ମହିମା ମିଶ୍ରଙ୍କ ଓଏସ‌୍‍ଏଲ‌୍‍ରେ ଚଢାଉ

ମହିମା ମିଶ୍ରଙ୍କ ଓଏସ‌୍‍ଏଲ‌୍‍ରେ ଚଢାଉ

Share :

  ପାରାଦୀପ ସିୱେଜ‌୍‍ ସିପିଂର ଜିଏମ‌୍‍ ମହେନ୍ଦ୍ର ସ୍ୱାଇଁଙ୍କୁ ଗୁଳି ମାରିବା ଘଟଣାର ୧୫ ଦିନ ପରେ ଆଜି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାରାଦୀପ ପୋଲିସ। ଏକ ସଙ୍ଗେ ପୋଲିସ‌୍‍ ପ୍ରାୟ ୫ଟି ଟିମ‌୍‍ ଗଢି ପାରାଦୀପର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ହତ୍ୟାକାଣ୍ଡ ପଛରେ ଓଏସ‌୍‍ଏଲ‌୍‍ କମ୍ପାନୀର ମାଲିକ ମହିମା ମିଶ୍ର ଓ ତାଙ୍କର କର୍ମଚାରୀ ବସନ୍ତ ବଳ, ସୁବାସ ଆଚାର୍ଯ୍ୟ ଓ ଦେବୀ ତ୍ରିପାଠୀ ଜଡିତ ଥିବା ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ବଡଭାଇ ରାଜକିଶୋର ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏନେଇ ପୋଲିସ ଲୁକ୍କାୟିତ ଭାବେ ତାହାର ଅନୁସନ୍ଧାନ କରିଥିଲା। ଯେହେତୁ ଏତଲା ନାମଧରି ଘଟଣା ଘଟିବା ଦିନ ଠାରୁ ପାରାଦୀପରୁ ଫେରାର ହୋଇ ଆଜି ପର୍ଯ୍ୟନ୍ତ କେଉଁ ଆଡେ ଆତ୍ମଗୋପନ କରିଛନ୍ତି ଏପରିକି ଯୋଗାଯୋଗ କରିବା ପାଇଁ ସମସ୍ତ ମୋବାଇଲ‌୍‍ ସୁଇଚ‌୍‍ ମଧ୍ୟ ଅଫ‌୍‍ ରଖାଯାଇଛି ଯାହାକୁ ନେଇ ତଦନ୍ତାଧୀନ ଘଟଣାରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ଧୀରେ ଧୀରେ ପୋଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଯାହାକୁ ଆଧାର କରି ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ‌୍‍ର କାର୍ଯ୍ୟାଳୟ ସମେତ ତଦନ୍ତାଧିନ ଅଭିଯୁକ୍ତମାନଙ୍କ ବାସଭବନରେ ଚଢାଉ କରିଛି।   ପ୍ରଥମେ ଏକ ଟିମ‌୍‍ ପାରାଦୀପ ବଡପଡିଆସ୍ଥିତ ୪ ତାଲା କାର୍ଯ୍ୟାଳୟରେ ପୋଲିସ‌୍‍ ପହଁଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା, କର୍ମଚାରୀମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତ ନେଇ ପଚାରି ବୁଝୁଥିଲା। ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କୁଆଡେ ଯାଇଛନ୍ତି, କେଉଁଦିନ ଠାରୁ କିଏ କିଏ ଅଫିସ‌୍‍ ଆସିନାହାଁନ୍ତି, ପୋର୍ଟ ଅପରେସନ‌୍‍ ମ୍ୟାନେଜର ସୁବାସ ଆଚାର୍ଯ୍ୟଙ୍କ ଭୂମିକା କ’ଣ, ସିନିୟର ମ୍ୟାନେଜର ଅଧିକାରୀ କେଉଁ କେଉଁ କାର୍ଯ୍ୟ ଦେଖନ୍ତି, ଏମିତି କେତେ କ’ଣ ପ୍ରଶ୍ନ ନେଇ ବିଭିନ୍ନ ତଥ୍ୟ ହାସଲ କରିଥିଲା। ଗତ ୨୬ ତାରିଖ ଦିନ ହତ୍ୟାକାଣ୍ଡ ସମୟରେ ଏହି ଅଧିକାରୀମାନେ କେଉଁଠି ଥିଲେ ଓ ତାଙ୍କ ସହିତ ଆଉ ସବୁ କାହାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ କରିଛି ପୋଲିସ‌୍‍। ଏହା ପରେ ବସନ୍ତ ବଳଙ୍କ ବାସଭବନ ଓ ସୁବାଷ ଆଚାର୍ଯ୍ୟଙ୍କ ବାସଭବନରେ ମଧ୍ୟ ପୋଲିସ ଚଢାଉ କରି ବହୁ ତଥ୍ୟ ହାସଲ କରିଛି।   ତା ସହିତ ତାରିଣୀଗଡା ନିକଟରେ ଥିବା ବସନ୍ତ ବଳଙ୍କ ସୁଉଚ୍ଚ ଅଟାଳିକା ଗେଷ୍ଟ ହାଉସ‌୍‍ ଓ ଆଡ‌୍‍ ଆନେସ୍କ କ୍ଳିନିକ‌୍‍ ଉପରେ ମଧ୍ୟ ପୋଲିସ ଚଢାଉ କରିଛି। ସେଠାରେ କେଉଁ କେଉଁ କାର୍ଯ୍ୟ ହେଉଥିଲା ଏବଂ ଗେଷ୍ଟ ହାଉସରେ କିଏ ସବୁ ଆସି ରହୁଥିଲେ ସେନେଇ ପୋଲିସ‌୍‍ ଯାଞ୍ଚ କରି ଫେରିଛି। ତେବେ ଏତେ ଗୁଡିଏ ଚଢାଉ ସମୟରେ ପୋଲିସ‌୍‍ କୌଣସି ଏତଲା ଅଭିଯୁକ୍ତଙ୍କୁ ପାଇ ନଥିଲା କି ତାଙ୍କର କୌଣସି ସମ୍ପର୍କୀୟଙ୍କୁ ମଧ୍ୟ ପାଇ ନଥିଲା। କେବଳ କେତେକ ବେତନଭୋଗୀ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ସେମାନଙ୍କର ସମସ୍ତ ପରିଚୟ ଯାଞ୍ଚ କରି ପୋଲିସ ବିଧିବଦ୍ଧ ଭାବେ ତଥ୍ୟ ହାସଲ କରିଥିଲା।   ପରେ ପୁଲିସ ବ୍ୟାଙ୍କ ଲାଇନ‌୍‍ରେ ଥିବା ବ୍ୟାଙ୍କ ଅଫ‌୍‍ ଇଣ୍ଡିଆରେ ପହଁଞ୍ଚିଥିଲା। ସେଠାରେ ଓଏସଏଲ କମ୍ପାନୀର ଆକାଉଣ୍ଟ‌୍‍ ଓ ଅନ୍ୟ ଅଧିକାରୀମାନଙ୍କର ଆକାଉଣ୍ଟ‌୍‍ ଥିବାରୁ ପୋଲିସ‌୍‍ ସବୁତକ ବ୍ୟାଙ୍କ ଶାଖା ପରିଚାଳକଙ୍କ ନିକଟରେ ବସି ବିଧିବଦ୍ଧ ଭବେ ଅଚଳ କରିଥିଲା। ଏହି ଘଟଣାକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଓଏସ‌୍‍ଏଲର ସମ୍ପୃକ୍ତି ନେଇ ଅଭିଯୋଗ ଉଠିବା ପରେ ପୋଲିସର ନିଦ ହଜି ଯାଇଥିଲା। ସେଥିପାଇଁ ପ୍ରାୟ ୧୫ ଦିନ ପରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ଆଗାମୀ ଦିନରେ ପୋଲିସର କ’ଣ ପଦକ୍ଷେପ ରହିବ ଓ ଏ ଚଢାଉରେ କି ତଥ୍ୟ ସବୁ ହାସଲ କଲା ବୋଲି ପ୍ରଶ୍ନ ହେବାରୁ ତଦନ୍ତ ବାଧାପ୍ରାପ୍ତ ହେବାର ଯୁକ୍ତିରେ କୌଣସି ସୂଚନା ନଦେଇ କେବଳ ଚଢାଉ ଚାଲିଛି ଓ ପରିବର୍ତ୍ତୀ ଅନୁସନ୍ଧାନରେ ସବୁ କିଛି ଜଣାପଡିବ ବୋଲି ପାରାଦୀପ ଥାନା ଅଧିକାରି ଶୁଭ୍ରାଂଶୁ ଶେଖର ନାୟକ କହିଥିଲେ।   ପୋଲିସର ସଫଳତା ଓ ବିଫଳତାକୁ ନେଇ ଏବେ ପାରାଦୀପରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାରାଦୀପକୁ ବାହାରୁ ପୁଞ୍ଜି ନିବେଶ କରିବାକୁ ଆସୁଥିବା କମ୍ପାନୀମାନଙ୍କ ଉପରେ ଏହା କିପରି ନାକାରାତ୍ମକ ପ୍ରଭାବ ନପକାଇବ ସେନେଇ ପୋଲିସ‌୍‍ ସଜାଗ ରହିବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Share :