କରିବା ସହିତ ବିଭିନ୍ନ ଶିକ୍ଷା, ସାଂସ୍କୃତିକ ଅନୁଷ୍ଠାନ ଓ ଓକିଲ ସଂଘମାନଙ୍କ ସହାୟତାରେ ସଭା ଓ ଆଲୋଚନାଚକ୍ରମାନ ଆୟୋଜନ କରିବ। ଦୀର୍ଘ ୬୨ ବର୍ଷ ପରେ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ଏବେ ସମଗ୍ର ଓଡିଆ ଜାତି ପାଇଁ ଏକ ବିରାଟ ଚାଲେଞ୍ଜ ବା ଆହ୍ୱାନ ସୃଷ୍ଟି କରିଛି। ବର୍ତମାନର ଓଡିଆମାନେ ଏହି ଜାତୀୟ କର୍ତବ୍ୟଟି ପାଳନ ନକରି ପାରିଲେ ଓଡିଆ ଜାତିକୁ ଅନେକ ମୂଲ୍ୟ ଦେବାକୁ ପଡିବ ଏବଂ ଆମ ଭବିଷ୍ୟତ ବଂଶଧରମାନେ ଆମକୁ କେବେ କ୍ଷମା ଦେବେ ନାହିଁ।   ରାଜ୍ୟ ସଭାପତି, ଭାଷା ସୁରକ୍ଷା ସମ୍ମିଳନୀ ଏନ‌୍‍-୩/୧୨, ଆଇ.ଆର.ସି. ଭିଲେଜ ଭ୍ରାମ୍ୟଭାଷ : ୯୪୩୭୩୦୧୪୧୩

Share :