ଗୋଚ୍ଛି କଟାକଟି ଆରମ୍ଭ!

ଗୋଚ୍ଛି କଟାକଟି ଆରମ୍ଭ!

Share :

ଆଗକୁ ପଞ୍ଚାୟତ ନିର୍ବାଚନ। ଆଉ ପ୍ରାୟ ମାସକ ପରେ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବେ। ନୂଆ ବର୍ଷ ଆରମ୍ଭରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ସବୁ ଦଳ ଊଣା ଅଧିକେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ଗୋଡ଼ଟଣା ରାଜନୀତି ସବୁ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଯାଉଛି। ଯାହାକୁ ନେଇ ସବୁ ରାଜନୈତିକ ଦଳର ମୁଣ୍ଡବ୍ୟଥା।   ଶାସକ ବିଜୁ ଜନତା ଦଳ ହେଉ କି କଂଗ୍ରେସ ଅବା ବିଜେପି ସବୁ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଗୋଷ୍ଠୀକନ୍ଦଳ ରାଜନୀତି ସବୁ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଶାସକ ବିଜୁ ଜନତା ଦଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଶାୟୀଙ୍କ ସଂଖ୍ୟା କିଛି କମ‍୍‌ ନୁହେଁ। ଆଶାୟୀଙ୍କ ସଂଖ୍ୟା ଏତେ ବେଶି ଯେ ବୁଝାଇ ବସାଇବା ମଧ୍ୟ କାଠିକର ପାଠ ହୋଇପଡ଼ିବ। ସବୁ ଆଶାୟୀଙ୍କ ଜିଦ‍୍‌ ନିର୍ବାଚନରେ ପ୍ରାର୍ଥୀ ହେବେ। ଯଦିଓ ସରପଞ୍ଚ ଓ ସମିତି ସଭ୍ୟ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ନ୍ତି ନାହିଁ ତେବେ କିଏ କେଉଁ ଦଳର ସମର୍ଥନରେ ସରପଞ୍ଚ ବା ସମିତି ପ୍ରାର୍ଥୀ ହୋଇଛି ତାହା ବାରିହୋଇ ପଡେ଼। ସ୍ଥାନୀୟ ବିଧାୟକ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେ ସେହି ଦଳର ପ୍ରାର୍ଥୀ ଭାବ ପରିଗଣିତ ହୁଅନ୍ତି। ତେଣୁ ସରପଞ୍ଚ ଓ ସମିତି ସଭ୍ୟ ଲଢ଼ିବା ପାଇଁ ଦଳୀୟ ଚିହ୍ନ ନହେଲେ ମଧ୍ୟ ବିଜେଡ଼ି ସମର୍ଥନରେ ଲଢ଼ିବାକୁ ଦଳରେ ବହୁ କର୍ମୀ ଆଗ୍ରହୀ। ଯେଉଁ କର୍ମୀଙ୍କୁ ସମର୍ଥନ ମିଳିଲା ସେ କର୍ମୀକୁ ବାଦ‍୍‌ ଦେଲେ ଅନ୍ୟ କର୍ମୀଙ୍କୁ ବୁଝାସୁଝା କରିବା ମଧ୍ୟ ବେଶ‍୍‌ କଷ୍ଟକର ବ୍ୟାପାର। କେତେକ ବୁଝାସୁଝାରେ ବସିପଡ଼ିଲେ ହେଁ ଅନ୍ୟ କେତେକ ଗୋଛି କାଟିବାରେ ଲାଗିପଡ଼ିବେ। ତେବେ ଜିଲା ପରିଷଦ ପ୍ରାର୍ଥୀ ଦଳୀୟ ଚିହ୍ନରେ ଲଢ଼ିବେ। ବିଜେଡ଼ିର ବହୁ କର୍ମୀ ଜିଲା ପରିଷଦ ପ୍ରାର୍ଥୀ ହେବାକୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି। ଏହି ପ୍ରତିଦ୍ବନ୍ଦ୍ବିତା ଦଳର ତୃଣମୂଳ ସ୍ତରରେ ଗୋଡ଼ଟଣାଟଣି ରାଜନୀତିର ରୂପ ନେଇଛି।   ବିରୋଧୀ କଂଗ୍ରେସରେ ମଧ୍ୟ ଗୋଡ଼ଟଣା ରାଜନୀତି ତୀବ୍ରତର। ଏମିତି ତ ଦଳର ଉପର ସ୍ତରରେ ଗୋଡ଼ଟଣା ରାଜନୀତି ତୀବ୍ର ହୋଇଥିବା ବେଳେ ତଳ ସ୍ତରରେ ମଧ୍ୟ ଏହାର ଫାଟ ବାରିହୋଇ ପଡ଼ୁଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ସକାଶେ ଆଶାୟୀମାନେ ମଧ୍ୟ ନିଜ ନିଜ ରାଜ୍ୟସ୍ତରୀୟ ନେତାଙ୍କ ପକ୍ଷ ଧରିଲେଣି। ସେମାନେ ନିଜ ନିଜ ନେତାଙ୍କୁ ଧରି ଜିଲା ପରିଷଦ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ  ଧାଁଧପଡ଼ ମଧ୍ୟ ଆରମ୍ଭ କରିଦେଲେଣି। ଫଳରେ ଯିଏ ପ୍ରାର୍ଥୀ ପାଇଁ ଟିକଟ ପାଇଲା ସେ ତ ରହିଲା, ଅନ୍ୟ ସମସ୍ତେ ହାତ ମିଳାଇ  ସେହି ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିବା କଂଗ୍ରେସରେ କିଛି ନୂଆ କଥା ନୁହେଁ। ଅତୀତରେ ଏଭଳି ଅନେକ ଘଟଣା କଂଗ୍ରେସରେ ଦେଖିବାକୁ ମିଳିଛି।   ସେହିପରି ବିଜେପିରେ ମଧ୍ୟ ସମାନ ଅବସ୍ଥା। ଯିଏ ରାଜ୍ୟ ସ୍ତରୀୟ ପଲ୍ଲାଭାରୀ ପଦାଧିକାରୀଙ୍କ ପାଖରେ ପହଞ୍ଚି ପାରିଲା କିମ୍ୱା ସେଇ ଲାଇନ‍୍‌ରେ ରହିଲା ତା’ ପାଇଁ ଟିକଟ ହାତେଇବା ସହଜ। ମାତ୍ର ଏମିତି ବି ତୃଣମୂଳ ସ୍ତରରେ  ନେତା ଅଛନ୍ତି ଯେଉଁମାନେ ତ୍ରିସ୍ତରୀୟ ନିର୍ବାଚନରେ ଭଲ କରିପାରିବେ। କିନ୍ତୁ ସେମାନଙ୍କର ବିଜେପିର ରାଜ୍ୟ ପଦାଧିକାରୀଙ୍କ ସହ ସେତେ ଭଲ ସଂପର୍କ ନାହିଁ କି ପଦାଧିକାରୀଙ୍କ ଶୁଭ ଦୃଷ୍ଟିରେ ନାହାନ୍ତି। ବିଜେପିରେ ମଧ୍ୟ ଯେଉଁମାନେ ତଳସ୍ତରରେ କର୍ମୀ ଅଛନ୍ତି କିନ୍ତୁ ତ୍ରିସ୍ତରୀୟ ନିର୍ବାଚନରେ ଲଢ଼ିବା ପାଇଁ ସୁଯୋଗ ମିଳିଲା ନାହିଁ, ସେମାନେ ମଧ୍ୟ ସମାନ ଗୋଛିକଟା ରାଜନୀତିକୁ ଆପଣାଇ ନେବା ନୂଆ କଥା ନୁହେଁ।   ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ତଳସ୍ତରରେ ସବୁ ଦଳରେ ପ୍ରତିଦ୍ୱନ୍ଦ୍ୱିତା ବେଶ‍୍‌ ଜୋରଦାର। ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରାର୍ଥୀ ଚୟନ କରିବା ସବୁ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ  ବିଜେଡ଼ି, କଂଗ୍ରେସ ଓ ବିଜେପି କିଭଳି ଭାବେ ସାମ‍୍‌ନା କରୁଛନ୍ତି ଓ ତୃଣମୂଳ ସ୍ତରରେ କର୍ମୀଙ୍କ ଗୋଡ଼ଟଣା ରାଜନୀତିକୁ ପ୍ରତିହତ କରିବାରେ ସକ୍ଷମ ହେଉଛନ୍ତି ତାହା ଅବଶ୍ୟ ପରେ ଜଣାପଡ଼ିବ। କିନ୍ତୁ ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଗୋଡ଼ଟଣା ରାଜନୀତିରେ ଯେଉଁ ଦଳ ରୋକ୍ ଲଗାଇବାରେ ବିଫଳ ହେବ, ସେ ଦଳ ପାଇଁ ପଞ୍ଚାୟତ ନିର୍ବାଚନ ମହଙ୍ଗା ପଡ଼ିବ ଏହା ନିଃସନ୍ଦେହରେ କୁହାଯାଇପାରେ।

Share :