ମହାନଦୀ-ଅଜ୍ଞତାର ସ୍ବୀକାରୋକ୍ତି

ମହାନଦୀ-ଅଜ୍ଞତାର ସ୍ବୀକାରୋକ୍ତି

Share :

  ଓଡ଼ିଆରେ ଗୋଟେ କଥା ଅଛି- ଛୁଞ୍ଚିରେ ଛିଡ଼ିବା କାମ ଶାବଳରେ ହୁଏନା। ମହାନଦୀ ପ୍ରସଙ୍ଗରେ ବିଜୁ ଜନତା ଦଳ ଛୁଞ୍ଚି ଛାଡ଼ି ଶାବଳ ଧରିଛି। ଖାସ୍ ରାଜନୀତିକ ଉଦ୍ଦେଶ୍ୟ ରଖି ବିଜୁ ଜନତା ଦଳ ଓ ଏହି ଦଳର ସରକାର ଏହି ପ୍ରକ୍ରିୟାରେ ଆପଣାର ଅଜ୍ଞତା ଓ ଅପାରଗତାକୁ ବି ପଦାରେ ପକାଇ ଚାଲିଛନ୍ତି। ମହାନଦୀ ଜଳବଣ୍ଟନ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଯେକୌଣସି ପ୍ରକାରେ ଏହି ପ୍ରସଙ୍ଗକୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ଏବଂ ଦରକାର ହେଲେ ୨୦୧୯ ବିଧାନସଭା ନିର୍ବାଚନ ଯାଏଁ ଜିଆଁଇ ରଖିବାକୁ ଫନ୍ଦିଫକର କରାଯାଇଛି। ସେଥିପାଇଁ ରାଜ୍ୟ ରାଜକୋଷରୁ କେଇ ଲକ୍ଷ କି କେଇ କୋଟି ପାଣିରେ ପଡ଼ିଲେ ବି ଯାଏଆସେ ନାହିଁ। ଦଳର ସ୍ବାର୍ଥ ନା!   ଚାରି ମାସ ହେଲା ବିଜେଡି ମହାନଦୀ ଆନ୍ଦୋଳନ ଚଳାଇଛି। ଏବେ କିନ୍ତୁ ଏହି ଦଳର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ପୂର୍ଣ୍ଣରୂପେ ସାବିତ ହୋଇଛି ଯେ ମହାନଦୀ ନେଇ ବିଜେଡି ନେତା ଓ ସରକାରର ଅମଲାମାନେ ବିଶେଷ କିଛି ଜାଣି ନାହାନ୍ତି। ସେମାନଙ୍କ ପାଖରେ ତଥ୍ୟ ଓ ସୂଚନା ନାହିଁ। ସେଥିପାଇଁ ସେମାନେ ମହାନଦୀ ସଂକ୍ରାନ୍ତ ଯାବତ ତଥ୍ୟ ସଂଗ୍ରୈ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ପ୍ରସଙ୍ଗ ଅଦାଲତ ନେବାକୁ ନବୀନ ସରକାର ହୀରାକୁଦ ବନ୍ଧର ଇତିବୃତ୍ତି, ଏବେକାର ସ୍ଥିତି, ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ମହାନଦୀ ସମ୍ପର୍କରେ ଥିବା ତଥ୍ୟ, ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି, ବିଶେଷଜ୍ଞଙ୍କ ନଥି, ଜାତୀୟ ଅଭିଲେଖାଗାରରେ ଥିବା ତଥ୍ୟ ଆଦି ସଂଗ୍ରହ କରିବା ସହ ଓଡ଼ିଶାର ଜୈବ ବିବିଧତା ଉପରେ କି ପ୍ରଭାବ ପରିଲକ୍ଷିତ ହେବ ସେନେଇ ସବିଶେଷ ତଥ୍ୟ ସଂଗ୍ରହରେ ଲାଗି ପଡ଼ିଛନ୍ତି। ଏନେଇ ସର୍ବୋଚ୍ଚ ଯନ୍ତ୍ରୀ ବିଭିନ୍ନ ବିଭାଗକୁ ପତ୍ର ଲେଖି ତୁରନ୍ତ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।   ସରକାରୀ ସୂଚନା ଅନୁସାରେ ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଳଭ ମହାପାତ୍ର ଏନେଇ ୱାଲମି ନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖିଛନ୍ତି। ୱାଲମି ପକ୍ଷରୁ ଆନ୍ତଃରାଜ୍ୟ ଚୁକ୍ତି ସଂକ୍ରାନ୍ତରେ ତଥ୍ୟାବଳୀ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ୧୯୭୩, ୧୯୭୬, ୧୯୭୯, ୧୯୮୨ ଓ ୧୯୮୩ ଚୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ସନ୍ନିବେଶିତ ହୋଇଛି। ଏହି ତଥ୍ୟାବଳୀ ତୁରନ୍ତ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଅନୁରୋଧ କରିଛନ୍ତି। ଏତଦ‍୍‌ବ୍ୟତୀତ ମହାନଦୀରେ କେତେ ଜଳ ଉପଲବ୍ଧ ହେଉଛି, କେଉଁ ସ୍ଥାନରେ କେତେ ଜଳ ରହିଛି, ଏହା ଆକଳନ କରିବା ପାଇଁ କି ପଦ୍ଧତି ଅବଲମ୍ୱନ କରାଯାଇଛି ସେନେଇ ତଥ୍ୟ ପ୍ରଦାନ କରିବାକୁ ଅବବାହିକା ପରିଚାଳନା କରୁଥିବା ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ବର୍ଷକୁ କେତେ ପରିମାଣର ମହାନଦୀ ଜଳ ଜଳସେଚନ, ଶିଳ୍ପାଞ୍ଚଳ ଓ ଘରୋଇ ବ୍ୟବହାର ପାଇଁ ବ୍ୟବହୃତ ହେଉଛି ଓ ହୀରାକୁଦ ଜଳଭଣ୍ଡାରର କେତେ ପରିମାଣର ଜଳ ଜଳସେଚନ, ବିଦ୍ୟୁତ୍ ଓ ନିମ୍ନ ଅବବାହିକାର ଖରିଫ ଓ ରବି ଚାଷ ପାଇଁ କେତେ ଜଳ ବ୍ୟବହାର କରାଯାଉଛି ସେ ସଂକ୍ରାନ୍ତରେ ତଥ୍ୟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକିନୁହେଁ ଭବିଷ୍ୟତରେ ରାଜ୍ୟ ସରକାର ମହାନଦୀ ଉପରେ କେତେ ପ୍ରକଳ୍ପ କରିବେ, ସେଥିପାଇଁ କେତେ ଜଳ ଆବଶ୍ୟକ, ମୌସୁମୀ ଓ ଅଣମୌସୁମୀ ସମୟରେ କେତେ ଜଳ ଆବଶ୍ୟକ ଆଦି ବିଷୟକ ତଥ୍ୟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।   ସେହିପରି ଛତିଶଗଡ଼ ପକ୍ଷରୁ ମହାନଦୀର ଉପର ମୁଣ୍ଡରେ କେତୋଟି ପ୍ରକଳ୍ପ କରାଯାଇଛି, ତାହାର ସୀମା କେତେ ଆଦି ବିଷୟରେ ଫଟୋ ଓ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଅନ୍ୟ ଏକ ନୋଡ଼ାଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଅବବାହିକା ସମ୍ପର୍କରେ ଗବେଷଣା ପାଇଁ ଏକ ଟିମ‍୍‌ ମଧ୍ୟ ଗଠନ କରାଯାଇଛି। ଏହି ଟିମ‍୍‌ରେ ଇଂ ମୁରଲୀଧର ପଣ୍ଡା, ଇଂ ପ୍ରଶାନ୍ତ ସାହୁ ଓ ନର୍ମଦା ପାଢ଼ୀଙ୍କ ସମେତ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ସାମିଲ‍୍‌ ଅଛନ୍ତି। ଯେଉଁ ଟିମ‍୍‌ ବିଭିନ୍ନ ବେସିନ‍୍‌ ମ୍ୟାନେଜମେଣ୍ଟ କାର୍ଯ୍ୟାଳୟ ଓ ଜାତୀୟ ଅଭିଲେଖାଗାରରୁ ତଥ୍ୟ ସମ୍ମିଳିତ କରି ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି।   ମହାନଦୀରୁ ଜଳ ହ୍ରାସ ପାଇଲେ ମାଛ ଚାଷ, ହେନ୍ତାଳ ବଣ, ଭିତରକନିକା, ସାତେକୋଶିଆ, ଗହୀରମଥା ଓ ଚିଲିକା ହ୍ରଦର ଜୈବ ବିବିଧତା କିଭଳି ପ୍ରଭାବିତ ହେବ। ଏହି ଜୈବ ସନ୍ତୁଳନ ବଜାୟ ରଖିବା ପାଇଁ ନିମ୍ନ ମହାନଦୀ ଅବବାହିକାରେ ସର୍ବନିମ୍ନ କେତେ ଜଳ ପ୍ରବାହିତ ହେବାର ଆବଶ୍ୟକତା ରହିଛି ସେନେଇ ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବେ। ଏଥିପାଇଁ ବିଶେଷଜ୍ଞମାନଙ୍କର ମଧ୍ୟ ସହାୟତା ନିଆଯିବ। ଏନେଇ ବିଭିନ୍ନ ନୋଡ଼ାଲ ବିଭାଗକୁ ପତ୍ର ମାଧ୍ୟମରେ ରାଜ୍ୟ ସରକାର ଅବଗତ ରଖିଛନ୍ତି।   ସେହିପରି ଓରସାକ୍‌କୁ ମଧ୍ୟ ରିଭର ନେଟୱାର୍କ ଆନାଲିସିସ‍୍‌ କରିବାକୁ କୁହାଯାଇଛି। ଛତିଶଗଡ଼ କେଉଁ କେଉଁ ସୂତ୍ରରୁ ଜଳ ପାଉଛି, ସେଠାରେ ପ୍ରବାହିତ ନଦୀର ସ୍ଥିତି, ତାହାର ପରିସୀମା, ଅବବାହିକାର ପରିସୀମା, ଓଡ଼ିଶାର ଜଳଉତ୍ସ ସଂକ୍ରାନ୍ତ ସବିଶେଷ ତଥ୍ୟାବଳୀ ତୁରନ୍ତ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।   ତେବେ ରାଜ୍ୟ ସରକାରଙ୍କର ଏପରି ବିଳମ୍ବିତ ତଥ୍ୟ ସଂଗ୍ରହ ପ୍ରମାଣିତ କରିଛି ଯେ ଏଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସହଚରମାନେ କେବଳ ଅନ୍ଧାରରେ ବାଡ଼ି ବୁଲଉଛନ୍ତି। ସେମାନେ କିଛି ତଥ୍ୟପ୍ରମାଣ ନଜାଣି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିଭେଦ ଓ ବିଦ୍ବେଷ ସୃଷ୍ଟି କରିଛନ୍ତି। ମହାନଦୀରେ ପୂର୍ବରୁ ପରିକଳ୍ପିତ ୪ଟି ପ୍ରକଳ୍ପକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରି ନଥିବାବେଳେ ପୁଣି ଭବିଷ୍ୟତର ପ୍ରକଳ୍ପ କଥା କୁହାଯାଉଛି। ମହାନଦୀ ଅବବାହିକାରେ ଜୈବ ବିବିଧତା ଓଡ଼ିଶା ସରକାର ତ୍ରୁଟିପୂର୍ଣ୍ଣ ବିକାଶ ଯୋଜନା ଯୋଗୁଁ ନଷ୍ଟ ହେଉଥିବାବେଳେ ତାହାର ଦୋଷ ଛତିଶଗଡ଼ ଉପରେ ଲଦି ଦେବାକୁ ଉଦ୍ୟମ ହେଉଛି।   ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଯଦି କିଛି ଜଳ ବଣ୍ଟନ ସମସ୍ୟା ସୃଷ୍ଟି ହୋଇଛି ତେବେ ତାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା ମାଧ୍ୟମରେ ସମାଧାନ କରିବା ହେଉଛି ସବୁଠୁ ଶସ୍ତା ଓ ସହଜ ବାଟ। ଓଡ଼ିଶା ସରକାର କିନ୍ତୁ ଏ ବାଟ ଧରିବାକୁ ନାରାଜ। ତା’ ବଦଳରେ ହଜାରେ ବିବୃତି, ଶହେ ଆନ୍ଦୋଳନ, ଶହଶହ ଗସ୍ତ ଓ ଅନେକ ଚିଠିର ଆୟୋଜନ ହେଉଛି। ପୁଣି କୋର୍ଟକଚେରୀ କଥା ବି ଉଠିଲାଣି। ସେଥିରେ ସମସ୍ୟାର ସମାଧାନ ହେଉ ନହେଉ ନବୀନଙ୍କୁ ନିର୍ବାଚନ ବୈତରଣୀ ପାରି ହେବାକୁ ଗୋଟେ ଅଯଥା ଅସ୍ତ୍ର ମିଳିଯାଇ ପାରେ।

Share :