୫୩୦୦୦ ଅଙ୍ଗନବାଡିରେ ନାହିଁ ପାଇଖାନା

୫୩୦୦୦ ଅଙ୍ଗନବାଡିରେ ନାହିଁ ପାଇଖାନା

Share :

ରାଜ୍ୟର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ପାଇଖାନା ନ ଥିବାରୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ପାଇଖାନା ପାଇଁ ଅର୍ଥ ଆସିଛି, ହେଲେ ନିର୍ମାଣ ହୋଇନାହିଁ। ଏହା ଉପରେ ରାଜ୍ୟ ମାନବାଧିକାର କମିଶନ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ କମିଶନ ନିର୍ଦ୍ଦେଶ ଦିଆଯାଇଛି।   ସିଭିଲ‌୍‍ ସୋସାଇଟି ଫୋରମ ଅନ‌୍‍ ହ୍ୟୁମାନ ରାଇଟ୍ସ ପକ୍ଷରୁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହି ଆବେଦନର ଶୁଣାଣୀ କରି କାହିଁକି ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପାଇଖାନା ନିର୍ମାଣ କରାଯାଇନାହିଁ ତାହା ଜାଣିବାକୁ ଚାହିଁଛନ୍ତି।   କମିଶନଙ୍କ ନିକଟରେ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ରାଜ୍ୟରେ ମୋଟ ୭୧,୩୦୨ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୫୩,୨୩୨ଟିରେ ପିଲାମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନାହିଁ। ପାଇଖାନା ନିର୍ମାଣ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ ମାତ୍ର ୧୮ ହଜାର ୭୪ଟି ଅଙ୍ଗନବାଡି କେନ୍ଦ୍ରରେ ପାଇଖାନା ନିର୍ମାଣ ହୋଇଛି। ପୁଣି ସେଥିମଧ୍ୟରୁ ପ୍ରାୟ ୬ ହଜାର ଅଚଳ ହୋଇପଡିଛି। ଅନେକ ସ୍ଥାନରେ ପାଣି ବ୍ୟବସ୍ଥା ନଥିବାରୁ ଏହା ଉପଯୋଗୀ ହୋଇପାରୁନାହିଁ। ଆଉ କେତେକ କେବଳ ନାଁକୁ ମାତ୍ର ପାଇଖାନା ନିର୍ମାଣ ହେଉଛି, କିନ୍ତୁ ତାହା ବ୍ୟବହାର ହେବା ଅବସ୍ଥାରେ ନାହିଁ ବୋଲି ଅଖଣ୍ଡ ଅଭିଯୋଗ କରିଥିଲେ।   ସ୍ୱଚ୍ଛ ଭାରତ ଅଭିଯାନ ନାଁରେ ସାରା ଦେଶରେ ପାଇଖାନା ନିର୍ମାଣ ଓ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସରକାରୀ ପ୍ରକଳ୍ପରେ ଏଭଳି ଅବହେଳା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଏଥିପାଇଁ ମଂଜୁର ହୋଇଥିବା ଅର୍ଥ ହେରଫେର‌୍‍ ହୋଇଥିବା ମଧ୍ୟ ସନ୍ଦେହ ରହିଛି। ଏସବୁ ଅଭିଯୋଗକୁ ବିଚାର କରି ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ‌୍‍ ବି.କେ.ମିଶ୍ର ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ‌୍‍ ଜାରି କରି ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share :