ନାଟକ ଥିଲା ‘ଜନମତ ଲୋଡ଼ା’

ନାଟକ ଥିଲା ‘ଜନମତ ଲୋଡ଼ା’

Share :

ପ୍ରଦୀପ ପ୍ରଧାନ   ସେପ୍ଟେମ୍ୱର ୧୭ ତାରିଖରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଆହ୍ୱାନକ୍ରମେ ମହାନଦୀ ଜଳ ବିବାଦ ସମ୍ପର୍କରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନାକୁ ଯିବା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ମତାମତ ଲୋଡିଥିଲେ। ରାଜ୍ୟର ବହୁ  ସ୍ବେଚ୍ଛାସେବୀ, ରାଜନୈତିକ ଦଳ, ନାଗରିକ ସଂଗଠନ ଏବଂ ବୁଦ୍ଧିଜୀବୀ ସଂଗଠନ ସେମାନଙ୍କର ସୁଚିନ୍ତିତ ମତାମତ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆକୁଣ୍ଠ ସମର୍ଥନ ଜଣାଇଥିଲେ। ତ୍ରିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ ସମୟରେ ହଜାର ହଜାର ଲୋକ ରାସ୍ତାରେ ଠିଆ ହୋଇ ତାଙ୍କୁ ମେଲାଣି ଦେଇଥିଲେ। ନୂଆଦିଲ୍ଲୀଠାରେ ୧୭ ତାରିଖରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହେଲା ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଜଣାଇଥିଲେ।   ସେପ୍ଟେମ୍ୱର ୧୯ ତାରିଖରେ ସୂଚନା ଅଧିକାର ଆଇନ‌୍‍ ବଳରେ ଜଳସମ୍ପଦ ବିଭାଗକୁ ମହାନଦୀ ଜଳ ବିବାଦ ସମ୍ପର୍କରେ କେତେଗୁଡ଼ିଏ ତଥ୍ୟ ଯଥା-ମହାନଦୀ ପ୍ରସଙ୍ଗରେ କେଉଁ କେଉଁ ସଂଗଠନ କି କି ପ୍ରକାରର ମତାମତ ଦେଇଥିଲେ, କେଉଁସବୁ ମତାମତକୁ ରାଜ୍ୟ ସରକାର ଗ୍ରହଣ କରିଥିଲେ, ତ୍ରିପାକ୍ଷିକ ଆଲୋଚନାରେ ରାଜ୍ୟ ସରକାର ତାଙ୍କ ସପକ୍ଷରେ କି କି ଦଲିଲ ଉପସ୍ଥାପନ କରିଥିଲେ ଇତ୍ୟାଦି ମଗାଯାଇଥିଲା। ଅକ୍ଟୋବର ୨୬ ତାରିଖରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯୋଗାଇ ଦିଆଯାଇଥିବା ତଥ୍ୟରେ ସମୁଦାୟ ୨୨୧ଟି ସଂଗଠନ ଦ୍ୱାରା ଦିଆଯାଇଥିବା ସେମାନଙ୍କର ମତାମତ କପି ପ୍ରଦାନ କରିଥିଲେ ଏବଂ ଅନ୍ୟ କୌଣସି ତଥ୍ୟ ପ୍ରଦାନ କରିନଥିଲେ। ଏଥିରୁ ସ୍ପଷ୍ଟ ହେଲା ଯେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟବାସୀ ମତାମତ ଲୋଡ଼ିବା ମୁଖ୍ୟମନ୍ତ୍ରୀଙ୍କର ଏକ ଡ଼୍ରାମା ଥିଲା। ସାଧାରଣ ଲୋକଙ୍କର ମହାନଦୀ ପାଇଁ ଥିବା ଅହେତୁକ ଭାବାବେଗକୁ ନିଜ ସପକ୍ଷରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏହିଭଳି ମତାମତର ଆହ୍ୱାନ କରିଥିଲେ। ବାସ୍ତବରେ ଲୋକଙ୍କ ମତାମତ ପ୍ରତି ସରକାରଙ୍କର କୌଣସି ଖାତିର ନଥିଲା। ମହାନଦୀ ଜଳ ବିବାଦ ସମ୍ପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ତଥ୍ୟ େସ୍ୱଚ୍ଛାକୃତ ଭାବେ ରାଜ୍ୟବାସୀଙ୍କୁ ଦେଇନାହାଁନ୍ତି କି ସୂଚନା ଅଧିକାର ଆଇନ‌୍‍ ବଳରେ କୌଣସି ତଥ୍ୟ ପ୍ରଦାନ କରିନାହାଁନ୍ତି। ମନରେ ପ୍ରଶ୍ନ ଉଠେ, ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ତଥ୍ୟ ଲୁଚାଇଛନ୍ତି କାହିଁକି?   ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ୧୫ଟି ଜିଲ୍ଲାର ପାଖାପାଖି ୨ କୋଟି ଲୋକ ନିଜର ଜୀବନ ଜୀବିକା ପାଇଁ ସିଧାସଳଖ ଏହି ନଦୀର ପାଣି ଉପରେ ନିର୍ଭର କରନ୍ତି। ଏହା ଛତିଶଗଡ଼ ରାୟପୁର ଜିଲ୍ଲାର ବସ୍ତର ଅଞ୍ଚଳର ଅମରକଣ୍ଟକ ପାହାଡର ପରିସିଆ ଗାଁରୁ ବାହାରି ୮୫୧ କି.ମି. ପ୍ରବାହିତ ହୋଇ ପାରାଦ୍ୱୀପଠାରେ ବଙ୍ଗୋପସାଗରରେ ମିଶିଛି। ଏଥିମଧ୍ୟରୁ ୩୫୭ କି.ମି. ଛତିଶଗଡ଼ରେ ରହିଥିଲାବେଳେ ୪୯୪ କି.ମି. ଓଡ଼ିଶାରେ ପ୍ରବାହିତ ହୋଇଛି। ମହାନଦୀର ସମୁଦାୟ ୧ ଲକ୍ଷ ୪୧ ହଜାର ୧୩୪ ବର୍ଗ କି.ମି. ଜଳ ଗ୍ରହଣ କ୍ଷେତ୍ରରୁ ଓଡ଼ିଶାରେ ରହିଛି ୬୫ ହଜାର ୬୨୮ ବର୍ଗ କି.ମି. ଯାହାକି ଓଡ଼ିଶାର ଭୌଗୋଳିକ କ୍ଷେତ୍ରଫଳର ୪୨ ପ୍ରତିଶତ ଅଟେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏପ୍ରିଲ ୧୨, ୧୯୪୮ରେ ନଦୀ ବନ୍ଧର ଶୁଭାରମ୍ଭ କରିଥିଲେ ଏବଂ ଜାନୁୟାରୀ ୧୩, ୧୯୫୭ରେ ଆନୁଷ୍ଠାନିକ ଭାବେ ଉଦ‌୍‍ଘାଟନ କରି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।   ୨୦୧୬ ଜୁଲାଇ ମାସରେ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ନଗଡ଼ା ଗ୍ରାମରେ ୧୯ଟି ଜୁଆଙ୍ଗ ଶିଶୁଙ୍କ ମୃତ୍ୟୁକୁ ନେଇ ଯେତେବେଳେ ସମଗ୍ର ରାଜ୍ୟରେ ରାଜନୈତିକ ତୁମ୍ୱିତୋଫାନ ଚାଲିଥିଲା ଏବଂ ସରକାରଙ୍କ ଅପାରଗତାକୁ ନେଇ ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠିଥିଲା, ଠିକ‌୍‍ ସେହି ସମୟରେ ରାଜ୍ୟ ସରକାର ହଠାତ‌୍‍ ମହାନଦୀ ପ୍ରସଙ୍ଗ ଉଠାଇ ଛତିଶଗଡ଼ ସରକାରଙ୍କ ମନୋମୁଖୀ କାର୍ଯ୍ୟ, ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାରେ ମହାନଦୀର ପାଣି ଶୁଖିଯିବ ଏବଂ ରାଜ୍ୟବାସୀ କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗ ଆଣିଲେ ଏବଂ ରାଜ୍ୟସାରା ଆନ୍ଦୋଳନ ଡାକରା ଦେଲେ। ଉକ୍ତ ପ୍ରସଙ୍ଗରେ କୌଣସି ତଥ୍ୟ ସର୍ବସାଧାରଣରେ ନ ରଖି ବିରୋଧୀ ଦଳ ନେତାଙ୍କ ସର୍ବଦଳୀୟ ବୈଠକ ଡ଼ାକିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବା, ଛତିଶଗଡ଼ ଯାଉଥିବା ଟ୍ରେନ‌୍‍ଗୁଡ଼ିକୁ ଅଟକାଇବା ଇତ୍ୟାଦି କରିଚାଲିଲେ ଏବଂ ଛତିଶଗଡ଼ ବିରୁଦ୍ଧରେ ଲୋକମାନଙ୍କ ମଧ୍ୟରେ ବିଦ୍ୱେଷଭାବ ସୃଷ୍ଟି କରାଇଲେ।   ବାସ୍ତବରେ ଛତିଶଗଡ଼ ସରକାରଙ୍କ ମନୋମୁଖୀ ଭାବେ ମହାନଦୀ ଉପରେ ନିର୍ମାଣ କରୁଥିବା ନଦୀବନ୍ଧ ଏବଂ ବ୍ୟାରେଜକୁ ଠିକ‌୍‍ ସମୟରେ ବିରୋଧ ନ କରି ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ଭଳି ନିଜର ଅପାରଗତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହିପରି ଛତିଶଗଡ଼ ବିରୋଧୀ ଆନ୍ଦୋଳନ ତେଜିୟାନ କରିଥିଲେ। ୨୦୦୦ରୁ ୨୦୧୬ ମସିହା ମଧ୍ୟରେ ପ୍ରଥମ ଦି’ ତିନି ବର୍ଷକୁ ଛାଡ଼ିଦେଲେ ଜଳ ସମ୍ପଦ ବିଭାଗ ସଦାସର୍ବଦା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିଆସିଛି। ଏହି ସୁଦୀର୍ଘ ୧୬ ବର୍ଷ ମଧ୍ୟରେ ଯେତେବେଳେ ମହାନଦୀର ସମସ୍ୟାକୁ ନେଇ ବିରୋଧୀଦଳ ତରଫରୁ ବିଧାନସଭା ଭିତରେ ବା ବାହାରେ ପ୍ରଶ୍ନ କରାଯାଇଛି, ସେତେବେଳେ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାରଙ୍କ କାର୍ଯ୍ୟସମ୍ପର୍କରେ ସଚେତନ ଅଛନ୍ତି ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସଫେଇ ଦେଇଛନ୍ତି।   ଏପ୍ରିଲ‌୍‍ ୧୦, ୨୦୦୧ରେ ତତ୍କାଳୀନ ବିଧାୟକ ଅଶୋକ ଦାସଙ୍କ ଦ୍ୱାରା ଆଗତ ଏକ ମୁଲତବୀ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ମହାନଦୀ ଉପର ମୁଣ୍ଡରେ ହେଉଥିବା ନିର୍ମାଣାଧୀନ ପ୍ରକଳ୍ପ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ବୋଲି ବିଧାନସଭାରେ କହିଥିଲେ। ସେ କହିଥିଲେ ଯେ, ପ୍ପମୁଁ କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରୀଙ୍କୁ ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଛି। ମୁଁ ପ୍ରତିଶ୍ରୁତି ଦେଉଛି ଯେ, ମହାନଦୀର ଜଳ ଆବଣ୍ଟନ ପାଇଁ ଛତିଶଗଡ଼ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ୱାକ୍ଷର ପାଇଁ ପ୍ରଚେଷ୍ଟା ଅବ୍ୟାହତ ରଖିବି। ଆମ ସହିତ ପରାମର୍ଶ ନ କରି ଛତିଶଗଡ଼ ସରକାର କଦାପି ଡ୍ୟାମ‌୍‍ ଏବଂ ବ୍ୟାରେଜ ନିର୍ମାଣ କରିପାରିବେ ନାହିଁ।   ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୦ରୁ ୨୦୦୪ ମଧ୍ୟରେ ବିଜୁ ଜନତା ଦଳର ନେତା ଶ୍ରୀଯୁକ୍ତ ଅଜୁର୍ନ ସେଠୀ କେନ୍ଦ୍ରରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ ମଧ୍ୟ ଛତିଶଗଡ଼ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରେଇବାରେ ସକ୍ଷମ ହୋଇପାରି ନଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ପଦାଧିକାରୀମାନେ ବୈଠକରେ ବସିଥିଲେ ମଧ୍ୟ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିନଥିଲେ। ଉଦାହରଣସ୍ୱରୂପ, ଜୁଲାଇ ୨୪, ୨୦୦୮ରେ ରାଜ୍ୟ ସଚିବାଳୟ ଓ ରାଜୀବ ଭବନରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗର କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ମଧ୍ୟ ମହାନଦୀ ପ୍ରସଙ୍ଗ ଏଡାଇ ଯାଇଥିଲେ। ସେହିପରି ଅଗଷ୍ଟ ୫, ୨୦୧୦ରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରଭାତ କୁମାର ତ୍ରିପାଠୀ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ‘ମହାନଦୀ ଜଳକୁ ନେଇ ବିବାଦ’ ଶୀର୍ଷକ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ସରକାର କହିଥିଲେ ‘୧୯୮୨ରୁ ୨୦୦୬ ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ରେ ଜଳଭଣ୍ଡାର ଗୁଡ଼ିକ ନିର୍ମାଣ ହେବା ପରେ ମଧ୍ୟ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି। ଏହି ଜଳଭଣ୍ଡାରକୁ କମ‌୍‍ ପାଣି ଆସିବା ଅଭିଯୋଗ ଯୁକ୍ତି ସଂଗତ ବା ତଥ୍ୟଭିତ୍ତିକ ନୁହେଁ।’   ୨୦୧୦ରେ ତତ୍କାଳୀନ ଜଳ ସମ୍ପଦ ସଚିବ ସୁରେଶ ମହାପାତ୍ର ମଧ୍ୟ ଏକ ଇଂରାଜୀ ସମ୍ୱାଦପତ୍ରକୁ ସାକ୍ଷାତ‌୍‍କାର ଦେଇ କହିଥିଲେ ଯେ, ମହାନଦୀର ଉପରମୁଣ୍ଡରେ ଶହେଟି ପ୍ରକଳ୍ପ ହେଲେ ମଧ୍ୟ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖରେ ବିଜେପି ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ‘କେଲୋ ନଦୀ ଉପରେ ଛତିଶଗଡ଼ ରାଜ୍ୟର ରାଇଗଡ଼ଠାରେ ଏକ ବଡ଼ ଡ଼୍ୟାମ‌୍‍ ଏବଂ ନିମ୍ନରେ କିଛି ଚେକ‌୍‍ଡ୍ୟାମ‌୍‍ ନିର୍ମାଣ ହେଉଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏହାର ପ୍ରଭାବରେ ଲଖନପୁର ଅଞ୍ଚଳରେ ଜଳ ସଙ୍କଟ ହେବାର ସମ୍ଭାବନା ନାହିଁ।’ ଏଥିସହିତ ମେ ୨ ତାରିଖରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନ ‘ମହାନଦୀରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ କେଉଁଠାରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ଜଳଭଣ୍ଡାର ନିର୍ମାଣ ହୋଇଛି ଏବଂ ମହାନଦୀରେ ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଛତିଶଗଡ଼ ସରକାରଙ୍କ ସହ ସମନ୍ୱୟ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇଛି?’ର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାନଦୀରେ ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଛତିଶଗଡ଼ ସରକାରଙ୍କ ସହ ଏକ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇ ପରସ୍ପର ସହିତ ବନ୍ୟା ନିୟନ୍ତ୍ରଣ ଓ ଜଳ ପରିଚାଳନା ଜନିତ ତଥ୍ୟ ଆଦାନ ପ୍ରଦାନ କରାଯାଉଛି। ଛତିଶଗଡ଼ ସରକାର ଉପରୋକ୍ତ ବନ୍ଧଗୁଡ଼ିକରେ ଜଳ ନିଷ୍କାସନ ଏବଂ ବର୍ଷାର ସବିଶେଷ ତଥ୍ୟ ଓଡ଼ିଶା ସରକାରଙ୍କ ଦୃଷ୍ଟିଗୋଚରକୁ ଆଣି ପରବର୍ତ୍ତୀ ପଦକ୍ଷେପ ନିଅନ୍ତି। ହୀରାକୁଦ ଜଳ ଭଣ୍ଡାରର କର୍ମକର୍ତ୍ତା ସେହି ତଥ୍ୟକୁ ଭିତ୍ତି କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।   ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଅନୁମେୟ, ରାଜ୍ୟ ସରକାର ମହାନଦୀର ଉପର ମୁଣ୍ଡରେ ହେଉଥିବା ନିର୍ମାଣ କାର୍ଯ୍ୟ ବିଷୟରେ ଭଲଭାବରେ ଅବଗତ ଥିଲେ। କିନ୍ତୁ କିଛି କରୁ ନଥିଲେ। କାରଣ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହଙ୍କ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଘନିଷ୍ଟ ରାଜନୀତିକ ସଂପର୍କ ରହିଛି। ସେହିପରି ଖଣି ମାମଲାରେ ମଧ୍ୟ ନବୀନଙ୍କର ଅନେକ ପ୍ରିୟ କମ୍ପାନୀ ସହିତ ରମଣ ସିଂହ୍କର ମଧ୍ୟ ସଂପର୍କ ଅଛି। ତେଣୁ ଏହାର ସତ୍ୟାସତ୍ୟ ଏବଂ ସରକାରୀ ଯୁକ୍ତି ଜାଣିବା ପାଇଁ ସୂଚନା ଅଧିକାର ଆଇନ‌୍‍ ବଳରେ ଜଳ ସମ୍ପଦ ବିଭାଗକୁ ତଥ୍ୟ ମଗାଯାଇଥିଲା। ଯେହେତୁ ଛତିଶଗଡ଼ ସରକାରଙ୍କ ବିରୁଦ୍ଧରେ ଲଢିବାର କୌଣସି ଯୁକ୍ତିଯୁକ୍ତତା ନାହିଁ ସେଥିପାଇଁ ଏହି ତଥ୍ୟ ଜଳ ସମ୍ପଦ ବିଭାଗ ଦେଇପାରିଲା ନାହିଁ। ତଥାପି କୌଣସି ଯୁକ୍ତିଯୁକ୍ତତା ଏବଂ ତଥ୍ୟ ନଥାଇ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇବାର ଉଦ୍ଦେଶ୍ୟ ହେଉଛି ରାଜ୍ୟବାସୀଙ୍କୁ ପ୍ରତାରିତ କରିବା।   ରାଜ୍ୟରେ ସରକାରୀ ଯୋଜନାରେ ବ୍ୟାପକ ହରିଲୁଟ‌୍‍, ସରକାରୀ ଠକାମୀ, ଭୁବନେଶ୍ୱର କଟକରେ ଜମି ଡ଼କାୟତି, କିଟ‌୍‍ ସଂସ୍ଥା ଭଳି ଅନେକ ବେସରକାରୀ ସଂସ୍ଥା ଭୁବନେଶ୍ୱରରେ ମୂଲ୍ୟବାନ ଜମିକୁ ବିଜୁ ଜନତା ଦଳ ନେତା ଏବଂ ଅମଲାଙ୍କ ସହିତ ଅସାଧୁ ମେଣ୍ଟ କରି ବେଆଇନ‌୍‍ ଭାବେ ନାମମାତ୍ର ମୂଲ୍ୟରେ ନେଇଯିବା, ସରକାରୀ ଅପରାଗତା ଯୋଗୁଁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ, ଅନାହାର, ପୁଷ୍ଟିହୀନତା ଜନିତ ଶିଶୁମୃତ୍ୟୁ ଘଟି ଚାଲିବା, କମ୍ପାନୀମାନଙ୍କ ଦ୍ୱାରା ଜଳକର ଠକାମୀ ଇତ୍ୟାଦି ଯୋଗୁଁ ସରକାର ହରଡଘଣାରେ ପଡିଛନ୍ତି। ଯେତେ ଯୋଜନା କରାଯାଉଛି, ତାହା ଲୋକଙ୍କର ସମସ୍ୟାର ସମାଧାନ ପାଇଁ କରାନଯାଇ ନିର୍ବାଚନ ସର୍ବସ୍ୱ ହେଉଛି। ଫଳରେ ଲୋକଙ୍କ ବାସ୍ତବ ସମସ୍ୟାର ସମାଧାନ ହେଉନାହିଁ।   ସେଥିପାଇଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ମୁହଁକୁ ଠେଲି ହୋଇଯାଉଛି। ରେସନ କାର୍ଡ଼ ପ୍ରଦାନରେ ବ୍ୟାପକ ଜାଲିଆତି, ଲକ୍ଷ ଲକ୍ଷ ଗରିବ ଲୋକ ରେସନ କାର୍ଡ ପାଇବାରୁ ବଞ୍ଚିତ ହେବା, ଏନ‌୍‍.ଆର.ଇ.ଜି.ଏ କାମରେ ବ୍ୟାପକ ଦୁର୍ନୀତି ଏବଂ ଶ୍ରମିକମାନଙ୍କୁ ମାସ ମାସ ଧରି ମଜୁରୀ ନ ମିଳିବା ଇତ୍ୟାଦି ଏକ ନୀତିଦିନିଆ ଘଟଣା ହୋଇଛି। ସୂଚନା ଆଇନ‌୍‍ ବଳରେ ମିଳୁଥିବା ତଥ୍ୟ ଅନୁଯାୟୀ ୧୬ବର୍ଷ ମଧ୍ୟରେ ୩୨ଟି କମ୍ପାନୀ ହାରାହାରି ୧୯୦୦ କୋଟି ଟଙ୍କାର ଜଳକର ବକେୟା ରଖିଛନ୍ତି। ତେଣୁ ସରକାରୀ ଠକାମୀ, ଶୋଷଣ, ଲୁଟ‌୍‍ତରାଜ ବିରୁଦ୍ଧରେ ବୃଦ୍ଧି ପାଉଥିବା ଜନ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଛନ୍ତି ତ କେତେବେଳେ ମହାନଦୀ କଥା କହି ଛତିଶଗଡ଼ ବିରୋଧୀ ସ୍ଲୋଗାନ ଦେଉଛନ୍ତି। ଏହିସବୁ ମିଛକଥା କହି ଲୋକଙ୍କୁ ପ୍ରତାରିତ କରୁଛନ୍ତି ଏବଂ ନିର୍ବାଚନ ବୈତରଣୀ ପାର‌୍‍ ହେବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ଏହି କାରମାନା ସମ୍ପର୍କରେ ସଚେତନ କରିବା ଉଚିତ‌୍‍।   ରାଜ୍ୟ ଆବାହକ, ରାଇଟ‌୍‍ ଟୁ ଫୁଡ଼‌୍‍ କ୍ୟାମ୍ପେନ, ଓଡ଼ିଶା ମୋ : ୯୪୩୭୮୪୩୪୮୨

Share :