ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବ୍ଯ

ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବ୍ଯ

Share :

କୈଳାସ ଚନ୍ଦ୍ର ଜେନା   ନନିର୍ଭୀକ ସାମ୍ବାଦିକ, ନିଷ୍ଠାପର କର୍ମଯୋଗୀ, ପ୍ରବଳ ଗୁଣଗ୍ରାହୀ ମହାମାନବ, ସମାଜ ସଂସ୍କାରକ, ଶିକ୍ଷା ସାରଥୀ, ମହାନ ସ୍ବାଧୀନତା ସଂଗ୍ରାମୀ, କକୀର୍ତ୍ତୀବାନ୍ ଯୁଗପୁରୁଷ, ଶାଶ୍ବତ ଦେଶପ୍ରେମୀ, ଯଶସ୍ବୀ ସମାଜସେବୀ, ନିରଳସ ଜନସେବକ, ଅହିଂସାର ପୂଜାରୀ ପୁଣ୍ଯାତ୍ମା ମଦନ ମୋହନ ମାଲବ୍ଯ ୧୮୬୧ ମସିହା ଡିସେମ୍ବର ୨୫ ତାରିଖରେ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତାଙ୍କ ନାମ ବ୍ରିଜନାଥ ଓ ମାତାଙ୍କ ନାମ ମୋନା ଦେବୀ | ମଦନ ମୋହନଙ୍କ ପୂର୍ବପୁରୁଷ ମଧ୍ୟ ପ୍ରଦେଶର ଉଜ୍ଜୟିନୀରୁ ଏଠାକୁ ଆସି ବସବାସ କରିବାପରେ ତାଙ୍କର କୁଳନାମ ଚର୍ତୁବେଦୀରୁ ମାଲବ୍ଯକୁ ପରିବର୍ତ୍ତିତ ହୋଇଥିଲା | ତାଙ୍କର ପିତା ଜଣେ ଉତ୍ତମ ଶିକ୍ଷକ ଥିଲେ ଏବଂ ଶ୍ରୀମଦ୍ ଭାଗବତ ଉପରେ ତାଙ୍କର ଥିଲା ପ୍ରଗାଢ଼ଜ୍ଞାନ ଥିଲା | ପିତା-ମାତାଙ୍କ ସ୍ନେହ, ଶ୍ରଦ୍ଧା ସହିତ ନିଜର ଚାରିଭାଇ ଓ ଦୁଇ ଭଉଣୀଙ୍କ ମେଳରେ ହସ ଖୁସିରେ କଟିଥିଲା ମଦନଙ୍କର ବାଲ୍ଯକାଳ | ପାଞ୍ଚବର୍ଷ ବୟସରେ ସଂସ୍କୃତ ପାଠଶାଳାରେ ସେ ଆରମ୍ଭ କରିଥିଲେ ନିଜର ପାଠପଢ଼ା | ଏହା ପରେ ସେ ଇଂରାଜୀ ବିଦ୍ୟାଳୟ, ହାରଦେବ ଧର୍ମ ଜ୍ଞାନୋପଦେଶ ପାଠଶାଳା ଓ ବିଧା ବରଦିନ ସଭା ବିଦ୍ୟାଳୟରେ ପାଠ ପଢ଼ି ୧୮୭୯ ମସିହାରେ ସଫଳତାର ସହିତ ଉତ୍ତୀଣ୍ଣ ହୋଇ ଆହ୍ଲାବାଦ ଜିଲ୍ଲା ବିଦ୍ୟାଳୟରୁ ସମାପ୍ତ କରିଥିଲେ ବିଦ୍ୟାଳୟ ସ୍ତରୀୟ ଶେଷ ପାଠ | ନିଜ ପିତାମାତାଙ୍କ ପ୍ରସ୍ତାବ ଓ ଆଗ୍ରହ କ୍ରମେ ସେ ୧୮୭୮ ମସିହାରେ ମିର୍ଜାପୁରର କୁନ୍ଦନ ଦେବୀଙ୍କୁ ବିବାହ କରିଥିଲେ ମଧ୍ୟ ଏହି ବିବାହ ତାଙ୍କ ପାଠ ପଢ଼ାରେ ସୃଷ୍ଟି କରି ପାରିନଥିଲା କୌଣସି ପ୍ରକାର ପ୍ରତିବନ୍ଧକ | ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ନିମିତ୍ତ ସେ ନିଷ୍ଠାର ସହିତ ନିଜର ପାଠ ପଢ଼ା ଚାଲୁ ରଖି ହରିସନ୍ ମହାବିଦ୍ୟାଳୟରେ ନାମ ଲେଖାଇ ଥିଲେ | ମଦନଙ୍କର ଆର୍ଥିକ ଅବସ୍ଥା ଖରାପଥିବାରୁ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ପଢ଼ା ପାଇଁ ମାସିକ ବୃତ୍ତିର ବ୍ଯବସ୍ଥା କରାଇଥିଲେ | ଏହି ସମୟରେ ସେ ନିଜର ଛଦ୍ମ ନାମ ମକରନ୍ଦ ନାମରେ ସୁନ୍ଦର ସୁନ୍ଦର କବିତାମାନ ଲେଖି ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶ କରାଉ ଥିଲେ | ୧୮୮୪ ମସିହାରେ ସେ କଲିକତା ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଉପାଧି ହାସଲ କରି ଆହ୍ଲାବାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକରୂପେ ଯୋଗଦାନ କରିଥିଲେ | ମାତ୍ର ଏହି ଚାକିରୀ ସବୁ ଦିନପାଇଁ ତାଙ୍କୁ ବାନ୍ଧି ରଖି ପାରିଲା ନାହିଁ | ସେ ଦୁଇବର୍ଷ ପରେ ଏହି ଚାକିରୀରୁ ତ୍ଯାଗପତ୍ର ଦେଇ ୧୮୮୬ ମସିହାରେ କଲିକତା ଠାରେ ହେଉଥିବା ଭାରତୀୟ ଜାତୀୟ କଂଗ୍ରେସର ଦ୍ବିତୀୟ ଅଧିବେଶନରେ ଯୋଗଦାନ କରିଥିଲେ | ଏହି ସଭାରେ ସେ ନିଜର ପାଣ୍ଡିତ୍ଯ, ଦର୍ଶନ, ଦେଶ ପ୍ରେମ ଓ ଓଜସ୍ବିନୀ ବକ୍ତବ୍ଯ ଦ୍ବାରା ଉପସ୍ଥିତ ସଭିଁ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ସଭାର ସଭାପତି ଦାଦାଭାଇ ନାରୋଜୀ ଓ କଳାଙ୍କକର ରାଜା ରାମପାଲ ସିଂହଙ୍କର ଅତି ପ୍ରିୟ ପାତ୍ର ପାଲଟି ଯାଇଥିଲେ | ସମଗ୍ର ଭାରତ ବର୍ଷରେ ପବନ ବେଗରେ ବ୍ଯାପ୍ତ ହୋଇଥିଲା ତାଙ୍କର ଯଶ ଓ ଖ୍ଯାତି | ଏହା ପରେ ସେ ଆହ୍ଲାବାଦରେ ଆଇନ୍ ପାଠ୍ଯକ୍ରମରେ ନିଜର ନାମ ଲେଖାଇ ଅଇନିରେ ସ୍ନାତକ ଉପାଧି ହାସଲ କରିବା ପରେ ଆହ୍ଲାବାଦ ଜିଲ୍ଲା ଅଦାଲତରେ ୧୮୯୧ ମସିହାରେ ଆରମ୍ଭ କଲେ ଆଇନ୍ ବ୍ଯବସାୟ | ଖୁବ୍ କମ୍ ସମୟ ମଧ୍ୟରେ ଜଣେ ସଫଳ ଆଇନଜୀବୀ ହିସାବରେ ସେ ନିଜର ପ୍ରତିଷ୍ଠା ଲାଭକରି ୧୮୯୩ ମସିହାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଜଣେ ଆଇନଜୀବୀ ହିସାବରେ ଯୋଗଦାନ କରିଥିଲେ | ଏଠାରେ ସେ ବିଭିନ୍ନ ମୋକଦ୍ଦମାର ସୁପରିଚାଳନା କରି ବହୁଳ ଭାବରେ ପ୍ରଶଂସିତ ହୋଇଥିଲେ | ମାତ୍ର ଓକିଲାତିର ଅର୍ଥ ମୋହ ତାଙ୍କୁ ଏହି ପେଷାରେ ବାନ୍ଧି ରଖି ପାରିଲା ନାହିଁ | ଦେଶ ସେବାରେ ନିଜର ମୂଲ୍ଯବାନ ସମୟକୁ ନିୟୋଜିତ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇ ୧୯୧୧ ମସିହାରେ ସବୁଦିନ ପାଇଁ ସେ ନିଜର ଓକିଲାତି ପେଷାକୁ ପରିତ୍ଯାଗ କରିଥିଲେ | ଭାରତ ମାତାର ହାତରୁ ପରାଧୀନତାର ବେଡ଼ି ଖୋଲି ଦେଇ ହସ ଫୁଟାଇବା ପାଇଁ ସେ ଭାରତୀୟ ଜାତୀୟ କଂଗ୍ରେସକୁ ସୁଦୃଢ଼ କରିବା ଉଦ୍ଦେଶ୍ଯରେ ଲାଗି ପଡ଼ିଥିଲେ | ନିଜର ପ୍ରଜ୍ଞା, କୌଶଳ, ବ୍ଯବହାର, ଦେଶ ପ୍ରେମ, କ୍ରାନ୍ତିକାରୀ ବକ୍ତବ୍ଯ ଓ ସାଂଗଠନିକ ଦକ୍ଷତା ଦ୍ବାରା ସେ ୧୯୦୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଆସନ ଅଳଙ୍କୃତ କରି ସୃଷ୍ଟି କରିଥିଲେ ତୀବ୍ରତର ଜାତୀୟତାଭାବ | ନିଜର ଜନପ୍ରିୟତା ଓ ସମାଜ ସେବା କର୍ମଦ୍ବାରା ସେ ୧୯୧୨ ମସିହାରେ ବ୍ରିଟିଶ ଶାସନାଧୀନ ଭାରତର ବିଧାନ ପରିଷଦକୁ ନିର୍ବାଚିତ ହୋଇ ୧୯୧୯ ପର୍ଯ୍ଯନ୍ତ ଏହାର ସଦସ୍ଯ ଥିଲେ | ଏହି ସମୟରେ ସେ ଦେଶର ସାଧାରଣ ଜନତାଙ୍କ ହିତ ପାଇଁ ବହୁ କାର୍ଯ୍ୟ କରିଥିଲେ | ସାମାଜିକ ତଥା ଶିକ୍ଷାଗତ ସ୍ତରରେ ପର୍ଯ୍ଯାପ୍ତ ବିକାଶ ନଘଟିଲେ ଭାରତର ପ୍ରଗତି ଏବଂ ସ୍ବାଧୀନତା ସମ୍ଭବ ନୁହେଁ ଏହା ସେ ଅନୁଭବ କରିଥିଲେ | ସେଥିପାଇଁ ୧୯୧୫ ମସିହାରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ଆଇନ୍ ପ୍ରଣୟନ କରାଇ ନିଜର ଆନ୍ତରିକ ଓ ନିଷ୍ଠାପର ଉଦ୍ୟମ ଦ୍ବାରା ୧୯୧୬ ମସିହାରେ  ୧୩୦୦ ଏକର ପରିବ୍ଯାପ୍ତ ଭୂଖଣ୍ଡ ଉପରେ ପ୍ରତିଷ୍ଠା କଲେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ | ଦେଶ ସ୍ବାଧୀନ ହେବା ପରେ ଏହାର ବିକାଶ ଓ ପୁନଃ ନିର୍ମାଣ ପାଇଁ ସୁଦକ୍ଷ ଯନ୍ତ୍ରୀମାନଙ୍କର ବହୁ ଆବଶ୍ଯକତାକୁ ଏହି ଦୂରଦ୍ରଷ୍ଟା ଯୁଗପୁରୁଷ ହୃଦୟଙ୍ଗମ କରି ୧୯୧୮ ମସିହାରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ପରିସର ମଧ୍ୟରେ ସେ ଭାରତର ପ୍ରଥମ ଯାନ୍ତ୍ରିକ ଅଭିକଳ୍ପ, ନିର୍ମାଣ ଓ ବ୍ଯବହାରରେ ବିଜ୍ଞାନର ପ୍ରୟୋଗ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ | ଏହି ଅନୁଷ୍ଠାନରୁ ପାଠ ପଢ଼ି ଉତ୍ତୀର୍ଣ୍ଣ ହୋଇଥିବା ବୈଜ୍ଞାନିକ ଓ ଯନ୍ତ୍ରୀମାନେ କିଭଳି ଭାବରେ ବିଜ୍ଞାନ ଓ ପ୍ରବିଧି ବିଜ୍ଞାନ ଉଭୟ ବିଦ୍ୟାରେ ସଠିକ ଜ୍ଞାନ ଆହରଣ କରି ପାରିବେ ସେଥିପାଇଁ ସେ ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରିଥିଲେ | ନିଜ ପାଖରେ ଗୋଟିଏ ପଇସା ନଥିଲେ ମଧ୍ୟ ବିଭିନ୍ନ ବ୍ଯକ୍ତି ବିଶେଷଙ୍କଠାରୁ ଦାନ ଗ୍ରହଣ କରି ସେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରିଥିଲେ | ତତ୍କାଳୀନ ପ୍ରଖ୍ଯାତ ଯନ୍ତ୍ରୀ ପଣ୍ଡିତ ଗଙ୍ଗାରମା ପ୍ରସ୍ତୁତ କରିଥିଲେ ଏହାର ସ୍ବତନ୍ତ୍ର ରୂପରେଖ | ଏହା ସ୍ଥାପନ ନିମିତ୍ତ ମାଲବ୍ଯଙ୍କୁ ଆନ୍ନି ବେସାନ୍ତ ମଧ୍ୟ ବହୁ ସହାୟତା ପ୍ରଦାନ କରିଥିଲେ | ଏହି ଅନୁଷ୍ଠାନରେ କଳା, ବିଜ୍ଞାନ, ବାଣିଜ୍ଯ, ଆଇନ୍, ଯାନ୍ତ୍ରିକ ବିଦ୍ୟା, ଚିକିତ୍ସା, ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ, କଳା, ବିମାନ ଉଡ଼ାଣ ଓ ନର୍ିମାଣ ଇତ୍ଯାଦି ପ୍ରାୟ ଘାସ କଟାଠାରୁ ଘୋଡ଼ା ଚଢ଼ା ପର୍ଯ୍ଯନ୍ତ ସମସ୍ତ ବିଷୟରେ ଶିକ୍ଷାଦାନ ବ୍ଯବସ୍ଥା ରହିଛି | ଗରିବ ଏବଂ ମେଧାବୀ ଛାତ୍ର-ଛାତ୍ରୀ ମାନେ ସମସ୍ତ ପ୍ରକାର ସାହାଯ୍ଯ ଓ ସହଯୋଗ ପାଇ ଏଠାରେ ରହି ପଢ଼ିବା ନିମିତ୍ତ କରାଯାଇଅଛି ସ୍ବତନ୍ତ୍ର ବ୍ଯବସ୍ଥା | ଅନ୍ଯ ବିଶ୍ବ ବିଦ୍ୟାଳୟ ତୁଳନାରେ ଏହି ବିଶ୍ବ ବିଦ୍ୟାଳୟକୁ ଯେ ଦେଖେ ସେ ହୋଇ ଥାଏ ଆଶ୍ଚର୍ଯ୍ଯ ଚକିତ | କାରଣ ଏହାର ପରିସର ମଧ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ଗବେଷଣାମତ୍କ ସର୍ବୋଚ୍ଚ ଶିକ୍ଷା ଦାନର ବ୍ଯବସ୍ଥା ରହିଅଛି | ବିଧାନ ପରିଷଦର ସଦସ୍ଯ ଥିବା ସମୟରେ ସେ ୧୯୧୩ ମସିହାରେ ଆମ ଦେଶରେ ବାଳଚର ଓ ପଥ ପ୍ରଦର୍ଶକ ଅନୁଷ୍ଠାନ ପ୍ରତିଷ୍ଠା କରାଇଥିଲେ | ସେ ଶିକ୍ଷକ ଚାକିରୀ ଛାଡ଼ିବା ପରେ ୧୮୮୭ ମସିହାରେ ହିନ୍ଦୀ ସାପ୍ତାହିକ ପତ୍ରିକା ହିନ୍ଦୁସ୍ଥାନର ସଂପାଦକ ରହି ନିଜର ବୈପ୍ଲବିକ ଲେଖା ମାଧ୍ୟମରେ ଦେଶ ସ୍ବାଧୀନତା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରିବା ସହିତ ସୃଷ୍ଟି କରୁଥିଲେ ନବ ଜାଗରଣ | ନୂତନ କବି, ଲେଖକ ଓ ଦେଶ ପ୍ରେମୀ ସାହିତ୍ୟିକ ମାନଙ୍କର ଲେଖାମାନ ପ୍ରକାଶ କରି ସେମାନଙ୍କୁ ଉତ୍ସାହିତ କରିବା ସହିତ ଦେଶ ସ୍ବାଧୀନତା ନିମିତ୍ତ ଜାଳୁଥିଲେ ବିପ୍ଲବର ନିଆଁ | ସେ ମଧ୍ୟ ଅଇନିରେ ସ୍ନାତକ ପାଠ ପଢ଼ୁଥିବା ସମୟରେ ଇଂରାଜୀ ଦେନିକ ଖବର କାଗଜ ଇଣ୍ଡିଆନ୍ ଓପିନିଅନର ସହଯୋଗୀ ସଂପାଦକ ଦାୟିତ୍ବରେ ରହି ନିଜକୁ ଜଣେ ଦକ୍ଷ ଓ ନିର୍ଭୀକ ସାମ୍ବାଦିକ ରୂପେ ପ୍ରମାଣିତ କରିଥିଲେ | ସେ ୧୯୧୨ରୁ ୧୯୧୯ ପର୍ଯ୍ଯନ୍ତ ବିଧାନ ପରିଷଦର ସଦସ୍ଯ ରହି ବହୁ ଜନହିତକର କାର୍ଯ୍ୟ କରିଥିଲେ | ବ୍ରିଟିଶ ଶାସନାଧୀନ ବିଧାନ ପରିଷଦର ନାମ ପରିବର୍ତ୍ତନ ହୋଇ କେନ୍ଦ୍ରୀୟ ବିଧାନ ପରିଷଦ ହେବା ପରେ ମଧ୍ୟ ସେ ୧୯୧୯ରୁ ୧୯୨୬ ପର୍ଯ୍ଯନ୍ତ ଏହାର ସଦସ୍ଯ ଥିଲେ | ସେ ବିଧାନ ପରିଷଦର ସଦସ୍ଯ ଥାଇ ମଧ୍ୟ ୧୯୨୪ ମସିହାରେ ତତ୍କାଳୀନ ବିଶିଷ୍ଟ ଶିଳ୍ପପତି ଘନଶ୍ଯାମ ଦାସ ବିରଳାଙ୍କ ସହାୟତାରେ ମୃତ୍ୟୁମୁଖରେ ପଡ଼ିଥିବା ‘ହିନ୍ଦୁସ୍ଥାନ ଟାଇମ୍ସ’ ପତ୍ରିକାର ପ୍ରକାଶନ ଦାୟିତ୍ବ ବହନ କରି ଏହି ପତ୍ରିକାକୁ ନବ ଜୀବନ ଦେଇଥିଲେ | ସେ ଉକ୍ତ ପତ୍ରିକାରେ ବିଭିନ୍ନ ପ୍ରକାର ଦେଶାମତ୍ବୋଧକ ଲେଖାମାନ ପ୍ରକାଶ କରି ସ୍ବାଧୀନତା ଆନ୍ଦୋଳନକୁ ଗତିଶୀଳ କରାଇଥିଲେ | 1918 ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ନିଜର ଆଦର୍ଶ ଓ ନେତୃତ୍ବ ବଳରେ କଂଗ୍ରେସକୁ ବ୍ଯାପ୍ତ ଓ ସୁସଂଗଠିତ କରିଥିଲେ | ଏହି ଗାନ୍ଧିବାଦୀ ନେତାଙ୍କ ସମସ୍ତ ପ୍ରକାର କର୍ମ ଓ ସୁଗୁଣରେ ଅଭିଭୂତ ହୋଇ ଜାତୀୟ ପିତା ଗାନ୍ଧିଜୀ ତାଙ୍କୁ ମହାମନା ଉପାଧିରେ ଭୂଷିତ କରିଥିଲେ | ୧୯୨୮ ମସିହାରେ ସାଇମନ କମିଶନଙ୍କୁ ବିରୋଧ କରିବା ଘଟଣାକୁ ନେଇ ତାଙ୍କର ଲାଲା ଲଜପତ ରାୟ ଓ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସହିତ ଘନିଷ୍ଠତା ସୃଷ୍ଟି ହୋଇଥିଲା | ନେହେରୁଙ୍କ ପିତା ମୋତିଲାଲ୍ ନେହେରୁ ମଧ୍ୟ ମାଲବ୍ଯଙ୍କର ଜଣେ ଅନ୍ତରଂଗ ବନ୍ଧୁଥିଲେ | ସେଥିପାଇଁ ପଣ୍ଡିତ ଜବାହର ଲାଲ୍ ମାଲବ୍ଯଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ | ନିଜର ପାଣ୍ଡିତ୍ଯ ଓ ଅଭିଭାଷଣ ପାଇଁ ୧୯୩୧ ମସିହାରେ ଭାରତର ପ୍ରତିନିଧି ହିସାବରେ ପଣ୍ଡିତ ମାଲବ୍ଯ ଦ୍ବିତୀୟ ଗୋଲଟେବୁଲ ବୈଠକରେ ଯୋଗଦାନ କରିଥିଲେ | ଲଣ୍ଡନ ଠାରେ ଚାଲିଥିବା ଏହି ବୈଠକରେ ପଣ୍ଡିତ ମାଲବ୍ଯଙ୍କର ଅକାଟ୍ଯ ଯୁକ୍ତି ଶୁଣି ସମସ୍ତେ ସମ୍ଭୀଭୂତ ହୋଇଥିଲେ | ଆଇନ୍ ଅମାନ୍ଯ ଆନ୍ଦୋଳନର ନେତୃତ୍ବ ନେଇ ମାଲବ୍ଯ ତା୨୫.୪.୧୯୩୨ ରିଖରେ ୪୫୦ ଜଣ ଅନ୍ଯ କର୍ମୀଙ୍କ ସହିତ ବ୍ରିଟିଶ ସରକାର ଦ୍ବାରା ଦିଲ୍ଲୀରୁ ଗିରଫ ହୋଇଥିଲେ | ସରୋଜିନୀ ନାଇଡ଼ୁ ମଧ୍ୟ ଗିରଫ ହୋଇ କାରାଗାରରେ ରହିବା ପରେ ମାଲବ୍ଯ କାରାମୁକ୍ତ ହୋଇ କଂଗ୍ରେସ ଦଳର ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ | ଆଇନ୍ ବ୍ଯବସାୟ ଛାଡ଼ି ଦେଇଥିବା ଏହି ବିଚକ୍ଷଣ ଆଇନଜ୍ଞ ଚୋରୀ ଚୌରା ଘଟଣା ପାଇଁ ନିଜ ନିଷ୍ପତ୍ତିର ପୁନଃବିଚାର କରି ପୁଣି ଫେରି ଆସିଥିଲେ ଆଇନ୍ ପେଷାକୁ | ଏହି ଚୌରୀ ଚୌରା ଘଟଣାରେ ୧୭୭ ଜଣ ସ୍ବାଧୀନତା ସଂଗ୍ରାମୀ ଅଦାଲତ ଦ୍ବାରା ଦୋଷୀ ସାବ୍ଯସ୍ତ ହୋଇ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ | ମାତ୍ର ମହାମନା ମାଲବ୍ଯ ପୁନଃ ସେମାନଙ୍କର ମୋକଦ୍ଦମାର ବିଚାର କରାଇ ଏବଂ ସେହି ମୋକଦ୍ଦମାକୁ ସ୍ବୟଂ ସଠିକ୍ ଭାବରେ ଲଢ଼ି ସେମାନଙ୍କ ମଧ୍ୟରୁ ୧୫୬ ଜଣଙ୍କୁ ଫାଶୀ ଦଣ୍ଡରୁ ମୁକୁଳାଇ ନିର୍ଦ୍ଦୋଷରେ ଖଲାସ କରାଇଥିଲେ | ଏହି ସମାଜ ସଂସ୍କାରକ ମହାମନୀଷୀ ଆମ ସମାଜରୁ ଅସ୍ପୃଶ୍ଯତା ନିବାରଣ ନିମିତ୍ତ ସଦା ସର୍ବଦା ବ୍ଯାକୁଳ ଥିଲେ| ମାଲବ୍ଯଙ୍କର ଆନ୍ତରିକ ଉଦ୍ୟମ ଓ ଦଳିତ ନେତା ପି. ଏନ୍. ରାଜଭୋଜଙ୍କ ନେତୃତ୍ବରେ ୧୯୩୨ ମସିହାରେ ୨୦୦ ଦଳିତ ବ୍ଯକ୍ତି କାଳାରାମ ମନ୍ଦିରରେ ପ୍ରବେଶ କରି ନିଜ ମାନବିକ ଅଧିକାର ସାବ୍ଯସ୍ତ କରିଥିଲେ | ଏହି ଅସ୍ପୃଶ୍ଯତା ନିବାରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ୧୯୩୩ ମସିହାରେ ସେ ଏକ ହରିଜନ ସେବକ ସଂଘ ଗଠନ କରିଥିଲେ| କଂଗ୍ରେସରେ ଥାଇ ମଧ୍ୟ ପଣ୍ଡିତ ମାଲବ୍ଯ ୧୯୨୨ ମସିହାରେ ଗୟା ଠାରେ ଏବଂ ୧୯୨୩  ମସିହାରେ କାଶୀ ଠାରେ ଅନୁଷ୍ଠିତ ହିନ୍ଦୁ ମହାସଭାର ଅଧିବେଶନରେ ସଭାପତି ଆସନ ଅଳଙ୍କୃତ କରିଥିଲେ | ସେ ମଧ୍ୟ ଦି-ଲିଡ଼ର ନାମକ ଏକ ଦୈନିକ ଇଂରାଜୀ ପତ୍ରିକା ୧୯୦୯ ମସିହାରେ ନିଜସ୍ବ ଚେଷ୍ଟାରେ ପ୍ରକାଶିତ କରିଥିଲେ | ଏହି ସ୍ପଷ୍ଟବାଦୀ ମହାମାନବ କଂଗ୍ରେସର ସାଂପ୍ରଦାୟିକ ନୀତିକୁ ବିରୋଧ କରି ୧୯୩୪ ମସିହାରେ କଂଗ୍ରେସଦଳ ପରିତ୍ଯାଗ କରି ପ୍ରତିଷ୍ଠା କରିଥିଲେ ହିନ୍ଦୁ ମହାସଭା | ୧୯୩୬ ସେ ହିନ୍ଦୁ ସ୍ଥାନ ଟାଇମ୍ସର ଏକ ହିନ୍ଦୀ ସଂସ୍କରଣ ପ୍ରକାଶ କରିଥିଲେ | ଏହାର ନାମ ଥିଲା ହିନ୍ଦୁସ୍ଥାନ | ପତ୍ରିକାର ସଂପାଦକ ରହି ସେ ସ୍ବାଧୀନତା ଆନ୍ଦୋଳନକୁ ଅଧିକ ଗତିଶୀଳ କରାଇବା ସହିତ ସମାଜରେ ଥିବା କୁସଂସ୍କାର ମାନଙ୍କୁ କବର ଦେବା ପାଇଁ ବହୁ ବୈପ୍ଲବିକ ଓ ସଂସ୍କାରବାଦୀ ଲେଖାମାନ ପ୍ରକାଶ କରୁଥିଲେ | ବନାରସ ହିନ୍ଦୁବିଶ୍ବ ବିଦ୍ୟାଳୟର ସେ ୧୯୧୯ରୁ ୧୯୩୯ ପର୍ଯ୍ଯନ୍ତ କୁଳପତି ଥିଲେ ଏବଂ ତାଙ୍କ ଠାରୁ ଡକ୍ଟର ସର୍ବାପଲ୍ଲୀ ରାଧାକୃଷ୍ଣନ୍ ଗ୍ରହଣ କରିଥିଲେ ଉକ୍ତ ବିଶ୍ବ ବିଦ୍ୟାଳୟର କୁଳପତି ଦାୟିତ୍ବ | ଏହି ବିଶ୍ବ ବିଦ୍ୟାଳୟଟି ବର୍ତ୍ତମାନ ଏସିଆ ମହାଦେଶର ସର୍ବ ବୃହତ ଆବାସିକ ବିଶ୍ବ ବିଦ୍ୟାଳୟ ଏବଂ ଏଠାରେ ୩୫,୦୦୦ ଛାତ୍ର-ଛାତ୍ରୀ ଅଧ୍ୟୟନ କରୁଛନ୍ତି | ୧୯୨୪ରୁ ୧୯୪୬ ପର୍ଯ୍ଯନ୍ତ ସେ ହିନ୍ଦୁସ୍ଥାନ ଟାଇମ୍ସର ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ | ସେ ଥିଲେ ପାଞ୍ଚ ପୁତ୍ର ଓ ପାଞ୍ଚ କନ୍ଯାଙ୍କର ସୁଯୋଗ୍ଯ ଜନକ | ସେମାନଙ୍କ ମଧ୍ୟରୁ ଜୀବିତ ଥିବା ଚାରିପୁତ୍ର ରମାକାନ୍ତ, ରାଧାକାନ୍ତ, ମୁକୁନ୍ଦ ଓ ଗୋବିନ୍ଦ ଏବଂ ଦୁଇ କନ୍ଯା ରମା ଓ ମାଳତୀ ପିତାଙ୍କ ନୀତି, ଆଦର୍ଶ ଓ ସଦ୍ଗୁଣରେ ଅନୁପ୍ରାଣିତ ହୋଇ ଦେଶ ମାତୃକା ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ | ସ୍ବାଧୀନ ଭାରତର ସ୍ବପ୍ନ ଦେଖୁଥିବା ଏହି କର୍ମଯୋଗୀ ପ୍ରବାଦ ପୁରୁଷ ଦେଶ ସ୍ବାଧୀନ ହେବାର ନଅ ମାସ ପୂର୍ବରୁ ତା୧୨.୧୧.୧୯୪୬ ରିଖରେ ଇହଲୀଳା ସମ୍ବରଣ କରିଥିଲେ | ଆମ ଦେଶ ସରକାର ଭାରତ ଜନନୀର ଏହି ସୁଯୋଗ୍ଯ ସନ୍ତାନଙ୍କୁ ୨୦୧୪ ମସିହାରେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରି ସଭିଁ ଭାରତୀୟ ମାନଙ୍କୁ ଗବିର୍ତ କରାଇଛି|

Share :