ଲାଭ ପାଇବେ ବେପାରୀ, ଭୋଗିବେ ଜନତା

ଲାଭ ପାଇବେ ବେପାରୀ, ଭୋଗିବେ ଜନତା

Share :

ଦେବେନ୍ଦ୍ର ପୃଷ୍ଟି   ବଡ଼ ବଡ଼ କମ୍ପାନୀଙ୍କ ଋଣକୁ ବାରମ୍ବାର ନଷ୍ଟ ଋଣ ବା ଏନପିଏ ଖାତାରେ ହିସାବ କରି ଭାରତର ବ୍ୟାଙ୍କଗୁଡ଼ିକ ଏବେ ଅଡ଼ୁଆରେ। ସେମାନଙ୍କର ନଷ୍ଟ ବା ଖରାପ ଋଣ ପରିମାଣ ଏବେ ୬ ଲକ୍ଷ କୋଟି ଟଙ୍କା। ଏତେ ଟଙ୍କା ବଡ଼ ବଡ଼ କମ୍ପାନୀଙ୍କ ଉପରେ ଅନାଦାୟ ପଡ଼ି ରହିଥିବାରୁ ଭାରତୀୟ ବ୍ୟାଙ୍କଗୁଡ଼ିକର ଅବସ୍ଥା ଏବେ ଅତ୍ୟନ୍ତ ଖରାପ। ନୂଆ ଋଣ ଦେବାକୁ ପୁଂଜି ନାହିଁ। ପୁରୁଣା ଋଣର ମୂଳ କି ସୁଧ ମିଳୁ ନାହିଁ। ଏଣେ କର୍ମଚାରୀଙ୍କ ଦରମା ଓ ବ୍ୟାଙ୍କର ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବାରେ ଲାଗିଛି।   ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ଦରକାର କରୁଥିଲେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। କେଇ ସପ୍ତାହ ତଳେ ବିଶ୍ବସ୍ତରୀୟ କ୍ରେଡିଟ୍‌ ରେଟିଂ ସଂସ୍ଥା ମୁଡି ଏହି ଆକଳନ କରିଥିଲା। ଏହି ପରିସ୍ଥିତିର ୨୦୧୬ ଜୁଲାଇ ମାସରେ କେନ୍ଦ୍ର ସରକାର ୧୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୨୩ ହଜାର କୋଟି ଟଙ୍କାର ପୁଂଜି ପ୍ରଦାନ କରିଥିଲେ। ୨୦୧୫ ମସିହାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବ୍ୟାଙ୍କଗୁଡ଼ିକର ଦୁରବସ୍ଥା ଦେଖି କହିଥିଲେ କେନ୍ଦ୍ର ସରକାର ଆସନ୍ତା ୪ ବର୍ଷରେ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ଦେବେ।   କଳାଧନ, ଜାଲିନୋଟ ଓ ଆତଙ୍କବାଦର ମୁକାବିଲା ଆଳରେ ମୋଦି ସରକାର ବ୍ୟାଙ୍କଗୁଡ଼ିକ ପାଇଁ ଯଥେଷ୍ଟ ପୁଂଜି ଯୋଗାଡ଼ କରିପାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ବ ଗ୍ରହଣ କରିବା ପରେ ପରେ କହିଥିଲେ, ମୁଁ ହେଉଛି ଜଣେ ଗୁଜରାଟୀ, ମୋ ରକ୍ତରେ ବେପାରର ଲାଭକ୍ଷତି ହିସାବ ବହୁଛି। ସେ ଠିକ୍‌ ଏହି ବେପାରୀ ବୁଦ୍ଧି ପ୍ରୟୋଗ କରି ବ୍ୟାଙ୍କ ଜରିଆରେ ବଡ଼ବଡ଼ ବେପାରୀଙ୍କ ପାଇଁ ଆଉ କିଛି ଖରାପ ଋଣ ଯୋଗାଡ଼ କରିପାରିଛନ୍ତି। ଏଥିରେ ସେ ଅତ୍ୟନ୍ତ ସଫଳ ହୋଇଛନ୍ତି। ଲୋକେ ଭକ୍ତି ପ୍ରଦର୍ଶନ କରି ଖୁସି। କୁଣ୍ଡେଇ ହେଲେ ବି କାହାକୁ କହିହେବ ନାହିଁ। ଅଜାଗା ଘା।   ଦେଖୁନାହାନ୍ତି ମୋଦିଙ୍କ ନଭେମ୍ବର ୮ ତାରିଖର ରାତି ଅଧିଆ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭାରତର ଲୋକମାନେ କେମିତି ବ୍ୟାଙ୍କ ଓ ଏଟିଏମ କେନ୍ଦ୍ରଗୁଡ଼ିକ ଆଗରେ ଧାଡ଼ିବାନ୍ଧି ପଡ଼ି ରହିଛନ୍ତି! ଷ୍ଟେଟ ବ୍ୟାଙ୍କର ହିସାବ ଅନୁସାରେ ୧୦ ନଭେମ୍ବର ଗୋଟିଏ ଦିନରେ ଲୋକମାନେ ୫୩ ହଜାର କୋଟି ଟଙ୍କା ଜମା କରିଛନ୍ତି। ଅନ୍ୟ ବ୍ୟାଙ୍କଗୁଡ଼ିକର ହିସାବ ଆସିନାହିଁ। ଏଥିରୁ ଅନୁମାନ କରନ୍ତୁ ଏହି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ନିଷିଦ୍ଧ କରି ମୋଦି ସରକାର ବ୍ୟାଙ୍କ ପରି ମହାଜନ ଓ ବଡ଼ କର୍ପୋରେଟ୍‌ ସଂସ୍ଥାଙ୍କ ପରି ଖାତକଙ୍କର କି ଉପକାର କରିଛନ୍ତି!   ସାଧାରଣ ଲୋକଙ୍କ ପାଖରେ ଥିବା ସବୁତକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଏବେ ବ୍ୟାଙ୍କଗୁଡ଼ିକୁ ଚାଲିଯିବ। ବ୍ୟାଙ୍କ ସେହି ଟଙ୍କାକୁ ନୂଆ ଟଙ୍କା ଆକାରରେ ଆଦାନି, ଆମ୍ବାନି ପ୍ରମୁଖ କର୍ପୋରେଟ୍‌ ସଂସ୍ଥାଙ୍କୁ ଋଣ ଦେବେ। କିଛି ବର୍ଷ ପରେ ତାହାକୁ ନଷ୍ଟ ଋଣ ତାଲିକାରେ ପକାଇଦେବେ।   ବ୍ୟାଙ୍କ ଓ ଏହିପରି କର୍ପୋରେଟ୍‌ ସଂସ୍ଥାଙ୍କ ସ୍ବାର୍ଥ ପାଇଁ ଲୋକମାନଙ୍କୁ ମିଛ କୁହାଗଲା। କୁହାଗଲା ଏହି ‘ମାଷ୍ଟର ଷ୍ଟ୍ରୋକ୍‌’ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କଳାଧନ, ଆତଙ୍କବାଦ ଓ ଜାଲିନୋଟ୍‌ ବିରୋଧରେ। ଅଥଚ ୧୦୦୦ ଟଙ୍କିଆ ରଦ୍ଦ କରି ସରକାର ପ୍ରଚଳନ କଲେ ୨୦୦୦ ଟଙ୍କିଆ ନୋଟ୍‌! ଏଥିରେ କ’ଣ ଲାଞ୍ଚ କି ଦୁର୍ନୀତି ହେବ ନାହିଁ! ଭକ୍ତମାନେ ପ୍ରଚାର କଲେ ନୂଆ ୨ ହଜାର ଟଙ୍କିଆରେ ମାଇକ୍ରୋ ଚିପ୍ସ ଲାଗିଛି, ୧୨୦ ମିଟର ମାଟିତଳେ ପୋତିଲେ ବି ଉପଗ୍ରହ ଜରିଆରେ ଧରାପଡ଼ିବ! ଦେଖିଲାବେଳକୁ ଡାହା ମିଛ। ନିଜେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଏହା ଅସ୍ବୀକାର କଲେ।   କେବଳ ଏତିକି ନୁହେଁ, ନୂଆ ୨୦୦୦ ଟଙ୍କିଆ ନୋଟ୍‌ରେ ପୂର୍ବ ହଜାରେ ଟଙ୍କିଆ ନୋଟ୍‌ ତୁଳନାରେ ଅଧିକ ନିରାପତ୍ତା ବ୍ୟବସ୍ଥା ମଧ୍ୟ ନାହିଁ। ଏହାକୁ ଡିଜାଇନ୍‌ କରିଥିବା ଅଧିକାରୀ ବି ଏହା ମାନି ସାରିଲେଣି। ରିଜର୍ଭ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ କହିଲେଣି ଯେ ନୂଆ ଦି ହଜାର ଟଙ୍କିଆରେ ଅଧିକ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏହାକୁ ଜାଲ୍‌ କରିବା ଆଦୌ ଅସମ୍ଭବ ନୁହେଁ। ଭାରତରେ ଯେତେ ନୋଟ୍‌ ଛପାଯାଏ ସବୁ ପାଇଁ ଟଙ୍କା କାଗଜ ମୁଖ୍ୟତଃ ୟୁରୋପରୁ ଆସିଥାଏ। ଜର୍ମାନୀର ଲୁଇସଏନ୍ଥାପ, ଇଂଲାଣ୍ଡର ଡି ଲା ରୁ, ସ୍ବିଡେନର କ୍ରେନ୍‌ ଏବଂ ଫ୍ରାନ୍ସ ଓ ହଲାଣ୍ଡର ଆର୍ଜେ ଉଇଗିନ୍ସ ସଂସ୍ଥା ଏସବୁ କାଗଜ ଯୋଗାଇଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଯେ ଏଣିକି ଭାରତରେ ଟଙ୍କା କାଗଜ ତିଆରି ହେଉ। ସେହି ଅନୁସାରେ ମହୀଶୂରରେ ୨୦୧୫ ମସିହାରେ ଖୋଲିଥିବା ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ବ ଦିଆଗଲା। ଏହି ସଂସ୍ଥାକୁ ମିଳିଥିଲା ୨୦୦୦ ଟଙ୍କିଆ ନୋଟ୍‌ର ଛାପା ଦାୟିତ୍ବ। ସଂସ୍ଥାର ନାମ ହେଲା ବ୍ୟାଙ୍କ ନୋଟ୍‌ ପେପର୍‌ ମିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ଼।   ପରିଣାମ ହେଲା, ପ୍ରଚଳନର ମାତ୍ର ୪ ଦିନ ଭିତରେ ୨୦୦୦ ଟଙ୍କିଆ ନୋଟ୍‌ର ଜାଲି ସଂସ୍କରଣ ବଜାରକୁ ଆସି ସାରିଲାଣି।   ଏହା ଦ୍ବାରା କଳାଟଙ୍କା ଠୁଳ ହବା ମଧ୍ୟ ରୋକିବ ନାହିଁ। ବରଂ ବଢ଼ିବ। ବିଶେଷଜ୍ଞମାନେ କହିଲେଣି ଯେ ହଜାର ଟଙ୍କିଆରେ ଯେତେ କଳାଟଙ୍କା ରଖିବାପାଇଁ ଯେତେ ଜାଗା ଦରକାର ଥିଲା ଏବେ ତାହାର ଅଧା ଦରକାର ହେବ। ତେଣୁ କଳାଟଙ୍କା ଠୁଳ କରିବା ସହଜ। କଳାଟଙ୍କାର ପ୍ରଚଳନ ମଧ୍ୟ ସହଜ ହେବ। ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍‌ ଯୋଗୁଁ ଦୁର୍ନୀତି ହେଉଛି ବୋଲି ଯୁକ୍ତି କରୁଥିବା ଲୋକମାନେ ଆହୁରି ଅଧିକ ଉଚ୍ଚ ମୂଲ୍ୟର ନୋଟ୍‌ ଛାପି ଦୁର୍ନୀତି ଦୂର କରିବାକୁ ଭାବିଲେ କେମିତି? ବେପାରୀ ବୁଦ୍ଧି ନୁହଁ ତ ଆଉ କ’ଣ?   ଏବେ ଗୋଟେ ପ୍ରଶ୍ନ ଉଠିପାରେ- ବ୍ୟାଙ୍କଗୁଡ଼ିକ କମ୍‌ ଦିନ ଭିତରେ ଏତେ ଟଙ୍କାର ଜମା ଗ୍ରହଣ କଲେ କାହାକୁ ଋଣ ଦେବେ? ନିଶ୍ଚିତ ତମଆମ ଭଳି ଖାଉଟିଙ୍କୁ ନୁହେଁ। ଏ ଟଙ୍କାକୁ ପୁଣି ଋଣ ଆକାରରେ ହଡ଼ପ କରିବେ ଆଦାନି, ଅମ୍ବାନି, ଜିନ୍ଦଲ ଓ ଅଗ୍ରୱାଲଙ୍କ ପରି ବେପାରୀ।   ଏମିତି ୧୦ ଜଣ ବେପାରୀଙ୍କ ତାଲିକା ଏଠାରେ ଦିଆଗଲା। ସେମାନେ କେତେ ଟଙ୍କା ଲେଖାଏଁ ଋଣ ନେଇ ଫାଙ୍କିଛନ୍ତି ତାହା ବି ଦିଆଗଲା।   ୧. ଅନୀଲ ଅମ୍ବାନି (ରିଲାଏନ୍ସ)- ୧.୨୫ ଲକ୍ଷ କୋଟି ଟଙ୍କା ୨. ଅନୀଲ ଅଗ୍ରୱାଲ(ବେଦାନ୍ତ)- ୧.୦୩ ଲକ୍ଷ କୋଟି ଟଙ୍କା ୩. ଶଶି ଓ ରବି ରୁଇଆ(ଏସ୍ସାର ଗୋଷ୍ଠୀ)-  ୧.୦୧ ଲକ୍ଷ କୋଟି ଟଙ୍କା ୪. ଗୌତମ ଆଦାନି (ଆଦାନି ଗୋଷ୍ଠୀ)- ୯୬୦୩୧ କୋଟି ଟଙ୍କା ୫. ମନୋଜ ଗୌର (ଜେପି ଗୋଷ୍ଠୀ)- ୭୫୧୬୩ କୋଟି ଟଙ୍କା ୬. ସଜ୍ଜନ ଜିନ୍ଦଲ (ଜେଏସଡବ୍ଲ୍ୟୁ)- ୫୮୧୭୧ କୋଟି ଟଙ୍କା ୭. ଜିଏମ ରାଓ (ଜିଏମଆର)- ୪୭୯୭୮ କୋଟି ଟଙ୍କା ୮. ଏଲ ମଧୁସୂଦନ ରାଓ (ଲାନ୍‌କୋ)- ୪୭୧୦୨ କୋଟି ଟଙ୍କା ୯. ବେଣୁଗୋପାଳ ଧୂତ (ଭିଡ଼ିଓକନ୍)- ୪୫୪୦୫ କୋଟି ଟଙ୍କା ୧୦. ଜିଭିକେ ରେଡ୍ଡି (ଜିଭିକେ)- ୩୩୯୩୩ କୋଟି ଟଙ୍କା   ଏଇ ବେପାରୀମାନେ ହିଁ ଏହି ବେପାରୀ ବୁଦ୍ଧିରୁ ସର୍ବାଧିକ ଫାଇଦା ପାଇବେ।   ଆପଣ ଭାବୁଛନ୍ତି, ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କଳାଧନ ମହଜୁଦକାରୀଙ୍କୁ ଚିତପଟାଙ୍ଗ କରିଦେଇଛନ୍ତି! ଆପଣ ଭୁଲ ଭାବୁଛନ୍ତି। ଦେଶରେ ଯେତେ କଳାଧନ ମହଜୁଦ ଅଛି ତାହାର ମାତ୍ର ୬ ପ୍ରତିଶତ ଟଙ୍କା ଆକାରରେ ରହିଛି ବୋଲି ଖୋଦ ସରକାରୀ ହିସାବ କହୁଛି। ଆୟକର ବିଭାଗର ଅନୁଶୀଳନରୁ ଜଣାପଡ଼ିଛି ଯେ ସରକାରଙ୍କେ କଳାଧନ ଘୋଷଣା କାର୍ଯ୍ୟକ୍ରମରେ ଏପ୍ରିଲ ପହିଲାରୁ ଅକ୍ଟୋବର ୩୧ ମଧ୍ୟରେ ମାଟ ୭୭୦୦ କୋଟି ଟଙ୍କାର କଳାଧନ ଘୋଷିତ ହୋଇଛି। ଏଥି ମଧ୍ୟରେ ମାତ୍ର ୪୦୫ କୋଟି ହେଉଛି ନଗଦ ଟଙ୍କା। ସେହିପରି ୨୦୧୨-୧୩ ବର୍ଷର ହିସାବ ଦେଖିଲେ ମଧ୍ୟ ଜଣାପଡ଼ୁଛି କଳାଧନ ମହଜୁଦକାରୀମାନେ ଟଙ୍କା ତୁଳନାରେ ଅନ୍ୟ ବାଟରେ କଳାଧନ ଠୁଳ କରିଥାନ୍ତି।   ଏହାର କାରଣ ହେଉଛି, ସୁବିଧା। ମନେ କରନ୍ତୁ ଆପଣଙ୍କ ନିକଟରେ ୧୦୦୦ ଟଙ୍କିଆର ନୋଟ୍‌ ଆକାରରେ ଏକ କୋଟି ଟଙ୍କାର କଳାଧନ ରହିଛି। ଏହା ସାଇତିବା ପାଇଁ ଆପଣଙ୍କୁ ୧ ବର୍ଗଫୁଟ ଜାଗା ଦରକାର ହେବ। ଏହାର ଓଜନ ହେବ ୧୩ କିଲୋଗ୍ରାମ। ଆପଣ ଯଦି ୧୦୦ କୋଟି ଟଙ୍କା ଗଦେଇ ରଖିବେ ତେବେ ଏହାର ଓଜନ ହେବ ୧.୩ ଟନ୍‌, ଜାଗା ନେବ ଗୋଟେ ତିନି ଚକିଆ ଅଟୋ ଡାଲା। ଏ ଟଙ୍କାକୁ କାହାକୁ ଲୁଚେଇ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ। ତେଣୁ ଆପଣ ଏହି ୧୦୦ କୋଟି ଟଙ୍କାଙ୍କୁ ଲୁଚେଇବା ପାଇଁ କ’ଣ କରିବେ?   ଏହାକୁ ଆପଣ ମୂଲ୍ୟବାନ ଜମି, ଘର ଓ ଗାଡ଼ି କିଣାରେ ବିନିଯୋଗ କରିପାରନ୍ତି। ଶେୟାର ମାର୍କେଟ୍‌ରେ ଲଗାଇ ପାରନ୍ତି। ସୁନା, ହୀରା ଓ ପ୍ଲାଟିନମ୍‌ ଗହଣା କିଣି ପାରନ୍ତି। ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌ରେ ଏ ଧରଣର କଳାଧନ ମହଜୁଦକାରୀଙ୍କର କିଛି ବି କ୍ଷତି ହେବ ନାହିଁ।   କ୍ଷତି ହେବ କେବଳ ସାଧାରଣ ଲୋକଙ୍କର। ଏବେ ବି ଦେଶର ପ୍ରାୟ ୩୨ ପ୍ରତିଶତ ଲୋକଙ୍କର ବ୍ୟାଙ୍କ କି ଡାକଘର ଖାତା ନାହିଁ। ସେମାନେ ନଗଦ ଟଙ୍କା ଅକାରରେ ସଂଚୟ କରିଥାଆନ୍ତି। ସେହିପରି ଦେଶର ୧.୩୮ ଲକ୍ଷ ବ୍ୟାଙ୍କ ଶାଖାରୁ ୩୩ ପ୍ରତିଶତ ୧ ଓ ୨ ଶ୍ରେଣୀର ସହର ଭିତରେ ଅବସ୍ଥିତ। ଅର୍ଥାତ ଗ୍ରାମାଂଚଳ ଲୋକମାନେ ହିଁ ମୋଦିଙ୍କ ମାଡ଼ରେ ଅଧିକ ହଇରାଣ ହେବ। କମ୍ମେଇ ହୋଇ ସହର ଯିବେ, ୫୦୦ ଟଙ୍କା ଦେଇ ୩୦୦ ଟଙ୍କା ଆଣିବେ, ତା’ ସହିତ କିଛି ଶାରୀରିକ ଯନ୍ତ୍ରଣା!   ଅବଶ୍ୟ ମୋଦିଙ୍କ ନିଷ୍ପତ୍ତି ଯୋଗୁଁ ଖୁବ କମ୍‌ କଳାଟଙ୍କା ପୋଡ଼ିବ, ତା’ଠାରୁ ବେଶି ପୋଡ଼ିବ ଲୋକଙ୍କ ମନ।

Share :