ମଲେ ୩୧, ହଜିଲେ ୧୪!

ମଲେ ୩୧, ହଜିଲେ ୧୪!

Share :

ଭି ଏସ କ୍ରୀଷ୍ଣା, ସମ୍ପାଦକ, ମାନବିକ ଅଧିକାର ସଂଗଠନ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଡକ୍ଟର ଗୋଲାକାବିହାରୀ ନାଥ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ,ଓଡିଶା   ମାଲକାନଗିରି ଜିଲ୍ଲାର ରାମଗୁଡାଠାରେ ଅକ୍ଟୋବର ୨୪ ତାରିଖ ଦିନ ଘଟିଥିବା ‘ଏନକାଉଣ୍ଟର’ ଗ୍ରେହାଉଣ୍ଡ ଦ୍ଵାରା ଏକତରଫା ଗୁଳିଚାଳନା ଅଟେ। ସମୁଦାୟ ମୃତକଙ୍କ ସଂଖ୍ୟା ୩୧ ଅଟେ। ପରେ ମାଲକାନଗିରି ଜିଲ୍ଲା ଆଣ୍ଡ୍ରାପାଲ୍ଲୀ ପଞ୍ଚାୟତ ବାଛିରିପାଲି ଗ୍ରାମର ଏକ ଯୁବକର ମୃତ ଦେହକୁ ଜଙ୍ଗଲ ମଧ୍ୟରେ ଠାବ କରାଯାଇଥିଲା ଯାହାକୁ ରାମଗୁଡା ଗ୍ରାମରେ ଗ୍ରାମବାସୀଙ୍କ ସହାୟତାରେ ଦାହ କରାଯାଇଛି।   ତିନୋଟି ପଞ୍ଚାୟତ ଯଥାକ୍ରମେ ଆଣ୍ଡ୍ରାପଲ୍ଲୀ, ପଣସପୁଟ ଓ ଯୋଡମ୍ବାର ୧୪ ଜଣ ଆଦିବାସୀ ଗଲା ଅକ୍ଟୋବର ୨୪ ତାରିଖ, ଏନକାଉଣ୍ଟର ଦିନଠାରୁ ଅଞ୍ଚଳରେ ଦେଖାଯାଉନାହାନ୍ତି। ପରବର୍ତ୍ତୀ ୩ ଦିନ ମଧ୍ୟରେ ଯେଉଁ ଦୁଇଥର ‘ଏନକାଉଣ୍ଟର’ ହୋଇଛି ତାହା ପ୍ରଥମ ଏନକାଉଣ୍ଟର ଦ୍ଵାରା କ୍ଷତବିକ୍ଷତ ଲୋକଙ୍କୁ ଗ୍ରେହାଉଣ୍ଡ ଦ୍ଵାରା ହତ୍ୟା ଅଟେ। ଉଚ୍ଚ ନ୍ୟାୟାଳୟ ଦ୍ଵାରା ତଦାରଖ ହୋଇପାରୁଥିବା ଏକ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ଵାରା ସମସ୍ତ ଘଟଣାର ତଦନ୍ତ ଦାବୀ କରୁଛୁ।   ଉଭୟ ମାନବିକ ଅଧିକାର ସଂଗଠନ (ଆନ୍ଧ୍ର ପ୍ରଦେଶ) ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ (ଓଡିଶା)ର ସଦସ୍ୟମାନେ ରାମଗୁଡା ଏନକାଉଣ୍ଟର ଘଟଣାର ତଥ୍ୟ ଅନୁସନ୍ଧାନ କରିବା ପରେ ଦାବୀ କରୁଛି ଯେ ଗଲା ଅକ୍ଟୋବର ୨୪, ୨୦୧୬ ତାରିଖରେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ମଧ୍ୟରେ ଥିବା ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତର ରାମଗୁଡା ଗ୍ରାମନିକଟରେ ଯେଉଁ ଭଳି ୨୭ ଜଣ ମାଓବାଦୀ ଓ ଅତିକମରେ ୪ ଜଣ ସାଧାରଣ ଗ୍ରାମବାସୀଙ୍କୁ ହତ୍ୟା କରାଗଲା ସେଥିପାଇଁ ଏହି ଅପରେସନରେ ନିଯୁକ୍ତ ଗ୍ରେହାଉଣ୍ଡ ଯବାନଙ୍କ ବିପକ୍ଷରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ (ହତ୍ୟା)ରେ ମକଦ୍ଦମା ରୁଜ୍ଜୁ କରି ସେମାନଙ୍କୁ ଦଣ୍ଡିତ କରାଯାଉ। ରାମଗୁଡା ହତ୍ୟାର ଅନୁସନ୍ଧାନ ଉଚ୍ଚ ନ୍ୟାୟାଲୟ ଦ୍ଵାରା ତଦାରଖ କରାଯାଇପାରୁଥିବା ଏକ ସ୍ଵତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ଵାରା କରାଯାଉ।   ଉଭୟ ସଂଗଠନର ଏକ ଚାରି ଜଣିଆ ଦଳ ଗଲା ନଭେମ୍ବର ୦୪ ତାରିଖ ଦିନ ବିଚ୍ଛିନ୍ନାଞ୍ଚଳରେ ଘଟିଥିବା ଉକ୍ତ ଏନକାଉଣ୍ଟର ସ୍ଥାନକୁ ଗସ୍ତ କରିଥିଲେ। ସେଠାରେ ଉକ୍ତ ଦଳ ଘୁସୁମପଦର ଓ ରାମଗୁଡା ଗ୍ରାମର ଗ୍ରାମବାସୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ଗ୍ରାମଦ୍ଵୟ ଏନକାଉଣ୍ଟର ସ୍ଥାନର ନିକଟରେ ଅବସ୍ଥିତ। ଉଭୟ ଆନ୍ଧ୍ର ପ୍ରଦେଶ ଓ ଓଡିଶା ପୁଲିସ ବିଭାଗର ଉଚ୍ଚ ଅଧିକାରୀମାନେ ଯାହା କହିଆସୁଛନ୍ତି ଯେ ଉଭୟ ପକ୍ଷର ଗୁଳିଚାଳନା ହେତୁ ମାଓବାଦୀଙ୍କର ମୃତ୍ୟୁ ହେଲା ତାହା ସମ୍ପୂର୍ଣ ମିଥ୍ୟା ଅଟେ। ଗ୍ରାମବାସୀଙ୍କ ସହିତ କଥା ହେବା ପରେ ଉକ୍ତ ତଥ୍ୟାନୁସନ୍ଧାନକାରୀ ଦଳ ଦୃଢ ବିଶ୍ଵାସ କରେ ଯେ ଏହା ଗ୍ରେହାଉଣ୍ଡ ଦ୍ଵାରା ଏକତରଫା ଗୁଳି ଚାଳନା ଅଟେ। ତଥ୍ୟ ଅନୁସନ୍ଧାନକାରୀ ଦଳ ଏ କଥା ମଧ୍ୟ ଦୃଢତାର ସହିତ କହୁଛି ଯେ ମାଓବାଦୀମାନେ ଏଭଳି ଅତର୍କିତ ଆକ୍ରମଣରେ ଚକିତ ହୋଇଛନ୍ତି ଯେଉଁଥିପାଇଁ ୩୧ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି।   ମାଓବାଦୀମାନେ ଘଟଣାର ପୂର୍ବଦିନ ଅର୍ଥାତ ଶନିବାର ରାତିରେ ଯନ୍ତ୍ରୀ ସରଂକ୍ଷିତ ଜଙ୍ଗଲ ମଧ୍ୟରେ ଆସି ନିଜର କ୍ୟାମ୍ପ କରିଥିଲେ। ଏହା ରାମଗୁଡା ଗ୍ରାମଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଅବସ୍ଥିତ। ଏହାର ପୂର୍ବ ଓ ଉତ୍ତର ଦିଗରେ ଘଞ୍ଚ ଜଙ୍ଗଲ ଘେରା ପାହାଡ ଅଛି ଓ ଗୋଟେପଟେ ବାଲିମେଲା ଜଳଭଣ୍ଡାରର ପାଣି। ଅକ୍ଟୋବର ୨୪ ତାରିଖ ଅତି ସକାଳୁ ଗ୍ରେହାଉଣ୍ଡ ଯବାନମାନେ ପାହାଡର ଉପରପଟରୁ ଅତର୍କିତ ଭାବେ ଆକ୍ରମଣ କରିବା ହେତୁ ୨୪ ଜଣଙ୍କ ମୃତ୍ୟୁ ଘଟିଲା। ଏହାପରେ ବାକି ସଦସ୍ୟମାନେ ସ୍ଥାନ ଛାଡି ପଳାଇଗଲେ। ଘଟଣାରୁ ଅନୁମାନ  କରାଯାଏ ଯେ ନକ୍ସଲବାଦ-ବିରୋଧୀ ଅଭିଯାନରେ ସାମିଲ ଥିବା ଏହି ଗ୍ରେହାଉଣ୍ଡ ଯବାନମାନେ ନିଜର ସୁବିଧାଜନକ ସ୍ଥିତି ଓ ଦକ୍ଷତାବଳରେ ସେମାନଙ୍କୁ ଗିରଫ କରିପାରିଥାନ୍ତେ ଯାହା ସେମାନେ କରିନାହାନ୍ତି। ଗ୍ରେହାଉଣ୍ଡ ଯବାନମାନେ ଏକତରଫା ଗୁଳି କରି ହତ୍ୟା କରିବା ଏ ଦେଶର ଆଇନ ବିରୋଧୀ କାର୍ଯ୍ୟ ଅଟେ।   ପୁଲିସ ଦ୍ଵାରା ଯାହା କୁହାଯାଉଛି ଯେ ଏନକାଉଣ୍ଟରର ପରଦିନ ଆଉ ୪ ଜଣ ଓ ଅକ୍ଟୋବର ୨୭ ତାରିଖ ଦିନ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ତାହା ସମ୍ପୂର୍ଣ ମିଛ କଥା। ଅକ୍ଟୋବର ୨୪ ତାରିଖ ସକାଳର ଗୁଳିକାଣ୍ଡ ପରେ ଗ୍ରାମବାସୀ ପୁଣି ଦୁଇଥର ଗୁଳିକାଣ୍ଡ ଗ୍ରାମର ଉପର ଦିଗରେ ଶୁଣିବାକୁ ପାଇଲେ। ତଥ୍ୟାନୁସନ୍ଧାନକାରୀ ଦଳ ଅନୁମାନ କରେ ଯେ ଏନକାଉଣ୍ଟର ଦ୍ଵାରା କ୍ଷତବିକ୍ଷତ ଲୋକଙ୍କୁ ବିଭିନ୍ନ ସ୍ଥାନରେ ଠାବକରି ଅତିନିକଟରୁ ଗ୍ରେହାଉଣ୍ଡ ଯବାନମାନେ ସେମାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଯାହାଙ୍କୁ ସହଜରେ ଗିରଫ ମଧ୍ୟ କରାଯାଇପାରିଥାନ୍ତା। ରାମଗୁଡା ଗ୍ରାମବାସୀଙ୍କଠାରୁ ଶୁଣିଲୁ ଯେ ଯବାନମାନେ ସ୍ଥାନ ଛାଡି ଗଲା ପରେ ମାଓବାଦୀମାନେ ଆସି ଆଉ ଏକ ମୃତଦେହ ଏକ କଲଭର୍ଟ ତଳୁ ପାଇଥିଲେ। ସେହି ମୃତ ଯୁବକ ଜଣକ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତର ବାଛିଲିପଦର ଗ୍ରାମର ଥିଲା। ଯୁବକର ପିତାମାତା ଓ ଗ୍ରାମବାସୀଙ୍କୁ ଖବର ଦେଇ ରାମଗୁଡା ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ଯୁବକର ମୃତଦେହକୁ ରାମଗୁଡା ନିକଟରେ ଦାହ କରାଯାଇଥିଲା। ଏହି ହେତୁ ସମୁଦାୟ ମୃତକଙ୍କ ସଂଖ୍ୟା ୩୧ ଅଟେ।   ଏହି ମିଥ୍ୟା ଏନକାଉଣ୍ଟରରେ ନିଯୁକ୍ତ ଗ୍ରେହାଉଣ୍ଡ ଯବାନମାନଙ୍କୁ ଅତି ଅସମ୍ବିଧାନିକ ଓ ଅଗଣତାନ୍ତ୍ରିକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ଯେଉଁମାନଙ୍କ ମୂଳଲକ୍ଷ ହେଲା ନିଜେ ବିଚାରକ ସାଜି କୌଣସି ନ୍ୟାୟାଳୟରେ ବିଚାର ହେବା ଆଗରୁ ମାଓବାଦୀଙ୍କୁ ହତ୍ୟା କରିବା। ଅତୀତରେ, ବହୁ ଘଟଣାରେ ସେମାନେ ଏହିଭଳି ଭାବରେ ବହୁ ଲୋକଙ୍କୁ ହତ୍ୟା କରିଛନ୍ତି ଯେଉଁମାନଙ୍କ ମଧ୍ୟରେ ନିରୀହ ସାଧାରଣ ଲୋକ ମଧ୍ୟ ଅଛନ୍ତି। ନିକଟରେ ଫେବୃଆରୀ ୦୨, ୨୦୧୬ ତାରିଖରେ ଏହିପରି ମାଓବାଦୀ ସନ୍ଦେହରେ ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ବାଳକାଟି ଓ ଝୁମସାପାଲ୍ଲୀ ଗ୍ରାମର ଦୁଇ ଆଦିବାସୀ ଗଙ୍ଗା ମାଡକାନୀ (୪୦) ଓ ଗଙ୍ଗା ପୋଡିଆମୀ (୩୩)ଙ୍କୁ ନିଜ ପର୍ବସମୟରେ ଶିକାର କରିବାକୁ ଭୁଲରେ ବିଶାଖାପାଟଣା ଏଜେନ୍ସି ଅଞ୍ଚଳକୁ ଚାଲିଯାଇଥିଲା ବେଳେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ।   ଅକ୍ଟୋବର ୨୪ ତାରିଖର ଏନକାଉଣ୍ଟର ପରଠାରୁ ଅଣ୍ଡ୍ରାପାଲ୍ଲୀ, ପଣସପୁଟ ଓ ଜୋଡମ୍ବା ପଞ୍ଚାୟତର ୧୪ ଜଣ ଆଦିବାସୀଙ୍କର କୌଣସି ଠିକଣା ମିଳୁନାହିଁ। ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଜଣା ପଡେ ଯେ ସେମାନଙ୍କ ମଧ୍ୟରେଢକେରପଦର ଗ୍ରାମର ୯ ଜଣ, ବାଛିଲିପଦର ଗ୍ରାମର ୨ ଜଣ ଓ ଖଜୁରିଗୁଡା ଗ୍ରାମର ୨ ଜଣ ଅନ୍ତର୍ଭୁକ୍ତ। ତାଙ୍କ ସମ୍ପର୍କୀୟମାନେ ସନ୍ଦେହ କରନ୍ତି ଯେ ହୁଏତ ସେମାନେ ପୁଲିସ ନିକଟରେ ଅଛନ୍ତି ଅଥବା ଅକ୍ଟୋବର ୨୪ ତାରିଖର ଏନକାଉଣ୍ଟରରେ ମୃତ ହୋଇଛନ୍ତି ଯାହାଙ୍କ ମୃତଦେହ ଜଙ୍ଗଲରେ ପଡିଛି। ମାତ୍ର ତଥ୍ୟାନୁସନ୍ଧାନକାରୀ ଦଳ ଏଥିରେ ନିଶ୍ଚିତ ଯେ ସେମାନେ ସମସ୍ତେ ସାଧାରଣ ଗ୍ରାମବାସୀ ଅଟନ୍ତି। କାରଣ ମାଓବାଦୀମାନେ ଅକ୍ଟୋବର ୨୪ ତାରିଖ ସୋମବାର ଦିନବେଳା ପାଖାପାଖି ୮ରୁ ୧୦ ଖଣ୍ଡ ଗ୍ରାମର ନିର୍ଦ୍ଦିଷ୍ଟ କିଛି ଲୋକଙ୍କର ଏକ ମିଟିଂ ସେହି ସ୍ଥାନରେ ଡ଼ାକିଥିଲେ। ହୁଏତ ସେହି ଗ୍ରାମବାସୀମାନେ ସେହି ମିଟିଂ ଉଦ୍ଦେଶ୍ୟରେ ପୂର୍ବରୁ ଆସିଥାଇପାରିଥାନ୍ତି। ରାମଗୁଡା ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ ଏନକାଉଣ୍ଟର ପୂର୍ବଦିନ ସନ୍ଧ୍ୟାରେ କ୍ୟାମ୍ପରୁ ଦୁଇଜଣ ମାଓବାଦୀ ଗ୍ରାମକୁ ଆସି ମିଟିଂ କରିଥିଲେ ଓ ସୋମବାର ମିଟିଙ୍ଗରେ ଗ୍ରାମର ୪ ଜଣ ଯୋଗଦେବା ପାଇଁ କହିଆସିଥିଲେ।   ଏଠାରେ ଆମେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁ କି ମାଓବାଦୀ ଆନ୍ଦୋଳନକୁ କେବଳ ଏକ ଆଇନଶ୍ରୂଙ୍କଳା ପରିସ୍ଥିତି ଭାବରେ ନେଇ ହତ୍ୟାର ତାଣ୍ଡବଲୀଳା ରଚନା ନକରନ୍ତୁ। ଏହା ଏକ ରାଜନୈତିକ ଆନ୍ଦୋଳନ ଓ ସମାଜରେ ବଢୁଥିବା ଅର୍ଥନୈତିକ ଅସମାନତା, ଅତ୍ୟାଚାର ଓ ବ୍ୟକ୍ତି ସ୍ଵାଧୀନତାରେ ହେଉଥିବା ହସ୍ତକ୍ଷେପ ବିପକ୍ଷରେ ଏକ ପ୍ରତିବାଦ ଅଟେ ଯଦିଓ ଏହା ହିଂସାର ରାସ୍ତାକୁ ଆପଣାଇଛି। ମାତ୍ର ସରକାର ଯେଉଁଭଳି ମାଓବାଦୀ  ମୂଳପୋଛ ଅଭିଯାନ ଆରମ୍ଭ କରି ଗ୍ରେହାଉଣ୍ଡ ପରି ଯବାନଙ୍କୁ ପ୍ରସ୍ତୁତ କରିଛନ୍ତି ତାହା ନିଶ୍ଚିତ ରୂପେ ଅସମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ। ଉଭୟ ସରକାର ଏଥିରୁ କ୍ଷାନ୍ତ ହୋଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ଉଭୟ ‘ମାନବିକ ଅଧିକାର ସଂଗଠନ’ (ଆନ୍ଧ୍ର ପ୍ରଦେଶ) ଓ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’ (ଓଡିଶା) ଦାବୀ କରୁଛି।                                                                                                             

Share :