ବେଆଇନ ମୋରମ ଖଣି ଠାବ

ବେଆଇନ ମୋରମ ଖଣି ଠାବ

Share :

  କଳାହାଣ୍ଡିର ସିନାଙ୍ଗ ଜଙ୍ଗଲରେ ଦୀର୍ଘଦିନ ଧରି ଚାଲିଛି ବେଆଇନ ମୋରମ ଖଣି। ଲଘୁ ଖଣି ମାଫିଆମାନେ ଜେସିବି ମେସିନ ଲଗାଇ ଲକ୍ଷଲକ୍ଷ ଟଙ୍କାର ମୋରମ ଖୋଳିନେଉଛନ୍ତି। ବହୁ ଦିନ ନିଷ୍କ୍ରିୟ ରହିବା ପରେ ଲୋକଙ୍କ ଚାପରେ ଆସି ବନବିଭାଗ କର୍ମଚାରୀ ଜେସିବି ମେସିନ ଓ ଟ୍ରାକ୍ଟର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି।   ନଭେମ୍ବର ୨ ତାରିଖ ବୁଧବାର ଦିନ ଭବାନୀପାଟଣା ଉତ୍ତର ବନଖଣ୍ଡ ଅନ୍ତର୍ଗତ ସିନାଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଥିବା ଖବର ପାଇ ଉତ୍ତର ବନଖଣ୍ଡ ଡିଏଫ‌୍‍ଓ ଲଳିତେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ବନଖଣ୍ଡ ରେଞ୍ଜର ପ୍ରସନ୍ନ କୁମାର ମିଶ୍ରଙ୍କ ନେତୃତ୍ୱରେ ଅଚାନକ ଚଢାଉ କରାଯାଇ ଘଟଣାସ୍ଥଳରୁ ଏକ ଜେସିବି ମେସିନ ନଂ.ଓଡି୦୮ଏ-୦୪୨୬ ଓ ଟ୍ରାକ୍ଟର ହେଡ‌୍‍ ନଂ.ଓଆର‌୍‍୦୮ଏ-୦୪୬୨, ଟ୍ରଲି ନଂ.ଓଡି୦୮ଏ-୦୪୬୩କୁ ଜବତ କରି ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିମାନେ ମୁରିବାହାଲ ଗ୍ରାମର ମକରଧ୍ୱଜ ବାଗ ଓ କସାକେନ୍ଦୁ ଗ୍ରାମର ତୀର୍ଥ ମାଝୀ ବୋଲି ସଦର ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଗିରଫ ଦୁଇ ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।   ଏହି ଚଢାଉରେ ରେଞ୍ଜର ଶ୍ରୀ ମିଶ୍ରଙ୍କ ସହ ବନବିଭାଗର ବିଷ୍ଣୁ ଚରଣ ପାଢି, ରୁଦ୍ର ପ୍ରସାଦ ଗହିର, ଶଙ୍କର ପ୍ରସାଦ ବାଗ, ଦେମନ୍ତ ଗଉଡ, ଭବାନୀଶଙ୍କର ପରିଚ୍ଛା, ଅଚ୍ୟୁତାନନ୍ଦ ପଟ୍ଟନାୟକ, ଦୟାଳୁ ରାଉତଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ। ଉଭୟ ଗାଡିର ମାଲିକ ଶଷିଭୂଷଣ ରାଉତ ବୋଲି ପ୍ରକାଶ। ଏହି ଘଟଣା ପରେ ଜଙ୍ଗଲ ଖୋଳି ଚୋରା ମୋରମ ଓ ପଥର କାରବାର କରୁଥିବା ବ୍ୟବସାୟୀ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବା ଜଣାପଡିଛି। ଏହି ଘଟଣାକୁ ଜଙ୍ଗଲ ବିଭାଗ ପକ୍ଷରୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ ଜାରି ରହିଛି ବୋଲି ଡିଏଫ‌୍‍ଓ ଶ୍ରୀ ଜେନା ପ୍ରକାଶ କରିଥିଲେ।

Share :