କୋଣାର୍କରେ ସମୁଦ୍ର କ୍ରୀଡ଼ା ସର୍ଫିଂ

କୋଣାର୍କରେ ସମୁଦ୍ର କ୍ରୀଡ଼ା ସର୍ଫିଂ

Share :

  କୋଣାର୍କ-ପୁରୀ ବେଳାମାର୍ଗର ରାମଚଣ୍ଡୀ ନିକଟସ୍ଥ ବେଳାଭୂମିରେ ରେଞ୍ଜର୍ସ ଆଡଭେଞ୍ଚର ଫାଉଣ୍ଡେସନ ଓ ସର୍ଫ ଯୋଗୀସ ପକ୍ଷରୁ ନଭେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଚାଲିବାକୁ ଥିବା ପଞ୍ଚମ ବାର୍ଷିକ ଇଣ୍ଡିଆ ସର୍ଫ ଫେଷ୍ଟିଭାଲ-୨୦୧୬ ଉଦଘାଟିତ ହୋଇଯାଇଛି। କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ଏହି ଉତ୍ସବକୁ ଶନିବାର ଅପରାହ୍ନରେ ପୁରୀ ଆରକ୍ଷୀ ଅଧିକାରୀ ଡଃ ସାର୍ଥକ ଷଢଙ୍ଗୀ, କଳିଙ୍ଗ କୁସୁମର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର, ଏସିଆନ ସର୍ଫ ଚମ୍ପିଆନସିପର ମେମ୍ୱର ବେଲ୍ଲି‌୍‍ ହାଞ୍ଜଲେଟିନ‌୍‍, ଫିଲିପାଇନସର ସିନିଅର ମେଣ୍ଟେଶସ‌୍‍ ଆପଲ ଫାଲକନ‌୍‍ ଉଦଘାଟନ କରିଥିଲେ। ଇଣ୍ଡିଆ ସର୍ଫ ଫେଷ୍ଟିଭାଲର ଆୟୋଜକ ସଞ୍ଜୟ ସାମନ୍ତରାୟ ଅତିଥି ପରିଚୟ ଦେବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀଧି ମଞ୍ଚ ସଂଯୋଜନା କରିଥିଲେ।   ତ୍ରିଦିବସୀୟ ଏହି ଉତ୍ସବରେ ସାଧାରଣ ଲୋକ ଓ ପର୍ଯ୍ୟଟକମାନଙ୍କୁ ଜଳକ୍ରୀଡାରେ ସାମିଲ ହେବାପାଇଁ ସୁଯୋଗ ଦିଆଯାଉଛି। ଏତଦବ୍ୟତିତ ଜଳଯୋଗ ଓ ବିଭିନ୍ନ ପ୍ରକାର ଜଳକ୍ରୀଡା, ଲଙ୍ଗବୋଡିଙ୍ଗ, ମୋକ ରେସିଙ୍ଗ, େସ୍କଟ ଜମ୍ପିଙ୍ଗ, ସ୍ଲାକ‌୍‍ଲାଇନିଙ୍ଗ, ଜିପ‌୍‍ଲାଇନିଙ୍ଗ, ୱାଟର ଜରବିଙ୍ଗ, ପାରାସେଲିଙ୍ଗ, ମଟର ପାରାସେଲିଙ୍ଗ ଇତ୍ୟାଦି ପ୍ରଦର୍ଶୀତ ହେଉଛି। ସନ୍ଧ୍ୟା ସମୟରେ ସର୍ଫିଙ୍ଗ ଉପରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଦେଶର ଚଳଚିତ୍ର ପ୍ରଦର୍ଶୀତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ ହେଉଛି। ସର୍ଫିଙ୍ଗ ପ୍ରତିଯୋଗୀତାରେ ଭାଗ ନେଇଥିବା ସର୍ଫରମାନେ ସ୍ଥିର ଜଳରାଶି ଓ ସମୁଦ୍ରର ଉଚ୍ଚ ଜୁଆର ଅଞ୍ଚଳରେ ଜଳଯୋଗ, ସପ କପ, ସପ ବଲ, ସର୍ଫିଙ୍ଗ ଓ ବିଭିନ୍ନ ପ୍ରକାରର ଜଳକ୍ରୀଡା ପ୍ରଦର୍ଶନ ଯାରିରଖିଛନ୍ତି।   ଏହି ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟର ସର୍ଫରଙ୍କ ସମେତ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଦୁବାଇ, ସ୍ପେନ, ଜର୍ମାନୀ, ୟୁକ୍ରେନ, ସୁଇଜରଲାଣ୍ଡ, ପର୍ତ୍ତୁଗାଲ, ଇଂଲଣ୍ଡ, ଫିଲିପାଇନସ‌୍‍, ଆୟାରଲଣ୍ଡ, ଇଣ୍ଡୋନେସିଆ ଓ ମାଲଦ୍ବୀପରୁ ଶତାଧିକ ସର୍ଫର ଯୋଗ ଦେଇଛନ୍ତି। ଉତ୍ସବର ଅବ୍ୟବହିତ ପୂର୍ବରୁ ସର୍ଫିଙ୍ଗ ଯୋଗୀସ‌୍‍ର ନିର୍ଦ୍ଦେଶକ ସାମନ୍ତରାୟଙ୍କ ନେତୃତ୍ୱରେ ଉତ୍ସବରେ ଯୋଗଦେଇଥିବା ସର୍ଫରମାନେ ବେଳାଭୂମି ସଫେଇ କରିଥିଲେ। ଉଦାଯାପନୀ ଦିବସରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସର୍ଫରମାନଙ୍କୁ ରେଞ୍ଜରସ‌୍‍ ଆଡଭେଞ୍ଚର ଫାଉଣ୍ଡେସନ ପକ୍ଷରୁ ମାନପତ୍ର, ଅର୍ଥରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯିବ ବୋଲି ଇଣ୍ଡିଆ ସର୍ଫ ଫେଷ୍ଟିଭାଲର ଆୟୋଜକ ସାମନ୍ତରାୟ ଜଣାଇଛନ୍ତି।   ରେଞ୍ଜରସ‌୍‍ ଆଡଭେଞ୍ଚର ଫାଉଣ୍ଡେସନର ସଦସ୍ୟମାନେ ତ୍ରିଦିବସୀୟ ଏହି ଉତ୍ସବକୁ ପରିଚାଳନା କରୁଛନ୍ତି। ରାମଚଣ୍ଡୀ ପୁଲିସ, ପୁରୀ ଅଗ୍ନିଶମ ବିଭାଗ, ଲାଇଫ ଗାର୍ଡ ଉତ୍ସବ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଦେଉଛନ୍ତି। ସ୍ପେନର ଏଲିନା, ସୁଇଜରଲାଣ୍ଡର ଲୁଇସ ଫିଲିପ୍ସସ‌୍‍, ସୋଫିଆ ଓ ଡିମ୍ପଲ ପ୍ରମୁଖ ପର୍ଯ୍ୟଟକମାନଙ୍କୁ ସର୍ଫିଙ୍ଗ କ୍ରୀଡା ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏତଦବ୍ୟତିତ ଜଣେ ବିଦେଶୀ ମହିଳା ପର୍ଯ୍ୟଟକ ରାଶିକଲାରା ସ୍ଥିର ଜଳରାଶିରେ ପ୍ରାଡେଲ ବୋଟ ଉପରେ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନ କରିଥିଲେ।

Share :