ନବୀନ ଓଡ଼ିଶା- କୃଷିରେ ୨୧, ଶିଳ୍ପରେ ୧୧

ନବୀନ ଓଡ଼ିଶା- କୃଷିରେ ୨୧, ଶିଳ୍ପରେ ୧୧

Share :

 ତାଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଓଡ଼ିଶା କୃଷି ଓ ଶିଳ୍ପ କ୍ଷେତ୍ରରେ ପ୍ରବଳ ପ୍ରଗତି କରିଛି ବୋଲି ବିଜେଡ଼ି ନେତା ନବୀନ ପଟ୍ଟନାୟକ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଦାବି କରୁଥିବାବେଳେ ବାସ୍ତବ ସ୍ଥିତି ଅନ୍ୟପ୍ରକାର। ଯୋଜନା କମିଶନ ସ୍ଥାନରେ ଗଠିତ ହୋଇଥିବା ନିତି ଆୟୋଗ ଏବଂ ବିଶ୍ବ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ କୃଷି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଜାତୀୟ ସ୍ତରରେ ତଳକୁ ତଳକୁ ଖସିବାରେ ଲାଗିଛି। ଏଠାରେ କୃଷି ସଂସ୍କାର ପ୍ରାୟତଃ ଆରମ୍ଭ ହୋଇନଥିବାବେଳେ ଶିଳ୍ପ ଓ ବ୍ୟବସାୟ ଜଗତ ମଧ୍ୟ ମୁହଁ ମୋଡ଼ିବା ଆରମ୍ଭ କଲେଣି।   ନିତି ଆୟୋଗର ସଦ୍ୟତମ ରିପୋର୍ଟ ଅନୁସାରେ କୃଷି ସଂସ୍କାର କ୍ଷେତ୍ରରେ ଭାରତବର୍ଷରେ ଓଡ଼ିଶାର ସ୍ଥାନ ୨୧। ଓଡ଼ିଶା ଉପରେ ଅଛନ୍ତି ତ୍ରିପୁରା, ସିକିମ, ନାଗାଲାଣ୍ଡ, ମିଜୋରାମ, ଆସାମ ଓ ଝାଡ଼ଖଣ୍ଡ ପରି ରାଜ୍ୟ। ଏ ରାଜ୍ୟଗୁଡ଼ିକ କୃଷି କ୍ଷେତ୍ରେର ଓଡ଼ିଶାକୁ ପଛରେ ପକାଇ ଦେଇଛନ୍ତି। କୃଷି ବିକାଶ କ୍ଷେତ୍ରରେ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦାଷ, ହରିଆନା, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ପଂଜାବ ଆଦି ରାଜ୍ୟ ଯଥେଷ୍ଟ ଆଗରେ ଅଛନ୍ତି।   ନିତି ଆୟୋଗ ପ୍ରକାଶ କରିଥିବା ନୂଆ ତାଲିକା ଅନୁସାରେ କୃଷି ସଂସ୍କାର କ୍ଷେତ୍ରରେ ୮୧.୭ ପଏଣ୍ଟ ପାଇ ମହାରାଷ୍ଟ୍ର ସବା ଆଗରେ ଅଛି। ପଛକୁ ପଛ ଅଛନ୍ତି ଗୁଜରାଟ-୭୧.୫, ରାଜସ୍ଥାନ-୭୦.୦, ମଧ୍ୟ ପ୍ରଦେଶ-୬୯.୫, ହରିଆନା-୬୩.୩, ହିମାଚଳ ପ୍ରଦେଶ-୫୯.୫, ଆନ୍ଧ୍ର ପ୍ରଦେଶ-୫୬.୨, କର୍ଣ୍ଣାଟକ-୫୫.୫, ତେଲେଙ୍ଗାନା-୫୪.୩, ଗୋଆ-୫୨.୮, ଛତିଶଗଡ଼-୫୧.୪ ଆଦି ରାଜ୍ୟ। ଏହା ତଳକୁ ଅଛନ୍ତି ଝାଡ଼ଖଣ୍ଡ-୪୯.୪, ଉତ୍ତର ପ୍ରଦେଶ-୪୭.୮, ପଞ୍ଜାବ-୪୩.୯, ଆସାମ-୩୭.୧, ମିଜୋରାମ-୩୭.୦, ନାଗାଲାଣ୍ଡ-୩୩.୩, ସିକ୍କିମ-୩୨.୬, ପଶ୍ଚିମବଙ୍ଗ -୩୨.୫ ଓ ତ୍ରିପୁରା-୨୯.୧। ଏହି ୨୦ ରାଜ୍ୟ ତଳେ ରହିଛି ଓଡ଼ିଶା। କୃଷି ସଂସ୍କାର କ୍ଷେତ୍ରରେ ଓଡ଼ିଶା ପାଇଛି ମାତ୍ର ୨୭.୯ ପଏଣ୍ଟ।   ଓଡ଼ିଶା ତଳେ ରହିଥିବା ରାଜ୍ୟଗୁଡ଼ିକ ହେଲେ ଉତ୍ତରାଖଣ୍ଡ-୨୫.୨, ଅରୁଣାଚଳ ପ୍ରଦେଶ-୨୧.୧, ଚଣୋଡିଗଡ଼-୨୦.୧, ତାମିଲନାଡ଼ୁ-୧୭.୭, ମେଘାଳୟ-୧୪.୩, ଲାକ୍ଷାଦ୍ବୀପ-୭.୪, ଜାମ୍ମୁକାଶ୍ମୀର-୭.୪, ଦିଲ୍ଲୀ-୭.୩ ଏବଂ ପୁଡୁଚେରୀ-୪.୮।   ଓଡ଼ିଶା ହେଉଛି ମୁଖ୍ୟତଃ ଏକ କୃଷି ପ୍ରଧାନ ଦେଶ। ଏହାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ରାଜ୍ୟ ସରକାର କୃଷି ଉପରୁ ଗୁରୁତ୍ବ ହଟାଇ ଶିଳ୍ପ ଓ ବ୍ୟବସାୟ ଉପରେ ଅଧିକ ଗୁରୁତ୍ବ ଦେଇଚାଲିଛନ୍ତି। ହେଲେ ସେଥିରେ ମଧ୍ୟ ସଫଳତା ମିଳି ନାହିଁ। ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ସହିତ ଅପାରଗତା ଓ କୁପରିଚାଳନା ଯୋଗୁଁ ଓଡ଼ିଶାର ବହୁ ବଡ଼ ବଡ଼ ଶିଳ୍ପ ଓ ବ୍ୟବସାୟ ପ୍ରକଳ୍ପ ବିଫଳ ହୋଇଛନ୍ତି। ସେହି କାରଣରୁ ଆଉ କୌଣସି ନୂଆ ବୃହତ ପ୍ରକଳ୍ପ ଓଡ଼ିଶା ଆସୁନାହିଁ। ବଡ଼ବଡ଼ ଶିଳ୍ପ ଓ ବ୍ୟବସାୟ କମ୍ପାନୀଗୁଡ଼ିକ ଓଡ଼ିଶାରେ ଶିଳ୍ପ ଓ ବ୍ୟବସାୟ କରିବା ଆଉ ସହଜ ମଣୁ ନାହାନ୍ତି। ମିତ୍ତଲ ଆର୍ସେଲର ଓ ପସ୍କୋ ପ୍ରକଳ୍ପ ବିଫଳ ହେବା ସହିତ କଳିଙ୍ଗନଗର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ତାଳଚେର, ପାରାଦୀପ ଓ ବାଲେଶ୍ବର ପରି ଶିଳ୍ପାଞ୍ଚଳରେ ସହସ୍ର ବିବାଦ ଲାଗି ରହିଛି। ଶିଳ୍ପ ଓ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରେ ପରିଣତ ହୋଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉଜୁଡ଼ିଯିବାରେ ଲାଗିଛି। ସେଥିପାଇଁ ଓଡ଼ିଶାରେ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ପରିବେଶ ନଷ୍ଟ ହୋଇଯାଇଛି।   ଓଡ଼ିଶାରେ ବ୍ୟବସାୟ ଅନୁକୂଳ ପରିବେଶ ନଷ୍ଟ ହେବାରେ ଲାଗିଛି। ଗତ ଇଜ୍‌ ଅଫ୍‌ ଡୁଂ ବିଜିନେସ୍ ତାଲିକାର ଭାରତବର୍ଷରେ ସପ୍ତମ ସ୍ଥାନ ଅଧିକାର କରିଥିବା ଓଡ଼ିଶା ଚଳିତ ବର୍ଷ ଏକାଦଶ ସ୍ଥାନକୁ ଖସି ଯାଇଚି। ଓଡ଼ିଶାରେ ଶିଳ୍ପ କାରଖାନା ଖୋଲିବାକୁ ବା ବ୍ୟବସାୟ କରିବାକୁ ଉଦ୍ୟୋଗପତିମାନେ ସହଜବୋଧ କରୁ ନାହାନ୍ତି। ଉଦ୍ୟୋଗ ପାଇଁ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି, ସୁବିଧାଜନକ ବ୍ୟବସାୟ ଆରମ୍ଭ, ନିର୍ମାଣ ଅନୁମତି, ବିଦ୍ୟୁତ୍ ଯୋଗାଣ, ସ୍ଥାନ ନିରୂପଣ ଓ ପଞ୍ଜୀକରଣ, ଋଣ ସୁବିଧା, ଟିକସ ପ୍ରଦାନ ଆଦି ସବୁ କ୍ଷେତ୍ରକୁ ଅନୁଶୀଳନ କରି ବିଶ୍ୱବ୍ୟାଙ୍କ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରେ ଓଡ଼ିଶାର ସ୍ଥାନ ୧୧ ରହିଛି। ୨୦୧୫ର ମାତ୍ର ୫୨ ମାର୍କ ପାଇ ଓଡ଼ିଶା ଦେଶର ୭ମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୯୨.୭୩ ପ୍ରତିଶତ ମାର୍କ ପାଇ ମଧ୍ୟ ୧୧କୁ ଖସିଆସିଛି। ଅର୍ଥାତ୍ ଅନ୍ୟ ରାଜ୍ୟମାନେ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଯେତିକି ପଦକ୍ଷେପ ଗ୍ରହଣ କରିଛନ୍ତି ଓଡ଼ିଶା ତାହାଠାରୁ କମ‍୍‌ ପଦକ୍ଷେପ ନେଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦେଶର ଅଧିକାଂଶ ରାଜ୍ୟ ୯୦ ପ୍ରତିଶତରୁ ଅଧିକ ନମ୍ୱର ପାଇଥିଲେ ମଧ୍ୟ ବିଶ୍ୱରେ ଭାରତର ସ୍ଥାନ ୧୩୦ ରହିଛି। ୨୦୧୬ରେ ଭାରତ ଏଥିରେ ୫୪ ମାର୍କ ପାଇ ୧୩୧ ଥିବାବେଳେ ଚଳିତ ବର୍ଷ ୫୫.୨୭ ନମ୍ୱର ପାଇଛି।   ଇଜି ଅଫ ଡୁଇଙ୍ଗ ବିଜିନେସ‍୍‌ ସଂକ୍ରାନ୍ତରେ ବିଶ୍ୱବ୍ୟାଙ୍କ ଓ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିପି) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶା ୧୧ ନମ୍ୱର ସ୍ଥାନରେ ରହିଛି। ଜୁଲାଇ ୨୦୧୫ରୁ ଜୁନ‍୍‌ ୨୦୧୬ର ସ୍ଥିତି ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସର୍ବାଧିକ ୯୮.୭୮ ପ୍ରତିଶତ ନମ୍ୱର ପାଇ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଥିବାବେଳେ ତୃତୀୟ ସ୍ଥାନରେ ରହିଛି ଗୁଜୁରାଟ। ଗୁଜୁରାଟକୁ ମିଳିଛି ୯୮.୨୧ ପ୍ରତିଶତ। ଏହା ପଛକୁ ଛତିଶଗଡ଼ (୯୭.୩୨), ମଧ୍ୟପ୍ରଦେଶ (୯୭), ହରିୟାଣା (୯୬.୯୫), ଝାରଖଣ୍ଡ (୯୬.୫୭), ରାଜସ୍ଥାନ (୯୬.୪୩), ଉତ୍ତରାଖଣ୍ଡ (୯୬.୧୩) ଓ ମହାରାଷ୍ଟ୍ର (୯୨.୮୬) ରହିଛି। ଓଡ଼ିଶା ପଛକୁ ଥିବା ରାଜ୍ୟଗୁଡ଼ିକ ହେଉଛି; ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ହିମାଚଳ ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ, କେରଳ, ଗୋଆ, ତ୍ରିପୁରା, ଡାମନଡିଉ, ଆସାମ, ଅରୁଣାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର।   ମୋଟ ୩୪୦ଟି ବିଆରଏପି ସଂସ୍କାର ମାନକ ଉପରେ ହୋଇଥିବା ଏହି ଅଧ୍ୟୟନରେ ଓଡ଼ିଶା ୩୦୬ଟି ମାନକ କାର୍ଯ୍ୟକାରୀ କରିଥିବାବେଳେ ୨୪ଟି କାର୍ଯ୍ୟକାରୀ କରିନାହିଁ। ଅପରପକ୍ଷରେ ୧୦ଟି ମାନକ ସଂକ୍ରାନ୍ତରେ ଓଡ଼ିଶା ରିପୋର୍ଟ ମଧ୍ୟ ଦେଇନଥିବା ଜାଣିବାକୁ ମିଳିଛି। ଓଡ଼ିଶା କାର୍ଯ୍ୟକାରୀ କରିଥିବା ପ୍ରମୁଖ ୫ଟି ସଂସ୍କାର ହେଉଛି ସୂଚନା ଓ ସ୍ୱଚ୍ଛତା, ସିଙ୍ଗଲୱିଣ୍ଡୋ, ଜମି ଉପଲବ୍ଧତା, ନିର୍ମାଣ ଅନୁମତି ଓ ପରିବେଶ ପଞ୍ଜୀକରଣ ବ୍ୟବସ୍ଥା।   ଅପରପକ୍ଷରେ ଇଜି ଅଫ ଡୁଇଙ୍ଗ ବିଜିନେସ‍୍‌ ସଂକ୍ରାନ୍ତରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଅନ୍ତଃରାଷ୍ଟ୍ରୀୟ ରିପୋର୍ଟରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ବିଶ୍ୱର ବୃହତ୍ ଅର୍ଥନୀତିକୁ ଟକ୍କର ଦେଉଥିବା ଭାରତରେ ବ୍ୟବସାୟ ଅନୁକୂଳ ପରିବେଶ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ, ଇଜି ଅଫ ଡୁଇଙ୍ଗ ବିଜିନେସ‍୍ରେ ବିଶ୍ୱର ୧୯୦ ରାଷ୍ଟ୍ର ମଧ୍ୟରୁ ଭାରତର ସ୍ଥାନ ୧୩୦ ରହିଛି। ୨୦୧୬ରେ ଭାରତର ସ୍ଥାନ ୧୩୧ ଥିବାବେଳେ ମାତ୍ର ଗୋଟିଏ ପାଦ ଆଗକୁ ଯାଇଛି ଦେଶ। ଏକ୍ଷେତ୍ରରେ ନ୍ୟୁଜିଲାଣ୍ଡ ବିଶ୍ୱରେ ୧ ନମ୍ୱର ସ୍ଥାନ ହାସଲ କରିଛି। ଭାରତ ସମ୍ପର୍କରେ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ୟବସାୟ ଆରମ୍ଭ କରିବାରେ ବିଶ୍ୱରେ ଭାରତର ସ୍ଥାନ ୧୫୫ ଥିବାବେଳେ, ନିର୍ମାଣ ଅନୁମତିରେ ୧୮୫, ବିଦ୍ୟୁତ୍ ଯୋଗାଣରେ ୨୬, ସମ୍ପତ୍ତି ପଞ୍ଜୀକରଣରେ ୧୩୮, ଋଣରେ ୪୪, କ୍ଷୁଦ୍ର ନିବେଶକଙ୍କ ସୁରକ୍ଷାରେ ୧୧୫ ଓ ଟିକସ ପ୍ରଦାନରେ ୧୫୪ତମ ସ୍ଥାନ ହାସଲ କରିଛି। 

Share :