ସ୍କୁଲ ସ୍ୱାଧୀନତା ଜରୁରୀ

ସ୍କୁଲ ସ୍ୱାଧୀନତା ଜରୁରୀ

Share :

ମନୀଷ ସିସୋଦିଆ   ନିକଟ ଅତୀତରେ ଦିଲ୍ଲୀର ସବୁ ରାଜ୍ୟ ସରକାରଙ୍କ ଶିକ୍ଷାମନ୍ତ୍ରୀମାନଙ୍କର ଏକ ବୈଠକ ହୋଇଥିଲା। ସେଥିରେ କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସଭାପତିତ୍ୱ କରି ସାରା ଦେଶରେ ସରକାରୀ ସ୍କୁଲଗୁଡ଼ିକର ଦୁର୍ଦ୍ଦଶାକୁ ନେଇ ମନର ବ୍ୟଥା ପ୍ରକାଶ କରିଥିଲେ। କହିଥିଲେ ତାଙ୍କ ମା’ ମହାରାଷ୍ଟ୍ରର ଏକ ସୁଦୂର ଗାଆଁରେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ସ୍କୁଲ ଚଳେଇବାରେ ଗାଆଁଲୋକେ ବହୁତ ସହାୟତା କରୁଥିଲେ। କେହି ପିଇବା ପାଣି ଯୋଗେଇ ଦେଉଥିଲେ ତ ଅନ୍ୟ କେହି ସକାଳୁ ଆସି ସ୍କୁଲ ପ୍ରାଙ୍ଗଣରେ ଝାଡ଼ୁପୋଛା କରିଦେଇ ଯାଉଥିଲେ। ଆଉ କେହି ଅନ୍ୟ କୌଣସି ପ୍ରକାରେ ସାହାଯ୍ୟ କରୁଥିଲେ। କିନ୍ତୁ ଆଜିକାଲି ଆଉ ସେକଥା ଦେଖିବାକୁ ମିଳୁନାହିଁ। ମୁଁ ତାଙ୍କୁ କହିଲି, ସେତେବେଳେ ସ୍କୁଲକୁ ଗାଆଁ ସାହିର ଲୋକେ ନିଜର ଭାବୁଥିଲେ। ଏବେ ସେଗୁଡ଼ିକ ସରକାରଙ୍କର ହେଇଯାଇଛି। ସ୍କୁଲ ଆଉ ସମାଜ ଭିତରେ ଥିବା ସେ ନାଡ଼ି କଟି ଯାଇଛି। ସେଇଥିପାଇଁ ସ୍କୁଲଗୁଡ଼ିକ ଭଙ୍ଗା ଦଦରା ହୋଇ ପଡ଼ି ରହୁଛି। ସଫା ସୁତୁରା ରହୁନି।   ଦିନ ଥିଲା ଯେତେବେଳେ ସମାଜ ଆଖ ପାଖ ସ୍କୁଲଗୁଡ଼ିକର ଏମିତି ଅନେକ ଛୋଟ ବଡ଼ ଆବଶ୍ୟକତାକୁ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ସମ୍ଭାଳି ନେଉଥିଲା। ଆଜି ସ୍କୁଲ ବିଲ୍ଡିଙ୍ଗ ସରକାରଙ୍କର। ଜମି ବି ସରକାରଙ୍କର। ସମାଜ କଥା ଛାଡ଼ନ୍ତୁ, ଏଣିକି ତ ସ୍କୁଲ ଆପଣା ହେଡ଼ ମାଷ୍ଟରଙ୍କର ବି ନୁହଁ। ତେଣୁକରି ଆଜି ସ୍କୁଲଗୁଡ଼ିକୁ ସରକାରଙ୍କ ମାଲିକାନାରୁ ସ୍ୱତନ୍ତ୍ର କରିବା ଜରୁରି। ତେବେ ହିଁ ସ୍କୁଲ ସମାଜ ଛିଡ଼ା କରି ପାରିବ। ଗଢ଼ି ପାରିବ। ଶିକ୍ଷାର ଜର୍ଜରତାର କାରଣ ହିଁ ହେଉଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ ଯଦି ଘୁଣ ଲାଗି ଯାଇଥିବା ସ୍କୁଲ ଶିକ୍ଷା ବ୍ୟବସ୍ଥା ବିଷୟରେ ସତରେ ଚିନ୍ତିତ, ତେବେ ଆମେ ତାଙ୍କୁ ସେଥିପାଇଁ ସାଧୁବାଦ ଦେବା ଉଚିତ।   ମୋ ଅଭିପ୍ରାୟ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଶହେ ବର୍ଷ ତଳର ଅବସ୍ଥାକୁ ନେଇଯିବା ନୁହଁ। ସରକାରୀ ସ୍କୁଲଗୁଡ଼ିକୁ ସ୍ୱାତନ୍ତ୍ର୍ୟ ତ ଦରକାର। କିନ୍ତୁ କିଭଳି ଆଉ କେତେ ମାତ୍ରାରେ ସ୍ୱାତନ୍ତ୍ର୍ୟ ଦିଆ ଯିବା ଉଚିତ ସେନେଇ ଆମ ସମସ୍ତଙ୍କ ଭିତରେ ଏକ ଗମ୍ଭୀର ବିମର୍ଶର ପ୍ରୟୋଜନୀୟତା ରହିଛି। ଶିକ୍ଷାକୁ ନେଇ ଦେଶରେ ଅଧିକାଂଶ ବଡ଼ ବଡ଼ ନିଷ୍ପତ୍ତି ଭାରତ ସରକାର ନେଇଥାନ୍ତି। ପୁଣି ବିଭିନ୍ନ ରାଜ୍ୟ ସରକାର, ଶିକ୍ଷା ବୋର୍ଡ଼ କିଛି କିଛି ନିଷ୍ପତ୍ତି ନେଇଥାନ୍ତି। ଉଦାହରଣ ସ୍ୱରୁପ, ସ୍କୁଲ ପାଠ୍ୟକ୍ରମ କ’ଣ ରହିବ? ସ୍କୁଲ ସକାଳେ କେତେବେଳେ ଖୋଲିବ? ବନ୍ଦ ହେବ କେତେବେଳେ? କ’ଣ କ’ଣ ପଢା ହେବ ଆଉ କେତେଟା ପିରିୟଡ଼ ରହିବ ପ୍ରତିଦିନ? ଖେଳିବେ କି ନାହିଁ? ଖେଳିବେ ଯଦି କେତେ ସମୟ ଆଉ କୋଉ ଖେଳ? ସ୍କୁଲ ପରୀକ୍ଷା କେବେ ହେବ? କେମିତି ପରୀକ୍ଷା କରା ହେବ? ସବୁ ନିଷ୍ପତ୍ତି ସରକାର ନିଅନ୍ତି। ଏମିତି କି ପରୀକ୍ଷା ପ୍ରଶ୍ନପତ୍ର ବି ସରକାରୀ ବ୍ୟବସ୍ଥାରୁ ଛପା ହୋଇ ଆସେ।   ଉପରୁ ଯାହା ନିର୍ଦ୍ଦେଶ ଆସିଲା ଶିକ୍ଷକ ସେଇଆ ପଢେଇବେ। ସଫା ଶବ୍ଦରେ କହିବାକୁ ଗଲେ ଶିକ୍ଷକଙ୍କର କାମ ହେଲା ଉପରୁ ନିର୍ଦ୍ଧାରିତ ହୋଇ ଆସିଥିବା ପାଠ୍ୟକ୍ରମକୁ ଯେନତେନ ପ୍ରକାରେ ପିଲାଙ୍କ ମୁଣ୍ଡରେ ଠୁସିଦେବା। ଶିକ୍ଷକଙ୍କର ନିଜସ୍ୱ କିଛି ସାଧୀନତା ନାହିଁ ଏସବୁ ନିଷ୍ପତ୍ତି ନେବାରେ। ଆମ ସିଷ୍ଟମ୍ ବା ଶିକ୍ଷା ବ୍ୟବସ୍ଥା ଶିକ୍ଷକ, ଅଧ୍ୟାପକମାନଙ୍କୁ କିଛି ନୁଆ କରିବାର, ନୁଆ ପ୍ରୟୋଗ କରିବାର ସୁଯୋଗ ହିଁ ଦିଏ ନାହିଁ। ଏକ ବନ୍ଧା ବ୍ୟବସ୍ଥାର ବଳୟ ଭିତରେ ଛନ୍ଦି ଦେଇ କୁହା ହୁଏ ପିଲାଙ୍କୁ ଏଇଆ ପଢାଅ। ଏମିତି ପଢାଅ। ନର୍ସରୀଠୁଁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ, କୋଉ ବି ଶ୍ରେଣୀ କଥା ବିଚାର କରନ୍ତୁ। ଅଧ୍ୟାପକ ଶିକ୍ଷା ବିଭାଗ କିମ୍ବା ଶିକ୍ଷା ବୋର୍ଡ଼ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ପାଠ୍ୟକ୍ରମ, ଦିନଦର୍ଶିକା (କ୍ୟାଲେଣ୍ଡର) ଆଉ ନୀତିର କ୍ରୀତଦାସ ହୋଇ ଯାଇଛନ୍ତି। ପିଲାଙ୍କ ପସନ୍ଦ କ’ଣ, ତାକୁ ଭିତ୍ତି କରି କିଛି ନୂଆ ପାଠ୍ୟ ସାମଗ୍ରୀ କି ନୂଆ ପାଠ୍ୟ ପ୍ରକରଣ ଆପଣେଇବାର ଅଧିକାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନାହିଁ। ସ୍କୁଲ ପ୍ରିନ୍ସିପାଲ ବା ପ୍ରଧାନ ଶିକ୍ଷକମାନଙ୍କର ବି ହାଲତ ସେଇଆ। ଶିକ୍ଷାର ଗୁଣବତ୍ତା, ରଚନାତ୍ମକ ପାଠ୍ୟବିଧି, ବିଜ୍ଞାନ-ସିଦ୍ଧ କୌଶଳର ପ୍ରୟୋଗ- ଏସବୁ ବିଷୟରେ ନିଷ୍ପତ୍ତି ନେବାରେ ତାଙ୍କର ଭାଗିଦାରି ଖୁବ୍ ନଗଣ୍ୟ।   ମଧ୍ୟାହ୍ନ ଭୋଜନରେ ପରସା ଯାଉଥିବା ଡ଼ାଲି ପାଣିଚିଆ ହେଇଛି କି ଠିକ୍ ବହଳ ହେଇଛି? ଭାତ ସିଝିଛି ନା ଦରସିଝା ରହିଗଲା? ସ୍କୁଲ ୟୁନିଫର୍ମ, ବହି, ସ୍କଲର୍ସିପ ଭତ୍ତା ଠିକ୍ ସମୟରେ ମିଳିଲା କି ନାହିଁ? ଏଇଆ ହିଁ ହେଉଛି ଆଜି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନେତୃତ୍ୱ, ପାରଗତା ଆଉ ସଫଳତାର ମାନକ। ସ୍କୁଲରେ ପାଠ ପଢୁଥିବା ପିଲାଏଁ କ’ଣ ଶିଖିଲେ? କେତେ ଶିଖିଲେ? ଦିଆ ଯାଉଥିବା ଶିକ୍ଷାରୁ ତାଙ୍କ ଆଚାର ବ୍ୟବହାର କି ବୁଦ୍ଧିମତ୍ତାରେ କେତେ ବିକାଶ ପରିଦୃଷ୍ଟ ହେଲା? ନା ଏ ବିଷୟର ସ୍କୁଲ ପ୍ରଧାନଙ୍କୁ ପ୍ରଶ୍ନ ପଚରା ଯାଉଛି ନା ତା’ର ଆକଳନ ପାଇଁ ତାଙ୍କୁ ସମୟ କି ପ୍ରୋତ୍ସାହନ ଦିଆ ଯାଉଛି!   ଦିଲ୍ଲୀରେ ଏମିତି ବି ବଡ଼ ବଡ଼ ସ୍କୁଲ ଅଛି ଯେଉଁଥିରେ ତିନିରୁ ଚାରି ହଜାର ପିଲା ପାଠ ପଢନ୍ତି। ଅନ୍ୟ ରାଜ୍ୟମାନଙ୍କରେ ବି ଥିବ। ସେ ସ୍କୁଲ କ୍ୟାମ୍ପସ ଏତେ ବଡ଼ ଯେ ୟାର ଉପଯୁକ୍ତ ରକ୍ଷଣାବେକ୍ଷଣ କାଠିକାର ପାଠ। ସେଥିପାଇଁ ପୂରା ସମୟ ଦରକାର ଜଣେ ଲୋକକୁ। ଏପର୍ଯ୍ୟନ୍ତ ଏ ଦାୟିତ୍ବ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ହାତରେ ଥିଲା। ତେଣୁ ଆମ୍ ଆଦମୀ ପାର୍ଟିର ସରକାର ଆସିଲା ପରେ ଆମେ ଏ ସବୁ ସ୍କୁଲଗୁଡ଼ିକରେ ଜଣେ ଲେଖାଁ ଇଷ୍ଟେଟ୍ ମ୍ୟାନେଜର ନିଯୁକ୍ତ କଲୁ। ସ୍କୁଲ ବିଲ୍ଡିଙ୍ଗ ଠିକଠାକ୍ ଅଛି କି ନାହିଁ? ପ୍ରତିଦିନ ସକାଳେ ସଫେଇ କାମ ଠିକରେ ହେଲା କି ନାହିଁ? ପିଇବା ପାଣି ଆସୁଛି କି ନାହିଁ? ଖେଳ ପଡ଼ିଆର ଘାସରେ ପାଣି ଦିଆ ହେଉଛି କି ନାହିଁ? ଗଛଲତା ବଢି ଜଙ୍ଗଲ ହୋଇଯାଇନି ତ! ଏସବୁ କାମ ତଦାରଖ କରିବାର ମୁଣ୍ଡବଥାରୁ ପ୍ରଧାନ ଶିକ୍ଷକଙ୍କୁ ନିବୃତ୍ତି ମିଳିଗଲା। ଇଷ୍ଟେଟ୍ ମ୍ୟାନେଜର ନିଯୁକ୍ତି, ସେ ନିଜ କାମ ନିପୁଣ ଭାବରେ କରୁଛନ୍ତି କି ନାହିଁ ତାର ତଦାରଖ କରିବା ଏବଂ କାମରେ ଖିଲାପି କଲେ ତାଙ୍କୁ ତୁରନ୍ତ ବହିଷ୍କାର କରିବାର ଅଧିକାର ବି ଆମେ ପ୍ରଧାନ ଶିକ୍ଷକଙ୍କୁ ଦେଇ ଦେଇଛୁ।   ଏଣିକି ସ୍କୁଲ ପିଲାଙ୍କୁ ଆଖପାଖ ପ୍ରମୋଦ ଉଦ୍ୟାନ, ଚିଡ଼ିଆଖାନା, ପ୍ଲାନେଟାରିଅମ୍, ସାଇନ୍ସ୍ ମ୍ୟୁଜିୟମ କିମ୍ବା କଳା, ସଙ୍ଗୀତ ସଂସ୍ଥାନକୁ ଟୁରରେ ନେଇ ଯିବାକୁ କିମ୍ବା ସ୍କୁଲରେ ପିଲାଙ୍କ ଚାହିଦା ମୁତାବକ ନୃତ୍ୟ, ସଙ୍ଗୀତ, କଳା ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବାର ସଂପୂର୍ଣ୍ଣ ସ୍ୱାଧୀନତା ପ୍ରଧାନ ଶିକ୍ଷକଙ୍କୁ ଦିଆ ଯାଇଛି। ଆଗରୁ ଏମିତି ଛୋଟ ଛୋଟ ଆବଶ୍ୟକତା ପୂରଣ ପାଇଁ ଆବଶ୍ୟକ ହେଉଥିବା ଦଶ ପନ୍ଦର ହଜାର ଟଙ୍କାର ମଞ୍ଜୁରି ପାଇଁ ବି ଫାଇଲ ପଠା ହେଉଥିଲା ଦିଲ୍ଲୀ ସରକାର ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକଙ୍କ ପାଖକୁ। ଶହ ଶହ ସ୍କୁଲ। ହଜାର ହଜାର ଫାଇଲ। ପୂରା ଶିକ୍ଷା ବର୍ଷ କଟି ଗଲା ପରେ ବି ମଞ୍ଜୁରି ମିଳି ପାରୁ ନଥିଲା। ଏବେ ଆଉ ସେ ବାଧକତା ନାହିଁ।   ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି ବି ସରକାରଙ୍କର ଦାୟିତ୍ବ ଥିଲା। ସମୟ ସାପେକ୍ଷ ଢଙ୍ଗରେ ଆବଶ୍ୟକ ସ୍ଥଳେ ଶିକ୍ଷକ ନିଯୁକ୍ତିରେ ଖାଲି ଦିଲ୍ଲୀ ସରକାର କାହିଁକି ଅନ୍ୟ ତମାମ ରାଜ୍ୟ ସରକାର ବିଫଳ ହେଇଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଦୁଃଖୀ ହେଉଥିଲେ। ପ୍ରଧାନ ଶିକ୍ଷକଙ୍କ ନିକଟରେ ଗୁହାରି କରୁଥିଲେ, ଶିକ୍ଷକ ଅଭାବରୁ ପିଲାଙ୍କ ପାଠପଢା ବ୍ୟାହତ ହେଉଛି। ପାଠ୍ୟକ୍ରମ ସରି ପାରୁନି। ଆମେ ଆଇନ ତିଆରି କରିଦେଲୁ ଯେ ଏଣିକି ଯଦି କେଉଁ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିଛି, ପ୍ରଧାନ ଶିକ୍ଷକ ସ୍ୱଳ୍ପ ଅବଧି ପାଇଁ ନିଜ ବିବେଚନାରେ ଉପଯୁକ୍ତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ ପଦରେ ନିଯୁକ୍ତି ଦେଇ ପାରିବେ।   ଆମକୁ ସରକାରୀ ଶିକ୍ଷା ବିଭାଗ କାମର ପୁନଃ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରାଳୟ ଆଜି ଶିକ୍ଷା ପ୍ରଦାନର କାମ କରୁଛି। ଯେବେ କି ଶିକ୍ଷା ପ୍ରଦାନ କାମ ହେଲା ଶିକ୍ଷକ, ଶିକ୍ଷୟିତ୍ରୀଙ୍କର। ଶିକ୍ଷା ବିଭାଗର କାମ ହେଲା ଉପଯୁକ୍ତ ମାନର ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆବଶ୍ୟକ ସୁବିଧା, ଆର୍ଥିକ ସମ୍ବଳ ଉପଲବ୍ଧ କରେଇବା। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା ଆମେ ଏମିତି ଏକ ପ୍ରଶାସନିକ ବ୍ୟବସ୍ଥା ଛିଡ଼ା କରେଇ ଦେଇଛେ ଯେଉଁଠି ଶିକ୍ଷାମନ୍ତ୍ରୀ, ସଚିବଙ୍କଠୁଁ ଆରମ୍ଭ କରି ସ୍କୁଲ ନିରୀକ୍ଷକ ଭାବି ନେଇଛନ୍ତି ଯେ ସେମାନେ ହିଁ ଶିକ୍ଷାଦାନର ଭାର ମୁଣ୍ଡେଇଛନ୍ତି। ନା, ସେ କଳ୍ପନା ଟା ହିଁ ଭୁଲ। ତାଙ୍କ କାମ କେବଳ ହେଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷା ଦାନରେ ସହାୟତା ପ୍ରଦାନ। ସରକାରୀ କଳକୁ ତେଣୁ ନିଜ ଦାୟିତ୍ବର ପରିସୀମା ବୁଝିବାକୁ ପଡ଼ିବ।   ବାକି ରହିଲା ସ୍କୁଲକୁ ସମାଜ ସହିତ ଯୋଡ଼ିବା ପ୍ରସଙ୍ଗ। ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକରେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଏ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଉଛନ୍ତି। ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପିତାମାତାଙ୍କ ଭିତରୁ ନିର୍ବାଚନ ଜରିଆରେ ଏସବୁ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗଠନ କରା ଯାଇଛି। ସେମାନେ ସ୍କୁଲ ସଞ୍ଚାଳନାରେ ଖୁବ୍ ପ୍ରଶଂସନୀୟ ସହଯୋଗ ପ୍ରଦାନ କରୁଛନ୍ତି। ସ୍କୁଲକୁ ସମାଜ ସହିତ ଯୋଡ଼ିବାର ଅନ୍ୟ ଏକ ଅଭିନବ ପ୍ରୟୋଗ ଆମେ ଦିଲ୍ଲୀରେ ଆପଣେଇଛୁ। ସେଇଟା ହେଲା ନିୟମିତ ପାରେଣ୍ଟସ୍-ଟିଚର୍ସ୍ ମିଟିଙ୍ଗ ବା ଅଭିଭାବକ-ଶିକ୍ଷକ ବୈଠକ। ଏ ପ୍ରୟାସକୁ ଐତିହାସିକ ସଫଳତା ମିଳିଛି ଦିଲ୍ଲୀରେ। ମୁଁ ନିୟମିତ ସରକାରୀ ସ୍କୁଲ ବୁଲୁଛି। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ ନିରନ୍ତର ସମ୍ବାଦ ରଖୁଛି। ପ୍ରଥମ ଥର ପାଇଁ ପିତାମାତା, ଅଭିଭାବକଙ୍କୁ ଲାଗୁଛି ଯେମିତି କି ତାଙ୍କ ପିଲାଙ୍କ ସ୍କୁଲ ତାଙ୍କ ନିଜର। ପିତାମାତା ଚାହୁଁଛନ୍ତି ପାରେଣ୍ଟସ୍-ଟିଚର୍ସ୍ ମିଟିଙ୍ଗ ନିୟମିତ ସମୟ ବ୍ୟବଧାନରେ ହେଉ। ଯଦ୍ଦ୍ୱାରା ସେମାନେ ଶିକ୍ଷକ ଆଉ ନିଜ ପିଲାଙ୍କ ସହିତ ମିଶି ତାଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାର ବିକାଶ ସ୍ୱୟଂ ତଦାରଖ କରିପାରିବେ। ସେମାନେ ନିଜେ ଆଗଭର ହେଇ ସମୟ କାଢି ଆସୁଛନ୍ତି ସ୍କୁଲ ପାଇଁ ଦରକାର ପଡ଼ିଲେ କିଛି କାମ କରିଦେବା ପାଇଁ। ଦିଲ୍ଲୀର ବହୁ ସରକାରୀ ସ୍କୁଲରେ ଅନେକ ପିଲା ନିଜ ଶ୍ରେଣୀ ଉପଯୋଗୀ ବହି ପଢିବାରେ ଅସମର୍ଥ ହେଉଥିଲେ। ଦିଲ୍ଲୀର ସବୁ ସ୍କୁଲ ତେଣୁ ପ୍ରତି ରବିବାର ଦିନ ରିଡ଼ିଙ୍ଗ ମେଳାର ଆୟୋଜନ କରୁଛନ୍ତି। ଏଥିରେ ସଭିଏଁ ଆଗଭର ହେଇ ଭାଗିଦାରି କରୁଛନ୍ତି। ଗତ ଗ୍ରୀଷ୍ମଛୁଟିରେ ଦିଲ୍ଲୀ ସରକାରୀ ସ୍କୁଲଗୁଡ଼ିକରେ ସମର କ୍ୟାମ୍ପ ଆୟୋଜନ ବି ଅଭୁତପୂର୍ବ ସଫଳତା ପାଇଥିଲା। ଏ ପ୍ରୟୋଗ ଅନ୍ୟ କୌଣସି ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କରିନାହାନ୍ତି।   ଶିକ୍ଷା ଓ ସମାଜକୁ ଏକାଠି ଯୋଡ଼ିବା ବିନା ଶିକ୍ଷାକ୍ରାନ୍ତି ସମ୍ଭବ ନୁହେଁ। ସମାଜ ଶିକ୍ଷା ସହିତ ଯୋଡ଼ିବା ପାଇଁ ପ୍ରସ୍ତୁତ ଅଛି। ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଭାବେ ଦୁଇବର୍ଷର ଅଭିଜ୍ଞତାରୁ ମୁଁ ଦାମ୍ଭିକତାର ସହିତ କହି ପାରିବି ଯେ ଆମ ସରକାରୀ ସ୍କୁଲଗୁଡ଼ିକରେ ପ୍ରଧାନ ଶିକ୍ଷକମାନଙ୍କୁ ଯଦି ସ୍ୱାୟତ୍ତତା ଦିଆଯାଏ ସେମାନେ ପ୍ରୋତ୍ସାହିତ ହୋଇ ବହୁଗୁଣା ଅବଦାନ ଦେଇ ପାରିବେ ଶିକ୍ଷାବ୍ୟବସ୍ଥାର ଉନ୍ନତି ପାଇଁ। କିନ୍ତୁ ସେଥିପାଇଁ ତାଙ୍କ ଉପରେ ଭରସା କରି ସେମାନଙ୍କୁ ସେ ପ୍ରକାର ଏକ ସ୍ୱାୟତ୍ତ ପରିବେଶ ଯୋଗେଇ ଦେବାକୁ ପଡ଼ିବ।   ସମାଜ ପ୍ରସ୍ତୁତ ଅଛି। ଶିକ୍ଷକ ପ୍ରସ୍ତୁତ ଅଛନ୍ତି। ବାସ୍, ଖାଲି ସରକାରଙ୍କ ତରଫରୁ ଉପକ୍ରମର ଅପେକ୍ଷା ରହିଛି।   ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ, ଦିଲ୍ଲୀ ସରକାର

Share :