ପାଂଚ ରାତି ଶୁଭିବ ନୂପୁର ନିକ୍ବଣ

ପାଂଚ ରାତି ଶୁଭିବ ନୂପୁର ନିକ୍ବଣ

Share :

  ଉତ୍କଳୀୟମାନଙ୍କର ସଂସ୍କୃତି, ପରମ୍ପରା, କଳା ଓ ଭାସ୍କର୍ଯ୍ୟର ସ୍ମୃତି ବହନ କରୁଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗ ମଞ୍ଚରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୂମ୍ଭ ଆସନ୍ତା ଡିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶାତ୍ସୀୟ ନୃତ୍ୟ ଓ ସଂଗୀତର ଅପରୁପ ମହାମିଳନର ଅନୁଷ୍ଠାନ ଆୟୋଜିତ ହେଉବ କୋଣାର୍କ ଉତ୍ସବ ଓ ବାଲୁକା କଳା ପ୍ରଦର୍ଶନୀ ଅପେକ୍ଷାରେ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ। ଏଥି ନିମନ୍ତେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି।   ଡିସେମ୍ୱର ୧ ତାରିଖ ସନ୍ଧ୍ୟାରୁ ମୁକ୍ତାକାଶ ରଙ୍ଗମଞ୍ଚ ସମେତ ସମଗ୍ର କୋଣାର୍କ ଓ ଚନ୍ଦ୍ରଭାଗା ଝଲସିବ ରଙ୍ଗବେରଙ୍ଗର ଆଲୋକମାଳାରେ। ସବୁଜିମାଭରା ଛୋଟ ବଡ଼ ବୃକ୍ଷରାଜି, ରଙ୍ଗବେରଙ୍ଗର ଫୁଲ, ଚାନ୍ଦୁଆ, ଚୁମୁକି ଓ ଟେରାକୋଟା ସାମଗ୍ରୀ ବ୍ୟବହୃତ ସାଜସଜା ଏବଂ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକିତ ଲିଚୁମାଳା କୋଣାର୍କର ସାନ୍ଧ୍ୟ ଶୋଭାକୁ ମାଦକତାରେ ଭରିଦେବା ସହ ନୃତ୍ୟଶିଳ୍ପୀଙ୍କ ନୂପୁରର ରୁଣୁଝୁଣ ଶବ୍ଦର ଅପେକ୍ଷା କରିଛି ଏହି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମୁକ୍ତାକାରଙ୍ଗ ରଙ୍ଗମଞ୍ଚ।   ଗତ ୨୬ ବର୍ଷ ମଧ୍ୟରେ ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶ ବିଦେଶର ୨୫୬ ଜଣ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ନୃତ୍ୟଶିଳ୍ପୀ ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି। ୨୦୧୧ ମସିହା ଠାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଆରମ୍ଭ ହୋଇଥିବା ବାଲୁକା କଳା ପ୍ରଦର୍ଶନୀ ବେଶ ଲୋକପ୍ରିୟତା ହାଶଲ କରିଛି। ଚଳିତ ବର୍ଷ ଷଷ୍ଠ ଥର ପାଇଁ  ଆୟୋଜିତ ହେଉଥିବା ବାଲୁକା କଳା ଉତ୍ସବରେ ଦେଶ ବିଦେଶର ବାଲୁକା ଶିଳ୍ପୀମାନେ ନିଜ ନିଜର ଷ୍ଟଲରେ ବାଲିରେ ପ୍ରସ୍ତୁତ କାଳାକୃତି ଦେଖାଇବେ। ଡିସେମ୍ୱର ୧ ତାରିଖ  ସନ୍ଧ୍ୟା ୬ଟା ରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ଏକ ଆକର୍ଷଣୀୟ ତଥା ଭବ୍ୟ ପରିବେଶରେ କୋଣାର୍କ ଉତ୍ସବ-୨୦୧୬ ଅତିଥିମାନଙ୍କ ଦ୍ୱାରା ଉଦଘାଟିତ ହେବ। ଉତ୍ସବର ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ନୂଆ ଦିଲ୍ଲୀର ନୃତ୍ୟାଙ୍ଗନା ମାଧବୀ ମୁଦଗଲ ଓ ସାଥୀଙ୍କ ପକ୍ଷରୁ ପରିବେଷଣ କରାଯିବ ଓଡ଼ିଶୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର କିଶୋର ମୁଶଲକାନ୍ତି ଓ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ କୁଚିପୁଡି ନୃତ୍ୟ।   ସେହିପରି  ଉତ୍ସବର  ଦ୍ୱିତୟ ଦିବସ ପ୍ରଥମ ପର୍ଯ୍ୟାୟରେ କେରଳର ନୃତ୍ୟଶିଳ୍ପୀ ନିନା ପ୍ରସାଦ ଓ ସାଥୀ ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ମୋହିନୀଆଟ୍ଟମ ପରିବେଷଣ କରାଯିବ, ଦ୍ୱିତୀୟ ପର୍ଯ୍ୟାୟରେ କଟକର ନୃତ୍ୟାନୁଷ୍ଠାନ ଗୁଞ୍ଜନର ମିରା ଦାସ ଓ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ଓଡିଶୀ ନୃତ୍ୟ। ଉତ୍ସବର ତୃତୀୟ ଦିବସ ପ୍ରଥମ ପର୍ଯ୍ୟାୟରେ କଟକର ଓଡିଶୀ ନୃତ୍ୟଗୁରୁ ଜ୍ୟୋତ୍ସ୍ନା ସାହୁ ଓ ସାଥୀଙ୍କ ପକ୍ଷରୁ ପରିବେଷଣ କରାଯିବ ଓଡିଶୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ନୃତ୍ୟଶିଳ୍ପୀ ଲକ୍ଷ୍ମଣସ୍ୱାମୀ ଓ ସାଥୀଙ୍କ ଦ୍ୱାରା ପରିବେଷିତ ହେବ ଭାରତନାଟ୍ୟମ ନୃତ୍ୟ।   ଉତ୍ସବର ଚତୁର୍ଥ ଦିବସ ପ୍ରଥମ ପର୍ଯ୍ୟାୟରେ କୋଲକତାର ନୃତ୍ୟାଙ୍ଗନା ଅସୀମା ବନ୍ଧୁ ଭଟ୍ଟାଚାର୍ଯ୍ୟ ଓ ସାଥୀ ପରିବେଷଣ କରିବେ କଥକ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ଅନୁଷ୍ଠାନର ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ। ଉତ୍ସବର ଶେଷ ସନ୍ଧ୍ୟା ଅର୍ଥାତ ଡିସେମ୍ୱର ୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆର ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ଓଡିଶୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ କୋଲକତାର ନୃତ୍ୟାଙ୍ଗନା ପ୍ରୀତି ପଟେଲ ଓ ସାଥୀଙ୍କ ପକ୍ଷରୁ ପରିବେଷଣ କରାଯିବ ମଣିପୁରି ନୃତ୍ୟ। ଏହି ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭରେ ୬ ପ୍ରକାର ନୃତ୍ୟ ଯଥା ଓଡିଶୀ, କୁଚିପୁଡି, ମୋହିନୀଆଟମ, ଭାରତନାଟ୍ଟ୍ୟମ‌୍‍, କଥକଳି, ମଣିପୁରୀ, ନୃତ୍ୟ ପରିବେଷଣ କରାଯିବ।   ପର୍ଯ୍ୟଟନ ବିଭାଗ ପକ୍ଷରୁ କଳାପ୍ରେମୀ ଦର୍ଶକଙ୍କ ନିମନ୍ତେ ଟୁର ପ୍ୟାକେଜର ଓ ସିଜିନ ଟିକେଟର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ପ୍ରେସ‌୍‍ କ୍ଲବ ପକ୍ଷରୁ ସାଇକ୍ଲୋଥନ, କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର ଓ  ବସନ୍ତମଞ୍ଜରୀ ପାଠାଗାର ପକ୍ଷରୁ ଗଣ ଦୌଡ ଅନୁଷ୍ଠିତ ହେବ। କୋଣାର୍କ ଉତ୍ସବ ସମୟରେ ଡିସେମ୍ୱର ୧ ତାରିଖରେ ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମିରେ ଉଦଘାଟିତ ହେବ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏଥିନିମନ୍ତେ ବାଲୁକା ଶିଳ୍ପୀ ଚୟନ ଜାରି ରହିଥିବା ବେଳେ ଓ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି।   ଏହି ବାଲୁକା କଳା ଉତ୍ସବ ଡ଼ିସେମ୍ୱର ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ଉତ୍ସବକୁ ଦର୍ଶକମାନେ ପ୍ରତ୍ୟହ୍ୟ ଦିନ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମନଭରି ଉପଭୋଗ କରିପାରେିବେ। ଉତ୍ସବରେ ଦେଶ ବିଦେଶର  ଆନ୍ତଜାର୍ତିକ ଖ୍ୟାତିସଂପନ୍ନ  ବାଳୁକା ଶିଳ୍ପୀମାନେ ଯେଗ ଦେଇ ନିଜ ନିଜ ଷ୍ଟଲରେ ପ୍ରସ୍ଥୁତ କରିବେ ଚିତାକର୍ଷକ  ବାଲୁକା କଳା। ଚଳିତ ବର୍ଷର ଏହି ବାଲୁକା କଳାରେ ମେକ‌୍‍-ଇନ‌୍‍-ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଭାରତୀୟ ବାଲୁକାଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଳ୍ପୀଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ୱାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ବାଲୁକାକଳା କୋଣାର୍କ ଉତ୍ସବର ମର୍ଯ୍ୟାଦାକୁ ବହୁଗୁଣିତ କରୁଛି ବୋଲି ପର୍ଯ୍ୟଟକ ଓ କଳାପ୍ରେମୀମାନେ କହିଛନ୍ତି।

Share :