ଆୟୁଷ ଡାକ୍ତରଙ୍କ ଚିକିତ୍ସା ବୀମା କାହିଁକି ନାହିଁ?

ଆୟୁଷ ଡାକ୍ତରଙ୍କ ଚିକିତ୍ସା ବୀମା କାହିଁକି ନାହିଁ?

Share :

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟକରୁଥିବା ଆୟୁଷ ଡାକ୍ତରମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ବା କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦେଲେ ସରକାର ସେମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା କରିନାହାନ୍ତି। ତେଣୁ ଜାତୀୟ ମାନବାଧିକାର କମିଶନ ଏହାକୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଏ ସମ୍ପର୍କରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ‌୍‍ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି।   ହୃଦରୋଗରେ ଆକ୍ରାନ୍ତ ଜଣେ ଠିକା ଆୟୁଷ ଡାକ୍ତରଙ୍କ ମାମଲାର ଶୁଣାଣୀ ସମୟରେ କମିଶନ ଏପରି ନିଦ୍ଦେର୍ଶନାମା ଦେଇଛନ୍ତି। ୨୦୧୪ ଡିସେମ୍ୱର ମାସରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନରେ ଅଭିଯୋଗ କରିଥିଲେ ଯେ, ପୁରୀ ଜିଲ୍ଲାରେ କାମ କରୁଥିବା ଜଣେ ଆୟୁଷ ଡାକ୍ତରାଣୀ ପ୍ରଣତୀ ବାରିକ ହୃଦରୋଗରେ ପୀଡିତ ଥିଲେ ମଧ୍ୟ ତାଙ୍କ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। କମିଶନ ଏହାକୁ ଅତି ଗୁରୁତର ନେବା ସହ ପ୍ରଣତୀଙ୍କ ଚିକିତ୍ସା ପାଇଁ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ। ତେଣୁ ପ୍ରଣତୀଙ୍କ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ‌୍‍ ପାଣ୍ଠିରୁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ କମିଶନ ଏଭଳି ଡାକ୍ତରମାନଙ୍କ ପାଇଁ କୌଣସି ଚିକିତ୍ସା ସହାୟତା ବା ବୀମାର ବ୍ୟବସ୍ଥା କାହିଁକି କରାଯାଇନାହିଁ, ତାହା କମିଶନ ଜାଣିବାକୁ ଚାହିଥିଲେ।   ସେହି ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା କମିଶନଙ୍କୁ ତାଙ୍କ ରିପୋର୍ଟରେ ଜଣାଇଥିଲେ ଯେ, ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ‌୍‍) ଅଧିନରେ କାମ କରୁଥିବା ଡାକ୍ତରମାନଙ୍କ ପାଇଁ ଚିକିତ୍ସା ସୁବିଧା କିମ୍ୱା ସ୍ୱାସ୍ଥ୍ୟ ବୀମା କରିବା ରାଜ୍ୟ ସରକାରଙ୍କ କ୍ଷମତା ଅଧିନରେ ନାହିଁ। ତାହା କେନ୍ଦ୍ର ସରକାର ବିଚାର କରିପାରିବେ। ସ୍ୱାସ୍ଥ୍ୟ ସଚିବଙ୍କ ଏହି ଜବାବ ପରେ କମିଶନ କେନ୍ଦ୍ର ସରକାରଙ୍କ ଅଧିନରେ ନୂଆ କରି ଗଠିତ ହୋଇଥିବା ଆୟୁଷ ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ‌୍‍ ଜାରି କରିଛନ୍ତି। କମିଶନ ତାଙ୍କ ଶୁଣାଣୀରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା ଏହି ଡାକ୍ତରମାନେ କେବେ ବି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡିପାରନ୍ତି। ତେଣୁ ସେମାନଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ହେବା ଦରକାର। ଏ ସମ୍ପର୍କରେ ଛଅ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କମିଶନ ଆୟୁଷ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   କେବଳ ଆମ ରାଜ୍ୟରେ ନୁହେଁ, ସାରା ଦେଶରେ ଏନଏଚଏମ‌୍‍ ଅଧିନରେ ୨୦ ହଜାରରୁ ଅଧିକ ଆୟୁଷ ଡାକ୍ତର କାମ କରୁଛନ୍ତି।

Share :