ଲୋକେ ଦେଖିଲେ ଯୁଦ୍ଧ ଜାହାଜ

ଲୋକେ ଦେଖିଲେ ଯୁଦ୍ଧ ଜାହାଜ

Share :

  ନୌସପ୍ତାହ ପାଳନ ଅବସରରେ ଭାରତୀୟ ନୈସେନାର ୨ଟି ଶକ୍ତିଶାଳୀ ଯୁଦ୍ଧ ଜାହାଜ ନଭେମ୍ବର ୧୦ ତାରିଖ ଗୁରୁବାର ଠାରୁ ପାରାଦୀପ ବନ୍ଦର ବର୍ଥରେ ଲାଗିଛି। ଶନିବାବର ଥିଲା ସାଧାରଣ ଲୋକଙ୍କ ଦର୍ଶନ କାର୍ଯ୍ୟକ୍ରମ। ସକାଳ ପ୍ରାୟ ୯ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାହାଜ ଦେଖିଥିଲେ ଲୋକମାନେ। ବିଜୁବାବୁଙ୍କ ଅମଳରେ ବାଲିଦ୍ବୀପ ଯାତ୍ରା କରିଥିବା ନିବେଦିତା ଆଚାର୍ଯ୍ୟ ମଧ୍ୟ ଜାହାଜ ବୁଲି ଦେଖିଥିଲେ।   ଜାହାଜ ଦୁଇଟିର ନାମ ହେଲା ଆଇଏନଏସ‌୍‍ ରାଜପୁତ ଓ ଆଇଏନଏସ‌୍‍ କୋରା। ରାଜପୁତ ଜାହାଜରେ ବଡ ବଡ କ୍ଷେପଣାସ୍ତ୍ର ରହିଛି। ତା’ ଛଡା ଶତ୍ରୃପକ୍ଷକୁ ଦମନ ପାଇଁ ଷ୍ଟାଙ୍ଗି ରାଇଫଲ ଗନ‌୍‍ ସମେତ ସମସ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରହିଛି। ନୌସେନା ପକ୍ଷରୁ ୭ଟି ବସ‌୍‍ର ବ୍ୟବସ୍ଥା କରାଯାଇ ଲୋକମାନଙ୍କୁ ଗୋପବନ୍ଧୁ ଷ୍ଟାଡିୟମ‌୍‍ ନିକଟରୁ ୪ନଂ ଗେଟ‌୍‍ ଦେଇ ଜାହାଜ ପାଖକୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା। ତା’ପରେ ଧାଡି କରି ଲୋକେ ଜାହାଜମାନଙ୍କରେ ଚଢି ନୌସେନାଙ୍କ କାର୍ଯ୍ୟ ଦକ୍ଷତା ସବୁ ବୁଲି ଦେଖିଥିଲେ। ସବୁବେଳେ ସାଧାରଣ ଲୋକେ ଏପ୍ରକାର ସୁଯୋଗ ପାଉ ନଥିବାରୁ ଏହାକୁ କେହି ହାତଛଡା କରିନଥିଲେ।   ବିଶାଳ ସମୁଦ୍ର ମଧ୍ୟରେ ନିଜ ଜୀବନର ବାଜି ଲଗାଇ ଶତ୍ରୁ ପକ୍ଷରେ ଆକ୍ରମଣରୁ ନିଜ ସୀମାକୁ ସୁରକ୍ଷା ଦେବା ସହିତ ଆମ ନୌସେନା ବାହିନୀର କାର୍ଯ୍ୟକାରିତା, ଦକ୍ଷତା ଓ ଆମ ସାମୁଦ୍ରିକ ସୀମା କେତେ ସୁରକ୍ଷିତ ସେ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇବା ଏହି ଦର୍ଶନର ମୂଳ ଲକ୍ଷ୍ୟ ବୋଲି ନୌସେନା ପକ୍ଷରୁ କୁହା ଯାଇଛି। ପ୍ରତିବର୍ଷ ଏହିପରି ଆୟୋଜନ କରାଯାଇଥାଏ ଓ ଏହା ଦ୍ୱାରା ଆମ ଲୋକେ କିପରି ନୌସେନାରେ ଯୋଗ ଦେବାପାଇଁ ଆକୃଷ୍ଟ ହେବେ ତାହା ହିଁ ଉଦ୍ଦେଶ୍ୟ ବୋଲି ନୌସେନା କମାଣ୍ଡର ଇନଚାର୍ଜ ସାଇମନ‌୍‍ ମଥାଏ କହିଥିଲେ।   ଲୋକେ ପୂର୍ବରୁ ଏସବୁ ଚଳଚିତ୍ର ଓ ଦୂରଦର୍ଶନରେ ଦେଖୁଥିବା ବେଳେ ଅତି ନିକଟରୁ ଏସବୁକୁ ଦେଖି ବେଶ‌୍‍ ଆନନ୍ଦ ହୋଇ ଉଠିଥିଲେ। ବିଶେଷକରି ସ୍କୁଲର ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏହାକୁ ଦେଖିବା ପାଇଁ ବେଶ‌୍‍ ଆଗ୍ରହ ପ୍ରକାଶ ପାଇଥିଲା। ୧୯୯୨ ମସିହାରେ ବାଲିଦୀପ ଯାତ୍ରା କରିଥିବା ନିବେଦିତା ଆଚାର୍ଯ୍ୟ ଏଥିରେ ସାମିଲ ହୋଇଥିଲେ। ଶ୍ରୀମତୀ ଆଚାର୍ଯ୍ୟ ତାଙ୍କର ପରିବାରବର୍ଗଙ୍କ ସହ ଜାହାଜ ବୁଲି ଦେଖି ବେଶ‌୍‍ ଆନନ୍ଦ ଲାଭ କରିଥିଲେ। ନୌସେନା ଅଧିକାରୀମାନେ ପର୍ଯ୍ୟଟକ ମାନଙ୍କୁ ଜାହାଜ ଉପରେ ବୁଲାଇବା ସହିତ କାହାର କାର୍ଯ୍ୟ କ’ଣ ତାହା ବୁଝାଇ ଦେଇଥିଲେ। ପରେ ସନ୍ଧ୍ୟାରେ ଏହି ୨ଟି ଜାହାଜ ସମୁଦ୍ର ମଧ୍ୟକୁ ଫେରି ଯାଇଥିଲା।

Share :