କଥା କୋଉ ମାରଗରେ ଗଲା?

କଥା କୋଉ ମାରଗରେ ଗଲା?

Share :

ନଭେମ୍ବର ୨ ତାରିଖ। କୋଉଠି କିଛି ନଥିଲା। ହଠାତ ଆକାଶରୁ ପଡ଼ିଳା ଭଳିଆ ବିଜୁ ଜନତା ଦଳର ଲୋକସଭା ନେତା ଭର୍ତ୍ତୃହରି ମହତାବ କହିଲେ ଅଣବିଜେପି ମହାମେଣ୍ଟରେ ବିଜେଡି ସାମିଲ ହେବାରେ କିଛି ଅସଙ୍ଗତି ନାହିଁ। ପୁରୁଣା କଂଗ୍ରେସ ଆଉ ନାହିଁ। କଂଗ୍ରେସ ବଦଳି ଗଲାଣି। ସେମାନେ ଯଦି ଡାକୁଛନ୍ତି ବିଜେଡି କଂଗ୍ରେସଠାରୁ ତା’ର ସମଦୂରତ୍ବ ନୀତି ସଂଶୋଧନ କରିବାର ଆବଶ୍ୟକତା ରହିଛି। ତାଙ୍କ ଭାଷାରେ କହିଲେ, ମହାମେଣ୍ଟକୁ ଅଯଥାର୍ଥ ବୋଲି କୁହାଯାଇପାରିବ ନାହିଁ। ଅଣ ବିଜେପି ଦଳକୁ ନେଇ ଯେଉଁ ମହାମେଣ୍ଟର ପରିକଳ୍ପନା କରାଯାଇଛି ବିଜେଡ଼ି ମଧ୍ୟ ସେଥିରେ ସାମିଲ‍୍‌ ହୋଇପାରେ। ପୂର୍ବରୁ ବିଜୁ ଜନତା ଦଳ ଉଭୟ ବିଜେପି ଓ କଂଗ୍ରେସ ସହ ସମଦୂରତ୍ୱ ରକ୍ଷା କରି ଆସୁଥିଲା। କିନ୍ତୁ ଏବେ କଂଗ୍ରେସର ସ୍ଥିତି ପୂର୍ବଭଳି ନଥିବାରୁ ସମଦୂରତ୍ୱ ରଖିବାର ଆବଶ୍ୟକତା ନାହିଁ। ଏହି ପ୍ରସଙ୍ଗରେ ସାଂସଦ କଳିକେଶ ସିଂହଦେଓ ମଧ୍ୟ କହିଲେ, ମହାମେଣ୍ଟର ପରିକଳ୍ପନା କରାଯିବା ଦରକାର। ତେବେ ଏହାର ରୂପରେଖ କିଭଳି ହେଉଛି ତାହା ଉପରେ ବିଜେଡ଼ିର ଯୋଗଦାନ ନିର୍ଭର କରିବ।   ଭର୍ତ୍ତୃହରି ଏହା କହିବା ପରେ ସେଦିନର ଅବଶିଷ୍ଟ ସମୟତକ ଏଇ ବିଷୟରେ ଚର୍ଚ୍ଚା ଲାଗି ରହିଲା। କେଉଁ ରାଜନୀତିକ ବିଶେଷଜ୍ଞ କହିଲେ, ଓଡ଼ିଶାରେ ବିଜେପି ସଂଗଠନ ମାଡ଼ି ଚାଲିଛି। ବିଜୁ ଜନତା ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କାଗ୍ରସ୍ତ। ତେଣୁ ସେ ବିଜେପିକୁ ଅଟକାଇବା ପାଇଁ କଂଗ୍ରେସ ସହିତ ବୁଝାମଣା କରିବାକୁ ଚିନ୍ତା କରୁଥାଇ ପାରନ୍ତି। ଆଉ କିଏ କହିଲେ, ବିଜେପିର କେନ୍ଦ୍ରୀୟ ନେତାଙ୍କ ତୁଳନାରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ଅଧିକ ଘନିଷ୍ଟ ସଂପର୍କ। ତେଣୁ ସେ କଂଗ୍ରେସକୁ ବିଜେପି ମାଡ଼ରୁ ରକ୍ଷା କରିବାକୁ କିଛିଟା ସହାୟତା ପ୍ରଦାନ କରିପାରନ୍ତି। ବିଶେଷକରି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ବିଜେପିର ମୁକାବିଲା କରିବାକୁ ଚର୍ଚ୍ଚାରେ ଥିବା ମହାମେଣ୍ଟରେ ବିଜେଡି ସାମିଲ ହେଲେ ତାହା କଂଗ୍ରେସ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେବ ଓ ବିଜେପିକୁ ରାଜନୀତିକ ଭାବେ ଦୁର୍ବଳ କରିଦେବ। ନବୀନ ବୋଧହୁଏ ଏଇ କୌଶଳ କରିଛନ୍ତି।   ପୁଣି କିଏ କହିଲେ, ଏସବୁ ବାଜେ କଥା। ନବୀନ କେବେ ବି କଂଗ୍ରେସ ସହିତ ମେଣ୍ଟ ବାନ୍ଧିବେ ନାହିଁ। ସେମିତି ହେଲେ ଓଡ଼ିଶାରେ ସ୍ଥିତି ବଦଳିଯିବ। ବିଜେଡି ମୁଖପାତ୍ର ପ୍ରତାପ ଦେବ ତ କହିଲେ, ଏହା ଭତର୍ତ୍ତୃହରିଙ୍କର ବ୍ୟକ୍ତିଗତ ମତ ହୋଇଥାଇ ପାରେ। ତେବେ ଏଭଳି କହିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ସେ ତାଙ୍କ ପରି ରାଜବଂଶଜ କଳିକେଶ ସିଂହଦେଓଙ୍କ ମନ୍ତବ୍ୟ ସଂପର୍କରେ କୌଣସି ଟିପ୍ପଣୀ ଦେଲେ ନାହିଁ। ଅନ୍ୟତମ ମୁଖପାତ୍ର ଅମର ପ୍ରସାଦ ଶତପଥୀ କିଛି ସ୍ପଷ୍ଟ ନକରି କହିଲେ, ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡ଼ି ଲଢ଼ି ଆସୁଛି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ହେଉ ଅବା ସ୍ୱତନ୍ତ୍ର ପ୍ୟାକେଜ୍‌ ବିଜେଡ଼ି କେନ୍ଦ୍ର ସରକାରଙ୍କ ନିକଟରେ ତା’ର ହକ୍ ଦାବି କରିଆସୁଛି। ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଯେଉଁ ଦଳ ସହମତି ପ୍ରକାଶ କରିବ ସେକ୍ଷେତ୍ରରେ ସହଯୋଗ ଲୋଡ଼ିବାରେ ଅସୁବିଧା ନାହିଁ। ତେଣେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଭଳି କଳ୍ପନାଜଳ୍ପନାକୁ ନିରାଧାର ବର୍ଣ୍ଣନା କଲେ।   ରାଜନୀତିକ ବିଶେଷଜ୍ଞମାନେ ଗଣନା କଲେ, ଓଡ଼ିଶାରେ ଦଳର ସ୍ଥିତି ମଜବୁତ୍ ରହିଛି ବୋଲି ବିଜେଡ଼ି ଦାବି କରି ଆସୁଥିବାବେଳେ ବିଜେପିର ଉତ୍ଥାନ ଓ ରାଜ୍ୟରେ କଂଗ୍ରେସର ପତନକୁ ନେଇ ଦଳ ଶଙ୍କା ଆଶଙ୍କାରେ ପଡ଼ିଯାଇଛି କି? ଏତେ ମଜବୁତ୍ ଶକ୍ତି, ୧୧୭ ବିଧାୟକ, ୨୮ ସାଂସଦ ଥିବା ସତ୍ତ୍ବେ ଦଳ ଭବିଷ୍ୟତର ଆକଳନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି କି?   ଚବିଶ ଘଣ୍ଟା ଯାଇନି ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ପୂର୍ବତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଭଦ୍ରକର ସିମୁଳିଆରେ କହିଲେ, ଏହା ଅସମ୍ଭବ। ବିଜେଡି କେବେ ବି କଂଗ୍ରେସ ସହ ମେଣ୍ଟ ବାନ୍ଧିବ ନାହିଁ। ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତ୍ବ ରକ୍ଷା କରୁଛି। ସେହି ନୀତି ଅବ୍ୟାହତ ରହିବ। ତାଙ୍କର କଥା ପଦିକ ଭର୍ତ୍ତୃହରିଙ୍କ ଗାଲରେ ଚଟକଣି ପରି ବୋଧ ହେବା କଥା।   କିନ୍ତୁ ଏହାକୁ ନେଇ ମଧ୍ୟ ଲାଗି ରହିଲା କଳ୍ପନାଜଳ୍ପନା। କିଏ କହିଲେ, ନବୀନଙ୍କ ବିନା ଅନୁମତିରେ କ’ଣ ଭର୍ତ୍ତୃହରି ଏଭଳି କଥା କହିଥିବେ? ସେ ହେଉଛନ୍ତି ବିଜୁ ଜନତା ଦଳର ଲୋକସଭା ନେତା। ସେ ଯାହା କହିବେ ତାହା ଜାତୀୟ ସ୍ତରରେ ବିଜେଡିର କଥା ବୋଲି ଗୃହୀତ ହେବ। ଏଭଳି ସ୍ଥଳେ ନବୀନଙ୍କ ନଜଣେଇ ସେ କିପରି ଦଳର ନୀତି ନିର୍ଦ୍ଧାରଣ କଲେ? ଆଉ କେହିକେହି ବି କହିଲେ, ଭର୍ତ୍ତୃହରି ନିଜେ ବୋଧହୁଏ ତାଙ୍କର ପୁରୁଣା ଦଳ କଂଗ୍ରେସକୁ ଫେରିଯିବାକୁ ଚିନ୍ତା ଆରମ୍ଭ କଲେଣି। ସେଇ ଚିନ୍ତାର ପରିପ୍ରକାଶ ଘଟିଛି ତାଙ୍କ କଥାରେ।   କଂଗ୍ରେସ ସହିତ ମେଣ୍ଟ ସମ୍ଭାବନାକୁ ନବୀନ ଖଣ୍ଡନ କରିବା ସତ୍ତ୍ବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଏକ ପ୍ରସଙ୍ଗ ଭାବେ ଉଜ୍ଜୀବୀତ ରଖିଲେ। ଭର୍ତ୍ତୃହରି ଯାହା କହିଲେ ତାହା ନବୀନଙ୍କ ମତ, ଏଥିରୁ ତାଙ୍କର କଂଗ୍ରେସ ସହିତ ଥିବା ଭିତିରି ସଂପର୍କ ଜଣାପଡ଼ିଲା ବୋଲି ସେ କହିଲେ। ସତରେ ଯଦି ବିଜେଡି ଓ କଂଗ୍ରେସ ସହିତ ମେଣ୍ଟ ହୁଏ ତେବେ ବିଜେପି ତାହାକୁ ସ୍ବାଗତ କରିବ ବୋଲି ସେ କହିଲେ। ଏଭଳି ସୁଯୋଗ ମିଳିଲାରୁ ଓଡ଼ିଶାର ସାମ୍ବାଦିକମାନେ ମଧ୍ୟ ଏହି ଚର୍ଚ୍ଚାକୁ ବଜାୟ ରଖିଲେ। ଜନତା ପରିବାରରୁ କଂଗ୍ରେସ ପରିବାରକୁ ଲମ୍ଫ ଦେଇଥିବା ଶ୍ରୀକାନ୍ତ ଜେନାଙ୍କଠାରୁ ସାମ୍ବାଦିକମାନେ କଥା ଆଦାୟ କଲେ- ସେ କହିଲେ, ଏହା ଅସମ୍ଭବ, ସେଭଳି ସମ୍ଭାବନା ସଂପୂର୍ଣ୍ଣ କାଳ୍ପନିକ।   ଏହାର କେଇ ଘଣ୍ଟା ପରେ ଭୁବନେଶ୍ବରେ ବସିଲା ରାଜ୍ୟ ବିଜେପିର ପଂଚାୟତ ନିର୍ବାଚନ ପ୍ରସ୍ତୁତି ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ରାଜ୍ୟ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜେଡି ସରକାର ଓ ଏହାର ନେତା ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କଲେ। ନଗଡ଼ା, ଗୁମୁଡ଼ୁମାହ, ମାଲକାନଗିରି ଆଦି ବହୁ କଥା ଉଠାଇଲେ।   କିନ୍ତୁ ତା’ର କେଇ ଘଣ୍ଟା ପରେ ଇଣ୍ଡିଆନ ଏକ୍ସପ୍ରେସ ତରଫରୁ ଆୟୋଜିତ ଇଂରାଜୀ ଭାଷାର ସାହିତ୍ୟ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ। କହିଲେ, ଜାତୀୟ ସ୍ତରରେ ନବୀନ ହେଉଛନ୍ତି ଜଣେ ଆଦର୍ଶ ରାଜନେତା। ସେ ଅତ୍ୟନ୍ତ ସରଳ ଜୀବନ ଯାପନ କରନ୍ତି। ଭାରି ଉଦାର। ଏମିତି ବହୁ ପ୍ରଶଂସା।   ଧର୍ମେନ୍ଦ୍ରଙ୍କ ପ୍ରଶଂସା ନବୀନଙ୍କୁ ଯେତିକି ଖୁସି କରିଥିବ ତାଙ୍କ ଦ୍ବାରା ବିତାଡ଼ିତ ବିଜୟଙ୍କୁ ସେତିକି କାଟିଥିବ। ଘଟଣାଚକ୍ରରେ ବିଜୟ ମହାପାତ୍ର ଏବେ ବିଜେପିରେ। ସେ ତୁରନ୍ତ ଏହାକୁ ନାପସନ୍ଦ କଲେ। ନବୀନଙ୍କ ଧର୍ମେନ୍ଦ୍ରଙ୍କ ପ୍ରଶଂସା ବିଜେପିର ତୃଣମୂଳ କର୍ମୀଙ୍କ ମନୋବଳ ଭାଙ୍ଗିଦେବ ବୋଲି କହିଲେ।   କିନ୍ତୁ ସନ୍ଧ୍ୟାବେଳକୁ ବୋଧହୁଏ ଧର୍ମେନ୍ଦ୍ରଙ୍କ ନବୀନ-କୀର୍ତ୍ତନ କାମ ଦେଲା! ଇଣ୍ଡିଆନ ଏକ୍ସପ୍ରେସ ସଂପାଦକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ କଲେ। ପ୍ରଧାନମନ୍ତ୍ରୀଙ୍କ ସଫଳତା ନେଇ ନବୀନ ପ୍ରତିକ୍ରିୟା ଚାହିଁଲେ ଚାୱଲା। ନବୀନ କହିଲେ, ଭାରତ ଏକ ବିଶାଳ ଦେଶ। ତାଙ୍କୁ ଅଧିକ ସମୟ ଦିଆଯିବା ଉଚିତ।   ଏଥିରୁ କିଛି ଲୋକ ବୁଝିଲେ, ନବୀନ ଏବେ ବି ବିଜେପି ପ୍ରୀତି ଛାଡ଼ି ନାହାନ୍ତି। ଯାହା ହେଲେ ବି ସେ ୧୯୯୮-୨୦୦୯ ଯାଏଁ ପ୍ରାୟ ୧୦ ବର୍ଷ କାଳ ଏକାଠି ଥିଲେ ନା! କିନ୍ତୁ କିଛି ଲୋକ କହିଲେ, ଚିଟ୍‌ ଫଣ୍ଡ ଓ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଖଣ୍ଡା ଝୁଲୁଛି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ନବୀନ ନିଜ ଚମଡ଼ା ସୁରକ୍ଷିତ ରଖିବା ପାଇଁ ଏମିତି କହିଛନ୍ତି।

Share :