କଳିଙ୍ଗ ବାଲିଯାତ୍ରାରେ ନୀଚ ରାଜନୀତି

କଳିଙ୍ଗ ବାଲିଯାତ୍ରାରେ ନୀଚ ରାଜନୀତି

Share :

ପାରାଦୀପ କଳିଙ୍ଗ ବାଲିଯାତ୍ରା ରୌପ୍ୟ ଜୟନ୍ତୀ ମହୋତ୍ସବକୁ ବର୍ଜନ କରିଛନ୍ତି ଅଧିକାଂଶ ନିମନ୍ତ୍ରିତ ଅତିଥି। ଉଦଘାଟନ ଉତ୍ସବରେ ଉଦଘାଟକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ମୁଖ୍ୟବକ୍ତା ଉଚ୍ଚଶିକ୍ଷା ଓ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବାଲିକୁଦା-ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ବିଧାୟକ ଚିରଞ୍ଜିବ ବିଶ୍ୱାଳ ଉପସ୍ଥିତ ନଥିଲେ। ଏମାନଙ୍କ ଅନୁପସ୍ଥିତିରେ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜଗତସିଂପୁର ଜିଲ୍ଲାପାଳ ଶ୍ରୀମତୀ ଯାମିନୀ ଷଡଙ୍ଗୀଙ୍କ ସଭାପତିତ୍ୱରେ ଉତ୍ସବ ଆରମ୍ଭ ହୋଇଥିଲା ଓ ସ୍ଥାନୀୟ ବିଧାୟକ ତଥା ସମବାୟ ଓ ଅବକାରୀ ମନ୍ତ୍ରୀ ଡ. ଦାମୋଦର ରାଉତ ଉତ୍ସବକୁ ଉଦଘାଟନ କରିଥିଲେ। ଉତ୍ସବରେ ଜଗତସିଂହପୁର ସାଂସଦ ଡ.କୁଳମଣୀ ସାମଲ, ତିର୍ତ୍ତୋଲ ବିଧାୟକ ଡ. ରାଜଶ୍ରୀ ମଲ୍ଲିକ, ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ, ଜଗତସିଂହପୁର ଜିଲ୍ଳା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ବିଶ୍ୱଜିତ‌୍‍ ବିଶ୍ୱାଳ, ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ଓ ବାଲିଯାତ୍ରା କଳିଙ୍ଗଯାତ୍ରୀର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ସ୍ମୃତି ଚାଳନା କରିଥିଲେ।   ଶେଷରେ ବାଲିଯାତ୍ରା କମିଟିର ସମ୍ପାଦକ ତଥା ତହସିଲଦାର ବାସୁଦେବ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବାଲିଯାତ୍ରା କମିଟିର କୋଷାଧ୍ୟକ୍ଷ ତଥା ପାରାଦୀପ ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦିଲ୍ଲପ କୁମାର ମହାନ୍ତିଙ୍କ ସମେତ କମିଟିର ସଭ୍ୟ ତଥା ପାରାଦୀପ ବିଜୁ ଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳ, ବରିଷ୍ଠ ନେତା ମାୟାଧର ରାଉତଙ୍କ ସମେତ କମିଟିର ସଦସ୍ୟମାନେ ସହଯୋଗ କରୁଛନ୍ତି। ଆଇନଶୁଙ୍ଖଳା ପାଇଁ ପାରାଦୀପର ଆଡିଶିନାଲ ଏସ‌୍‍ପି ଗଦାଧର ପ୍ରଧାନୀଙ୍କ ପରିଚାଳନାରେ ୫ଗୋଟି ଥାନାର ଥାନା ଅଧିକାରିଙ୍କ ସମେତ ବହୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପାରାଦୀପର ବିଜୁ ମଇଦାନଠାରେ ନଭେମ୍ୱର ୧୩ ତାରିଖ ଠାରୁ ନଭେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି କଳିଙ୍ଗ ବାଲିଯାତ୍ରାର ରୌପ୍ୟ ଜୟନ୍ତୀ ମହୋତ୍ସବ ଚାଲିବ। ଚଳିତ ବର୍ଷ ପାରାଦୀପ ବନ୍ଦରର ପ୍ରତିଷ୍ଠାତା ତଥା ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକ ହୋଇଥିବାରୁ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମହୋତ୍ସବକୁ ଉତ୍ସର୍ଗ କରାଯାଇଛି।   ଜଗତସିଂହପୁର ଜିଲ୍ଲାରେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ସାଂସଦ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା ନୀଚ ରାଜନୀତିକ ବିବାଦ ଯୋଗୁଁ ନିମନ୍ତ୍ରିତ ଅତିଥିମାନେ ଏହି ଉତ୍ସବକୁ ଆସିଲେ ନାହିଁ ବୋଲି ବିଜେଡି କର୍ମୀଙ୍କ ମହଲରେ ଚର୍ଚ୍ଚା ହୋଇଛି। କଳିଙ୍ଗ ବାଲିଯାତ୍ରା ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣ କାର୍ଡ଼ରେ ଜିଲ୍ଲାର ସମସ୍ତ ବିଧାୟକ ଓ ଲୋକସଭା ସାଂସଦଙ୍କ ନାମ ଉଲ୍ଲେଖ ଥିଲାବେଳେ ରାଜ୍ୟସଭା ସଦସ୍ୟ ବିଷ୍ଣୁ ଦାସଙ୍କ ନାମ ନଥିଲା। ତାଙ୍କୁ ଉତ୍ସବରେ କହିବାର ସୁଯୋଗ ନଦେବା ପାଇଁ ଡାକ୍ତର ରାଉତ ଏପରି ଷଡ଼ଯନ୍ତ୍ର କରିଥିଲେ ବୋଲି ବିଷ୍ଣୁଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଏହି କାରଣରୁ ସେ ଦାମଙ୍କର ଏହି ନୀଚ ରାଜନୀତିକ କୌଶଳ ବିଷୟରେ ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କୁ ଅବଗତ କରାଇଥିଲେ। ତାଙ୍କ ପ୍ରତି ହୋଇଥିବା ଏଭଳି ବ୍ୟବହାରର ପ୍ରତିବାଦ କରି ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଉତ୍ସବକୁ ଆସିଲେ ନାହିଁ ବୋଲି ସେମାନେ କହିଛନ୍ତି।

Share :