କୋଣାର୍କ ଉତ୍ସବରେ ବି ବିଜୁକୀର୍ତ୍ତନ!

କୋଣାର୍କ ଉତ୍ସବରେ ବି ବିଜୁକୀର୍ତ୍ତନ!

Share :

  ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା କୋଣାର୍କ ଉତ୍ସବ-୨୦୧୬ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ ଡଃ ଗଗନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ, ପୁରୀ ଅତିରିକ୍ତ ଜିଲ୍ଲାପାଳ ଡଃ ଉଦ୍ଧବଚରଣ ମାଝୀ, ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ୱାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲା ଏସପି ଡଃ ସାର୍ଥକ ଷଡଙ୍ଗୀ, କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, ଓଡିଶା ସଂଗୀତ ନାଟକ ଏକାଡେମୀର ଉପ ନିର୍ଦ୍ଦେଶିକା ଡ଼କ୍ଟର ସଂଗୀତା ଗୋସାଇଁ, ପୁରୀ ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୁ, ନିମାପଡା ଏସଡିପିଓ ଅରୁଣ କୁମାର ଜେନା, କୋଣାର୍କ ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ କୋଣାର୍କ ଉତ୍ସବ ସହ ଜଡିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।   ବିଗତ ବର୍ଷଗୁଡ଼ିକରେ ଉତ୍ସବର ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟିବିଚ୍ୟୁତି ସଂପର୍କରେ ସାମ୍ୱାଦିକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କୋଣାର୍କ ଉତ୍ସବ ସମୟରେ ଦିନବେଳା ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବାଳୁକା କଳା, ଚିତ୍ରକଳା, ଶିଳ୍ପ ବାଟିକା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ପୂର୍ବାପେକ୍ଷା ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଗଣମାଧ୍ୟମର ପ୍ରତିନିଧିମାନେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ପର୍ଯ୍ୟଟନ ବିଭାଗର େୱବସାଇଟରେ କୋଣର୍କ ଉତ୍ସବ-୨୦୧୬ ସଂପର୍କରେ କୌଣସି ସୂଚନା ଡାଉନଲୋଡ କରାଯାଇ ନ ଥିବାରୁ କୋଣାର୍କ ଉତ୍ସବ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଉତ୍ସବ ସଂପର୍କରେ ସବିଶେଷ ସୂଚନା ପାଇପାରୁ ନାହାନ୍ତି। ପର୍ଯ୍ୟଟନ ନିର୍ଦ୍ଦେଶକ ଚଳିତ ବର୍ଷ ଉତ୍ସବର ବ୍ୟବସ୍ଥା ସଂପର୍କରେ ଗଣମାଧ୍ୟମକୁ ଦେଇଥିବା ସୂଚନାନୁଯାୟୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହେଉଥିବା ମୁକ୍ତାକାଶ ରଙ୍ଗମଞ୍ଚ ସମ୍ମୁଖସ୍ଥ ଦର୍ଶକଙ୍କ ଗ୍ୟାଲେରି ସଂଖ୍ୟା ୪୦୦କୁ ବଦ୍ଧି କରାଯାଇଥିବା ବେଳେ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଆନ୍ତାର୍ଜାତିକ ବାଳୁକା କଳା ପ୍ରଦର୍ଶନୀ, କୋଣାର୍କ ଅର୍ବାନ ହାଟ ପରିବର୍ତ୍ତେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚନ୍ଦ୍ରଭାଗାର ମେଳା ପଡିଆରେ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନୀ, ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସାହିତ୍ୟ ଆସର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି।   ଏତଦ ବ୍ୟତିତ କୋଣାର୍କ ଉତ୍ସବରେ ପ୍ରଥମ ଥର ପାଇଁ ଯୋଡି ହୋଇଛି ସାଇକଲ ରାଲି। ପର୍ଯ୍ୟଟନ ବିଭାଗର ସହାୟତାରେ କୋଣାର୍କ ପ୍ରେସ‌୍‍ କ୍ଲବ ପକ୍ଷରୁ ଆୟୋଜିତ ଏହି ସାଇକଲ ରାଲି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରୁ ବାହାରି ମା’ ରାମଚଣ୍ଡୀଙ୍କ ପୀଠରେ ଶେଷ ହେବ।  ଡିସେମ୍ୱର ୧ ତାରିଖ ଠାରୁ ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ୮ଟା ୩୦ ମିନିଟ ପର୍ଯ୍ୟନ୍ତ  ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଇଟି ପର୍ଯ୍ୟାୟରେ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ମହା କୁମ୍ଭରେ ପ୍ରତେହ୍ୟ ଓଡିଶୀ ନୃତ୍ୟ ସହିତ ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହେବ। ଏଥିରେ ୬ ପ୍ରକାର ନୃତ୍ୟ ଯଥା ଓଡିଶୀ, କୁଚିପୁଡି, ମୋହୀନିଆଟମ, ଭାରତନାଟ୍ଟ୍ୟମ‌୍‍, କଥକ, ମଣିପୁରୀ,  ନୃତ୍ୟ ପରିବେଷଣ କରାଯିବ। ଏତଦବ୍ୟତିତ ଅତିଥି ନୃତ୍ୟ ଶିଳ୍ପୀ ଭାବେ ଇଣ୍ଡୋନେସିଆର ନୃତ୍ୟଶିଳ୍ପୀମାନେ ଉତ୍ସବର ଉଦଯାପନୀ ଦିବସର ପ୍ରଥମାର୍ଘରେ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥାକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିବେ। ଏହି ଉତ୍ସବ  ଦେଖିବା ନିମନ୍ତେ ମେକ‌୍‍ ଇନ‌୍‍ ଓଡିଶାର ୬୦୦ ପ୍ରତିନିଧି ଡିସେମ୍ୱର ୧ ଓ ୨ ତାରିଖରେ କୋଣାର୍କ ଆସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି।   ଚନ୍ଦ୍ରଭାଗାର ବେଳାଭୁମିରେ  ଆୟୋଜିତ ହେଉଥିବା ବାଲୁକା କଳା ପ୍ରଦର୍ଶନୀରେ ଭାଗ ନେବା ପାଇଁ ଦେଶ ବିଦେଶର ବାଲୁକା ଶିଳ୍ପୀମାନେ ଏବେ ବି ଅନଲାଇନରେ ନାମ ପଞ୍ଜିକରଣ କରୁଥିବା ଜଣା ପଡିଛି। ଆୟୋଜିତ ଏହି ବାଲୁକା କଳା ପ୍ରଦର୍ଶନୀରେ ଭାଗ ନେଇଥିବା ଭାରତୀୟ ଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଳ୍ପୀଙ୍କୁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ୱାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି।

Share :