ମୋଦି କାହିଁକି ବଡ଼ନୋଟ୍‌ ବନ୍ଦକଲେ?

ମୋଦି କାହିଁକି ବଡ଼ନୋଟ୍‌ ବନ୍ଦକଲେ?

Share :

କଳାଧନ, ଦୁର୍ନୀତି, ଜାଲିନୋଟ‍୍‌ ଓ ଆତଙ୍କବାଦ ବିରୋଧରେ ଅନ୍ୟ ଏକ ସର୍ଜିକାଲ ଷ୍ଟ୍ରାଇକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୮-୯ ମଧ୍ୟରାତିରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌ ନିଷିଦ୍ଧ କରାଯାଇଛି। ଏବେ ଏହା କେବଳ କାଗଜର ଟୁକୁଡ଼ା। ଏହା ବଦଳରେ ପରେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ‍୍‌ ପ୍ରଚଳନ କରାଯିବ।   ନଭେମ୍ବର ୮ ତାରିଖ ସନ୍ଧ୍ୟାରେ ହଠାତ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ଧରଣର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଗଚ୍ଛିତ ଥିବା କଳାଧନ, ପ୍ରତ୍ୟେକ କ୍ଷେତ୍ରରେ ଚେର ମେଲାଇଥିବା ଦୁର୍ନୀତି, ବଢ଼ି ଚାଲିଥିବା ଜାଲିନୋଟ‍୍‌ ଓ ଆତଙ୍କବାଦ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି। ଆତଙ୍କବାଦୀମାନେ ସୀମା ସେପଟୁ ଅନେକ ଜାଲି ନୋଟ‍୍‌ ପଠାଉଛନ୍ତି। ଦୁର୍ନୀତି କରୁଥିବା ଲୋକମାନେ ମଧ୍ୟ ନିଜର କଳାଧନକୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌ ଆକାରରେ ସାଇତି ରଖୁଛନ୍ତି। ଏସବୁକୁ ମୁକାବିଲା କରିବା ପାଇଁ ସରକାର ଏଦୁଇ ପ୍ରକାର ନୋଟ‍୍‌କୁ ନଭେମ୍ବର ୮ ତାରିଖ ମଧ୍ୟରାତିରୁ ଅର୍ଥାତ ନଭେମ୍ବର ୯ ତାରିଖରୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହା ଆଉ ଲିଗାଲ ଟେଣ୍ଡର ବା ଆଇନଗତ ମୁଦ୍ରା ହୋଇ ରହିନାହିଁ। ସକାଳୁ ଏହା କେବଳ କାଗଜ ଖଣ୍ଡରେ ପରିଣତ ହୋଇଛି।   ତେବେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ କୌଣସି ବ୍ୟକ୍ତି ବ୍ୟତିବ୍ୟସ୍ତ ବା ଆଶଙ୍କାଗ୍ରସ୍ତ ହେବାର କାରଣ ନାହିଁ। ଆପଣଙ୍କ ଟଙ୍କା ଆପଣଙ୍କର ହୋଇରହିବ। ଆପଣମାନେ ପାଖରେ ରଖିଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌କୁ ନଭେମ୍ୱର ୧୦ ତାରିଖରୁ ଡିସେମ୍ୱର ୩୦ ତାରିଖ ମଧ୍ୟରେ ବ୍ୟାଙ୍କଗୁଡ଼ିକରେ ଜମା କରିପାରିବେ। ଯେଉଁମାନଙ୍କର ବ୍ୟାଙ୍କ ଖାତା ନଥିବ ସେମାନେ ନିଜର ପରିଚୟପତ୍ର ଦେଖାଇ ବ୍ୟାଙ୍କରେ ନୋଟ ବଦଳାଇ ପାରିବେ। ଡାକ ଖାତାରେ ମଧ୍ୟ ଏସବୁ ନୋଟ‍୍‌ ଜମାଦେଇ ହେବ। ନିହାତି ଜରୁରୀ ପରିସ୍ଥିତିର ସାମ୍ନା କରୁଥିବା ଲୋକମାନଙ୍କ ପାଇଁ କେତେକ କ୍ଷେତ୍ରରେ ଏଦୁଇ ମୂଲ୍ୟର ବଡ଼ ନୋଟ‍୍‌ ୭୨ ଘଣ୍ଟା ପର୍ଯ୍ୟନ୍ତ ଗ୍ରହଣଯୋଗ୍ୟ ହେବ। ଡାକ୍ତରଖାନା, ପେଟ୍ରୋଲ ପମ୍ପ, ରେଳବାଇ ରିଜର୍ଭେସନ, ବିମାନ ବନ୍ଦର ଓ କ୍ରିମାଟୋରିୟମଗୁଡ଼ିକ ନଭେମ୍ୱର ୧୧ ତାରିଖ ଯାଏଁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌ ଗ୍ରହଣ କରିବେ।   ସରକାରଙ୍କର ଏହି ନିଷ୍ପତ୍ତି କିଛି ଲୋକଙ୍କ ପାଇଁ ସାମୟିକ ଅସୁବିଧା ସୃଷ୍ଟି କରିବ। କିନ୍ତୁ ଜାତୀୟ ସ୍ୱାର୍ଥ ପାଇଁ ଲୋକମାନେ ଏତିକି ତ୍ୟାଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ପରିସ୍ଥିତି ସହିତ ଖାପ‍୍‌ ଖୁଆଇବା ପାଇଁ ବ୍ୟାଙ୍କଗୁଡ଼ିକ ନଭେମ୍ୱର ୯ ତାରିଖରେ ବନ୍ଦ ରହିବ। ଏଟିଏମଗୁଡ଼ିକ ନଭେମ୍ୱର ୯ ଓ ୧୦ ତାରିଖ ବନ୍ଦ ରହିବ। ଏହା ପରେ ଲୋକମାନେ ବ୍ୟାଙ୍କ ଓ ଡାକ ଖାତାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌ ଜମା କରିପାରିବେ। ଅନ୍ୟ ସମସ୍ତ ମୂଲ୍ୟର ନୋଟ‍୍‌ ଲିଗାଲ ଟେଣ୍ଡର ବା ଆଇନଗତ ମାନ୍ୟତା ହରାଇନାହିଁ। ଲୋକମାନେ ବିନା ଦ୍ୱିଧାରେ ଟଙ୍କିକିଆ ନୋଟ‍୍‌ରୁ ଆରମ୍ଭ କରି ଅନ୍ୟ ସମସ୍ତ ନୋଟ‍୍‌ ବ୍ୟବହାର କରିପାରିବେ। ଏସବୁ ନୋଟ‍୍‌ କେବେ ବି ଅଚଳ ହୋଇନାହିଁ। ଏସବୁ ନୋଟ‍୍‌ର କାନୁନି ମାନ୍ୟତା ଅବ୍ୟାହତ ରହିଛି। ଏହି ବଡ଼ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ‍୍‌ରେ ଏ ବିଷୟରେ ଆଲୋଚନା କରିଥିଲେ। ସକାଳେ ସେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ତିନି ବାହିନୀର ମୁଖ୍ୟଙ୍କ ସହିତ ମଧ୍ୟ ସେ ଏ ନେଇ ଆଲୋଚନା କରିଥିଲେ। ସନ୍ଧ୍ୟାରେ କ୍ୟାବିନେଟ‍୍‌ ବୈଠକ ପରେ ପରେ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଏହି ଘୋଷଣା କରିଥିଲେ।   ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମଗୁଡ଼ିକରେ ଭିଡ଼ ଲାଗି ରହିଥିଲା। ଲୋକମାନେ ଦିନେ ଦୁଇ ଦିନ ଖର୍ଚ୍ଚ ତୁଲାଇବାକୁ ୧୦୦ ଟଙ୍କିଆ ଉଠାଇବାରେ ଲାଗିଥିଲେ। ତେଣୁ କେତେକ ଏଟିଏମରେ ୧୦୦ ଟଙ୍କିଆ ଶେଷ ହୋଇଯାଇଛି।

Share :