ଚାଲିଗଲେ ଓଡ଼ିଶାର ଚିରସ୍ଥାୟୀ ଯୁବନେତା!

ଚାଲିଗଲେ ଓଡ଼ିଶାର ଚିରସ୍ଥାୟୀ ଯୁବନେତା!

Share :

ମିତାଲି ପୁଷ୍ପାଳକ   ଚିରକାଳ ଯୁବନେତା। ଏଇ ଦୁଇଟି ଶବ୍ଦରେ ର୍ହି ଦିଆଯାଇ ପାରେ ଲୁଲୁ ମହାପାତ୍ରଙ୍କ ପରିଚୟ। ଦୀର୍ଘ ତିନି ଦଶନ୍ଧି ବା ୩୦ ବର୍ଷ ଧରି ଲୁଲୁ ମହାପାତ୍ର ଥିଲେ ଓଡ଼ିଶାର ଯୁବଛାତ୍ର ବର୍ଗର ଲୋକପ୍ରିୟ ଲୁଲୁଭାଇ, ସେମାନଙ୍କର ସଂଗଠକ ଓ ପରିଚାଳକ।   ଯଦିଓ ସେ କଂଗ୍ରେସ ଦଳରେ ଥିଲେ ତଥାପି ରାଜ୍ୟର ଅନ୍ୟ ସବୁ ଦଳରେ ଥିଲେ ଲୁଲୁଙ୍କର ସମର୍ଥକ ଓ ପ୍ରଶଂସକ। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପରେ ଯଦି ଓଡ଼ିଶାର କୋଣ ଅନୁକୋଣରେ କାହାର କିଛିଟା ଲୋକପ୍ରିୟତା ଓ ବ୍ୟକ୍ତିଗତ ସଂଗଠନ ଥିଲା ବା ଅଛି ତେବେ ସେ ହେଉଛନ୍ତି ଲୁଲୁ ମହାପାତ୍ର, ଶୁଭ ନାମ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର।   ସେ ଆଜି ସ୍ବର୍ଗତ। କେବଳ ପ୍ରଦେଶ କଂଗ୍ରେସ ନୁହେଁ ଓଡ଼ିଶାର ଯୁବଛାତ୍ର ବର୍ଗ ପାଇଁ ଏକ ଅପୂରଣୀୟ କ୍ଷତି।   ୧୯୬୪ ଫେବୃଆରୀ ୧୪ ତାରିଖରେ ଜନ୍କଗ୍ରହଣ କରିଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ୨୦୧୬ ନଭେମ୍ବର ୬ ତାରିଖ ରାତି ୧୦.୧୪ ଘଣ୍ଟା ସମୟରେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମର ମେଦାନ୍ତ ମେଡିସିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ କିଛି ମାସ ଧରି ଅସୁସ୍ଥ ଥିଲେ।   ମାତ୍ର ୫୨ ବର୍ଷ ବୟସରେ ଚାଲିଗଲେ ସେ। ଓଡ଼ିଶା ପାଇଁ ଅନେକ କିଛି କରିବା ବାକି ରହିଗଲା। ବିଶେଷକରି ପ୍ରଦେଶ କଂଗ୍ରେସ ପାଇଁ ତାଙ୍କର ସ୍ବପ୍ନ ଓ ସଂକଳ୍ପ ଅଧୁରା ରହିଗଲା। ତାଙ୍କ ବିହୁନେ ପ୍ରଦେଶ କଂଗ୍ରେସ ଶକ୍ତହୀନ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।   ଐତିହାସିକ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ବଂଶଧର ଲୁଲୁ ମହାପାତ୍ର ୧୯୮୩ ମସିହାରେ ଭାରତର ଜାତୀୟ ଛାତ୍ର ସଂଘ ବା ଏନଏସୟୁଆଇର ଯୁଗ୍ମ ସଂପାଦକ ପଦରେ ନିଯୁକ୍ତ ହୋଇଥିଲେ। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ଜାନକୀ ବଲ୍ଲଭ ଓ ଲୁଲୁଙ୍କ ବାପା ହାଇସ୍କୁଲ ଓ କଲେଜ ସ୍ତରରେ ସହପାଠୀ ଥିଲେ। ତେଣୁ ସେ ଲୁଲୁଙ୍କୁ ନିଜର ପୁଅ ପରି ଦେଖୁଥିଲେ। ୧୯୮୫ ମସିହାରେ ତାଙ୍କୁ ଏନଏସୟୁଆଇ ଓଡ଼ିଶା ଶାଖାର ସାଧାରଣ ସଂପାଦକ ପଦକୁ ପଦୋନ୍ନତି ମିଳିଥିଲା।   ଏହା ପରେ ଖୁବ କମ୍‌ ଦିନରେ ଲୁଲୁ ହୋଇଯାଇଥିଲେ ଜାନକୀ ବଲ୍ଲଭଙ୍କର ଅତି ଖାସ୍‌ ଲୋକ। ତାଙ୍କରି ଆଶୀର୍ବାଦ ଓ ପ୍ରୋତ୍ସାହନରେ ଲୁଲୁ ହୋଇଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଏବଂ ପରେ ଯୁବ କଂଗ୍ରେସର ସବୁଠୁ ଶକ୍ତିଶାଳୀ ସଭାପତି। ୧୯୮୭ ମସିହାରେ ଲୁଲୁ ରାଜ୍ୟ ଏନଏସୟୁଆଇ ବା ଛାତ୍ର କଂଗ୍ରେସର ସଭାପତି ପଦ ପାଇଁ ମନୋନୀତ ହୋଇଥିଲେ। ୧୯୯୬ ମସିହାରେ ସେ ହୋଇଥିଲେ ରାଜ୍ୟ ଯୁବ କଂଗ୍ରେସର ସଭାପତି। ୨୦୦୦ ମସିହାରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ ହୋଇଥିଲେ ଲୁଲୁ। ଏହା ପରେ ୨୦୦୪ ମସିହାରେ ସେ ହୋଇଥିଲେ ପ୍ରଦେଶ କଂଗ୍ରେସର ଉପସଭାପତି। ୨୦୦୯ ମସିହାରେ ବ୍ରିଗେଡ଼ିୟର କାମାକ୍ଷା ପ୍ରସାଦ ସିଂହଦେଓ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ ଲୁଲୁଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କରାଯାଇଥିଲା।   ଏହା ପରେ ଅନକେ ଥର ପ୍ରଦେଶ କଂଗ୍ରେସ ସଭାପତି ପଦ ପାଇଁ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି।   ଯୁବଛାତ୍ର ଗୋଷ୍ଠୀର ଜଣେ ଦକ୍ଷ ସଂଗଠକ ଭାବେ ସମଗ୍ର ରାଜ୍ୟରେ ନିଜର ବ୍ୟକ୍ତିଗତ ପତିଆରା ସୃଷ୍ଟି କରିଥିଲା ଲୁଲୁଭାଇ ୧୯୯୫ ମସିହାରେ ଛାତ୍ର କଂଗ୍ରେସ ସଭାପତି ପଦରେ ଥାଇ ପୁରୀ ଜିଲ୍ଲାର ବ୍ରହ୍ମଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦ ଓ ୨୦୦୪ ମସିହାରେ ମଧ୍ୟ ସେ ସେହି ଆସନ ବଜାୟ ରଖିଥିଲେ। ତେବେ ୨୦୦୯ ମସିହା ନିର୍ବାଚନେର ସେ ପରାସ୍ତ ହୋଇଥିଲେ। ଏହା ପରେ ମଧ୍ୟ ବ୍ରହ୍ମଗିରିରେ ତାଙ୍କର ସଂଗଠନ ଦୁର୍ବଳ ହୋଇନଥିଲା। କିନ୍ତୁ ୨୦୧୪ ନିର୍ବାଚନରେ ସେ ପୁଣି ଥରେ ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ। ତେବେ ଦୀର୍ଘ ୮ ବର୍ଷ ଧରି ସେ ବିଧାୟକ ନଥିଲେ ମଧ୍ୟ ବ୍ରହ୍ମଗିରିରେ ତାଙ୍କର ବ୍ୟକ୍ତିଗତ ସଂଗଠନ ଅତ୍ୟନ୍ତ ଶକ୍ତିଶାଳୀ ରହିପାରିଛି। କ୍ଷମତାରୁ ଗଲା ପରେ ଖୁବ କମ୍‌ ନେତା ଏଭଳି ଲୋକପ୍ରିୟତା ବଜାୟ ରଖିଥାନ୍ତି। ବିଜୁ ପଟ୍ଟନାୟକ ଥିଲେ ଏହି ଭଳି ଜଣେ ତୁଙ୍ଗ ରାଜନେତା।   କେଇ ବର୍ଷ ତଳେ ଏକ ଦୁର୍ଘଟଣାରେ ସେ ଶାରୀରିକ ଭାବେ କିଛିଟା ଦୁର୍ବଳ ହୋଇଯାଇଥିଲେ। ତେବେ ମନୋବଳ ତାଙ୍କର ପୂର୍ବପରି ଅତୁଟ ଥିଲା। ଏକ ଆଶାବାଡ଼ି ସାହାଯ୍ୟରେ ସେ ଚଳାଚଳ କରୁଥିଲେ। ଗଲା କିଛି ବର୍ଷ ଧରି ଯିଏ ପ୍ରଦେଶ କଂଗ୍ରେସ ସଭାପତି ହେଲେ ବି ଲୁଲୁଭାଇଙ୍କ ଘରେ ଭିଡ଼ କମି ନଥିଲା।   କିଛି ଦିନ ତଳେ ହଠାତ ଲିଭର ସିରୋସିସ ରୋଗରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଗଲା। ସେଠାରେ ମେଦାନ୍ତ ମେଡିସିଟିରେ ସେ ଚିକିତ୍ସାଧୀନ ଥିଲେ। ନଭେମ୍ବର ୬ ତାରିଖ ସନ୍ଧ୍ୟା ପ୍ରାୟ ୭.୩୦ ଘଣ୍ଟା ସମୟରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେଲା। କିଡ୍‌ନି ସମେତ ଶରୀରର କେତେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହୋଇଗଲା। ତାଙ୍କୁ ଆଇସିୟୁରେ ରଖି ଭେଣ୍ଟିଲେଟର ଲଗାଗଲା। ତଥାପି ଡାକ୍ତରମାନଙ୍କର ସମସ୍ତ ପରିଶ୍ରମ ବୃଥା ହେଲା ଓ ରାତି ପ୍ରାୟ ୧୦.୧୪ ଘଣ୍ଟା ସମୟରେ ତାଙ୍କର ଶେଷ ନିଃଶ୍ବାସ ଚାଲିଗଲା। ଡାକ୍ତରମାନେ ୧୦.୨୫ ଘଣ୍ଟା ସମୟରେ ତାଙ୍କୁ ମୃତ ଘୋଷଣା କଲେ।   ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ବିମାନ ଯୋଗେ ତାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ବର ଆସିବା ପରେ ତାଙ୍କ ନିଜଗ୍ରାମ ଗଡ଼ ରୋଡ଼ଙ୍ଗରେ ଶେଷକୃତ୍ୟ ସଂପନ୍ନ ହେବ।   ସ୍ବର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପତ୍ନୀ ନମିତା ମହାପାତ୍ର ଓ ଏକମାତ୍ର କନ୍ୟା ଉପାସନା ମହାପାତ୍ରଙ୍କୁ ଭଗବାନ ଏଇ ଦୁଃଖ ସମୟରେ ସାହସ ଓ ଶକ୍ତି ଦିଅନ୍ତୁ, ଏତିକି ପ୍ରାର୍ଥନା।

Share :