ଦେଶରେ ଚାଲୁଥିବା ଅଧିକାଂଶ ପାସେଂଜର ଟ୍ରେନ୍ ଓ ଡିଜେଲ୍ ମଲ୍ଟିପଲ୍ ଟ୍ରେନ୍ (ଡିଏମୟୁ)ରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଟଏଲେଟ୍ ନାହିଁ। ଏହାର ସଂଖ୍ୟା ଏକ ହଜାର ଟପିଯିବ। ଏସବୁ ଟ୍ରେନର ସବୁ ବଗିରେ କେବେ ସୁଦ୍ଧା ପାଇଖାନା ବ୍ୟବସ୍ଥା ହୋଇଯିବ ଓ ଏଥିପାଇଁ ରେଳବାଇର କି ପ୍ରକାର ଦୀର୍ଘ ମିଆଦୀ ଯୋଜନା ରହିଛି, ତାହା ଜଣାଇବାକୁ ଜାତୀୟ ମାନବାଧିକାର କମିଶନ ରେଲବାଇ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ଦାଖଲ ପିଟିସନ୍ ଉପରେ ଗତବର୍ଷ ଠାରୁ ଏହି ମାମଲା କମିଶନଙ୍କ ନିକଟରେ ଶୁଣାଣୀ ଚାଲିଛି। ନିକଟରେ ହୋଇଥିବା ଏକ ଶୁଣାଣୀରେ କମିଶନଙ୍କ ନିକଟରେ ରେଳବାଇ ପକ୍ଷରୁ ଏକ ରିପୋର୍ଟ ଦାଖଲ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଡିଏମ୍ୟୁ ଟ୍ରେନଗୁଡିକରେ ଥିବା ବଗିରେ ଟଏଲେଟ୍ ବ୍ୟବସ୍ଥା ନାହିଁ। ତେଣୁ ଏହା ବଦଳରେ ଟଏଲେଟ୍ ଥିବା ବଗି ଲଗାଇବାକୁ ବ୍ୟବସ୍ଥା କରାଯାଉଛି। ପର୍ଯାୟକ୍ରମେ ଏହି କାମ କରାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଆବେଦନକାରୀ ଅଖଣ୍ଡ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଯେ ଏସବୁ ଟ୍ରେନର ସବୁ ବଗିରେ ଟଏଲେଟ୍ ବ୍ୟବସ୍ଥା ହେବା ଦରକାର ଓ ଏଥିପାଇଁ ରେଳବାଇ ପାଖରେ କୌଣସି ଯୋଜନା ନାହିଁ କିମ୍ୱା ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇନାହିଁ। କମିଶନ ଏସବୁର ଶୁଣାଣୀ କରି ରେଳବାଇଙ୍କୁ ପ୍ରଶ୍ନ କରିଛନ୍ତି ଯେ - ସବୁ ଡିଏମୟୁ ଟ୍ରେନ୍ରେ ଟଏଲେଟ୍ ବ୍ୟବସ୍ଥା କରିବା ପାଇଁ ରେଳବାଇ ବୋର୍ଡ ନିକଟରେ କିଛି ଦୀର୍ଘମିଆଦି ଯୋଜନା ରହିଛି କି? କେବେ ସୁଦ୍ଧା ସବୁ ଟ୍ରେନ୍ରେ ସବୁ ଯାତ୍ରୀଙ୍କ ପାଇଁ ଟଏଲେଟ୍ ବ୍ୟବସ୍ଥା କରାଯିବ ତାହା ଛଅ ସପ୍ତାହରେ ଜଣାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଖଣ୍ଡ କମିଶନଙ୍କ ନିକଟରେ କରିଥିବା ପିଟିସନରେ ଦର୍ଶାଇଥିଲେ, ଟଏଲେଟ୍ ବ୍ୟବସ୍ଥା ପ୍ରତ୍ୟେକ ଯାତ୍ରୀ ପାଇଁ ମୌଳିକ ଆବଶ୍ୟକତା। ଟଏଲେଟ୍ ନଥିବା ଟ୍ରେନ୍ ଗୁଡିକରେ ଯାତ୍ରୀମାନେ ବିଶେଷ କରି ମହିଳା ଓ ଶିଶୁମାନଙ୍କୁ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଡୁଛି। ଖୋର୍ଧା ରେଳ ଡିଭିଜନ ଅଧିନରେ ଚାଲୁଥିବା ପଲାସା-ପାରାଦୀପ ଡିଏମ୍ୟୁ ଟ୍ରେନ୍କୁ ସେ ଉଦାହରଣ ଭାବେ ଦର୍ଶାଇଥିଲେ। ଏହି ଟ୍ରେନ୍ଟି ବିଶାଖାପାଟନାରୁ ଯାତ୍ରା ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ଯାଉଥିଲେ ମଧ୍ୟ ଏଥିରେ ଟଏଲେଟ୍ ବ୍ୟବସ୍ଥା ନାହିଁ।