ଉଚ୍ଚ ଜୁଆରରେ ସର୍ଫିଙ୍ଗର ମଜା

ଉଚ୍ଚ ଜୁଆରରେ ସର୍ଫିଙ୍ଗର ମଜା

Share :

  କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ନିକଟ ବଙ୍ଗୋପସାଗର ଉପକୂଳ ଓ କୁଶଭଦ୍ରା ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହଉଥିବା ଭାରତର ପ୍ରଥମ ସର୍ଫିଙ୍ଗ ଫେଷ୍ଟିଭାଲର ଦ୍ୱିତୀୟ ଦିବସରେ ସର୍ଫରମାନେ ସକାଳ ୭ଟାରେ ୱାଟର ସର୍ଫିଙ୍ଗରେ ଯୋଗ ପ୍ରଦର୍ଶନ କରିଥିଲେ। ସକାଳ ୮ଟାରେ ସର୍ଫିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ସର୍ଫିଙ୍ଗ ଶିକ୍ଷିବା ପାଇଁ ଏଠାକୁ ଆସିଥିବା ଆଗ୍ରହୀ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନଙ୍କୁ ବିଦେଶୀ ସର୍ଫରମାନେ ପ୍ରଶିକ୍ଷଣ ଦେଉଥିବା ବେଳେ ପର୍ଯ୍ୟଟକ ଓ ସ୍ଥାନୀୟଲୋକେ ସର୍ଫିଙ୍ଗର ଭରପୂର ମଜା ଉଠାଇଥିଲେ। ଅପରାହ୍ନ ୩ଟାରେ ବିଦେଶୀ ସର୍ଫରମାନେ ପାଣି ଉପରେ ରୋମାଞ୍ଚକର ସପ୍‌ ବଲ ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକମାନଙ୍କୁ ସ୍ତମ୍ଭୀଭୂତକରିଦେଇଥିଲେ।   ଆନ୍ତର୍ଜାତିକ ଇଣ୍ଡିଆ ସର୍ଫିଙ୍ଗ ଫେଷ୍ଟିଭାଲରେ ଯୋଗ ଦେଇଥିବା ସର୍ଫରମାନେ କୁଶଭଦ୍ରା ନଦୀ ମୁହାଣ ସଂଲଗ୍ନ ସ୍ଥିର ଜଳରାଶି ଓ ସମୁଦ୍ରର ଉଚ୍ଚ ଜୁଆର ଅଞ୍ଚଳରେ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଣ୍ଡ ଅପ ପ୍ୟାଡ଼ଲ (ଏସୟୁପି) ଉପରେ ଫ୍ଲାଟ ୱାଟର ସର୍ଫିଙ୍ଗ ପ୍ରଦର୍ଶନ କରିଥିଲେ। ସର୍ଫିରମାନଙ୍କର ଦୁଃସାହସିକ ଜଳକ୍ରୀଡା ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦଇଥିଲା। ୱାକ୍‌ ଅନ‌୍‍ ୱାଟର, ଲଙ୍ଗ ବୋଡିଙ୍ଗ, ମୋକ ରେସ, ସପ‌୍‍ ରେସ‌୍‍, ଷ୍ଟାକ ଜମ୍ପ, ଜରଗଙ୍ଗି, ଆକାଶ ଛତାରେ ଉଡିବା ପ୍ରଦର୍ଶୀତ ହୋଇଥିବା ବେଳେ ସନ୍ଧ୍ୟାରେ ଏଲିନା ଓ ସୋଫିଆଙ୍କ ଭିଡିଓ ବୋମ୍ୱ ଉତ୍ସବ ପରିସରକୁ ଦ୍ୱିଗୁଣିତ କରିଥିଲ।   ପଞ୍ଚମ ଆନ୍ତର୍ଜାତିକ ସର୍ଫିଙ୍ଗ ଉତ୍ସବରେ ଓଡ଼ିଶା ସମେତ ମଣିପୁର, ବେଙ୍ଗାଲୁର, ପୁନେ, ମୁମ୍ୱାଇ, ଦିଲ୍ଲୀ, ଭାଇଜାକ, ଖଜୁରାହୋ, ମନାଲି, ଚେନ୍ନାଇ, ମହାବଳିପୁରମ‌୍‍, କୋଭଲମ, କେରଳ, ଗୋଆ, ଅରଭିଲ ଓ ମାଙ୍ଗଲୋର ସର୍ଫରମାନେ ଯୋଗଦେଇଥିବା ବେଳେ ବିଦେଶରୁ ରୁଷିଆ, ସ୍ପେନ‌୍‍, କଲମ୍ୱିଆ, ଆର୍ଜେଣ୍ଟିନା, ଆମେରିକା, ଫିଲପାଇନସ‌୍‍, ଫ୍ରାନ୍ସ, ଜର୍ମାନୀ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ୟୁକ୍ରେନ‌୍‍ର ଶତାଧିକ ସର୍ଫର ଯୋଗ ଦେଇ ରୋମାଞ୍ଚକର ଜଳକ୍ରୀଡା ପ୍ରଦର୍ଶନ କରିଛନ୍ତି। ଏହି ଉତ୍ସବକୁ ଦେଖିବା ପାଇଁ ଏଠାରେ ଦିନତମାମ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଲାଗିରହଛିା। ସନ୍ଧ୍ୟାରେ ଉତ୍ସବ ପରିସର ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଥିବାବେଳେ ବିଦେଶୀ ନୃତ୍ୟ ଓ ସଂଗୀତର ତାଳେ ତାଳେ ଝୁମି ଉଠିଥିଲେ ସର୍ଫରମାନେ।   ତ୍ରିଦିବସୀୟ ଏହି ଉତ୍ସବର ସର୍ଫିଙ୍ଗ ପ୍ରତିଯୋଗୀତାରେ ଭାଗ ନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ସର୍ଫରମାନଙ୍କୁ ୧୪ ତାରିଖ ସୋମବାର ଅପରାହ୍ନରେ ଆୟୋଜିତ ଉଦଯାପନୀ ଦିବସରେ ଅତିଥିମାନଙ୍କ ଦ୍ୱାରା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯିବ। ଉତ୍ସବର ଆୟୋଜକ ରେଞ୍ଜରସ‌୍‍ ଆଡଭେଞ୍ଚର ଫାଉଣ୍ଡେସନର ପ୍ରତିଷ୍ଠାତା ସଞ୍ଜୟ ସାମନ୍ତରାୟ କହିଛନ୍ତି ଯେ ପରିତ୍ୟକ୍ତ ଅବସ୍ଥାରେ ପଡିରହି ଥିବା କୋଣାର୍କ-ପୁରୀ ବେଳାମାର୍ଗର ପ୍ରାକୃତିକ ସୁଷମା ଭରା ପରିବେଶ ମଧ୍ୟରେ ସମୁଦ୍ର ଉପକୂଳର ମନୋରମ ସ୍ୱର୍ଣ୍ଣିମ ବେଳାଭୂମିକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ମୋର ଯେଉଁ ସ୍ୱପ୍ନ ଥିଲା, ଏହି ଉତ୍ସବ ଆୟୋଜନ ଫଳରେ ତାହା କିଛିମାତ୍ରର ସଫଳ ହୋଇଛି। ଏହି ଦୁଃସାହସିକ ଜଳ କ୍ରୀଡ଼ା ମାଧ୍ୟମରେ ଆମର ଭିତ୍ତିଭୂମିକୁ ପର୍ଯ୍ୟଟନ ବିକାଶ ଦିଗରେ ଉପଯୋଗ କରାଯାଇପାରିବ।   ସମୁଦ୍ରର ତରଙ୍ଗାୟିତ ନିଳ ଜଳରାଶି ଉପରେ ସର୍ଫିଙ୍ଗ କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି। ଜଳକ୍ରୀଡା ବିଭାଗର ବିଶ୍ୱଜିତ ଦାଶ, ସ୍ୱାଧୀନ ଦାଶ, ଶ୍ରଦ୍ଧା ଓ ଟୁଇଙ୍କଲଙ୍କ ସମେତ ରେଞ୍ଜରସ‌୍‍ ଆଡଭେଞ୍ଚର ଫାଉଣ୍ଡେସନର ସମସ୍ତ ସଦସ୍ୟ ଉତ୍ସବ ପରିଚାଳନା କରୁଛନ୍ତି।

Share :