ଜେଇ ମାକଡାମୀର ଖୋଲା ଚିଠି

ଜେଇ ମାକଡାମୀର ଖୋଲା ଚିଠି

Share :

ପରଂବ୍ରହ୍ମ ତ୍ରିପାଠୀ   ମାନନୀୟ ସାର,   ମାଲକାନଗିରିରୁ ମୋର ନମସ୍କାର ନେବେ। ଆପଣ ମତେ ଜାଣି ନଥିବେ। ଜାଣିବା କଣ ଦରକାର ଯେ? ସେଇଥି ପାଇଁ ତ ମୁଁ ନିଜ ଅସଲ ନାଁ ବଦଳରେ ଜେଇ ମାକଡାମୀ ଲେଖୁଛି। ଛୋଟ ମୁଣ୍ଡରେ ଭାବିଲି ଯେ ଜେଇ କହିଲେ ଆପଣ ନିଶ୍ଚିତ ଚିହ୍ନିବେ।   ସାର, ଆମ ଗାଁରେ ଟିଭି ଅଛି। ମହାଜନ ଘରେ। ସେଇଠି ଆମେ ସବୁ ପିଲା କ୍ରିକେଟ ଦେଖୁ। ବା କହୁଥିଲା ବଡବଡିଆ ଲୋକ କୁଆଡେ ଖେଳକୁ ଭାରି ଭଲ ପାଆନ୍ତି। ଘୋଡା ଦଉଡ, କୁସ୍ତି, କ୍ରିକେଟ ଏମିତି କେତେ କ’ଣ ଖେଳ। ଅନ୍ୟ ସବୁ ଖେଳ ତ ସହର ରେ ହଉଥିବ, ମୁଁ ଯାହା ଦେଖିଛି ସେଇକଥା କହୁଛି। କ୍ରିକେଟ କଥା ମ ସାର। କୋହଲି ଯେବେ ଶହେ ମାରେ ତା ବ୍ୟାଟଟାକୁ ଟେକି ଦିଏ, ଟିଭି ସାରା ଲୋକଙ୍କ ସଙ୍ଗେ ଆମେ ବି କହୁ କୋହଲି କୋହଲି। ସାରେ ଆପଣଙ୍କ ଶହେ ତ କେବେଠୁ ଟପିଲାଣି। ଆପଣ ବଡଲୋକ। ସେ ଅଷ୍ଟ୍ରେଲିଆର ବ୍ରାଡ଼ମାନ ଭଳିଆ। କେତେ ଶହେ ମାରିଥିବେ। ଆପଣ କ’ଣ ଆଉ ଏ ଛୋଟମୋଟ ଶହେକୁ ମନେ ରଖିବେ, ନା ମନେ ରଖିଲେ ଆପଣଙ୍କ ବଡପଣ ରହିବ। ସେଇଥି ପାଇଁ ତ ଏ ଚିଠି। ସାରେ, ଶହେ ଟପି ସାରିଲାଣି, ଏବେ ତ ବ୍ୟାଟ ଟେକନ୍ତୁ।   ସାରେ, ଡାକ୍ତରଖାନାରୁ ଚିଠି ଲେଖୁଛି। ଜର ଚାରି ଦିନ ହେଲାଣି ଛାଡୁନି। ସମସ୍ତେ କହୁଛନ୍ତି ମତେ କୁଆଡେ ଜାପାନୀ ଜର ନା ଜେଇ ହେଇଛି। ମୋରି ଭଳିଆ ଆହୁରି କେତେ ପିଲା ଏଠି ଅଛନ୍ତି। ସମସ୍ତଙ୍କର ଏକା ରୋଗ। କାଲି କ’ଣ ହେବ କିଏ ଜାଣିଛି ସାର। ସେଇଥି ପାଇଁ ଏ ଚିଠି। ଆଶା ଏଇ ଛୋଟ ପିଲାର ଚିଠିଟାକୁ ଥରେ ପଢିବେ।   ଆପଣ ତ ଆମ ମାଲକାନାଗିରି ଲୋକଙ୍କୁ ଜାଣନ୍ତି। ମୁଁ ଚିଠି ଲେଖିଲା ବେଳେ ଜଣେ କହିଲା, ଆପଣ କୁଆଡେ ଓଡିଆ ବୁଝନ୍ତିନି। ମୁଁ ହସିଲି।  ଆମେ ଆଦିବାସୀ ଲୋକ ଯାହା କହୁ ସେଇଟା କ’ଣ ଓଡିଆ କି? ଓଡିଆ ତ ସାହିତ୍ୟ ବହିରେ ଥାଏ। ମୁଁ ସେ ଲୋକକୁ ସିଧା ସିଧା ଆମ ମାଷ୍ଟରେ ଆଜ୍ଞା କ’ଣ କହିଥିଲେ ଶୁଣେଇ ଦେଲି। ମାଷ୍ଟରେ ଆଜ୍ଞା କହୁଥିଲେ ଆପଣଙ୍କର ଆମ ଆଦିବାସୀ ଲୋକଙ୍କ ପାଇଁ କୁଆଡେ ଭାରି ଦରଦ। ଆପଣ କୁଆଡେ ଜଣେ ଆଦିବାସୀଙ୍କୁ ଦେଶର ରାଷ୍ଟ୍ରପତି ପାଇଁ ଠିଆ କରେଇ ଥିଲେ।   ମାଷ୍ଟରେ ଆଜ୍ଞାଙ୍କ କଥା ମନେ ପଡିଲା ପରେ ମୋ ମନରେ ବଳ ଆସିଲା।  ଆପଣଙ୍କ ଭଳିଆ ଲୋକ ଯିଏ ଆମକୁ ରାଷ୍ଟ୍ରପତି କରିବା କଥା ଭାବୁଛି ତା ଶାସନରେ ଆମେ ଆଦିବାସୀ ପିଲା କ’ଣ ଏମିତି ପୋକ ମାଛି ଭଳିଆ ମରନ୍ତୁ? ନିଶ୍ଚିତ କିଏ ଗୋଟେ କ’ଣ ଚକ୍ରାନ୍ତ କରିଛି କି କ’ଣ।   ପରଶୁ ମାକଡାମୀକୁ ତ ଆପଣ ନିହାତି ଚିହ୍ନିଥିବେ। ଆମ ଗାଁ ସରପଞ୍ଚ ମ। ଏଇ କେଇ ଦିନ ତଳେ କହୁଥିଲା ଆପଣ ଆମ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧକିଆ ମାରି କାଢିଦେଲେ। ଆପଣଙ୍କ ଭଳିଆ ଟାଣୁଆ ନେତା ଆଉ କିଏ ଅଛି କହିଲେ? ହେଲେ ସାରେ ଆପଣ ଯାହାକୁ ହଟେଇଲେ ସିଏ କିଏ? ଛୋଟ ମୁଣ୍ଡରେ ମୁଁ ଏତିକି ଜାଣିଛି ଯେ ସିଏ ଟିଭିରେ ଥିଲେ ଟିଭିରେ କହୁଥିଲେ, ଆଉ ଏବେ ଟିଭିରେ ଆସୁନାହାନ୍ତି। ଆମେ ତ ତାଙ୍କୁ ଆମ ଗାଁ ରେ କେବେ ବି ଦେଖିନୁ।  ହେଲେ ପରଶୁ ଦାଦା କଥା ଆପଣ ଜାଣି ନାହାନ୍ତି? ସବୁ କଥା ଟିକେ ରଙ୍ଗ ମାରିକି କହିବ। ତାରି କଥାକୁ ସତ ଭାବି ମୁଁ ଯେତେବେଳେ ମୋ ସାଙ୍ଗମାନଙ୍କ ଆଗରେ କହିଲି ସେମାନେ ସମସ୍ତେ ହସିଲେ। ଆପଣ ଆମ ସ୍କୁଲକୁ ଥରେ ଆସନ୍ତୁ ନା ସାର! ଆଉ ମୋ ସବୁ ସାଙ୍ଗ ସାଥୀଙ୍କୁ କହି ଦିଅନ୍ତୁ ଯେ ଆମ ପାଇଁ, ଆମରି ଭଳିଆ ଛୁଆ ଯିଏ ନଗଡାରେ ଥିଲେ ତାଙ୍କ ପାଇଁ, କଟକ ଶିଶୁ ଭବନରେ ଯେଉଁ ପିଲାମାନେ ମଲେ ସେଇମାନଙ୍କ ପାଇଁ ଆପଣ ସେ ମନ୍ତ୍ରୀକୁ କାଢି ଦେଲେ।   ସାରେ, ବା ଆଜି କହୁଥିଲା ଯେ ଏବେ ଆମ ଗାଁ ରେ କୁଆଡେ ସରକରୀ ଲୋକ ଯାହାକୁ ଯେତେ। କିଏ ବଡ ମନ୍ତ୍ରୀ ଦିଲ୍ଲୀରୁ ଆସିଥିଲେ। ଏତେ ଲୋକ ଆସୁଛନ୍ତି, ଆପଣ ଥରେ ଆସନ୍ତୁ ନା।  ଖରାପ ଭାବିବେନି ସାରେ, ମୁଁ ଜାଣିଛି ଭୁବନେଶ୍ଵରରେ ଆପଣଙ୍କର ବହୁତ କାମ। ସୁବିଧା ଦେଖି ଆସିବେ। ହେଲେ ଆଜ୍ଞା, ଆପଣଙ୍କ ତଳିଆ ଲୋକଙ୍କୁ ଟିକେ କୁହନ୍ତୁ ଆମ ଗାଁରେ ଆସିକି ବୁଝେଇ ଦେଇ ଯିବେ ଯେ ଏ ରୋଗ କୁଆଡେ ମଶା କାମୁଡିଲେ ହୁଏ। ଆପଣ ଆମ ପାଇଁ କେତେ କ’ଣ ଯୋଜନା କରୁଛନ୍ତି ବୋଲି ପରା ଟିଭି ରେଡିଓ ଖବରକାଗଜ ସବୁ ଆଡେ ଆପଣଙ୍କ ଜୟ ଜୟ ହଉଛି। ଜାପାନୀ ଜର କେମିତି ହୁଏ, ସେଥିରୁ କେମିତି ବଞ୍ଚି ହେବ, ଜର ହେଲେ କ’ଣ କରିବେ ଏଇ ସବୁ କଥା ଯଦି ଆପଣଙ୍କ ବାବୁମାନେ ସବୁ ଗାଁରେ ବୁଝେଇ ଦିଅନ୍ତେ,  ବହୁ ପିଲା ବଞ୍ଚି ଯାଆନ୍ତେ ଆଜ୍ଞା।   ଶେଷରେ ଆଜ୍ଞା, ଗୋଟାଏ କଥା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଆମ କଲେକ୍ଟର ଆଜ୍ଞା ଯେମିତି କିଛି କଥାକୁ ଖାତର ନକରି ମଣିଷପଣିଆ ଦେଖେଇଲେ, ଯେତେ କହିଲେ ବି ସରିବନି। ସିଏ ତ ଆପଣଙ୍କ ସରକାରୀ ଲୋକ, ଆପଣ ନକହିଥିଲେ କ’ଣ ସିଏ ଏମିତି କରି ପାରିଥାନ୍ତେ!   ରହୁଛି ଆଜ୍ଞା, ଆପଣ ଶୀଘ୍ର ଆସିବେ ବୋଲି ମୋର ଆଶା ଆଉ ବିଶ୍ଵାସ।   ଇତି ଆପଣଙ୍କର ଜେଇ ମାକଡାମୀ ୦୯୭୧୭୩୦୨୨୦୫

Share :