ମୋଦିଙ୍କ ମାଷ୍ଟର ଜୋକ୍‌!

ମୋଦିଙ୍କ ମାଷ୍ଟର ଜୋକ୍‌!

Share :

  ଏହା କୌଣସି ଐତିହାସିକ ନିଷ୍ପତ୍ତି ନୁହେଁ। ନୁହେଁ ବି ଏହା ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍‌। ମୋଦିଙ୍କ ପୂର୍ବରୁ ଦୁଇ ଥର ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ନା ଦୁର୍ନୀତି ହଟିଛି ନା କଳାଧନ! ଏମିତି କି ବଜାରରୁ ଜାଲିନୋଟ୍‌ ସମସ୍ୟା ବି ଦୂର ହୋଇନାହିଁ। ତେଣୁ ଏଥର ଯେ ସୁଫଳ ମିଳିବ, ଏ ଆଶା କେବଳ ମୋଦିଙ୍କ ଭକ୍ତଜନଙ୍କ ବ୍ୟତିତ ଅନ୍ୟ କେହି କରିବା ବୋକାମି ହେବ।   ଯେଉଁମାନେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ନିଷିଦ୍ଧ କରିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାଷ୍ଟର ଷ୍ଟ୍ରୋକ୍‌ ଓ ଐତିହାସିକ ପଦକ୍ଷେପ ବୋଲି ପ୍ରଚାର କରୁଛନ୍ତି ସେମାନେ ବୋଧହୁଏ ଭାରତର ଇତିହାସ ବିଷୟରେ ଅଜ୍ଞ। ୨୦୧୬ ନଭେମ୍ବର ୯ ତାରିଖର ବହୁ ପୂର୍ବରୁ ଭାରତ ସରକାର ୧୦୦୦ ଟଙ୍କିଆ ଓ ତଦୁର୍ଦ୍ଧ୍ବ ମୂଲ୍ୟର ନୋଟ୍‌କୁ ଦୁଇ ଦୁଇ ଥର ନିଷିଦ୍ଧ କରିଛନ୍ତି। ବିଶେଷ କିଛି ଫଳ ମିଳି ନାହିଁ। ଦୁର୍ନୀତି ଦୂର ହୋଇନି କି ଜାଲିନୋଟ ସମସ୍ୟା ହଟିନି।   ଅନେକେ ହୁଏତ ଜାଣି ନଥିବେ ଭାରତରେ ଆଗରୁ ୧୦୦୦, ୫୦୦୦ ଓ ୧୦୦୦୦ ଟଙ୍କିଆ ନୋଟ୍‌ ପ୍ରଚଳିତ ଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୯୩୮ ମସିହାରେ ୧୦ ହଜାର ଟଙ୍କିଆ ନୋଟ ଛପା ଯାଇଥିଲା। କିନ୍ତୁ ପ୍ରଥମେ ୧୯୪୬ ଜାନୁଆରୀ ଓ ପରେ ୧୯୭୮ ଜାନୁଆରୀ ମାସରେ ୧୦୦୦ ଟଙ୍କିଆ ଓ ତଦୁର୍ଦ୍ଧ୍ବ ମୂଲ୍ୟର ନୋଟ୍‌କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ। କାରଣ ଥିଲା ଦୁର୍ନୀତି, କଳାବଜାରୀ ଓ ଜାଲି ନୋଟ୍‌।   ଦେଶରେ ଜାନୁଆରୀ ୧୯୪୬ ପୂର୍ବରୁ ୧୦୦୦ ଓ ୧୦,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଥିଲା। କିନ୍ତୁ ସ୍ବାଧୀନତା ପୂର୍ବରୁ ଏହାକୁ ତତ୍କାଳୀନ ବ୍ରିଟିଶ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ସ୍ବାଧୀନତା ପରେ ୧୯୫୪ ମସିହାରେ ଭାରତ ସରକାର ପୁଣି ଏହାର ପ୍ରଚଳନ କରିଥିଲେ। ସେବେଠାରୁ ୧୦୦୦, ୫୦୦୦, ୧୦୦୦୦ ଟଙ୍କିଆ ନୋଟ୍‌ ପ୍ରଚଳିତ ଥିଲା। କିନ୍ତୁ ୧୯୭୮ ଜାନୁଆରୀ ମାସରେ ତତ୍କାଳୀନ ମୋରାରଜୀ ଦେସାଇ ସରକାର ଏସବୁ ନୋଟ୍‌କୁ ନିଷିଦ୍ଧ କରାଯାଇଥିଲା।   ୧୯୮୭ ମସିହାରେ ଭାରତରେ ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହୋଇଥିଲା। ୨୦୦୦ ନଭେମ୍ବର ମାସରେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ୧୦୦୦ ଟଙ୍କିଆ ନୋଟ୍‌ର ପୁନଃ ପ୍ରଚଳନ ହୋଇଥିଲା। ଏବେ କିନ୍ତୁ ସରକାର ୫୦୦ ଓ ୨ ହଜାର ଟଙ୍କିଆ ନୋଟ୍‌ ଜାରି କରିବେ। ଆଗରୁ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳିତ ନଥିଲା। ନଭେମ୍ବର ୧୦ ତାରିଖରୁ ନୂଆ ୫୦୦ ଟଙ୍କିଆ ଓ ୨ ହଜାର ଟଙ୍କିଆ ନୋଟ୍‌ ଜାରି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।   ସ୍ବାଧୀନ ଭାରତରେ ୧୯୬୭ ଓ ୧୯୯୨ ଭିତରେ ଅଶୋକ ସ୍ତମ୍ଭ ଥିବା ୧୦ ଟଙ୍କିଆ, ୧୯୭୨ ଓ ୧୯୭୫ ମଧ୍ୟରେ ୨୦ ଟଙ୍କିଆ, ୧୯୭୫ ଓ ୧୯୮୧ ମଧ୍ୟରେ ୫୦ ଟଙ୍କିଆ ଏବଂ ୧୯୬୭ ଓ ୧୯୭୯ ମଧ୍ୟରେ ବିଭିନ୍ନ ପ୍ରକାର ୧୦୦ ଟଙ୍କିଆ ନୋଟ୍‌ ପ୍ରଚଳିତ ହୋଇଥିଲା। ଏସବୁ ନୋଟ୍‌ରେ ବିଜ୍ଞାନ, ପ୍ରଯୁକ୍ତି ଓ ପ୍ରଗତିର ଅନେକ ଚିହ୍ନ ରହିଛି। ୧୯୮୦ ମସିହାରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ସଂକେତରେ ସତ୍ୟମେବ ଜୟତେ ସ୍ଥାନ ପାଇଲା।   ଏବେ ପ୍ରଥର ଥର ପାଇଁ ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳିତ ହେବ। ଏହା ଯେ ଲାଞ୍ଚ ଓ କମିଶନି କାରବାରରେ ଲାଗିବ ନାହିଁ ତାହାର ଗ୍ୟାରେଣ୍ଟି ମୋଦି ଦେଲେ ନା ଜେଟ୍‌ଲି? ଉର୍ଜିତ ପଟେଲ ନା ଶକ୍ତିକାନ୍ତ ଦାସ? କେହି ତ କହିଲେ ନାହିଁ ଏହା ଦ୍ବାରା ଦୁର୍ନୀତି ଓ ଆତଙ୍କବାଦ ଦୂର ହେବ ବୋଲି? ଯଦି ଏହା ହେବ ତେବେ ଭାରତବାସୀ କ’ଣ ୨୦୧୭ ଜାନୁଆରୀ ମାସରୁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ପାଇବେ ନାହିଁ?   ଏବେ ପ୍ରଥର ଥର ପାଇଁ ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳିତ ହେବ।   ତେବେ, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ନିଷିଦ୍ଧ କଲାପରେ ସତରେ କ’ଣ ଦୁର୍ନୀତି ଓ କଳାଟଙ୍କା ହଟିବ? ଯେହେତୁ ପୂର୍ବର ଏପରି ନିଷ୍ପତ୍ତିରେ ଏଭଳି ଫଳ ମିଳି ନାହିଁ ତେଣୁ ଏବେ ଏଭଳି ଫଳ ମିଳିବ ବୋଲି ଆଶା କରିବା ଆକାଶ କଇଁଆ ଓ ଚିଲିକା ମାଛ ପରି। ମୁଦ୍ରା ବଦଳିଗଲେ ଯେ ଦୁର୍ନୀତି ଦୂର ହୁଏ ତାହା ଭାବିବା ଅଜ୍ଞତା ବ୍ୟତିତ ଅନ୍ୟ କିଛି ନୁହେଁ। ଏଥିପାଇଁ କଠୋର ଅନୁଶାସନ ଓ ଦଣ୍ଡବ୍ୟବସ୍ଥା ଜରୁରୀ।   କିନ୍ତୁ ମୋଦି ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ଗ୍ରାମାଞ୍ଚଳ ଲୋକମାନେ ଅଧିକ ହଇରାଣ ହରକତ ହେବେ। ସେମାନେ ଏବେ ଧାନ ଅମଳ ଓ ଚାଷକାମ ଛାଡ଼ି ସହରକୁ ଧାଇଁବେ ନୋଟ୍‌ ବଦଳାଇବା ପାଇଁ। ଏଥିରେ ସେମାନେ ଖର୍ଚ୍ଚାନ୍ତ ହେବେ, ସମୟ ଦେବେ। ସାଧାରଣ ଖାଉଟି ମଧ୍ୟ ମାସେ ଯାଏଁ ସମସ୍ୟାର ସମ୍ମୁଖୀନ ହେବେ। ଆଜିକାଲି ମୁଦ୍ରାସ୍ଫୀତି ଚଢ଼ା, ଦର ଅଧିକ, ସେଥିରେ କମ୍‌ ମୂଲ୍ୟର ନୋଟ୍‌ରେ କାରବାର କେମିତି ସମ୍ଭବ ହେବ? ସାଧାରଣ ଖାଉଟି କୋଉ ଚେକ୍‌ ଓ କ୍ରେଡିଟ୍‌ କାର୍ଡ଼ ବ୍ୟବହାର କରେ?   ଯେଉଁମାନଙ୍କ ଘରେ ଶହଶହ କୋଟି ଟଙ୍କାର କଳାଟଙ୍କା ଥିବ ସେମାନେ ଏବେ ଏହାକୁ ନିଜର ଚାକରବାକର, ସାଙ୍ଗସାଥୀ, ଚିହ୍ନାପରିଚିତ ଲୋକଙ୍କ ଜରିଆରେ ବଦଳେଇ ଆଣିବେ। ଆଜିକାଲି କାହାର ଭୋଟର କାର୍ଡ଼ ଓ ଆଧାର କାର୍ଡ଼ ନାହିଁ ଯେ! ତା’ଛଡ଼ା ସବୁ କଳାଧନ କ’ଣ ନୋଟ୍‌ ଆକାରରେ ଗଚ୍ଛିତ ଅଛି? ଯେଉଁସବୁ କଳାଟଙ୍କା ରିୟଲ ଇଷ୍ଟେଟ୍‌, ସୁନା ଓ ହୀରା ଗହଣା, ଜମି ଓ ଶେୟାର ବଣ୍ଡ ଆକାରରେ ରହିଛି ତାହା କ’ଣ ଚଳିବନି କି? ଚଳିବଟି! ଆଉ ମାଷ୍ଟର ଷ୍ଟ୍ରୋକ୍ କ’ଣ? ନଗଦ ଟଙ୍କାର କିଛି କଳାଟଙ୍କା ଅବଶ୍ୟ ଅଚଳ ହେବ। ହେଉ, ତାହା କାହାର କୋଉ କଷ୍ଟାର୍ଜିତ ସଂପତି ଯେ ବାଧିବ!

Share :