କ୍ରୋମ ଲୁଟ୍‌ରେ ବିଜେପି-ବିଜେଡି ଭାଗୀଦାର!

କ୍ରୋମ ଲୁଟ୍‌ରେ ବିଜେପି-ବିଜେଡି ଭାଗୀଦାର!

Share :

  ଦୀର୍ଘଦିନ ଧର ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଂଚଳରେ ବନ୍ଦଥିବା ଫେକର ଖଣିରୁ କୋଟିକୋଟି ଟଙ୍କାର କ୍ରୋମାଇଟ ଲୁଟ ହେଉଥିଲେ ମଧ୍ୟ ରାଜ୍ୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉନଥିଲେ। ଏହି ବିଷୟ ଜନ ସାଧାରଣରେ ଆଲୋଚିତ ହେବା ପରେ ନିଜକୁ ସତୀ ଦେଖେଇ ହବାକୁ ପ୍ରଶାସନ ଚଢ଼ାଉ କରିଛି। ରାଜ୍ୟ ସରକାରଙ୍କ ଖଣି, ଜଙ୍ଗଲ ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମରେ ଏହି କ୍ରୋମାଇଟ ଲୁଟ୍‌ ଚାଲିଥିବା ସାଧାରଣରେ ଆଲୋଚନା ହେଉଛି।   ରାଜ୍ୟ ଖଣି ଟାସ୍କଫୋର୍ସର ଏକ ଦଳ ନଭେମ୍ବର ୩ ତାରିଖ ଗୁରୁବାର ଅପରାହ୍ନରେ ଅଚାନକ ଭାବେ ଫେକର କମ୍ପାନୀର ବନ୍ଦ କାଠପାଳ କ୍ରୋମାଇଟ୍‌ ଖଣି ଉପରେ ଚଢାଉ କରିଥିଲେ। ଫେକର କମ୍ପାନୀ ପରିଚାଳିତ ଢେଙ୍କାନାଳ ଜିଲାର ଉକ୍ତ କ୍ରୋମାଇଟ ଖଣିକୁ ଜଙ୍ଗଲ ଓ ପରିବେଶ ମଞ୍ଜୁରି ନଥିବାରୁ ୪ ବର୍ଷ ହେବ ବନ୍ଦ କରି ଦିଆଯାଇଛି। ନିୟମ ଅନୁଯାଇ ଏହି ବନ୍ଦ ସମୟରେ ଖଣିରୁ ଉତ୍ତୋଳନ, ପରିବହନ ସଂପୂର୍ଣ୍ଣ ବନ୍ଦ ରହିଥାଏ। ଖଣି ଲିଜ ଅଂଚଳ ଭିତରକୁ ପ୍ରବେଶ କରିବାକୁ ହେଲେ ସଂପୃକ୍ତ ବିଭାଗର ଅନୁମତି ଆବଶ୍ୟକ ଥାଏ। କିନ୍ତୁ ସଂପୃକ୍ତ କମ୍ପାନୀ ବିଭାଗୀୟ ଅଧିକାରୀମାନଙ୍କୁ ହାତବାରିସି କରି ବନ୍ଦଥିବା ଉକ୍ତ ଖଣିରୁ ନିଜସ୍ୱ ଡମ୍ଫର ସାହାଯ୍ୟରେ କ୍ରୋମାଇଟ ପରିବହନ କରି ସୀମାନ୍ତରେ ଥିବା ଯାଜପୁର ଜିଲ୍ଳାର ଓସ୍ତପାଳ ଖଣିକୁ ଆଣି ବିକ୍ରୀ କରୁଥିଲା। ଏହା ଓଡ଼ିଶା ସରକାରଙ୍କ ଜାଣତରେ ଚାଲିଥିଲା। ଖଣି, ରାଜସ୍ବ, ଜଙ୍ଗଲ ଓ ପୁଲିସ ବିଭାଗ ସବୁ ଜାଣିଥିଲେ ମଧ୍ୟ ନିଷ୍କ୍ରିୟ ଥିଲେ।   ଗତ ୨୦୧୪ ମସିହା ସେପ୍ଟେମ୍ୱର ୧୫ ତାରିଖରେ ବନ୍ଦ ଥିବା ଏହି ଖଣିରୁ ଚୋରାରେ କ୍ରୋମାଇଟ ଚାଲାଣ କରୁଥିବା ବେଳେ ସଂପୃକ୍ତ କମ୍ପାନୀର ୪ଟି ଡମ୍ଫରକୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଥିଲେ। ସେତେବେଳେ ଫେକର କମ୍ପାନୀର କାରନାମାକୁ ନେଇ ଚାଚଂଲ୍ୟ ସୃଷ୍ଟି ହୋଇଥିଲା। ଏହାର  ନିର୍ଦ୍ଦେଶକ ଜଣେ ପୂର୍ବତନ ସାସଂଦଙ୍କ ସମ୍ପର୍କୀୟ ହୋଇଥିବାରୁ ରାଜନୈତିକ ଚାପ ପ୍ରୟୋଗ କରି ଏହି ଘଟଣାକୁ ଚାପି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଫେକର କମ୍ପାନୀ ମାଲିକମାନଙ୍କ ସହ ସଂପୃକ୍ତ ରାମଦାସ ଅଗ୍ରୱାଲ ରାଜସ୍ଥାନରୁ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସଦସ୍ୟ ଅଛନ୍ତି। ସେ ଏହି ଦଳର କୋଷାଧ୍ୟକ୍ଷ ପଦ ମଧ୍ୟ ପାଇଥିଲେ। ଏହି ଦଳ ସହିତ ରାଜ୍ୟର ଶାସକ ବିଜୁ ଜନତା ଦଳର ୨୦୦୯ ମସିହା ଯାଏଁ ମେଣ୍ଟ ଥିଲା। ଏବେ ବି ଏହି ଦଳର ବହୁ ଗୁରୁତ୍ବପୂର୍ଣ୍ଣ ନେତାଙ୍କ ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଘନିଷ୍ଟ ସଂପର୍କ ରହିଛି। ଫେକର କମ୍ପାନୀର ବହୁ ନିର୍ଦ୍ଦେଶକ ଶରାଫ ସାଙ୍ଗିଆଧାରୀ ଥିଲେ ମଧ୍ୟ ବିଜୁ ଜନତା ଦଳର ସାଂସଦ ତଥା ଆଇନଜୀବୀ ପିନାକୀ ମିଶ୍ର ମଧ୍ୟ ଏହାର ବୋର୍ଡ଼ ଅଫ ଡିରେକ୍ଟର ସଦସ୍ୟ ଅଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ବର୍ଗତ ସୁଧାଂଶୁ ମିଶ୍ର ମଧ୍ୟ ଏହି ପଦରେ ଥିଲେ।   ଡମ୍ଫର ଧରାପଡ଼ିବା ପରେ ଫେକର କମ୍ପାନୀ ସାମୟିକ ଭାବେ କିଛି ଦିନ ପାଇଁ ଖଣି ବନ୍ଦ କରିଥିଲା। କିନ୍ତୁ ତାହାର କିଛି ଦିନ ପରଠୁଁ ପୁଣି ଖଣି ଖନନ ଓ ଲୁଟ୍‌ ଆରମ୍ଭ ହୋଇଥିଲା। ବିଳମ୍ୱିତ ରାତିରେ ଖଣି କାର୍ଯ୍ୟ ଚାଲିଥିବା ଲୋକେ ଜାଣିବା ପରେ ବିଭିନ୍ନ ମହଲକୁ ସୂଚନା ଦେଇଥିଲେ। ତଥାପି ବର୍ତ୍ତମାନର ସରକାରଙ୍କୁ ନିୟନ୍ତ୍ରଣ କରୁଥିବା ପ୍ରଶାସନ ଏହା ବିରୋଧରେ କଔରସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା। ଖଣିରେ ପୂର୍ବରୁ କାର୍ଯ୍ୟ କରୁଥିବା ବେକାର ଶ୍ରମିକମାନଙ୍କୁ ଦିନରେ ଖଣି ଖନନ ଓ ଷ୍ଟକୟାର୍ଡରେ ବିକ୍ଷିପ୍ତ ଭାବେ ପଡ଼ିଥିବା କ୍ରୋମାଇଟ ଖଣ୍ଡ ଗୋଟାଇ ଏକତ୍ରିତ କରିବାରେ ନିୟାଜିତ କରାଯାଇଥିଲା। ବିଳମ୍ୱିତ ରାତିରେ କ୍ରୋମାଇଟ୍‌ ଖଣ୍ଡଗୁଡ଼ିକୁ ଓସ୍ତପାଳ ଖଣିକୁ ଚୋରା ଚାଲାଣ କରାଯାଉଥିଲା।   ଏ ଚର୍ଚ୍ଚା ବଢ଼ିବା ସହିତ ଏହି ଲୁଟ୍‌ରେ ରାଜ୍ୟ ଖଣିମନ୍ତ୍ରୀ ସଂପୃକ୍ତ ଥିବା ଆଲୋଚିତ ହେବାରୁ ଖଣି ବିଭାଗର ଏକ ସ୍ୱତନ୍ତ୍ର ଟାସ୍କେଫୋର୍ସ ଦଳ ଖଣି ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ଖଣି ମଧ୍ୟରୁ ସଦ୍ୟ ଉତ୍ତୋଳିତ କ୍ରୋମାଇଟ୍‌ ଷ୍ଟକୟାର୍ଡର ବିଭିନ୍ନ ସ୍ଥାନରେ ଗଦା ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ଦ ଖଣି ଭିତରକୁ ଟ୍ରକ ଓ ଡମ୍ଫର ଚଳାଚଳର ଅନେକ ଚକା ଚିହ୍ନ ମଧ୍ୟ ପଡ଼ିଥିଲା। ଗେଟ ସମ୍ମୁଖରେ ଥିବା ୱେବ୍ରିଜ ନିକଟରେ ଟ୍ରକରୁ ବାହାର କରାଯାଇଥିବା କ୍ରୋମାଇଟ ଗଦା ହୋଇଥିଲା।   ଏନେଇ ଟାସ୍କେଫୋର୍ସର ଅଧିକାରୀମାନେ ସଂପୃକ୍ତ କମ୍ପାନୀର ଗେଷ୍ଟହାଉସରେ ଖଣି ପରିଚାଳକ ବେଞ୍ଜାମିନ ଡ଼ୋରା ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଦୁଇ ଘଣ୍ଟା ଧରି ଜେରା କରିଥିଲେ। ଏହି ଚଢାଉରେ ଖଣି ବିଭାଗର ଦିନେଶ ଅଗ୍ରୱାଲା, ସୁରେଶ ରଥ, ବିଜୟ ଦ୍ୱିବେଦୀ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ସିବିଆଇ ଦ୍ୱାରା ଏହାର ତଦନ୍ତ କରାଗଲେ ବହୁ ଘୋଟାଲା ପଛରେ ଥିବା ବହୁ ଧଳାହାତୀଙ୍କ ଚେହେରା ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Share :