ନବୀନଙ୍କ ପାଇଁ ମେଣ୍ଟ ଏକ ଝୁଲଣା!

ନବୀନଙ୍କ ପାଇଁ ମେଣ୍ଟ ଏକ ଝୁଲଣା!

Share :

ମହାମେଣ୍ଟ ନେଇ ଭର୍ତ୍ତୃହରି ମହତାବଙ୍କ ଇଙ୍ଗିତ ରାଜନୀତିକ ସମୀକ୍ଷକମାନଙ୍କୁ ନୂତନ ସମୀକରଣର ପରିକଳ୍ପନା କରିବା ପାଇଁ ଯଥେଷ୍ଟ ଖୋରାକ୍ ଯୋଗାଇଛି। ଅନୁଶୀଳନ ଅନୁଯାୟୀ ଯଦି ବିଜେଡ଼ି ମହାମେଣ୍ଟରେ ସାମିଲ‍୍‌ ହୁଏ ତେବେ ରାଜ୍ୟରେ ବିଜେପି ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଉଠିବ। ନବୀନ ଆଉ ରାଜନୀତିର କଚ୍ଚା ଖେଳାଳୀ ହୋଇନାହାନ୍ତି। ସେ ଏବେ ଖାଲି ରାଜ୍ୟ ନୁହେଁ ଜାତୀୟ ରାଜନୀତିର ବି ମହାନ ଖେଳୁଆଡ଼। ତେଣୁ ନବୀନ ମହାମେଣ୍ଟରେ ସାମିଲ‍୍‌ ହେବାର ନିଷ୍ପତ୍ତି ନେଇ ବୋକାମିର ପରିଚୟ ଦେବେ ବୋଲି ବିଶ୍ବାସଯୋଗ୍ୟ ନୁହେଁ। ବରଂ ସେ ନିଜର ସ୍ବାର୍ଥ ଦୃଷ୍ଟିରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜାତୀୟ ଦଳଗୁଡ଼ିକୁ ଝୁଲାଇ ରଖିବେ।   ନବୀନ ପଟ୍ଟନାୟକ ସବୁବେଳେ ତାଙ୍କର ନିଜସ୍ବ ଫାଇଦା ଉପରେ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି। ଯାହା ତାଙ୍କୁ ଫାଇଦା ଦେବ ନାହିଁ ତାହାକୁ ସେ ଗ୍ରହଣ କରିବେ ନାହିଁ। ଅତୀତରେ ଜନତା ପରିବାର ଏକତ୍ରୀକରଣ ନେଇ ବିଜେଡ଼ି ମୂଳରୁ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ଶେଷରେ ରୋକଠୋକ ଏଭଳି ମେଣ୍ଟକୁ ନା କହିଦେଇଥିଲା। ଓଡ଼ିଶା ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଅଣବିଜେପି ମେଣ୍ଟରୁ ଉପକୃତ ହେବନାହିଁ। ବିଜେଡ଼ି ସବୁବେଳେ ସାଧାରଣ ନିର୍ବାଚନର ଫଳାଫଳକୁ ଅପେକ୍ଷା କରେ। ଏଥର ମଧ୍ୟ ଅପେକ୍ଷା କରିଥିଲା। ତେବେ ବିଜେପି  ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ବିଜେପିକୁ କାଉଣ୍ଟର କରିବା ପାଇଁ ମେଣ୍ଟର ଆବଶ୍ୟକତା ନଥିଲା। ଗୋଟି ଚାଳନାରେ ଧୂରନ୍ଧର ନବୀନ ମହାମେଣ୍ଟ ସମ୍ପର୍କରେ ବି କୌଣସି ଠୋସ‍୍‌ ନିଷ୍ପତ୍ତି ନେବେ ନାହିଁ ବୋଲି ଅନୁମାନ କରାଯାଉଛି। କାହିଁକିନା ଉତ୍ତର ପ୍ରଦେଶ ନିର୍ବାଚନରେ ଯଦି ବିଜେପି ବାଜିମାତ୍ କରେ ତେବେ ସପା ଓ ବସପା ଭଳି ଦଳ ଦୁର୍ବଳ ହୋଇପଡ଼ିବେ। ଯଦି ସପା କି ବସପା କ୍ଷମତାକୁ ଆସେ ତେବେ ସମୀକରଣ ନିଶ୍ଚିତ ଭାବେ ଅଲଗା ହେବ। ସେପଟେ ବିହାରରେ କେତେବେଳେ ଆରଜେଡ଼ି ଓ ଜେଡ଼ିୟୁ ମେଣ୍ଟ ଭାଙ୍ଗିବ ତାହା ବି ଜଣାନାହିଁ। ଏତଦ‍୍‌ବ୍ୟତୀତ ଏଯାଏଁ ଜେଡ଼ିୟୁ ଓ ଆରଜେଡ଼ି ବି ମୁଲାୟମଙ୍କୁ ସଂପୂର୍ଣ୍ଣ ଭାବେ ଗ୍ରହଣ କରିପାରୁନାହାନ୍ତି। କାହିଁକିନା ବିହାର ନିର୍ବାଚନରେ ସପାର ନିଷ୍ପତ୍ତିକୁ ନେଇ ଉଭୟ ଲାଲୁ ଯାଦବ ଓ ନୀତୀଶ କୁମାର କ୍ଷୁବ୍ଧ ଅଛନ୍ତି। ଏଭଳି ସ୍ଥିତିରେ ନବୀନ ଏତେ ଶୀଘ୍ର ନିଷ୍ପତ୍ତି ନେବା ବିଶ୍ବାସଯୋଗ୍ୟ ନୁହେଁ।   ଭୋଟହାର ଅନୁସାରେ ଓଡ଼ିଶାରେ ଏବେ ବିଜେପି ତୃତୀୟ ଦଳ। ବିଜେଡି ପ୍ରଥମ ଓ କଂଗ୍ରେସ ଦ୍ବିତୀୟ। ଯଦି ପ୍ରଥମ ଓ ଦ୍ବିତୀୟ ଦଳ ମଧ୍ୟରେ ମେଣ୍ଟ ବା ଆସନ ବୁଝାମଣା ହୁଏ, ଯାହା ଏବେ ଆଦୌ ଦରକାର ନାହିଁ, ତେବେ ଏହାର ଫାଇଦା ବିଜେପି ନେବ। ଉଭୟ କଂଗ୍ରେସ ଓ ବିଜେଡି ବିରୋଧୀ ଭୋଟ ପାଇ ବିଜେପି ଅଧିକ ଶକ୍ତିଶାଳୀ ହୋଇପାରେ। ସେହିପରି ଏହା ମଧ୍ୟ ରାଜ୍ୟ ରାଜନୀତିକୁ ଦୁଇଟି ମୁଖ୍ୟ ଶିବିରରେ ବିଭକ୍ତ କରିବ। ତାହା ବିଜେଡି ପାଇଁ ଫାଇଦାଜନକ ହେବ ନାହିଁ। ଅତୀତରେ ଓଡ଼ିଶାବାସୀ କଂଗ୍ରେସ ଶାସନରେ ଅତିଷ୍ଠ ହୋଇ ବିଜେଡ଼ିକୁ କ୍ଷମତାସୀନ କରାଇଥିଲେ। ଏବେ ଯଦି ବିଜେଡ଼ି କଂଗ୍ରେସ ହାତ ଧରେ ତେବେ ଅଣକଂଗ୍ରେସ ଜନମତ ବିଜେପି ସପକ୍ଷରେ ହିଁ ଯିବ। ହୁଏତ କେହିକେହି ଯୁକ୍ତି କରିପାରନ୍ତି ମହାମେଣ୍ଟକୁ କଂଗ୍ରେସ ବାହ୍ୟ ସମର୍ଥନ ଦେବ, ବିଜେଡ଼ି ଓଡ଼ିଶାରେ କାହା ସହ ବୁଝାମଣା କରିବ ନାହିଁ। ତେବେ ଶବକୁ ଛୁଇଁବା ଯାହା, ଶବକୁ ଛୁଇଁଥିବା ଲୋକଙ୍କୁ ଛୁଇଁବା ନ୍ୟାୟରେ ବିଜେଡ଼ି ଦେହରେ ଦାଗ ଲାଗିବ। ପ୍ରାୟ ୧୯ ବର୍ଷ ଧରି ବିଜୁ ଜନତା ଦଳକୁ ପରିଚାଳିତ କରି ଆସୁଥିବା ନବୀନ ଯେ, ଏ ବିଷୟରେ ଅଜ୍ଞ ତାହା ଭାବିବା ବୋକାମି।   ଅତୀତରେ ନବୀନ ବିଜେପି ସହ ମେଣ୍ଟ କରି ରାଜ୍ୟର ହକ୍ ଆଣିପାରିନାହାନ୍ତି । ଏବେବି ଯଦି ରାଜ୍ୟ ସ୍ୱାର୍ଥ ଆଳ କରି ମହାମେଣ୍ଟ କରେ ସେତେବେଳେ ବଡ଼ ଦଳ ବଡ଼ ଭାଗ, ଛୋଟ ଦଳ ଛୋଟ ଭାଗ ନ୍ୟାୟରେ ଓଡ଼ିଶା ବି ଅଣଦେଖାର ଶିକାର ହେବ। କାରଣ ଯେଉଁମାନେ ମହାମେଣ୍ଟର ପରିକଳ୍ପନା କରିଛନ୍ତି ସେମାନେ ସବୁ ଆଞ୍ଚଳିକ ଦଳ। ତେଣୁ ନିଜ ରାଜ୍ୟ ସ୍ୱାର୍ଥ ଆଗ ଦେଖିବା ସ୍ୱାଭାବିକ। ନବୀନ କେନ୍ଦ୍ର ଅପେକ୍ଷା ରାଜ୍ୟ ରାଜନୀତିରେ ବେଶୀ ଧ୍ୟାନ ଦିଅନ୍ତି। ଯଦି ରାଜ୍ୟରେ ବିଜେଡ଼ି ଏକପାଖିଆ ଭାବେ ବିଧାନସଭା ଓ ଲୋକସଭାରେ ଭଲ ଆସନ ଆଣେ ତେବେ ସ୍ୱତଃସ୍ଫୂର୍ତ୍ତ ଭାବେ ଦିଲ୍ଲୀର ମୁଣ୍ଡିଆଳମାନେ ତାଙ୍କ ପାଖରେ ଧାଡ଼ି ଲଗାଇବେ। ସେତେବେଳେ ବୁଝାମଣା ହେଲେ ନବୀନ ଅଧିକ ଲାଭବାନ ହେବେ।

Share :