ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ

ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ

Share :

ଦେବେନ୍ଦ୍ର ପୃଷ୍ଟି   ଭୁଲ କହିନାହାନ୍ତି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଲୁଲୁ ବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରତି ଦଳ ଅବିଚା କରିଥିଲା। ତାଙ୍କୁ ଦଳରେ ଉପଯୁକ୍ତ ପଦପଦବୀ କି ଦାୟିତ୍ବ ମିଳି ନଥିଲା।   ଲୁଲୁଙ୍କ ବର୍ତ୍ତମାନରେ କଂଗ୍ରେସ ପାର୍ଟି ଯାହା ଅନୁଭବ କରି ନଥିଲା ତାଙ୍କ ଅବର୍ତ୍ତମାନରେ ଯେ ସେ ଅନୁଭବ ଆସିବ ତାହାର କିଛି ଗ୍ୟାରେଣ୍ଟି ନାହିଁ, ଏହା ନିଶ୍ଚିତ। ଏହା ନିଶ୍ଚିତ ଏଇଥିପାଇଁ ଯେ ଏତେ ବଡ଼ ଜଣେ ନେତା ଚାଲିଗଲେ, ଦଳୀୟ ହାଇକମାଣ୍ଡ ଲୁଲୁଙ୍କୁ ଶେଷ ବିଦାୟ ଦେବାକୁ ଆସିଲେ ନାହିଁ। ଆଉ କଂଗ୍ରେସ ପାର୍ଟି ଓଡ଼ିଶାରେ ଉଠିବ ବୋଲି କେମିତି କିଏ ଆଶା କରିବ?   ୨୦୧୬ ନଭେମ୍ବର ୬ ତାରିଖ ରାତି ୧୦.୩୦ ଘଣ୍ଟା। ବିଭିନ୍ନ ଟିଭି ଚାନେଲ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇଲା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ମହାପାତ୍ର ଓରଫ ଲୁଲୁଭାଇଙ୍କ ଦେହାନ୍ତ ଖବର। ତା’ ପରଠୁଁ ଓଡ଼ିଶାର ବିଭିନ୍ନ କୋଣରୁ ଭୁବନେଶ୍ବରକୁ ଛୁଟିଲା ଯୁବଛାତ୍ର ଗୋଷ୍ଠୀର ଅମାନିଆ ସୁଅ। ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଲୁଲୁଙ୍କ ମରଶରୀର ଭୁବନେଶ୍ବରରେ ପହଂଚିଲାବେଳକୁ ରାଜଧାନୀରେ ରୁଣ୍ଡ ହୋଇସାରିଥିଲେ ୫୦ ହଜାରରୁ ଅଧିକ ଲୁଲୁ-ସମର୍ଥକ। ଅଧିକାଂଶ କାନ୍ଦୁଥିଲେ, ବିକଳ ହେଉଥିଲେ, ସେମାନେ ନେତା-ଛେଉଣ୍ଡ ହୋଇଗଲେ ବୋଲି ବାଉଳି ହେଉଥିଲେ।   ଲୁଲୁଙ୍କ ଶବାଧାରରେ ଯେତେ ସମର୍ଥକଙ୍କୁ ଦେଖିବାକୁ ମିଳିଲା ନିକଟ ଅତୀତରେ ସେଭଳି ସମାବେଶ ଦେଖିବାକୁ ମିଳିଥିଲା କେବଳ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ସମୟରେ, ୧୯୯୭ ମସିହାରେ, ଏପ୍ରିଲର ଏକ ଉତ୍ତପ୍ତ ଅପରାହ୍ନରେ। ଏପରିକି ଲୁଲୁଙ୍କ ରାଜନୀତିକ ଗୁରୁ ଓ ଅଭିଭାବକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶବାଧାରରେ ମଧ୍ୟ ଏତେ ସମର୍ଥକଙ୍କୁ ଦେଖିବାକୁ ମିଳି ନଥିଲା। ଜାନକୀ ବଲ୍ଲଭଙ୍କଠାରୁ ଲୁଲୁଙ୍କ ଲୋକପ୍ରିୟତା କେତେ ଅଧିକ ଥିଲା ତାହା ନଭେମ୍ବର ୭-୮ ତାରିଖରେ ତାଙ୍କ ଶବାଧାର ଶୋଭାଯାତ୍ରାରେ ସ୍ବତସ୍ଫୂର୍ତ୍ତ ଭାବେ ସମବେତ ହୋଇ଼ଥିବା ଜନସଂଖ୍ୟାରୁ ସ୍ପଷ୍ଟ ହୋଇଯାଏ। ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ନାୟକ ଡକ୍ଟର ହରେକୃଷ୍ଣ ମହତାବଙ୍କ ନିଧନରେ ମଧ୍ୟ ଏତେ ଲୋକ ରାସ୍ତାକୁ ଆସି ଶୋକ ପ୍ରକାଶ କରି ନଥିଲେ।   ଲୁଲୁ ଥିଲେ ଦଳମତ ନିର୍ବିଶେଷରେ ଯୁବ ଓ ଛାତ୍ର ଗୋଷ୍ଠୀର ପ୍ରିୟ। ଏହାର କାରଣ ସମ୍ଭବତଃ ସେ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଦ୍ବିତୀୟ ଅବତାର। ବିଜୁବାବୁ ଯେମିତି ଯୁବାବସ୍ଥାରେ ଅଦ୍ୟମ ଉତ୍ସାହ, ଉଦ୍ଦିପନା ଓ ସାହସର ପରିଚୟ ଦେଇ ଯାଇଛନ୍ତି, ଲୁଲୁଙ୍କଠାରେ ମଧ୍ୟ ତାହା ଲକ୍ଷ୍ୟ କରିଛନ୍ତି ଲୋକମାନେ। ସମସ୍ୟା ଓ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ହାତଖୋଲା ସହାୟତା, ଲୋକଙ୍କ ସେବା କରିବାକୁ ଚାହୁଁଥିବା ଯୁବକ ଓ ଛାତ୍ରଙ୍କୁ ସବୁ ପ୍ରକାର ଆର୍ଥିକ ଓ ରାଜନୀତିକ ପ୍ରୋତ୍ସାହନ, ରୋକଠୋକ କଥାବାର୍ତ୍ତା, ଯାହା କହିବା ତାହା କରିବା, ଶାରୀରିକ ଅସୁସ୍ଥତାକୁ ପଛରେ ପକାଇ ଓଡ଼ିଶା ବୁଲିବା ପରି ଅନେକ ଗୁଣ ଓ କର୍ମ ଯାହା ବିଜୁଙ୍କଠାରେ ଥିଲା ତାହା ଲୁଲୁଙ୍କଠାରେ ମଧ୍ୟ ଲକ୍ଷ୍ୟ କରାଯାଇଛି। ବୋଧହୁଏ ସେଇଥିପାଇଁ ସେ ମାତ୍ର ତିନି ଥର ବିଧାୟକ ଥିଲେ ବି ତାଙ୍କ ପାଇଁ ଶୋକପ୍ରକାଶ କରିଛି ସମଗ୍ର ଓଡ଼ିଶା।   ଉଭୟ କଂଗ୍ରେସ ଓ ଓଡ଼ିଶା ପାଇଁ ଏକ ବିରାଟ ସମ୍ଭାବନା ଥିଲେ ଲୁଲ। ଦୁନିଆ ଛାଡ଼ି ଯିବା ପାଇଁ ୫୨ ବର୍ଷ ବୟସ ଗୋଟେ ବୟସ ନୁହେଁ। ଜୀବନର ମଧ୍ୟାହ୍ନ। ଏଇ ମଧ୍ୟାହ୍ନରେ କିନ୍ତୁ ଅସ୍ତ ହୋଇଗଲେ ଲଲାଟେନ୍ଦୁ। ପ୍ରଦେଶ କଂଗ୍ରେସର ଧୂମ୍ରାଭ ଆକାଶରୁ ଛିଡ଼ି ପଡ଼ିଲା ସବୁଠୁ ଉଜ୍ଜ୍ବଳ ତାରକା ଗୋଟି।   ୧୯୯୫ ମସିହାରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ପଛରେ ଲୁଲୁଙ୍କର ଥିଲା ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା। ସେ କଥା ଏବେ ସ୍ବୀକାର କରାଯାଉଛି। ଏହା ଆଉ ୫ ବର୍ଷ ଆଗରୁ ଚିନ୍ତା କରାଯାଇଥିଲେ ହୁଏତ ଓଡ଼ିଶା ରାଜନୀତିରେ ଅନେକ ପରିବର୍ତ୍ତନ ଆସନ୍ତାଣି। ତଥାପି ସେ ନିଜ ଆଡ଼ୁ ରାଜ୍ୟର ରାଜନୀତିକ ପରିବର୍ତ୍ତନ ପାଇଁ ଲଢ଼େଇ ଆରମ୍ଭ କରିଥିଲେ, ତାଙ୍କ ବାଗରେ ଅଣ୍ଡାମାଡ଼ ଜରିଆରେ। ବିଜୁବାବୁଙ୍କ ମାଡ଼ତତ୍ତ୍ବର ପ୍ରକୃତ ପ୍ରୟୋଗ କରିଥିଲେ ଲୁଲୁ। ଅନ୍ୟ ରାଜନେତାଙ୍କ ଭଳି ସେ ତାହା ଲୁଚାଇ ନଥିଲେ, ବା ୟାଡ଼ୁସ୍ୟାଡ଼ୁ ଶବ୍ଦ ଜରିଆରେ ଭୁଲାଇବାକୁ ଚାହୁଁ ନଥିଲେ। ସେ କହିଥିଲେ, ହଁ ଏ ଅଣ୍ଡାମାଡ଼ ଆମ କରିଛୁ, ଆଗକୁ ଆହୁରି କରିବୁ। ଏ ଦମ୍ଭ, ଦର୍ପ ଓ ସାହସ ଖୁବ କମ୍‌ ରାଜନେତାଙ୍କଠାରେ ଲକ୍ଷ୍ୟ କରାଯାଏ।   ନେତା ପଦ ବା କ୍ଷମତା ମିଳିବ ବୋଲି ସେ ବଡ଼ ନେତାଙ୍କୁ ଗୁହାରି କରୁ ନଥିଲେ। କାହାକୁ ଅଯଥା ପ୍ରଶଂସା କରୁ ନଥିଲେ। କାହା ଆଗରେ ଜୀ ହଜୁର ହେଉ ନଥିଲେ। ନିଜ ପାଇଁ କେବେ କାହା ପାଖରେ ଲବି କରୁ ନଥିଲେ କି କାହା ବିରୋଧରେ ଫେରାଦ ହେବାକୁ ବାରମ୍ବାର ଦିଲ୍ଲୀ ଯାଉ ନଥିଲେ। ଅନେକ ସମୟରେ ହାଇକମାଣ୍ଡ ସଂସ୍କୃତିକୁ ନାପସନ୍ଦ କରୁଥିଲେ ଲୁଲୁ। ପ୍ରଦେଶ କଂଗ୍ରେସ ବ୍ୟାପାରରେ ହାଇକମାଣ୍ଡ ବାରମ୍ବାର ହସ୍ତକ୍ଷେପ କରିବା ଠିକ ନୁହେଁ ବୋଲି ସେ ମତ ଦେଉଥିଲେ। ଆମ ଘର ଆମେ ସଜାଡ଼ିବା ଦରକାର ବୋଲି ସେ ଅନ୍ୟମାନଙ୍କୁ ବୁଝାଉଥିଲେ। ଗାଣତନ୍ତ୍ରିକ ମୂଲ୍ୟବୋଧ ଓ ରାଜନୀତିକ ବାସ୍ତବତା ଅନୁଭବ କରିବାରେ ସେ କିପରି ପାକଳ ଥିଲେ ତାହା ଏଥିରୁ ଅନୁମେୟ।   ମୋର ଚଉକି ଦରକାର ନାହିଁ। ଥରେ ଏକ ଟିଭି ଚାନେଲ ସାକ୍ଷାତକାରରେ ଏକଥା ସ୍ପଷ୍ଟ ଭାବେ ଘୋଷଣା କରିଥିଲେ। କିନ୍ତୁ କଂଗ୍ରେସ ପ୍ରତି ତାଙ୍କର ମୋହ ଥିଲା। ସେଥିପାଇଁ ବିନା ପଦପଦବୀ ଓ ଦାୟିତ୍ବରେ ମଧ୍ୟ ସେ ପାର୍ଟି ପାଇଁ କାମ କରୁଥିଲେ। ଓଡ଼ିଶା ସାରା ବୁଲି ଯୁବ ଛାତ୍ର ଗୋଷ୍ଠୀକୁ ସଂଗଠିତ କରୁଥିଲେ।   ଏହା ପରେ ପ୍ରଦେଶ କଂଗ୍ରେସର ସଂଗଠନ ଓ ସମର୍ଥନ ଭିତ୍ତି କ’ଣ ହେବ ତା’କୁ ନେଇ ଅନେକ ମହଲରେ ଅନେକ ଆଶଙ୍କା। କିଏ ସମ୍ଭାଳିବ ମଙ୍ଗ? କିଏ ବାନ୍ଧି ରଖିବ ଯୁବଛାତ୍ର ଗୋଷ୍ଠୀକୁ? ସୁବିଧା ଅସୁବିଧାରେ କିଏ ଠିଆ ହେବ ପାଖରେ?

Share :